Unknown

 

 

 

 

 

 

 

 

 

 

 

ଭାରତର ଇତିହାସ କଥା

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

 

 

 

 

 

 

 

 

 

କୌଣସି ମାନନୀୟ ବନ୍ଧୁଙ୍କ ହାତରେ

 

ସୂଚୀପତ୍ର

 

୧.

ରାଜା ଭଗୀରଥ

୨.

ରାଜା ଉଦୟନ ଓ ବାସବଦତ୍ତା

୩.

ରାମୟଣ କଥା

୪.

ମହାଭାରତ ଯୁଦ୍ଧ

୫.

ବୁଦ୍ଧଦେବ

୬.

ଗ୍ରୀକ୍‌ବୀର ସେକନ୍ଦର

୭.

ଖାରବେଳ

୮.

ବୀର ଚନ୍ଦ୍ରଗୁପ୍ତ

୯.

ଧର୍ମରାଜ ଅଶୋକ

୧୦.

ଶ୍ରୀହର୍ଷ

୧୧.

ଖ୍ରୀଷ୍ଟାବ୍ଦ

୧୨.

ମହାବୀର ପୃଥ୍ୱୀରାଜ

୧୩.

ଦୟାଳୁ ସବକ୍ତଗୀନ୍‌

୧୪.

ମାହମୁଦ୍‌

୧୫.

ନାସିରୁଦ୍ଦିନ୍‌

୧୬.

ରାଜପୁତ୍‌ବୀର ନିର୍ଭୟଚାନ୍ଦ

୧୭.

ବୀରବାଳା ପଦ୍ମିନୀ

୧୮.

ରାଜ୍ୟ ପାଇଁ ପୁତ୍ରବଳି

୧୯.

ଗଜପତି ପୁରୁଷୋତ୍ତମ ଦେବ

୨୦.

ମୋଗଲ ରାଜ ହୁମାୟୁନ

୨୧.

ସମ୍ରାଟ୍‌ ଆକ୍‌ବର

୨୨.

ପାନ୍ନା

୨୩.

ରାଣୀ ଦୁର୍ଗାବତୀ

୨୪.

ରାଣା ପ୍ରତାପ

୨୫.

ମହାରାଜ ମୁକୁନ୍ଦଦେବ

୨୬.

ମହାବୀର ଶିବାଜୀ

୨୭.

ତେଜବାହାଦୂର

୨୮.

ଇଂରାଜମାନଙ୍କର ଭାରତ ଅଧିକାର

Image

 

ରାଜା ଭଗୀରଥ

 

ତୁମ୍ଭେମାନେ ଜାଣିଥିବ, ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜନ୍ମିଥିଲେ । ସେହି ସୂର୍ଯ୍ୟବଂଶରେ ରାମଚନ୍ଦ୍ରଙ୍କ ବହୁତ ଆଗରୁ ଆଉ ଜଣେ ରାଜା ଥିଲେ । ତାଙ୍କ ନାଆଁ ସଗର । ସଗରରାଜାଙ୍କର ପିଲାଝିଲା କିଛି କମ୍‌ ନ ଥିଲେ–ଏକାବେଳକେ ଷାଠିଏ ହଜାର ପୁଅ । ସମସ୍ତଙ୍କୁ ସମସ୍ତେ ଜିଣି ଧନୁର୍ଦ୍ଧର । ସମସ୍ତେ ଏପରି ବୀର ଯେ, ଅନ୍ୟାନ୍ୟ ରାଜାମାନେ ତାଙ୍କ ନାଆଁ ଶୁଣିଲେ ଡରି ଯାଉଥିଲେ ।

 

ପୁଅଙ୍କ ବଳରେ ବଳୀୟାନ୍‌ ହୋଇ ରାଜା ସଗର ଆଉ କାହାକୁ ଖାତିରି କରନ୍ତି ନାହିଁ । ସେ ସବୁ ରାଜାଙ୍କୁ ଜିଣି ଚାଳଚକ୍ରବର୍ତ୍ତୀ ହେଲେ–ପରେ ରାଜାମାନଙ୍କୁ ନିଜ ସଭାକୁ ଡାକି ଅଶ୍ୱମେଧଯଜ୍ଞ କଲେ । ଯେଉଁ ରାଜାମାନେ ଯୁଦ୍ଧରେ ସବୁ ରାଜାଙ୍କୁ ପରାସ୍ତ କରିଥାନ୍ତି, କେବଳ ସେଇମାନେ ଅଶ୍ଵମେଧ ଯଜ୍ଞ କରନ୍ତି । ଗୋଟାଏ ଘୋଡ଼ାକୁ ତା’ ମନଇଚ୍ଛା ବୁଲିବାକୁ ଛାଡ଼ି ଦିଆଯାଏ । ଘୋଡ଼ା ଯେଉଁ ଦେଶରେ ପହୁଞ୍ଚେ, ସେ ଦେଶର ରାଜା ଯଦି ଦୁର୍ବଳ ହୋଇଥାନ୍ତି, ତେବେ ଘୋଡ଼ାକୁ ଛାଡ଼ି ଦିଅନ୍ତି । ସେଥିରୁ ଜଣାଯାଏ ଯେ, ସେ ଅଧୀନତା ସ୍ୱୀକାର କଲେ । ଯଦି କୌଣସି ଦେଶର ରାଜା ଘୋଡ଼ା ବାନ୍ଧନ୍ତି, ତେବେ ଘୋଡ଼ା ସାଙ୍ଗରେ ଥିବା ସୈନ୍ୟମାନେ ଯୁଦ୍ଧ କରି ସେ ରାଜାଙ୍କୁ ପରାସ୍ତ କରି ଘୋଡ଼ା ଆଣନ୍ତି । ଘୋଡ଼ା ଆଣି ନ ପାରିଲେ ଯଜ୍ଞ ବନ୍ଦ । ଯଦି ଘୋଡ଼ାକୁ ଆଣନ୍ତି, ତେବେ ବର୍ଷେ କାଳ ଏହିପରି ବୁଲେଇ ବୁଲେଇ ଶେଷରେ ରାଜ୍ୟକୁ ଆଣି ଯଜ୍ଞ ଆରମ୍ଭ କରନ୍ତି ।

 

ସଗରରାଜାଙ୍କ ପୁଅଙ୍କ ଡରରେ କେହି ଘୋଡ଼ା ବାନ୍ଧିବାକୁ ସାହସ କଲେ ନାହିଁ । ଘୋଡ଼ା ବୁଲି ବୁଲି ବର୍ଷକ ପରେ ରାଜ୍ୟକୁ ଆସିଲା । ସେହି ଘୋଡ଼ା ମୁଣ୍ଡକୁ ହାଣି ଯଜ୍ଞ କୁଣ୍ଡରେ ଆହୁତି ଦିଆ ହୋଇ ଯଜ୍ଞ ହେଲା ।

 

ଏହିପରି ଶହେଥର ଅଶ୍ୱମେଧ ଯଜ୍ଞ କଲେ ସ୍ୱର୍ଗର ଇନ୍ଦ୍ର ହୋଇ ପାରିବେ, ଏହା ଭାବି ସଗର ଥରକୁଥର ଯଜ୍ଞ କଲେ । ଅନେଶ୍ୱତଥର ଯଜ୍ଞ ସୁରୁଖୁରୁରେ ହୋଇଗଲା, କେହି କିଛି କରି ପାରିଲେ ନାହିଁ । ମାତ୍ର ଶେଷ ଥରକ ନିଜେ ଇନ୍ଦ୍ର ସ୍ୱର୍ଗରୁ ଆସି ଘୋଡ଼ା ଚୋରାଇ ନେଲେ । ସେ ମଧ୍ୟ ସଗର ପୁଅମାନଙ୍କୁ ପ୍ରାଣପଣେ ଡରନ୍ତି; ତେଣୁ ଭୟରେ ପାତାଳରେ କପିଳମୁନିଙ୍କ ଆଶ୍ରମରେ ଘୋଡ଼ାକୁ ବାନ୍ଧି ସେ ସ୍ୱର୍ଗକୁ ରାତିକାରାତି ପଳାଇଲେ ।

 

ସକାଳୁ ଉଠି ରାଜା ଦେଖନ୍ତି ତ ଘୋଡ଼ା ନାହିଁ । ଯଜ୍ଞ ହେବ କିପରି ? ଏ କଥା ଶୁଣି ପୁଅମାନେ ଚାରିଆଡ଼ ଖେଦିଗଲେ । ପୃଥିବୀର ସବୁ ଜାଗା ଖୋଜି ଖୋଜି କେଉଁଠି ନ ପାଇବାରୁ ସମସ୍ତେ ଏକାଠି ହୋଇ ପାତାଳକୁ ଯିବାକୁ ବିଚାର କଲେ । ଷାଠିଏ ହଜାର ଭାଇଯାକ ପାତାଳକୁ ବାଟ ଫିଟାଇବେ ବୋଲି ପୃଥିବୀ ଖୋଳି ପକାଇଲେ । ସେ ଯାହା ଖୋଳି ଥିଲେ ସେଥିରେ ପରେ ପାଣି ଜମା ହୋଇ ସମୁଦ୍ର ହେଲା । ସଗରରାଜାଙ୍କ ପୁଅମାନେ ଖୋଳିବାରୁ ସମୁଦ୍ରର ଅନ୍ୟ ନାମ ‘‘ସାଗର’’ ।

 

ସବୁ ଭାଇଯାକ ଯାଇ ପାତାଳରେ ପହଞ୍ଚିଲେ । ସେଠାରେ ଯାଇ ଦେଖିଲେ ଯେ, ଆଗରେ ଗୋଟିଏ ମୁନି ବସି ତପସ୍ୟା କରୁଛନ୍ତି । ପଛରେ ଘୋଡ଼ା ବନ୍ଧା ହୋଇଛି । ସେମାନେ ତ ଜାଣନ୍ତି ନାହିଁ ଇନ୍ଦ୍ର ଏତେ କଥା କରିଛି ବୋଲି । ସେମାନେ ମନେ ମନେ ପାଞ୍ଚିଲେ, ‘‘ଏଇ ଚୋର ରାତିରେ ଘୋଡ଼ାକୁ ଚୋରିକରି ଆଣି ଦିନରେ ମିଛରେ ବସି ତପସ୍ୟା କରୁଚି ।’’ ଏହା ଭାବି ସେମାନେ ବେଢ଼ିକୁଢ଼ି କପିଳମୁନିଙ୍କୁ ଆଚ୍ଛାକରି ଟାଙ୍କେ ଛେଚିଦେଲେ । କିଏ ପିଠିରେ ଦୁଇ ଚାରିଟା ଉଦୁମ୍‌ଦୁମା ଥୋଇ ଦେଲା, କିଏ କାନ ମୋଡ଼ି ପକାଇଲା, କିଏ ବା ତାଙ୍କ ଦାଢ଼ି ନିଶକୁ ଝିଙ୍କା ଝିଙ୍କି କରିବାରେ ଲାଗିଗଲା । ମୁନିଙ୍କ ଯୋଗ ଭାଙ୍ଗିଗଲାରୁ ସେ ଏପରି ଭାବରେ ଚାହିଁଦେଲେ ଯେ, ତାଙ୍କ ଆଖିରୁ ଦପ୍‌ ଦପ୍‌ ହୋଇ ନିଆଁ ଜଳିଉଠି ଏମାନଙ୍କୁ ପୋଡ଼ି ପକାଇଲା । ଏମାନେ ବହୁତ ବିକଳ ହୋଇ କ୍ଷମା ମାଗିବାରୁ ମୁନି କହିଲେ, ‘‘ଏହିପରି ଦିନଯାକ କଷ୍ଟ ପାଉଥିବ, ମାତ୍ର ରାତିକୁ ଭଲ ହୋଇ ଯାଉଥିବ ।’’

 

ଏଣେ ସଗରରାଜା ପୁରା ଶହେ ଯଜ୍ଞ କରି ନ ପାରି ମନ ଦୁଃଖରେ ମଲେ । ସେହିପରି ଆଉ କେତେ ରାଜା ମଧ୍ୟ ଗଲେ । ବହୁତ ବର୍ଷପରେ ଭଗୀରଥ ବୋଲି ଜଣେ ସେ ବଂଶରେ ରାଜା ହେଲେ । ସେ ଭାରି ଧାର୍ମିକ ଓ ବୀର ଥିଲେ । ଯାହା କରିବେ ବୋଲି କହୁଥିଲେ, ଯେତେ କଷ୍ଟ ପଡ଼ୁ ପଛକେ ସେ ତାହା କରୁଥିଲେ । ଦିନେ ବୁଲୁବୁଲୁ ରାଜା ଭଗୀରଥ ପାତାଳକୁ ଚାଲିଗଲେ । ସେଠାରେ ଦେଖିଲେ ଯେ, ଅନେକ ଗୁଡ଼ାଏ ଲୋକ ନିଆଁରେ ପୋଡ଼ି ହେଉଛନ୍ତି । ତାଙ୍କର ଯୁ ବିକଳ କହିଲେ ନ ସରେ । ତାଙ୍କ ବିକଳ ସହି ନ ପାରି ରାଜା ଆସି ମନ୍ତ୍ରୀଙ୍କୁ ପଚାରିଲେ । ମନ୍ତ୍ରୀ ଆଗକାର ସବୁ କଥା କହିଗଲେ । ସେମାନେ ତାଙ୍କରି ପୂର୍ବପୁରୁଷ, ଏ କଥା ଶୁଣି ରାଜା ଭଗୀରଥଙ୍କ ମନ ବଡ଼ ବ୍ୟାକୁଳ ହୋଇ ପଡ଼ିଲା । ସେ ସେମାନଙ୍କୁ ସେ ବିପଦରୁ କିପରି ଉଦ୍ଧାର କରିବେ, ଏ କଥା ପଚାରିବାରୁ ମନ୍ତ୍ରୀ କହିଲେ, ‘‘ଆପଣ ଯଦି ସ୍ୱର୍ଗରୁ ଗଙ୍ଗାନଈକୁ ମର୍ତ୍ତ୍ୟକୁ ଆଣିପାରିବେ, ତେବେ ସେମାନେ ସେଥିରେ ଉଦ୍ଧାର ପାଇବେ ।’’

 

ଭଗୀରଥ ଏ କଥା ଶୁଣି ଯାଇ ବଣରେ ତପସ୍ୟା କଲେ । କି ଦିନ ରାତି ସବୁଦିନ ଉପରକୁ ମୁହଁ ଟେକି ବସିଥାନ୍ତି । ଖିଆପିଆରେ ଠିକ୍‌ ନାହିଁ, ବର୍ଷା ଶୀତକୁ ଖାତିରି ନାହିଁ, ବାଘ ଭାଲୁଙ୍କୁ ଡର ନାହିଁ । ଏହିପରି ଦିନେ ଅଧେ ନୁହେ, ବହୁତ ବର୍ଷ କଟିଗଲା । ଗଙ୍ଗା ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହେଲେ । ସେ ତ ସ୍ୱର୍ଗର ନଈ; ମର୍ତ୍ତ୍ୟରେ ତାଙ୍କୁ ସମ୍ଭାଳିବ କିଏ ? ତେଣୁ ଭଗୀରଥ ମହାଦେବଙ୍କୁ ଆରାଧନା କଲେ । ମହାଦେବ ଆନନ୍ଦରେ ମୁଣ୍ଡ ପତାଇ ଦେଲେ । ଗଙ୍ଗା ତାଙ୍କରି ମୁଣ୍ଡ ଦେଇ ମର୍ତ୍ତ୍ୟକୁ ଆସିଲେ । ଗଙ୍ଗାପାଣି ପଡ଼ିବାରୁ ପାତାଳପୁରର ନିଆଁ ଲିଭିଗଲା । ସଗର ପୁଅମାନେ ଶାନ୍ତି ପାଇଲେ ।

Image

(ଗଙ୍ଗା.......ମର୍ତ୍ତ୍ୟକୁ ଆସିଲେ)

 

ଗଙ୍ଗା ସ୍ୱର୍ଗରୁ ଆସିଥିବାରୁ ଆମ ଭାରତବର୍ଷରେ ହିନ୍ଦୁମାନେ ତାଙ୍କୁ ଦେବୀ ବୋଲି ମାନି ପୂଜା କରନ୍ତି । ସେଥିରେ ଗାଧୋଇଲେ ପାପ ଆଉ ରହେ ନାହିଁ ବୋଲି ହିନ୍ଦୁର ବିଶ୍ୱାସ ।

 

ରାଜା ଭଗୀରଥ ଗଙ୍ଗାଙ୍କୁ ଆଣିଥିଲେ, ତେଣୁ ଗଙ୍ଗାକୁ ‘ଭାଗୀରଥୀ’ କହନ୍ତି ।

Image

 

ରାଜା ଉଦୟନ ଓ ବାସବଦତ୍ତା

 

ଆଗେ–ହଜାର ହଜାର ବର୍ଷ ତଳେ ଆମ ଦେଶ ଭାରତବର୍ଷ ବହୁତ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା । ପ୍ରତ୍ୟେକ ରାଜ୍ୟରେ ଜଣେ ଜଣେ ରାଜା ଥାନ୍ତି । ଉଦୟନ ସେହି ସମୟର ଗୋଟିଏ ରାଜ୍ୟର ରାଜା ଥିଲେ । ସେ ସବୁ ବିଦ୍ୟାରେ ଧୁରନ୍ଧର–ଏପରି ବୀର ଯେ, ଆଉ କେହି ରାଜା ତାଙ୍କ ସଙ୍ଗରେ ଯୁଦ୍ଧ କରିବାକୁ ସାହାସ କରନ୍ତି ନାହିଁ । ଉଦୟନ ବୀଣା ଖୁବ୍‌ ସୁନ୍ଦରରୂପେ ବଜାଇ ଜାଣନ୍ତି । ଯେ ତାଙ୍କ ବୀଣା ବଜାଇବାର ଶୁଣୁଥିଲା, ସେ ମୋହିତ ହୋଇ ଯାଉଥିଲା । ଶିକାର କରିବାରେ ତ ସେ ଆହୁରି ଦକ୍ଷ ।

 

ରାଜା ଉଦୟନ ହାତୀ ଶିକାର କରିବାକୁ ଭାରି ଭଲ ପାଉଥିଲେ । ସେ ଯଦି ଶୁଣୁଥିଲେ ଯେ, କୌଣସି ବଣରେ ହାତୀ ଅଛି,ତେବେ ସେ ଟିକିଏ ମାତ୍ର ବିଳମ୍ୱ ନ କରି ସେଠାକୁ ଦଉଡ଼ୁ୍ଥିଲେ-। ନିଜ ଉପରକୁ ଯେତେ ବିପଦ ଆସୁ ସେ କିଛି ଖାତିର କରୁ ନ ଥିଲେ ।

 

ସେତେବେଳେ ଉଜ୍ଜୟିନୀ ରାଜ୍ୟର ରାଜା ଥିଲେ ଚଣ୍ଡସେନ । ସେ ମଧ୍ୟ ଭାରି ବୀର । ଉଦୟନଙ୍କ ପ୍ରଶଂସା ତାଙ୍କ କାନରେ ବାଜିଲେ, ତାଙ୍କ ଦେହ ହିଁସାରେ ଜଳି ଉଠୁଥିଲା । ଦୁହେଁଯାକ ଦୁହିଁଙ୍କୁ ଛକିଥାନ୍ତି ।

 

ଚଣ୍ଡସେନଙ୍କର ଗୋଟିଏ ଝିଅ ଥାଏ । ତା’ ନାଆଁ ବାସବଦତ୍ତା । ସେ ଭାରି ସୁନ୍ଦରୀ । ଚଣ୍ଡସେନଙ୍କ ମନଭିତରେ ଥାଏ ଯେ, ବାସବଦତ୍ତାକୁ ଉଦୟନ ବିଭା କଲେ ଭଲ ହେବ; ମାତ୍ର ମୁହଁରେ ସେ ଏହା କହୁ ନ’ଥାନ୍ତି । ଏ କଥା ପଦାକୁ ବାହାରିଲେ ଯେ ତାଙ୍କ ମୁଣ୍ଡ ତଳକୁ ହୋଇଯିବ-

 

ଦିନେ ଚଣ୍ଡସେନ ଗୋଟେ ବୁଦ୍ଧି ପାଞ୍ଚିଲେ । ତାଙ୍କ ରାଜ୍ୟପାଖ ଗୋଟିଏ ବଣରେ ଗୋଟାଏ ହାତୀ କାଠରେ ତିଆରି କଲେ । ଚାରିଆଡ଼େ ଘୋଷଣା କରିଦେଲେ ଯେ, ଗୋଟାଏ ବଡ଼ ହାତୀ ଏ ବଣରେ ମାତିଚି । ଏ ଘୋଷଣା ଶୁଣି ରାଜା ଉଦୟନ ସାଙ୍ଗେ ସାଙ୍ଗେ ସେ ବଣକୁ ଧାଇଁ ଆସିଲେ । ପାତ୍ର ମନ୍ତ୍ରୀ କାହାକୁ କିଛି କହି ନାହାନ୍ତି; ହାତରେ ଖାଲି ସେ ବୀଣା ଖଣ୍ଡିକ ।

 

ଉଦୟନ ବଣକୁ ଯାଇ ଦେଖନ୍ତି ତ ଗୋଟେ ବଡ଼ ହାତୀ ଠିଆ ହୋଇଛି । ହାତୀଟି ଏପରି କୌଶଳରେ ଗଢ଼ା ହୋଇଥିଲା ଯେ, ଏ ତାକୁ ତିଆରି ହାତୀ ବୋଲି ଜାଣି ନ ପାରି ତା’ ପାଖକୁ ଗଲେ । ଆଗରୁ ଚଣ୍ଡସେନଙ୍କ ସୈନ୍ୟମାନେ ଲୁଚିକରି ଥିଲେ । ୟାଙ୍କୁ ଏକୁଟିଆ ଦେଖି ସାଙ୍ଗେ ସାଙ୍ଗେ ବନ୍ଦୀ କରି ନେଇଗଲେ ।

 

ଉଦୟନଙ୍କ ପାତ୍ର ମନ୍ତ୍ରୀମାନେ, ରାଜା ଏକୁଟିଆ ଶିକାରକୁ ଯାଇଚନ୍ତି ଶୁଣି, ସୈନ୍ୟସାମନ୍ତ ଘେନି ବଣକୁ ଗଲେ । ବଣକୁ ଯାଇ ଜାଣି ପାରିଲେ ଯେ, ଚଣ୍ଡସେନ କୌଶଳ କରି ଉଦୟନଙ୍କୁ ବନ୍ଦୀ କରିଛି । ସେମାନେ ସେହିପରି କୌଶଳ କରି ରାଜାଙ୍କୁ ମୁକ୍ତ କରିବେ ଭାବି ନିଜ ନିଜ ବେଶ ବଦଳାଇ ଆସି ଚଣ୍ଡିସେନଙ୍କ ରାଜ୍ୟରେ ଚାକିରି କଲେ ।

 

ଏଣେ ଚଣ୍ଡସେନ ଉଦୟନଙ୍କୁ ଧରି ନେଇ କହିଲେ, ‘‘ତୁମ୍ଭେ ଯଦି ମୋ ଝିଅକୁ ବୀଣା ବଜାଇବା ଶିଖାଇବ, ତେବେ ମୁଁ ତୁମ୍ଭଙ୍କୁ ଛାଡ଼ିଦେବି ।’’ ଉଦୟନ ଏହା ଶୁଣି କହିଲେ, ‘‘ମୁଁ କାହାରି ଅନୁଗ୍ରହରେ ବନ୍ଧନରୁ ଖଲାସ ହେବାକୁ ଚାହେଁ ନାହିଁ । ମୁଁ ଯାହାକୁ ବୀଣା ଶିଖାଇବି, ସେ ଯଦି ମୋ’ର ଶିଷ୍ୟତ୍ୱ ଗ୍ରହଣ କରିବ, ତେବେ ମୁଁ ବୀଣା ଶିଖାଇବି ।’’ ଏ କଥାରେ ହିଂସାଳିଆ ଚଣ୍ଡସେନଙ୍କ ବୁଦ୍ଧି ହଜିଗଲା । ସେ ଭାବିଲେ, ‘‘ସବୁଥିରେ ତ ମୋ ସମ୍ମାନରେ ବାଧା ପଡ଼ିବ ।’’ କେତେକ ସମୟ ପରେ ଉଦୟନଙ୍କୁ ବନ୍ଦୀଘରକୁ ପଠାଇ ଦେଲେ ।

 

ଆରଦିନ ସକାଳୁ ନିଜ ଝିଅ ବାସବଦତ୍ତାକୁ ଗୋଟାଏ ସୁଆରୀରେ ଉଦୟନଙ୍କ ପାଖକୁ ପଠାଇଲେ । ସୁଆରୀର ଚାରିଆଡ଼ ବନ୍ଦ । ବାସବଦତ୍ତାକୁ କହିଥାନ୍ତି ଯେ, ଉଦୟନ ଗୋଟାଏ ଛୋଟା ଅପରଛନିଆ ଲୋକ । ସୁଆାରୀ ଉଦୟନଙ୍କ ପାଖରେ ପହଞ୍ଚିଲାରୁ ବେହେରାମାନେ କହିଲେ, ‘‘ମହାରାଜ ୟାଙ୍କୁ ପଠାଇଚନ୍ତି । ଏ ଗୋଟେ କୁଜୀ ବୁଢ଼ୀ–ତାଙ୍କର ଦାସୀ । ଆପଣ ଏହାଙ୍କୁ ବୀଣା ଶିଖାନ୍ତୁ, ଏ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିବ ।’’ ଚଣ୍ଡସେନ ବେହେରାମାନଙ୍କୁ ଏହି କଥା କହିବାକୁ ଆଗକୁ ଶିଖାଇ ଥାନ୍ତି ।

 

ଉଦୟନ ପ୍ରତିଦିନ ବାସବଦତ୍ତାକୁ ବୀଣା ଶିଖାନ୍ତି, ମାତ୍ର ସେ ତାକୁ ଦେଖି ପାରନ୍ତି ନାହିଁ କି ବାସବଦତ୍ତା ୟାଙ୍କୁ ଦେଖି ପାରନ୍ତି ନାହିଁ । ଉଦୟନ ଜାଣିଥାନ୍ତି ଯେ ତାଙ୍କ ଶିଷ୍ୟ ଗୋଟେ କୁଜୀ ବୁଢ଼ୀ; ବାସବଦତ୍ତା ଜାଣନ୍ତି ଯେ, ଉଦୟନ ଗୋଟେ ଛୋଟା ବୁଢ଼ା । ପ୍ରତିଦିନ ସକାଳୁ ସୁଆରୀ ଆସେ, ପ୍ରାୟ ଅଧଘଣ୍ଟେ କାଳ ଉଦୟନ ବୀଣା ଶିଖାନ୍ତି, ପୁଣି ସୁଆରୀ ଚାଲିଯାଏ ।

 

ଦିନେ ଉଦୟନ କାହିଁକି ରାଗି ଯାଇ କହିଲେ, ‘‘ଦୁର୍ ହ’’ କୁଜୀ ବୁଢ଼ୀ । କୁଜୀଟେ, ତାକୁ ପୁଣି ମୁଁ ଏତେ ମିହନ୍ତ କରି ଶିଖେଇବି ।’’ ବାସବଦତ୍ତା ଏହା ଶୁଣି ରାଗି ଯାଇ ସୁଆରୀ ଭିତରୁ କହିଲେ, ‘‘ହଇରେ ଛୋଟା ବୁଢ଼ା, ମୁଁ କୁଜୀ ? ମୋ କୁଜ ଦେଖୁଛୁ ?’’ ଏ କଥା ଶୁଣି ଉଦୟନ ଧଡ଼କରି ସୁଆରୀ ଫିଟାଇ ଦେଇ ଦେଖନ୍ତି ତ ଖୁବ୍‌ ରୂପବତୀ କନ୍ୟାଟିଏ । ସେତିକିବେଳେ ଉଭୟେ ଉଭୟଙ୍କୁ ଦେଖିନେଲେ ।

 

ସବୁଦିନ ପରି ସେ ଦିନ ମଧ୍ୟ ବେହେରାମାନେ ସୁଆରୀ ନେଇ ଆସିଲେ । ଖରାବେଳେ ବାସବଦତ୍ତା ଲୋକଦ୍ୱାରା ଉଦୟନଙ୍କ ପାଖକୁ କହି ପଠାଇଲେ, ‘‘ତୁମେ ପ୍ରସ୍ତୁତ ହୋଇଥାଅ, ମୁଁ ଏଣୁ ଗଲେ ସାଙ୍ଗ ହୋଇ ତମ ରାଜ୍ୟକୁ ଚାଲିଯିବା ।’’ ଉଦୟନ ଏ କଥାରେ ଭାରି ଖୁସି ହୋଇଗଲେ; ଭାବିଲେ, ‘‘ଚଣ୍ଡସେନ ହାତୀ ଧରାଇବାକୁ ଡାକି ଠକି ଦେଇ ବନ୍ଦୀ କଲା, ମୁଁ ତା’ ବଡ଼ ହାତୀକୁ ସେହିପରି ଠକି ନେଇ ବନ୍ଦୀରୁ ଖଲାସ ହୋଇଯିବି ।’’

 

ଠିକ୍‌ ସମୟକୁ ବାସବଦତ୍ତା ଉଦୟନଙ୍କ ପାଖରେ ପହଞ୍ଚିଲେ । ଉଦୟନଙ୍କ କହିବା ଅନୁସାରେ ହାତୀଶାଳାରୁ ବଡ଼ ହାତୀ ଆଣିଲେ । ହାତୀ ଉପରେ ବସି ଉଦୟନ ବାସବଦତ୍ତାଙ୍କୁ ସାଙ୍ଗରେ ଆଣି ନିଜ ରାଜ୍ୟକୁ ଫେରି ଆସିଲେ । ଚାକର ବାକରମାନେ ତ ସବୁ ଉଦୟନଙ୍କ ଲୋକ-। ଯେ କେତେକ ଜଣ ଚଣ୍ଡସେନଙ୍କ ନିଜ ଚାକର ଥିଲେ, ସେ ବାସବଦତ୍ତାଙ୍କୁ ଦେଖି କିଛି କହିଲେ ନାହିଁ । ଉଦୟନ କିଛି ବାଧା ନ ପାଇ ଆନନ୍ଦରେ ଚାଲି ଆସିଲେ । ତାଙ୍କ ଲୋକମାନେ ମଧ୍ୟ ସାଙ୍ଗେ ସାଙ୍ଗେ ଚାଲି ଆସିଲେ ।

 

ଆରଦିନ ଚଣ୍ଡସେନ ଏହା ଜାଣି ପାରି କାନମୁଣ୍ଡ ଆଉଁସି ଚୁପ୍‌ ହୋଇ ରହିଲେ ।

Image

 

ରାମାୟଣ କଥା

 

ପୁରୁଣା କଥା ଯହିଁରେ ଲେଖାଥାଏ, ତାକୁ ପୁରାଣ କହନ୍ତି । ସଂସ୍କୃତ ଭାଷାରେ ବହୁତ ପୁରାଣ ଅଛି । ତା’ ଭିତରୁ ରାମାୟଣ ଓ ମହାଭାରତ ପ୍ରଧାନ । ଆମ ଦେଶର ସବୁ ଭାଷାରେ ସେ ଲେଖା ହୋଇ ଗଲାଣି । ସେ ଦୁଇରୁ ଆଗ ରାମାୟଣ କଥା ଶୁଣ ।

 

ତୁମ୍ଭେମାନେ ଆମ ଦେଶ ଭାରତବର୍ଷ ମାନଚିତ୍ରରେ ଅଯୋଧ୍ୟା ଦେଖିଥିବ । ସେଇ ଅଯୋଧ୍ୟାରେ ହଜାର ହଜାର ବରଷ ଆଗେ ଜଣେ ରାଜା ଥିଲେ । ତାଙ୍କ ନାଁ ଦଶରଥ । ସେ ଭାରି ଧାର୍ମିକ ଓ ନ୍ୟାୟପରାୟଣ ଥିଲେ । ବୀରପଣିଆରେ ତ ତାଙ୍କୁ ସେ ସମୟରେ ଆଉ କେହି ପାରୁ ନ ଥିଲେ ।

 

ରାଜା ଦଶରଥଙ୍କର ତିନୋଟି ରାଣୀ ଥିଲେ; କୌଶଲ୍ୟା, କୈକେୟୀ ଓ ସୁମିତ୍ରା । କୌଶଲ୍ୟାଙ୍କ ପୁଅ ରାମଚନ୍ଦ୍ର, କୈକେୟୀଙ୍କ ପୁଅ ଭରତ । ସୁମିତ୍ରାଙ୍କର ଦୁଇଟି ପୁଅ ଥିଲେ । ସେ ଦୁହିଁଙ୍କ ନା ଲକ୍ଷ୍ମଣ ଓ ଶତ୍ରୁଘ୍ନ । ଚାରିଭାଇଯାକ ଭାରି ମନମେଳରେ ଥାନ୍ତି । ଟିକିଏ ସୁଦ୍ଧା କେତେବେଳେ ଛଡ଼ାଛଡ଼ି ହୁଅନ୍ତି ନାହିଁ । ରଜାପୁଅ, କିଛି ଚିନ୍ତା ଅଛି କି ନା ଦକ ଅଛି; ବେଶ୍‌ ମଉଜରେ ଖେଳି ବୁଲି ଦିନ କଟାଉଥାନ୍ତି । କିଛି ଦିନ ପରେ ରାମଚନ୍ଦ୍ର ମିଥିଳାର ରାଜା ଜନକଙ୍କ ଝିଅ ସୀତାଙ୍କୁ ବିବାହ କଲେ । ସୀତାଙ୍କର ଆଉ ମଧ୍ୟ ତିନୋଟି ଭଉଣୀ ଥିଲେ । ତାଙ୍କୁ ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ବାହା ହେଲେ । ଏକେ ପୁଅଯାକ ଭାରି ଗୁଣବନ୍ତ ଆଉ ଧୁରନ୍ଧର, ସେଥିରେ ପୁଣି ସୁଖ ସମ୍ପଦର ଅଭାବ ନାହିଁ; ଏଥିରେ କି ରାଜା ରାଣୀଙ୍କ ମନ ଥୟ ହୁଏ ? ସମସ୍ତେ ଆନନ୍ଦରେ ମାତିଗଲେ । ରାଜ୍ୟଯାକ ମଧ୍ୟ ଉତ୍ସବ ଲାଗିଗଲା; କାହିଁକି ନା ପ୍ରଜାମାନେ ଏ ଚାରିଭାଇଙ୍କୁ, ବିଶେଷରେ ରାମଗନ୍ଦ୍ରଙ୍କୁ ଭାରି ଭଲ ପାନ୍ତି ।

 

ରାଜା ଦଶରଥ କ୍ରମେ ବୁଢ଼ା ହୋଇଗଲେ । ସେ ଠିକ୍‌ କଲେ ଯେ, ବଡ଼ପୁଅ ରାମଙ୍କୁ ରାଜଗାଦିରେ ବସାଇ ଚୁପ୍‌ ହୋଇ ଘରେ ବସି ହରିନାମ ଜପିବେ । ଆଉ ରାଜ୍ୟର ହାନି ଲାଭ, ପ୍ରଜାଙ୍କ ସୁଖ ଦୁଃଖ ବୁଝି ପାରିବେ ନାହିଁ । ରାମଚନ୍ଦ୍ର ଗାଦି ପାଇବା ପାଇଁ ଗୋଟିଏ ଭଲ ଦିନ ଠିକ୍‌ ହେଲା ।

 

ଏ କଥା ଯେମିତି ରାଜ୍ୟଯାକ ବ୍ୟାପି ଯାଇଛି, ପ୍ରଜାମାନଙ୍କର ଆନନ୍ଦ ଆଉ କହିବି କ’ଣ-? ସମସ୍ତେ ଭାରି ଆନନ୍ଦ ମନରେ ଉତ୍ସବରେ ମାତିଗଲେ । ଚାରିଆଡ଼େ ଚହଳ ପଡ଼ିଗଲା-। ସମସ୍ତେ ଘର ଦ୍ୱାର ଝାଡ଼ି ସଫା, ସୁତୁରା କରି ଭଲ କରି ସଜେଇବାରେ ଲାଗିଲେ । ଦାଣ୍ଡରେ କଳସ ବସାଇ କଦଳୀ ଗଛ ପୋତିଦେଲେ । ଏମିତି କେତେ ଯେ ଆନନ୍ଦ ଲାଗିଗଲା ତା’ କହି ହେବ ନାହିଁ ।

 

ରାମ ରାଜା ହେବେ ବୋଲି ଆଗରୁ ଏତେ ଆନନ୍ଦ, ଏତେ ଉତ୍ସବ; କିନ୍ତୁ ଯେଉଁଦିନ ରାମ ରାଜା ହେବେ, ସେ ଦିନ ସକାଳୁ ସବୁ ଓଲଟା ହୋଇଗଲା । ଥରେ ଦଶରଥଙ୍କୁ କୈକେୟୀରାଣୀ ଦୁଇଟି ବର ମାଗିଥିଲେ; ଏ ବର ଦେବେ ବୋଲି ସତ୍ୟ କରିଥିଲେ । କୈକେୟୀ ସୁଯୋଗ ଦେଖି ରାମ ରାଜା ହେବା ପୂର୍ବଦିନ ରାତିରେ ଦଶରଥଙ୍କୁ ସେ ବର ଦୁଇଟି ଦେବାକୁ ସତ୍ୟ କରାଇଲେ । ଦଶରଥ ତ କିଛି ଛନ୍ଦ କପଟ ଜାଣନ୍ତି ନାହିଁ, ସେ ସାଙ୍ଗେ ସାଙ୍ଗେ ସତ୍ୟ କରିଦେଲେ । କୈକେୟୀ କହିଲେ, ‘‘ପହିଲି ବରରେ ଭରତ ଅଯୋଧ୍ୟାର ରାଜା ହେଉ, ଆଉ ଦ୍ୱିତୀୟ ବରରେ ରାମ ଚଉଦବର୍ଷ ବନକୁ ଯାଉ ।’’ ଏ କଥା ଶୁଣି ଦଶରଥଙ୍କ ମୁଣ୍ଡରେ ବଜ୍ର ଛିଡ଼ି ପଡ଼ିଲା । ତାଙ୍କୁ ଚାରିଆଡ଼ ଅନ୍ଧାର ଦେଖାଗଲା । ନିଜର ଏମିତି ଗୁଣବାନ୍‌ ପୁଅ ବନସ୍ତକୁ ଯିବ ! ଯେତେବେଳେ ସତ୍ୟ କରିଛନ୍ତି, ତାକୁ ବା ଆଉ ମେଣ୍ଟିବେ କିପରି ? ଏହି କଥା ଭାବି ଭାବି ଦଶରଥଙ୍କୁ ଜର ହେଲା; ସେ ବିଛଣାରେ ପଡ଼ି ରହିଲେ ।

 

ଆରଦିନ ସକାଳେ ପହିଲେ ରାମଚନ୍ଦ୍ର ଏ କଥା ଶୁଣିଲେ । ବାପାଙ୍କ ସତ୍ୟ ରଖିବା ପାଇଁ ସେ ବନକୁ ଯିବାକୁ ଠିକ୍‌ କଲେ । ତାଙ୍କ ସାଙ୍ଗରେ ସୀତା ଆଉ ସୁମିତ୍ରାଙ୍କ ପୁଅ ଲକ୍ଷ୍ମଣ ବାହାରିଲେ-। ଚାହୁଁ ଚାହୁଁ ଏ କଥା ରାଜ୍ୟଯାକ ବ୍ୟାପିଗଲା । ଠିକ୍‌ ଆନନ୍ଦବେଳେ ଦୁଃଖ କୁଆଡ଼ୁ ଆସି ଘୋଟିଗଲା । ସମସ୍ତେ ହାହାକାର କରି କାନ୍ଦିବାକୁ ଲାଗିଲେ । କେତେକ ଆସି ରାମଙ୍କ ଗୋଡ଼ତଳେ ପଡ଼ି ତାଙ୍କୁ ବନକୁ ଯିବାକୁ ମନାକଲେ । ମାତ୍ର ସେ କାହାରି କଥା ମାନିଲେ ନାହିଁ । ବାପା ଯେତେବେଳେ ସତ୍ୟ କରିଚନ୍ତି ମୁଁ ନିଶ୍ଚୟ ଯିବି ।’’ ନଅରରେ କାନ୍ଦ ବୋବାଳି କହିଲେ ନ ସରେ । କୌଶଲ୍ୟା ଆସି ବହୁତ କାକୁତି ମିନତି କଲେ, ମାତ୍ର ରାମଚନ୍ଦ୍ର କେଉଁଥିରେ ଟଳିଲେ ନାହିଁ-। ଶେଷକୁ ବନକୁ ଯିବାର ଠିକ୍‌ ହେଲା ।

 

ରାମ, ଲକ୍ଷ୍ମଣ, ସୀତା ବନକୁ ବାହାରିଲେ । ରାଜ୍ୟ ଲୋକେ ତାଙ୍କ ପଛରେ ଗୋଡ଼ାଇ ଗୋଡ଼ାଇ ବହୁତ ଦୂର ଗଲେ । ଯେତେବେଳେ ନିତାନ୍ତ ନିରାଶ ହେଲେ, ସେତେବେଳେ କାନ୍ଦି କାନ୍ଦି ଘରକୁ ଫେରିଲେ । ଦଶରଥ କୈକେୟୀଙ୍କୁ ବର ଦେଲାବେଳୁ ଅଚେତା ହୋଇଯାଇଥିଲେ । ଯେତେବେଳେ ଚେତା ହେଲା ସେତେବେଳେ ସେ ଶୁଣିଲେ ଯେ, ରାମ ବନକୁ ଗଲେଣି । ଏହା ଶୁଣିବାକ୍ଷଣି ସେ ପୁଣି ପଡ଼ିଗଲେ, ତାଙ୍କ ପ୍ରାଣ ସାଙ୍ଗେ ସାଙ୍ଗେ ଚାଲିଗଲା ।

 

ନଅରରେ ଏତେ କାଣ୍ଡ ଘଟିଲା, କିନ୍ତୁ ଭରତ ଏ ସବୁ କଥା କିଛି ଜାଣନ୍ତି ନାହିଁ । ସେ ମାମୁଘରେ ଥିଲେ; ଖବର ପାଇ ଆସି ଦେଖନ୍ତି ତ ରାଜ୍ୟରେ କାହାରି ମନରେ ସୁଖ ନାହିଁ । ସେ ରାମଚନ୍ଦ୍ରଙ୍କୁ ଭାରି ଭଲ ପାଉଥିଲେ । ମା’ କୈକେୟୀଙ୍କୁ ବହୁତ ଗାଳି ଦେଇ ବନକୁ ଗଲେ; ଇଚ୍ଛା ରାମଙ୍କୁ ରାଜ୍ୟକୁ ଫେରାଇ ଆଣିବେ । ମାତ୍ର ରାମ ଆସିଲେ ନାହିଁ । ଭରତ ତାଙ୍କ କଠାଉ ଆଣି ରାଜଗାଦିରେ ରଖି ନିଜେ ଚାକର ପରି ରାଜ୍ୟ ବୁଝିଲେ । ରାମ, ଲକ୍ଷ୍ମଣ, ସୀତା ବନରେ ରହିଲେ ।

 

ସେତେବେଳେ ରାବଣ ବୋଲି ଗୋଟେ ବଡ଼ ଦୁଷ୍ଟ ରାକ୍ଷସ ଲଙ୍କାର ରାଜା ଥିଲା । ତା’ ଭଉଣୀ ନାଁ ସୂର୍ପଣଖା । ଥରେ ସୂର୍ପଣଖା ବନରେ ବୁଲୁ ବୁଲୁ ରାମଚନ୍ଦ୍ରଙ୍କୁ ଦେଖିଲା । ବାହାହେବ ବୋଲି ଇଚ୍ଛା କରି ତାଙ୍କ ପାଖକୁ ଆସିଲା । ରାମଚନ୍ଦ୍ର ତା’ କଥାରେ ରାଜି ହେଲେ ନାହିଁ । ସେ ରାକ୍ଷସୀ ତ, ସୀତାଙ୍କୁ ଦେଖି ଖାଇବ ବୋଲି ଗୋଡ଼େଇ ଗଲା । ଲକ୍ଷ୍ମଣ ରାଗରେ ତା’ ନାକ କାନ କାଟି ଛାଡ଼ି ଦେଲେ । ରାକ୍ଷସୀ ବାପା ଲୋ, ମା ଲୋ ରଡ଼ି ଛାଡ଼ି ଲଙ୍କାକୁ ପଳାଇଗଲା ।

 

ରାବଣ ବଡ଼ ପ୍ରତାପୀ; ସେତେବେଳେ ତା’ ନାଁ ଶୁଣିଲେ ସମସ୍ତେ ଥରି ଉଠୁଥିଲେ । ସେ ଭଉଣୀର ଏ ଦଶା ଦେଖି, ରାମଙ୍କୁ ଉପଯୁକ୍ତ ଦଣ୍ଡ ଦେବ ବୋଲି ଠିକ୍‌ କଲା । ଗୋଟେ ରାକ୍ଷସକୁ କହିଲା, ‘‘ତୁ ଯା, ଗୋଟିଏ ସୁନ୍ଦର ମୃଗ ହୋଇ ରାମ କୁଡ଼ିଆ ପାଖରେ ଚରିବୁ । ରାମ ତତେ ମାରିବାକୁ ବସିଲେ, ବହୁତ ଦୂରକୁ ବଣ ଭିତରକୁ ଚାଲିଯିବୁ । ରାମ ତୋ ପଛେ ପଛେ ଗୋଡ଼େଇଯିବ । ମୁଁ ଏଇ ସୁଯୋଗରେ ସୀତାକୁ ଚୋରାଇ ନେଇ ଆସିବି ।’’

 

ଅସୁରଗୁଡ଼ାକ ବଡ଼ ମାୟାବୀ । ଯେତେବେଳେ ଯେଉଁ ରୂପ ଇଚ୍ଛା କରନ୍ତି, ସେତେବେଳେ ସେ ରୂପ ହୋଇଯାନ୍ତି । ସେ ରାକ୍ଷସ ଗୋଟିଏ ସୁନ୍ଦର ମୃଗ ହୋଇ ରାମଙ୍କ କୁଡ଼ିଆ ପାଖରେ ରଚିଲା । ସତକୁ ସତ ରାମ ତାକୁ ମାରିବାକୁ ଗଲେ । ସେ ବହୁତ ଦୂରକୁ ପଳାଇ ଯାଇ ‘ଲକ୍ଷ୍ମଣ’ ବୋଲି ପାଟି କଲା । ଲକ୍ଷ୍ମଣ ଭାବିଲେ, ‘‘ବୋଧହୁଏ, ରାମ ମତେ ଡାକୁଚନ୍ତି ।’’ ଏହା ଭାବି ସେ ମଧ୍ୟ ଜଙ୍ଗଲ ଭିତରକୁ ଚାଲିଗଲେ । ସୁବିଧା ଦେଖି ରାବଣ ଆସି ସୀତାଙ୍କୁ ଚୋରାଇ ନେଇ ଚାଲିଗଲା । ନିଜ ରାଜ୍ୟରେ ଗୋଟିଏ ଅଶୋକ ବଣରେ ରଖି ବହୁତ ଅସୁରୁଣୀ ଜଗାଇ ଦେଲା । ସୀତା ବନ୍ଦୀଙ୍କ ପରି ସେଇଠି ରହିଲେ ।

Image

(ସୀତା....................ସେଇଠି ରହିଲେ)

 

ରାମ, ଲକ୍ଷ୍ମଣ ଜଙ୍ଗଲରୁ ଫେରି ଆସି ଦେଖନ୍ତି ତ କୁଡ଼ିଆ ଖାଲି । ଏଣେ ତେଣେ କେତେ ଖୋଜିଲେ ମାତ୍ର କେଉଁଠି କିଛି ପାଇଲେ ନାହିଁ । ରାମଚନ୍ଦ୍ର ଦୁଃଖରେ ପାଗଳ ପରି ହୋଇଗଲେ । ରାମଚନ୍ଦ୍ର ଯେଉଁ ବଣରେ ଥିଲେ, ତା’ର ଅଳ୍ପ ଦୂରରେ କିଷ୍କିନ୍ଧ୍ୟା ବୋଲି ଗୋଟିଏ ରାଜ୍ୟ ଥିଲା । ସେ ରାଜ୍ୟର ରାଜା ସୁଗ୍ରୀବ, କିନ୍ତୁ ବାଳୀ ସୁଗ୍ରୀବକୁ ତଡ଼ିଦେଇ ନିଜେ ରାଜା ହୋଇଥାଏ । ଦୈବ ଯୋଗକୁ ରାମ ସୁଗ୍ରୀବଙ୍କର ଭେଟ ହେଲା । ସୀତାଙ୍କୁ ରାବଣ ରଥରେ ବସାଇ ଶୂନ୍ୟେ ଶୂନ୍ୟେ ନେଇ ଯାଉଥିଲା ବେଳେ, ସେ ବିକଳରେ ବାହୁନୁ ଥିଲେ ଏବଂ ନିଜର ଅଳଙ୍କାର ଖଣ୍ଡ ଖଣ୍ଡ କରି ତଳକୁ ପକେଇ ଦେଉଥିଲେ । ସୁଗ୍ରୀବ ସେ ବାହୁନା ଶୁଣି ଥିଲେ, କେତେ ଖଣ୍ଡ ଅଳଙ୍କାର ମଧ୍ୟ ପାଇଥିଲେ । ରାମଚନ୍ଦ୍ର ତାଙ୍କଠାରୁ ସମୁଦାୟ କଥା ବୁଝିପାରିଲେ । ରାବଣକୁ ମାରି ଲଙ୍କାରୁ ସୀତାଙ୍କୁ ଆଣିବାକୁ ସଂକଳ୍ପ କଲେ ।

 

ରାବଣ ସାଙ୍ଗରେ ଯୁଦ୍ଧ କରିବାକୁ ହେଲେ, ବହୁତ ସୈନ୍ୟ ଦରକାର । ମାତ୍ର ରାମଚନ୍ଦ୍ର ତ ଏକା; ପୁଣି ସମୁଦ୍ର ପାର ହୋଇ ଲଙ୍କାକୁ ଯିବେ ବା କେମିତି ? ସୁଗ୍ରୀବ ତାଙ୍କୁ ସାହାଯ୍ୟ ଦେବେ ବୋଲି କହିଲେ । ସେ ବାଳୀକୁ ମାରି ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଲେ । ତାଙ୍କଠୁଁ ସୈନ୍ୟ ସାମନ୍ତ ନେଇ ଲଙ୍କାକୁ ଯିବାକୁ ବାହାରିଲେ ।

 

ଲଙ୍କାକୁ ଯିବାକୁ ହେଲେ ମଝିରେ ସମୁଦ୍ର ପଡ଼େ । ରାମଚନ୍ଦ୍ରଙ୍କ ଆଜ୍ଞାରେ ସୈନ୍ୟମାନେ ପର୍ବତରୁ ପଥରମାନ ଆଣି ସମୁଦ୍ରରେ ବନ୍ଧ ବାନ୍ଧିଲେ । ଖୁବ୍‌ ମଜବୁତ୍‌ ରାସ୍ତା ଏ ଦେଶରୁ ଲଙ୍କାଯାଏ ପଡ଼ିଗଲା । ଆଜି କାଲି ସେ ରାସ୍ତାର ଚିହ୍ନ ଟିକିଏ ଟିକିଏ ଅଛି । ଲୋକେ ତାକୁ ‘ରାମେଶ୍ୱର ସେତୁବନ୍ଧ’ ବୋଲି କହନ୍ତି । ପ୍ରତିବର୍ଷ ଭାରତର ଚାରିଆଡ଼ୁ ଲକ୍ଷ ଲକ୍ଷ ଲୋକ ତାହା ଦେଖିବାକୁ ଯାଉଚନ୍ତି ।

 

ରାମଚନ୍ଦ୍ର ସୈନ୍ୟସାମନ୍ତ ନେଇ ଲଙ୍କାରେ ପହଞ୍ଚିଲେ । ରାବଣର ଭାଇ ବିଭୀଷଣ ଖୁବ୍‌ ଧୀର ଓ ଶାନ୍ତି ପ୍ରକୃତିର ଲୋକ । ସେ ରାବଣର ଏ ଅନ୍ୟାୟ ସହି ନ ପାରି ଆସି ରାମଚନ୍ଦ୍ରଙ୍କ ପାଖରେ ରହିଲା । ଦି’ ତରଫରୁ ଭୟଙ୍କର ଯୁଦ୍ଧ ହେଲା ।

 

ରାବଣ ଭାରି ବୀର, ତା’ର ମଧ୍ୟ ଅସଂଖ୍ୟ ସୈନ୍ୟ, ବହୁତ ସେନାପତି । ରାମଚନ୍ଦ୍ରଙ୍କର ଖୁବ୍‌ ଅଳ୍ପ ମାତ୍ର ସୈନ୍ୟ; ତଥାପି ରାମଚନ୍ଦ୍ର ଯୁଦ୍ଧରେ ଜୟୀ ହେଲେ । କାହିଁକି ନା, ନ୍ୟାୟ ଓ ଧର୍ମର ସବୁଦିନେ ଜୟ ହୁଏ । ଅନ୍ୟାୟ ଅଧର୍ମର ପରାଜୟ ସବୁବେଳେ ଲାଗି ରହିଚି ।

 

ସାତ ଦିନ ଯୁଦ୍ଧ ହେଲା । ଯୁଦ୍ଧ ପଡ଼ିଆରେ ରକ୍ତ ନଈ ବୋହିଗଲା । ହାଡ଼ସବୁ ପାହାଡ଼ ଆକାରରେ ଜମା ହେଲା । ରାବଣର ପୁଅ ନାତି ବଂଶଯାକ ମଲେ । ଶେଷରେ ସେ ମଧ୍ୟ ମଲା; ତା’ର ସବୁ ଗର୍ବ, ସବୁ ଅନ୍ୟାୟ ଲୋପ ପାଇଲା ।

 

ରାବଣ ସୀତାଙ୍କୁ ନେଇ ଯିବା ଦିନଠାରୁ, ସେ ଖାଲି କାନ୍ଦୁଥାନ୍ତି । କିଛି ଖାଉ ନ ଥାନ୍ତି କି ପିଉ ନ ଥାନ୍ତି । ରାମଚନ୍ଦ୍ର ରାବଣକୁ ମାରି ତାଙ୍କୁ ଆଣିଲେ । ସେତେବେଳକୁ ଚଉଦବର୍ଷ ପୂରି ଯାଇଥିଲା । ରାମ, ଲକ୍ଷ୍ମଣ, ସୀତା ଲଙ୍କାରେ ବିଭୀଷଣକୁ ରାଜା କରି ଅଯୋଧ୍ୟାକୁ ଫେରିଲେ । ତାଙ୍କ ସାଙ୍ଗେ ସାଙ୍ଗେ ତାଙ୍କର ବିଶ୍ୱାସୀ ଭକ୍ତ ହନୁମାନ ମଧ୍ୟ ଥାଏ ।

 

ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ, ଲକ୍ଷ୍ମଣଙ୍କ ପରି ଭ୍ରାତୃଭକ୍ତ ସୀତାଙ୍କ ପରି ସତୀ ଏ ପର୍ଯ୍ୟନ୍ତ ମଧ୍ୟ କେହି ଦେଖାଯାଇ ନାହାନ୍ତି । ସେଇ ଯୋଗୁରୁ ଆଜି କାଲି ସମସ୍ତେ ରାମ, ଲକ୍ଷ୍ମଣ,ସୀତାଙ୍କୁ ଘରେ ଘରେ ପୂଜା କରୁଛନ୍ତି । ସକାଳେ ସନ୍ଧ୍ୟାରେ ମୁଣ୍ଡିଆ ମାରୁଚନ୍ତି ।

Image

 

ମହାଭାରତ ଯୁଦ୍ଧ

 

ଆଜି କାଲି ଆମେ ଯାହାକୁ ଦିଲ୍ଲୀ କହୁଁ, ଆଗେ ତାକୁ ହସ୍ତିନା କହୁଥିଲେ । ସେହି ହସ୍ତିନା ରାଜବଂଶରେ ଦୁଇ ଭାଇ ଥିଲେ । ବଡ଼ ଭାଇ ନାଁ ଧୃତରାଷ୍ଟ୍ର ଓ ସାନ ଭାଇ ନାଁ ପଣ୍ଡୁ । ଧୃତରାଷ୍ଟ ଜନ୍ମ ଦିନୁ ଅନ୍ଧ, ତେଣୁ ପଣ୍ଡୁ ରାଜ୍ୟ ବୁଝା ସୁଝା କରୁଥିଲେ ।

 

ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନ, ଦୁଃଶାସନ ପ୍ରଭୃତି ଶହେ ପୁଅ ଥିଲେ । ପଣ୍ଡୁଙ୍କର ପାଞ୍ଚୋଟି ପୁଅ ଥିଲେ, ଯଥା–ଯୁଧିଷ୍ଠିର, ଭୀମ, ଅର୍ଜୁନ,ନକୁଳ, ସହଦେବ । ଯୁଧିଷ୍ଠିର ଖୁବ୍‌ ଧୀର ଓ ଶାନ୍ତ ପ୍ରକୃତିର ଲୋକ, ଭୀମ ଭାରି ବୀର; ସେ ହାତରେ ଗଦା ଧରି ବାହାରି ପଡ଼ିଲେ ସମସ୍ତେ ଡରରେ ଥରି ଉଠୁଥିଲେ । ଅର୍ଜୁନ ଧନୁ ମାରିବାରେ ଭାରି ପାରଗ । ଧୃତରାଷ୍ଟ୍ରଙ୍କ ପୁଅ ଦୁର୍ଯ୍ୟୋଧନ ଭାରି ହିଂସାଳିଆ ଓ କପଟୀ । ସେ ଯୁଧିଷ୍ଠିର ପ୍ରଭୃତିଙ୍କର ଟିକିଏ ପ୍ରଶଂସା ଶୁଣିଲେ ହିଂସାରେ ଜଳିଯାଏ ।

 

ପଣ୍ଡୁ ଅଳ୍ପ ସମୟ ଭିତରେ ମରିଗଲେ; ଧୃତରାଷ୍ଟ୍ର ରାଜ୍ୟ ବୁଝାବୁଝି କଲେ । ପଣ୍ଡୁଙ୍କର ପୁଅଙ୍କୁ ପାଣ୍ଡବ ଓ ଧୃତରାଷ୍ଟ୍ରଙ୍କର ପୁଅଙ୍କୁ କୌରବ କୁହାଯାଏ । ପାଣ୍ଡବଙ୍କର ଯଶ ଦିନକୁଦିନ ବଢ଼ିବାକୁ ଲାଗିଲା । ୟା ବା ଦୁର୍ଯ୍ୟୋଧନ ସହେ କେତେକେ ? ସେ ସବୁବେଳେ ଏମାନଙ୍କର ଅନିଷ୍ଟ କରିବାକୁ ବସିଲା ।

 

ଥରେ ଦୁର୍ଯ୍ୟୋଧନ କପଟରେ ଭୀମକୁ ବିଷଲଡ଼ୁ ଦେଇ ନଈରେ ଭସେଇ ଦେଲା । ସୁଭାଗ୍ୟକୁ ଭୀମ ସେ ଘାଟିକ ବଞ୍ଚିଗଲା । ଆଉ ଥରେ ଗୋଟେ ଯଉଘର କରି ପାଣ୍ଡବପାଞ୍ଚଭାଇ ଓ ତାଙ୍କ ମା’ କୁନ୍ତୀଙ୍କୁ ସେ ଘରେ ରଖିଲା । ଘରେ ନିଆଁ ଲଗେଇ ତାଙ୍କୁ ପୋଡ଼ି ଦେଇ ଥାନ୍ତା, କିନ୍ତୁ ଆଗରୁ ସେମାନେ ଏ କଥା ଜାଣି ପରି ଘରେ ନିଆଁ ଲଗାଇ ବଣକୁ ପଳେଇ ଗଲେ । ସେମାନେ ପୋଡ଼ି ହୋଇ ମଲେ ବୋଲି ଭାବି ଦୁର୍ଯ୍ୟୋଧନ ଭାରି ଆନନ୍ଦ ହେଉଥାଏ । ପାଞ୍ଚଭାଇଯାକ ମାଆକୁ ସଙ୍ଗରେ ଘେନି ବଣରେ ବୁଲିଲେ, ବହୁତ କଷ୍ଟ ପାଇଲେ । ଭୀମ ଇଚ୍ଛାକଲେ ଘଣ୍ଟାକରେ ଦୁର୍ଯ୍ୟୋଧନ ପ୍ରଭୃତି ଶହେ ଭାଇଙ୍କୁ ପଦା କରି ଦିଅନ୍ତା, କିନ୍ତୁ ଯୁଧିଷ୍ଠିର ତାକୁ ମନା କରନ୍ତି । ସେ କହନ୍ତି,‘‘ଦୁର୍ଯ୍ୟୋଧନ ଅନ୍ୟାୟ କଲେ, ତା’ର ଫଳ ସେ ଦିନେ ହେଲେ ପାଇବ । ଆମର ତା’ ଅନିଷ୍ଟ କରିବା ଉଚିତ ନୁହେ ।’’ ଭୀମ ଅର୍ଜୁନ ଯୁଧିଷ୍ଠିରଙ୍କୁ ଭାରି ମାନିଥାନ୍ତି, ତାଙ୍କ କଥା ଟିକେ ହେଲେ ତଳେ ପକାନ୍ତି ନାହିଁ । ବଡ଼ଭାଇଙ୍କ କଥା ମାନି, ସେମାନେ ବଣରେ ଅଖିଆ ଅପିଆ ବୁଲିଲେ, ଖରା ବର୍ଷା ସହିଲେ, କଣ୍ଟାବଣ, ପାହାଡ଼ ପଥରରେ ବସିଲେ, ଶୋଇଲେ କିନ୍ତୁ ଦୁର୍ଯ୍ୟୋଧନ ବିରୁଦ୍ଧରେ ଉଠିଲେ ନାହିଁ ।

 

ଧୃତରାଷ୍ଟ୍ର ନିହାତି ବୁଢ଼ା ହୋଇ ଯିବାରୁ ଦୁର୍ଯ୍ୟୋଧନ ରାଜା ହେଲା । ପଞ୍ଚାଳ ରାଜାଙ୍କର ଦ୍ରୌପଦୀ ବୋଲି ଗୋଟିଏ ଝିଅ ଥାଏ । ପଞ୍ଚାଳ ରାଜା ଗୋଟିଏ ଖୁବ୍‌ ବଡ଼ ଖୁମ୍ୱ ପୋତି ତା’ ଉପରେ ବଡ଼ ଭାକୁର ମାଛଟିଏ ଟାଙ୍ଗି ଥାନ୍ତି । ମାଛ ମୁଁହ ତଳକୁ ଓହଳି ଥାଏ । ତଳେ ପାଣି ଥୁଆ ହୋଇଥାଏ । ରାଜା ପ୍ରତିଜ୍ଞା କରିଥାନ୍ତି, ଯେ ପାଣିକୁ ଚାହିଁ, ଉପରେ ଓହଳି ଥିବା ମାଛର ଗୋଟାଏ ଆଖି ଧନୁ ମାରି ଫୁଟାଇ ଦେବ, ସେ ଦ୍ରୌପଦୀଙ୍କୁ ବିବାହ କରିବ । ସେତେବେଳେ ପାଣ୍ଡବମାନେ ସେହି ରାଜ୍ୟରେ ଗୋଟିଏ କୁମ୍ଭାର ଘରେ ଥାନ୍ତି, ଗାଁରୁ ଭିକ ମାଗି ମାଗି ଚଳୁଥାନ୍ତି ।

 

ଲାଖ କେହି ବିନ୍ଧି ପାରିଲେ ନାହିଁ କି ଦ୍ରୌପଦୀକୁ ବାହା ହୋଇ ପାରିଲେ ନାହିଁ । ଶେଷରେ ଅର୍ଜୁନ ବ୍ରାହ୍ମଣ ବେଶରେ ଲାଖ ବିନ୍ଧିଲେ । ପାଞ୍ଚଭାଇଯାକ ଦ୍ରୌପଦୀଙ୍କୁ ବିବାହ କଲେ । ସେଇଠି ସେ ଜଣା ପଡ଼ିଗଲେ । ଦୁର୍ଯ୍ୟୋଧନ ଲୋକ ନିନ୍ଦାକୁ ଡରି ତାଙ୍କୁ ଡାକି ନେଇ ଅଧେ ରାଜ୍ୟ ଦେଲା ।

 

ଚାହୁଁ ଚାହୁଁ ପାଣ୍ଡବମାନଙ୍କର ଯଶ ଚାରିଆଡ଼େ ବ୍ୟାପିଗଲା । ସେମାନେ ବହୁତ ରାଜ୍ୟ ଦଖଲ କରି ରାଜଚକ୍ରବର୍ତ୍ତୀ ହେଲେ; ଏ କଥା ଆଉ ଦୁର୍ଯ୍ୟୋଧନ ସହି ପାରିଲା ନାହିଁ । ଏଥର କପଟ କରି ଯୁଧିଷ୍ଠିରଙ୍କ ସାଙ୍ଗରେ ପଶା ଖେଳିଲା । ସେ ତ ମିଛ ପଶା, ତେଣୁ ଯୁଧିଷ୍ଠିର ସବୁଥର ହାରିଲେ । ଗୋଟି ଗୋଟି କରି ଧନ, ସମ୍ପତ୍ତି, ରାଜ୍ୟ ବାଡ଼ି ସବୁ ଦେଲେ; ଶେଷରେ ସବୁ ଭାଇ ଓ ସ୍ତ୍ରୀ ଦ୍ରୌପଦୀଙ୍କୁ ମଧ୍ୟ ପଣ ରଖି ଖେଳିଲେ, ସେଥିରେ ମଧ୍ୟ ହାରିଲେ । ଖେଳର ନିୟମ ଅନୁସାରେ ଭାଇ ଓ ସ୍ତ୍ରୀଙ୍କୁ ଧରି ବନବାସ କରି ବାହାରିଲେ । ବନବାସରେ ଏତେ କଷ୍ଟ, ଏତେ ଅସୁବିଧା ଅଙ୍ଗେ ନିଭେଇଥିଲେ, ତଥାପି ନ୍ୟାୟ ପଥରେ ଚାଲି ପୁଣି ସେହି ବନବାସ କଷ୍ଟକୁ ଆଦରିଲେ ।

 

ଖେଳର ନିୟମ ଅନୁସାରେ ବାରବର୍ଷ ବନବାସ ଓ ବର୍ଷେ ଅଜ୍ଞାତବାସ କଟିଲା । ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କ ପାଖକୁ ନିଜ ରାଜ୍ୟ ମଗାଇ ପଠାଇଲେ । ଦୁର୍ଯ୍ୟୋଧନ ଭାବିଥିଲା, ଏଇଥର ପାଣ୍ଡବେ ଶେଷ ହୋଇଯିବେ; ସେ ଏକୁଟିଆ ଆନନ୍ଦରେ ରାଜ୍ୟଭୋଗ କରିବ । କିନ୍ତୁ କାହିଁ, ତା’ ତ ହେଲା ନାହିଁ । ସେ ରାଗରେ ରାଜ୍ୟ ଦେବାକୁ ମନା କରିଦେଲା ।

 

ଯୁଧିଷ୍ଠିର ପାଞ୍ଚଭାଇଙ୍କ ପାଇଁ ପାଞ୍ଚଖଣ୍ଡି ଗାଁ ମାଗିଲେ; ଦୁର୍ଯ୍ୟୋଧନ ତା’ ଦେଲା ନାହିଁ । ଅବଶେଷରେ ଖଣ୍ଡିଏ ଗାଁ ମାଗିଲେ, ସେଥିରେ ବି ସେ ଅମଙ୍ଗ ହେଲା । ବହୁତ ଲୋକେ ତାକୁ ବୁଝେଇଲେ, ବହୁତ କଥା କହିଲେ, ସେ କାହାରି କଥା ଶୁଣିଲା ନାହିଁ । ଏକା ଜିଦ୍‌ ଧରି ବସିଥାଏ–ଯୁଦ୍ଧ ନ କଲେ ମୁଁ କାଣିଚାଏ ସୁଦ୍ଧା ଜମି ଦେବି ନାହିଁ ।

 

ଶ୍ରୀକୃଷ୍ଣ ପାଣ୍ଡବମାନଙ୍କର ପରମବନ୍ଧୁ । ସେ ସବୁବେଳେ ପାଣ୍ଡବମାନଙ୍କୁ ସାହାଯ୍ୟ କରୁଥାନ୍ତି । ତାଙ୍କୁ ସବୁ ବିପଦରୁ ରଖୁଥାନ୍ତି । ଦୁର୍ଯ୍ୟୋଧନ ଏକା ଜିଦ୍‌ ଧରିବାରୁ ସେ ପାଣ୍ଡବମାନଙ୍କର ଦୂତ ହୋଇ କୁରୁସଭାକୁ ଗଲେ । ବହୁତ କୁହାବୋଲା କରି ପାଣ୍ଡବମାନଙ୍କ ପାଇଁ ଖଣ୍ଡିଏ ପଡ଼ା ଗାଁ ମାଗିଲେ । ଦୁର୍ଯ୍ୟୋଧନ ଏ କଥା ଶୁଣି ରାଗିଯାଇ ଶ୍ରୀକୃଷ୍ଠଙ୍କୁ ବହୁତ ଅପମାନ ଦେଲା । ଶ୍ରୀକୃଷ୍ଣ ନିରାଶ ହୋଇ ଫେରିଲେ ।

Image

(ଦୁର୍ଯ୍ୟୋଧନ.................ଅପମାନ ଦେଲା)

 

କଥାରେ କହନ୍ତି–ମରଣ କାଳେ ବିପରୀତ ବୁଦ୍ଧି । ଦୁର୍ଯ୍ୟୋଧନକୁ ସେହି ବୁଦ୍ଧି ଆସି ଘୋଟିଥାଏ । ସେ କାହାରି କଥା ମାନିଲା ନାହିଁ । ପରିଶେଷରେ ଯୁଦ୍ଧ ହେବାର ଠିକ୍‌ ହେଲା ।

 

ଦୁର୍ଯ୍ୟୋଧନ ପାଖରେ ବହୁତ ବଡ଼ ବଡ଼ ବୀର ଥାନ୍ତି, ତା’ର ମଧ୍ୟ ସୈନ୍ୟ ସାମନ୍ତ ଅସଂଖ୍ୟ । ପାଣ୍ଡବମାନେ ଯେ ସାମାନ୍ୟ ସୈନ୍ୟ ପାଇଲେ ତାଙ୍କୁ ଧରି ଯୁଦ୍ଧ କଲେ । ଅଠର ଦିନ ଯୁଦ୍ଧ ହେଲା । ଦିନକୁ ଲକ୍ଷ ଲକ୍ଷ ଲୋକ ମଲେ । ଭାରତର ସବୁ ରାଜା ଏଥିରେ ଯୋଗ ଦେଇଥିଲେ । କେବଳ ପାଣ୍ଡବ ଓ ତାଙ୍କ ସାଙ୍ଗରେ ଆଉ ଜଣେ ଦି’ ଜଣଙ୍କୁ ଛାଡ଼ି ଆଉ ସମସ୍ତେ ଯୁଦ୍ଧରେ ମଲେ । ଦୁର୍ଯ୍ୟୋଧନର ସବୁ ଆଶା, ସବୁ ଗର୍ବ କୁଆଡ଼େ ଭାସିଗଲା । ସେ ମରି ଶୋଇଲା-

 

ଯୁଧିଷ୍ଠିର ରାଜ୍ୟର ରାଜା ହେଲେ । ଦେଶରୁ ସବୁ ଅନ୍ୟାୟ, ଅତ୍ୟାଚାର ଚାଲିଗଲା । ସମସ୍ତେ ଆନନ୍ଦରେ, ଶାନ୍ତିରେ ଦିନ କଟାଇଲେ ।

 

ଧନ ବଳ, ଜନ ବଳଠାରୁ ଧର୍ମବଳ ଓ ନ୍ୟାୟବଳ ସବୁ ସମୟରେ ବେଶି । ଯେ ନ୍ୟାୟରେ ଚାଲିବ, ଧର୍ମର ଆଶ୍ରା ନେବ, ତାହାକୁ କେହି ଜିଣି ପାରିବେ ନାହିଁ ।

Image

 

ବୁଦ୍ଧଦେବ

 

ଅଢ଼ାଇ ହଜାର ବର୍ଷ ତଳେ ଯେତେବେଳେ ଭାରତବର୍ଷ ଛୋଟ ଛୋଟ ରାଜ୍ୟ ହୋଇଥିଲା, ସେତେବେଳେ ନେପାଳକୁ କପିଳବାସ୍ତୁ ବୋଲି କହୁଥିଲେ । ସେହି କପିଳବାସ୍ତୁର ରାଜା ସୁଦ୍ଧୋଦନଙ୍କର ଅନେକ ଦିନ ପର୍ଯ୍ୟନ୍ତ ଆଦୌ ପୁଅ ହେଲା ନାହିଁ । ସେ ବଡ଼ ଧାର୍ମିକ ରାଜା, ପ୍ରଜାମାନଙ୍କୁ ପୁଅ ପରି ପାଳଥାନ୍ତି । ଧନ ସମ୍ପତ୍ତିର ସୀମା ନାହିଁ । ଏତେ କଥା ସତ୍ତ୍ୱେ ତାଙ୍କ ମନରେ ସବୁବେଳେ ଦୁଃଖ ଥାଏ । ଗୋଟିଏ ପୁଅ ପାଇବା ପାଇଁ ରାତି ଦିନ ଈଶ୍ୱରଙ୍କୁ ଜଣାଉଥାନ୍ତି-। ରାଣୀ ମଧ୍ୟ ସେହିପରି ବାର ବରତ କରି ବହୁତ ଦିଅଁ ଦେବତାଙ୍କୁ ପୂଜା କରୁଥାନ୍ତି ।

 

କିଛି ଦିନ ପରେ ଈଶ୍ୱରଙ୍କ କୃପାରୁ ରାଜାଙ୍କର ଗୋଟିଏ ପୁଅ ହେଲା । ପୁଅ ହେବାର ସାତଦିନେ ରାଣୀ ମରିଗଲେ । ପୁଅଟିର ନାଁ ଦିଆଗଲା ସିଦ୍ଧାର୍ଥ ବା ଗୌତମ । ଜଣେ ଋଷି ଥରେ ସିଦ୍ଧାର୍ଥଙ୍କୁ ଦେଖି ରାଜା ସୁଦ୍ଧୋଦନଙ୍କୁ ଆସି କହିଲେ, ‘‘ମହାରାଜ, ତମ ପୁଅ ଯଦି ସଂସାରୀ ହେବେ ତେବେ ରାଜଚକ୍ରବର୍ତ୍ତୀ ହେବେ । ମାତ୍ର ସଂସାରୀ ହେବାର ଲକ୍ଷଣ ଦେଖା ଯାଉନାହିଁ । ସେ ଚାରିଟା ସଂସାରର ଜିନିଷ ଦେଖି ସଂସାର ଛାଡ଼ି ଚାଲିଯିବେ । ସେ ସାମାନ୍ୟ ମନୁଷ୍ୟ ପରି ଦେଖା ଯାଉନାହାନ୍ତି ।’’ ଏ କଥା ଶୁଣି ବୁଢ଼ା ରଜାଙ୍କର ବୁଦ୍ଧି ହଜିଗଲା । ବୁଢ଼ାଦିନେ ଏଇ ଗୋଟିଏ ମାତ୍ର ପୁଅ; ସେ ଯଦି ସନ୍ନ୍ୟାସୀ ହୋଇ ପଳେଇବ, ଆଉ ବଂଶ ରହିବ କିପରି ? ଏ ରାଜଗାଦିରେ ବସିବ କିଏ ?

 

ରାଜା ନଅରଠାରୁ ବହୁତ ଦୂରରେ ଗୋଟିଏ ଖୁବ୍ ସୁନ୍ଦର ବଗିଚା କଲେ । ତା’ ଭିତରେ ସୁନ୍ଦର ଘରଟିଏ ତୋଳି ପୁଅକୁ ସେଇଠି ରଖିଲେ । ବହୁତ ଚାକରବାକର ଖଞ୍ଜିଦେଇ କହିଲେ, ‘‘ପୁଅ ମନରେ ଟିକିଏ ଯେପରି ଦୁଃଖ ନ ହୁଏ ।’’ ସିଦ୍ଧାର୍ଥ ସେହି ବଗିଚାରେ ଥାନ୍ତି, ମନଆନନ୍ଦରେ ଖେଳ-ସାଥୀମାନଙ୍କ ସାଙ୍ଗରେ ଖେଳୁଥାନ୍ତି, ବଗିଚାଯାକ ବୁଲୁଥାନ୍ତି । ସେ ବାହାରେ ବାହାରେ ଏହା କରୁଥାନ୍ତି ସତ, ମାତ୍ର ସବୁବେଳେ ଏକୁଟିଆ ରହିବାକୁ ବଡ଼ ଭଲ ପାଉଥାନ୍ତି । କେତେବେଳେ ଏକୁଟିଆ ହୋଇଗଲେ ଗୋଟେ ଗଛମୂଳକୁ ଚାଲିଯାଇ ବସି କ’ଣ ଭାବୁଥାନ୍ତି ।

 

ଦିନେ ତାଙ୍କର ଗୋଟିଏ ସାଥିପିଲା ଗୋଟେ ହଂସକୁ ଶର ମାଇଲା । ଶର ବାଜିବାରୁ ହଂସଟି ତଳେ ପଡ଼ିଯାଇ ବଡ଼ ବିକଳ ହେଲା । ତା’ର ଚିତ୍କାର ସିଦ୍ଧାର୍ଥ ସହି ନ ପାରି ଦଉଡ଼ି ଯାଇ ତା’ ପେଟରୁ ଶରକୁ ବାହାର କରି ପକେଇଲେ । ତାକୁ କୁଣ୍ଢାଇ ପକାଇ ବହୁତ ଆଉଁସିଲେ । ସେ ସୁସ୍ଥ ହୋଇ ଗଲାରୁ ତାକୁ ପୁଣି ଉଡ଼ାଇ ଦେଲେ–ସେହି ନିର୍ମଳ ଆକାଶକୁ । ହଂସଟି ମହାଆନନ୍ଦରେ ଉଡ଼ିଯାଇ ତା’ ଦଳରେ ମିଶିଗଲା ।

 

ଯେ ହଂସଟିକୁ ମାରିଥିଲା, ତା’ ନାଁ ଦେବଦତ୍ତ । କିଛି କ୍ଷଣ ପରେ ଦେବଦତ୍ତ ଆସି ତା’ ହଂସ ମାଗିଲା । ଗୌତମ ତାକୁ ବହୁତ ବୁଝାଇ ବିଦା କରିଦେଇ ଏକୁଟିଆ ବସି ଭାବିଲେ, ‘‘ଶର ବାଜିବାରୁ ହଂସଟି ଏତେ ବିକଳ ହେଲା କାହିଁକି ? ମୋ ବାପାଙ୍କ ଭଣ୍ଡାରରେ ତ ଅସଂଖ୍ୟ ଶର ଅଛି । ତାକୁ ପୁଣି ମନୁଷ୍ୟ ଦେହରେ ମାରନ୍ତି; ମନୁଷ୍ୟ କେତେ ବିକଳ ହେଉ ନ ଥିବ ! ବାପା କ’ଣ ଆମର ଏଡ଼େ ନିଷ୍ଠୁର ?’’ ସେଇଦିନୁ ସେ ସମସ୍ତଙ୍କୁ ଛାଡ଼ି ଯାଇ ବଣରେ ବସନ୍ତି । ସବୁବେଳେ ଏହି କଥା ଚିନ୍ତା କରୁଥାନ୍ତି ।

 

ଆଉଦିନେ ସେ ଶୁଣି ପାରିଲେ ଯେ, ରାଜ ନଅରରେ ଗୋଟିଏ ବଡ଼ ଉତ୍ସବ ହେବ । ସେଥିରେ ଭୋଜିପାଇଁ ବହୁତ ଛେଳି ମରାଯିବେ । ଆଗରୁ ବହୁତଗୁଡ଼ିଏ ଛେଳି ନଅରକୁ ଅଣାଗଲେ, କିନ୍ତୁ ସମସ୍ତେ ଗୌତମଙ୍କ କଥା ଜାଣନ୍ତି । ସେ ଦେଖିଲେ କାଳେ ବାଧା ଦେବେ, ସେଥିପାଇଁ ଛେଳିଙ୍କୁ ନଅର ବାହାରେ ଗୋଟାଏ ଜାଗାକୁ ନିଆଗଲା । ଠିକ୍ ଦରକାର ପଡ଼ିବାବେଳେ ହଣାଯିବାର ଯୋଗାଡ଼ କରାଗଲା ।

 

ଏ କଥା ଗୌତମ ଶୁଣି ପାରିଲେ । ତାଙ୍କ ମନରେ ବଡ଼ ଆଘାତ ଲାଗିଲା । ସେ ଭାବିଲେ, ‘‘ଛେଳି ବିଚାରା କଥା କହି ପାରୁନାହାନ୍ତି ବୋଲି ତାଙ୍କ ଉପରେ ସିନା ଏ ଅତ୍ୟାଚାର । ତାଙ୍କର ତ ଆମପରି ରକ୍ତମାଂସ ଦେହ, ଆମରି ପରି ପ୍ରାଣ ଅଛି । ସେ ତ ଆମର ଭଳିଆ ସୁଖ ଦୁଃଖ ଅନୁଭବ କରିପାରୁ ଥିବେ । ଆମକୁ ଟିକିଏ ଆଘାତ ଲାଗିଲେ ବଡ଼ କଷ୍ଟ ବୋଧହୁଏ, ସେ ଯେତେବେଳେ ହଣାଯିବେ, ସେତେବେଳେ ତାଙ୍କୁ ବା କେତେ କଷ୍ଟ ନ ହେବ ?’’

 

ଗୌତମ ଆଉ ଥୟ ହୋଇ ରହି ପାରିଲେ ନାହିଁ । ଯେଉଁଠାରେ ଛେଳି ଥିଲେ, ସେଠିକି ଯାଇ ଦେଖନ୍ତି ତ ବହୁତ ଛେଳି ଅଟକା ହୋଇ ରହିଛନ୍ତି । ତାଙ୍କ ମନରେ ଆଦୌଁ ଆନନ୍ଦ ନ ଥିଲା ପରି ଗୌତମ ବୋଧ କଲେ । ତାଙ୍କ ପ୍ରାଣ କାନ୍ଦି ଉଠିଲା । ବଡ଼ ବ୍ୟସ୍ତରେ ଯାଇ ସେ ସବୁଛେଳିଙ୍କୁ ଫିଟାଇ ଦେଲେ, ମାତ୍ର ଛେଳିଗୁଡ଼ାକ କେହି ପଦାକୁ ଆସିଲେ ନାହିଁ । ଗୌତମ ତହୁଁ ଗୋଟିଏ ଛୋଟାଛେଳିକୁ ଆସ୍ତେ ଉଠେଇ କାନ୍ଧରେ ବସାଇ ଆଗେ ଆଗେ ଚାଲିଲେ । ଏହା ଦେଖି ଛେଳିଯାକ ତାଙ୍କ ଚାରିପାଖ ଘେରିହୋଇ ସାଙ୍ଗେ ସାଙ୍ଗେ ଆସିଲେ । ସବୁବେଳେ ତାଙ୍କ ଗୋଡ଼ରେ ଘଷି ହେଉଥାନ୍ତି, ମୁହଁକୁ ଚାହୁଁଥାନ୍ତି । ପଶୁଜାତି ହେଲେ ସୁଦ୍ଧା ସେ ବୁଦ୍ଧଦେବଙ୍କ ମନର ଭାବ ଜାଣି ପାରିଥିଲେ । ତାଙ୍କୁ ଏ ଯେପରି ଭଲ ପାଉଥିଲେ, ସେମାନେ ମଧ୍ୟ ସେହିପରି ୟା’ଙ୍କୁ ଭଲ ପାଉଥିଲେ ।

 

ଯେଉଁମାନଙ୍କ ଜିମା ଛେଳିହଣା ଭାର ଥିଲା, ସେମାନେ ଏ ଦୃଶ୍ୟ ଦେଖି ଏକାବେଳକେ ତରଳି ଗଲେ । ହାତ ହତିଆର ଦୂରକୁ ଫିଙ୍ଗିଦେଲେ । ନଅରକୁ କହି ପଠାଇଲେ ଯେ, ସେମାନେ ଉତ୍ସବରେ ମାଂସ ଯୋଗାଇ ପାରିବେ ନାହିଁ ।

 

ରାଜା ସୁଦ୍ଧୋଦନ ସିଦ୍ଧାର୍ଥଙ୍କର ଏପରି ଭାବ ଦେଖି ତାଙ୍କୁ ଶୀଘ୍ର ବିବାହ କରିଦେଲେ । ତଥାପି ଗୌତମଙ୍କର ମତି ଗତି ବଦଳିଲା ନାହିଁ । ଥରେ ସେ ତାଙ୍କ ବଗିଚାରେ ବୁଲୁ ବୁଲୁ ଗୋଟାଏ ବୁଢ଼ାକୁ ଦେଖିଲେ । ତା’ପରେ ଗୋଟାଏ ରୋଗୀ ଗୋଟେ ଶବ ଦେଖି ଚିନ୍ତା କଲେ, ‘‘ଆମେ ସମସ୍ତେ ତ ଦିନେ ଏହିପରି ହେବା, ତେବେ ଏ ସଂସାରରେ ଏତେ ଆମୋଦ ପ୍ରମୋଦରେ ରହି ଲାଭ କ’ଣ ?’’ ଏହି ସମୟରେ ସେ ଗୋଟାଏ ସନ୍ନ୍ୟାସୀଙ୍କୁ ଦେଖିଲେ । ସନ୍ନ୍ୟାସୀଙ୍କୁ ଦେଖି ତାଙ୍କ ମନ ବଡ଼ ଖୁସି ହୋଇଗଲା । ସେ ଭାବିଲେ, ‘‘ସଂସାର ଛାଡ଼ି ଏଇ ବାଟ ଧଇଲେ ମୋ’ର ମଙ୍ଗଳ ହେବ, ଜଗତର ମଧ୍ୟ ମଙ୍ଗଳ ହେବ ।’’

 

ଏହି ସମୟ ଭିତରେ ତାଙ୍କର ଗୋଟିଏ ଛୋଟ ପୁଅ ହୋଇଥିଲା । ଥରେ ରାତିରେ ସିଦ୍ଧାର୍ଥ ଉଠି ତାଙ୍କ ସ୍ତ୍ରୀ ଗୋପା ଓ ଛୋଟପୁଅକୁ ଛାଡ଼ି ଘରୁ ପଳାଇଲେ । ଗୋଟାଏ ଘୋଡ଼ା ଉପରେ ଚଢ଼ି ବଣକୁ ଗଲେ । ବାଟରେ ରାତି ପାହି ଯିବାରୁ ଘୋଡ଼ାରୁ ଓହ୍ଲାଇ ନିଜ ଅଳଙ୍କାର ଓ ଲୁଗାପଟାତକ ସମସ୍ତକୁ ଦେଇ ବିଦା କରିଦେଲେ । ନିଜେ ଛିଣ୍ଡା କନା ପିନ୍ଧି ସନ୍ନ୍ୟାସୀ ହୋଇ ବଣକୁ ଗଲେ । ପ୍ରଥମରେ ଦୁଇଜଣ ବ୍ରାହ୍ମଣଙ୍କ ପାଖରେ ପାଠ ପଢ଼ିଲେ । ସେଥିରେ ମନ ନ ମାନିବାରୁ ଛଅବର୍ଷ କାଳ ବସି ତପସ୍ୟା କଲେ । ସେଥିରେ ମଧ୍ୟ କିଛି ଫଳ ପାଇଲେ ନାହିଁ । ଦିନେ ଗୋଟିଏ ଗଛ ମୂଳରେ ବସିଛନ୍ତି, ଏହି ସମୟରେ ତାଙ୍କର ଜ୍ଞାନ ଉଦୟ ହେଲା । ସେହିଦିନୁ ତାଙ୍କ ନାଁ ହେଲା ବୁଦ୍ଧଦେବ । ସେ ଦେଶ ଦେଶ ବୁଲି ଧର୍ମ ପ୍ରଚାର କରିବାରେ ଲାଗିଲେ । କିଛିଦିନ ପରେ ପୁଣି ନିଜ ନଅରକୁ ଆସି ପିତା, ସ୍ତ୍ରୀ ଓ ପୁଅକୁ ନିଜ ଧର୍ମ ଦେଇଗଲେ । ରାଜ୍ୟର ପ୍ରଜା ମଧ୍ୟ ବହୁତ ତାଙ୍କ ଧର୍ମ ଗ୍ରହଣ କଲେ । ସେ ଧର୍ମଉପଦେଶ ଦେଲାବେଳେ ଲୋକେ ଏମିତି ମୋହିତ ହୋଇ ଯାଉଥିଲେ ଯେ, ଟିକିଏ ସୁଦ୍ଧା ହଲଚଲ ନ ହୋଇ ତାଙ୍କରି କଥାକୁ କାନ ଡେରି ରହୁଥିଲେ ।

 

ଆଜିକାଲି ଜଗତର ତିନିଭାଗର ଭାଗେ ଲୋକ ବୌଦ୍ଧଧର୍ମାବଲମ୍ବୀ । ପୁରୀରେ ଯେଉଁ ଜଗନ୍ନାଥ ଅଛନ୍ତି, ତାଙ୍କ ଦେହରେ, ବୁଦ୍ଧଦେବଙ୍କ ଦାନ୍ତ ରହି ପୂଜା ପାଉଛି । ବୁଦ୍ଧଦେବ ଦୁଇ ହଜାର ବର୍ଷ ହେଲା ସଂସାରରୁ ଗଲେଣି, ମାତ୍ର ଆଜିକାଲି ସାରା ଜଗତ ତାଙ୍କୁ ପୂଜା କରୁଛି । ସେ ବଣକୁ ନ ଯାଇ ସେହିପରି ଆମୋଦ ପ୍ରମୋଦରେ ମାତି ରାଜା ହୋଇଥିଲେ, ଆଜି କ’ଣ ତାଙ୍କୁ କିଏ ପଚାରୁ ଥାନ୍ତା, ନା ତାଙ୍କ ନାଁ ଜାଣିଥାନ୍ତା ?

Image

 

ଗ୍ରୀକ୍‌ବୀର ସେକନ୍ଦର

 

ପ୍ରାୟ ଅଢ଼ାଇ ହଜାର ବର୍ଷତଳେ ଗ୍ରୀସ୍ରେ ଜଣେ ବଡ଼ ପରାକ୍ରମୀ ରାଜା ଥିଲେ । ଗ୍ରୀସ୍ ଆମ ଭାରତବର୍ଷର ବହୁତ ଦୂରରେ ଅଛି । ସେ ରାଜାଙ୍କ ନାଆଁ ‘ସେକନ୍ଦର’; ତାଙ୍କୁ ଆଲେକଜାଣ୍ଡର ବୋଲି ମଧ୍ୟ କୁହାଯାଏ । ଆଲେକଜାଣ୍ଡର ଭାରି ବୀର ଓ ବଡ଼ ବୁଦ୍ଧିମାନ୍ ଲୋକ । ସେ ଗ୍ରୀସ୍‍ର ରାଜଗାଦିରେ ବସିବାର ଅଳ୍ପ ଦିନ ପରେ ଦିଗ୍‍ବିଜୟ କରିବାକୁ ବାହାରିଲେ । ସେ ପ୍ରତ୍ୟେକ ଯୁଦ୍ଧରେ ଜୟଲାଭ କରୁଥିଲେ । ଇଉରୋପ ଓ ଏସିଆର ପ୍ରାୟ ସମସ୍ତ ରାଜାଙ୍କୁ ଯୁଦ୍ଧରେ ହଟାଇ ଆସି ଭାରତରେ ପହଞ୍ଚିଲେ ।

Image

(ଗ୍ରୀକ୍‍ବୀର ସେକନ୍ଦର)

 

ଭାରତ ସେତେବେଳେ ଖଣ୍ଡ ଖଣ୍ଡ ରାଜ୍ୟରେ ବିଭକ୍ତ ହୋଇଥିଲା । ସେ ରାଜ୍ୟର ରାଜାମାନେ ଶାନ୍ତିରେ ଥାନ୍ତି । ଯୁଦ୍ଧ କରି ମଣିଷ ମାର କାଟ୍ କରିବାକୁ ଭଲ ପାଆନ୍ତି ନାହିଁ; ତେଣୁ ଆଲେକଜାଣ୍ଡରଙ୍କ ବିରୁଦ୍ଧରେ କେହି ଯୁଦ୍ଧ କରିବାକୁ ବାହାରିଲେ ନାହିଁ । ଆଲେକଜାଣ୍ଡର ଅକ୍ଳେଶରେ ସିନ୍ଧୁନଦୀ ପାର ହୋଇ ଆସି ପଞ୍ଜାବରେ ପହଞ୍ଚିଲେ ।

 

ପଞ୍ଜାବରେ ପୁରୁ ବୋଲି ଜଣେ ସାହସୀ ବୀର–ଖଣ୍ଡେ ଛୋଟରାଜ୍ୟର ରାଜା, ଆଲେକଜାଣ୍ଡରଙ୍କ ବିରୁଦ୍ଧରେ ଠିଆ ହେଲେ । ଭୟଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ପରାସ୍ତ ହୋଇ ପୁରୁରାଜ ବନ୍ଦୀ ହେଲେ । ତଥାପି ତାଙ୍କ ମନରେ ଟିକିଏ ହେଲେ କଷ୍ଟ ନ ଥାଏ । ମୁହଁ ସେହିପରି ସବୁବେଳେ ହସ ହସ । ସେ ଜାଣିଥାନ୍ତି–‘ଯୁଦ୍ଧ କରିବା ବୀରର କର୍ତ୍ତବ୍ୟ, ଯୁଦ୍ଧରେ ଜିଣିଲେ ଖୁସି ହେବା ବା ହାରିଲେ ମନକଷ୍ଟ କରିବା ଉଚିତ ନୁହେ । ’ ତେଣୁ ସେ ସେହିପରି ସରସ ମୁହଁରେ ବନ୍ଦୀ ହୋଇ ଯାଇ ଆଲେକଜାଣ୍ଡରଙ୍କ ପାଖରେ ପହଞ୍ଚିଲେ ।

 

ରାଜସଭା ଲାଗିଛି, ବହୁତ ଲୋକ ଜମା ହୋଇଛନ୍ତି, ଆଲେକଜାଣ୍ଡର ସିଂହାସନରେ ବସିଛନ୍ତି, ଏହି ସମୟରେ ସେନାପତି ପୁରୁରାଜଙ୍କୁ ସେଠାରେ ନେଇ ପହଞ୍ଚାଇଲେ । ଆଲେକଜାଣ୍ଡର ତାଙ୍କର ସମସ୍ତ ପରିଚୟ ପାଇ ତାଙ୍କୁ ପଚାରିଲେ, ‘‘ତୁମ୍ଭେ ବର୍ତ୍ତମାନ କିପରି ବ୍ୟବହାର ପାଇବାକୁ ଇଚ୍ଛା କର ?’’ ପୁରୁରାଜ ବୀର ଭାବରେ ଉତ୍ତର ଦେଲେ,‘‘ବୀରର ଯେ ବ୍ୟବହାର ପାଇବା ଉଚିତ ।’’ ସେକନ୍ଦର ବୀରତ୍ୱ ମର୍ଯ୍ୟାଦା ଜାଣନ୍ତି । ତେଣୁ ସେ ପୁରୁରାଜଙ୍କୁ ମୁକ୍ତ କରିଦେଲେ । ତାଙ୍କ ରାଜ୍ୟ ଫେରାଇ ଦେଲେ, ସାଙ୍ଗେ ସାଙ୍ଗେ ନିଜର କେତେକ ରାଜ୍ୟ ମଧ୍ୟ ତାଙ୍କୁ ଦେଇଥିଲେ ।

 

ସେକନ୍ଦର ବହୁତ ରାଜ୍ୟ ଜୟ କରିଥିଲେ । ସେ ଥରେ ଦେଶ ଜୟ କରି କରି ଆସି ଦେଖିଲେ ଯେ, ଆଗରେ ସମୁଦ୍ର–ଆଉ ରାଜ୍ୟ ନାହିଁ । ତେଣୁ ସେ ଭାରି ଦୁଃଖରେ କହିଥିଲେ, ‘‘ଆଉ ତ ଦେଶ ନାହିଁ, ମୁଁ ଜାଣିବି କ’ଣ ?’’

 

ସେ ଭାରତର କେତେକ ରାଜ୍ୟ ଦଖଲ କରି ଫେରିଗଲେ । ଗଲାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମଲାଆଗରୁ ସେ ନିଜର ପାତ୍ର ମନ୍ତ୍ରୀମାନଙ୍କୁ କହିଥିଲେ, ‘‘ମୁଁ ଆଉ ଅଳ୍ପ ସମୟ ପରେ ମରିଯିବି । ମୋତେ ଯେତେବେଳେ କୋକେଇରେ ନେବ, ସେତେବେଳେ ମୋ’ର ହାତ ଦୁଇଟାକୁ କୋକେଇର ଦୁଇ ପାଖରେ ଝୁଲାଇ ଦେବ । ସମସ୍ତେ ମୋତେ ଦେଖି ବୁଝି ପାରିବେ ଯେ, ମନୁଷ୍ୟ ମଲାବେଳେ ସାଙ୍ଗରେ କିଛି ନିଏ ନାହିଁ । ମୁଁ ଏଡ଼େ ବଡ଼ ରାଜା, ଏତେ ରାଜ୍ୟ ଜିଣିଲି, ମାତ୍ର ମଲାବେଳେ ଖାଲି ହାତରେ ଯିବି ।’’

 

ସେ ମଲା ପରେ ତାଙ୍କ ପାଖଲୋକମାନେ ତାଙ୍କ କଥା ଅନୁସାରେ କାମ କରିଥିଲେ । ମହାବୀର ଆଲେକଜାଣ୍ଡରଙ୍କ ବିଷୟରେ ବହୁତ ସୁନ୍ଦର ସୁନ୍ଦର କଥା ଅଛି । ଥରେ ସେ ରାଜସଭାରେ ବସିଛନ୍ତି, ପାତ୍ର ମନ୍ତ୍ରୀ ଚାରିଆଡ଼େ ଘେରି କରି ରହିଛନ୍ତି; କେଉଁ ଦେଶ କିପରି ଜୟ କରାଯିବ, ଏହି ବିଚାର ଚାଲିଛି; ଏହି ସମୟରେ ଦୁଇଜଣ ସୈନ୍ୟ ଗୋଟିଏ ଲୋକର ଦୁଇହାତ ବାନ୍ଧି ତାକୁ ଧରି ଆସି ସେଠି ପହଞ୍ଚିଲେ । ବନ୍ଦୀକୁ ଦେଖି ପାତ୍ର ମନ୍ତ୍ରୀମାନେ ଅବାକ୍ ହୋଇଗଲେ । ବନ୍ଦୀ ମନରେ ଟିକିଏ ହେଲେ ଦୁଃଖ ନାହିଁ । ସୈନ୍ୟଦୁହେଁ ରାଜାଙ୍କୁ ଦଣ୍ଡବତ ପକାଇ କହିଲେ, ‘‘ମହାଶୟ, ଏ ଗୋଟାଏ ଡକାଇତଙ୍କ ସରଦାର । ରାଜ୍ୟରେ ବହୁତ ଉପଦ୍ରବ କରୁଥିଲା; ଏବେ ଧରାପଡ଼ିଛି ।’’ ରାଜା ଏହା ଶୁଣି ସେ ବନ୍ଦୀକୁ ପଚାରିଲେ, ‘‘ତୁମ୍ଭେ ଏପରି ନିନ୍ଦା କାମ କରୁଥିଲ କାହିଁକି ?’’ ବନ୍ଦୀ ଟିକିଏ ମାତ୍ର ନ ଡରି ସେହିପରି ତେଜରେ କହିଲା, ‘‘ମୋର ଆପଣଙ୍କୁ କିଛି କହିବାର ଅଛି । ସମସ୍ତେ ଏଠୁଁ ଚାଲିଗଲେ ମୁଁ କହିବି ।’’ ଆଲେକଜାଣ୍ଡର ପାତ୍ର ମନ୍ତ୍ରୀ ଓ ସୈନ୍ୟମାନଙ୍କୁ ସେଠାରୁ ବିଦା କରିଦେଇ ପଚାରିଲେ, ‘‘କ’ଣ କହିବ ?’’ ବନ୍ଦୀ ହସି ହସି କହିଲା, ‘‘ଆଚ୍ଛା, ଆପଣ ତ ମୋ କାମକୁ ନିନ୍ଦାକାମ ବୋଲି କହିଲେ, ତେବେ ଆପଣଙ୍କ କାମ ଭଲା କ’ଣ-?

 

ଆଲେକଜାଣ୍ଡର–କ’ଣ, ମୋ କାମ ନିନ୍ଦନୀୟ ?

 

ବନ୍ଦୀ–ନିଶ୍ଚୟ, ମୁଁ ଯଦି ଘୃଣ୍ୟ, ମୁଁ ଯଦି ନିନ୍ଦନୀୟ, ତେବେ ଆପଣ କାହିଁକି ଘୃଣ୍ୟ ନ ହେବେ ?

 

ଆ–ମୋର କାମ ବୀରର କାମ । ମୁଁ ବାହୁବଳରେ, ବୁଦ୍ଧିବଳରେ ରାଜ୍ୟ ଜୟ କରୁଛି, ଚାରିଆଡ଼େ ଜୟପତାକା ଉଡ଼ାଉଛି । ଏ କିପରି ନିନ୍ଦନୀୟ ହେଲା ?

 

ବନ୍ଦୀ–ମୁଁ ସେହିପରି ବାହୁବଳରେ, ମୋର ବୁଦ୍ଧିବଳରେ ରାଜ୍ୟର ଖଣ୍ଡିଏ ଖଣ୍ଡିଏ ଗାଁ ଦଖଲ କରୁଛି । ମୋର ଜୟପତାକା ଖଣ୍ଡିଏ ଖଣ୍ଡିଏ ପଡ଼ାଗାଁରେ ଉଡ଼ୁଛି । ତେବେ ମୁଁ କାହିଁକି ନିନ୍ଦାରେ ଭାଗୀ ହେବି ? ଖଣ୍ଡିଏ ଖଣ୍ଡିଏ ଗାଁ ଦଖଲ କରି ଯଦି ମୁଁ ଡକାଇତ ହେଲି, ତେବେ ଆପଣ ତ ବଡ଼ ଡକାଇତ, କାରଣ ଆପଣ ବଡ଼ ବଡ଼ ରାଜ୍ୟ ଦଖଲ କରୁଛନ୍ତି ।

 

ଆ–ମୁଁ ରାଜ୍ୟ ଦଖଲ କରୁଛି ସତ, କିନ୍ତୁ ପ୍ରଜାଙ୍କୁ କଷ୍ଟ ଦେଉନାହିଁ । ମୁଁ ପୁଣି ଯାହା କରୁଛି ମୋ ରାଜ୍ୟରେ କରୁଛି । ତମେ ଯେ ମୋର ଏ ରାଜ୍ୟର ପ୍ରଜାଙ୍କ ଉପରେ ଅତ୍ୟାଚାର କରୁଛ ।

 

ବ–ଏ ରାଜ୍ୟ ତ ଆପଣଙ୍କର ପିତୃଅର୍ଜିତ ନୁହେଁ, ଆପଣଙ୍କର ହେଲା କିପରି ? ଆପଣ ଯେପରି ପର ରାଜ୍ୟରେ ଅତ୍ୟାଚାର କରୁଛନ୍ତି, ମୁଁ ସେହିପରି ମଧ୍ୟ ପର ରାଜ୍ୟରେ ଅତ୍ୟାଚାର କରୁଛି । ଏ ଆପଣଙ୍କର ନୁହେଁ, କି ମୋର ନୁହେଁ ।

 

ପୁଣି ମୁଁ ଅତ୍ୟାଚାର କରୁଛି ବୋଲି କହୁଛନ୍ତି । ମୁଁ ଗୋଟିଏ ଗୋଟିଏ ଘର ପୋଡ଼ି ଦେଉଛି କିମ୍ବା ଜଣେ ଜଣେ ଲୋକଙ୍କୁ ମାରୁଛି । କିନ୍ତୁ ଆପଣ ଯେ ଶହ ଶହ ଲୋକଙ୍କ ଆକୁଳ କ୍ରନ୍ଦନ ନ ଶୁଣି ଗୋଟାଏ ଗୋଟାଏ ରାଜ୍ୟ ପୋଡ଼ି ଦେଉଛନ୍ତି, ହଜାର ହଜାର ଲୋକ ମାରି ପକାଉଛନ୍ତି, ଆପଣ ବେଶି ଅତ୍ୟାଚାରୀ ନା ମୁଁ ?

 

ଆ–ମୁଁ ଅତ୍ୟାଚାର କରୁଛି ସତ, କିନ୍ତୁ ତା’ ତୁଳନାରେ ଉପକାର କରୁଛି ଖୁବ୍ ବେଶି । ପ୍ରଜାଙ୍କୁ ଖୁବ୍ ସୁଖଶାନ୍ତିରେ ରଖୁଛି ।

 

ବନ୍ଦୀ–ମୁଁ ଧନୀଲୋକଙ୍କ ଉପରେ ଅତ୍ୟାଚାର କରି ଧନ ନେଇ ବହୁତ ଗରିବ ଲୋକଙ୍କୁ ଖାଇବାକୁ ଦେଉଛି । ତାଙ୍କୁ ସୁଖଶାନ୍ତିରେ ମଧ୍ୟ ରଖୁଛି । ଯାହାହେଉ ମୁଁ ଯଦି ଅତ୍ୟାଚାରୀ ହୁଏଁ, ତେବେ ଆପଣ ନିଶ୍ଚୟ ମୋଠାରୁ ବଡ଼ ଅତ୍ୟାଚାରୀ । ଆପଣ ବଡ଼ଲୋକ ବୋଲି ଆପଣଙ୍କ କଥା ଧରା ଯାଉନାହିଁ, ମୁଁ ଗରିବ ବୋଲି ମତେ ବନ୍ଦୀ କରିଛନ୍ତି ।

 

ଆଲେକଜାଣ୍ଡର ଏକଥା ଶୁଣି ଅବାକ୍ ହୋଇଗଲେ । ମନେ ମନେ କ’ଣ ଭାବି ବନ୍ଦୀ ହାତ ଫିଟାଇ ଦେଲେ । ସେ ସେହିପରି ଦର୍ପଭାବରେ ସେଠୁ ଚାଲିଗଲା ।

Image

 

ଖାରବେଳ

 

ଆମର ପ୍ରତିଦିନ ଯେଉଁ ଜିନିଷ ସବୁ ଦରକାରରେ ଆସେ, ସେ ସବୁ ଆମ ଦେଶରେ ତିଆରି ହୁଏ ନାହିଁ । ସେଥିରୁ କେତେକ ତିଆରି ହୁଏ, କେତେକ ଜର୍ମାନୀ, ଇଂଲଣ୍ଡ ପ୍ରଭୃତି ବହୁତ ଦୂର ଦେଶରୁ ଆସେ । ଆମ ଦେଶରୁ ମଧ୍ୟ ବହୁତ ଜିନିଷ ତାଙ୍କ ଦେଶକୁ ଯାଏ । ଏହିପରି କାରବାରକୁ ବାଣିଜ୍ୟ କହନ୍ତି ।

 

ହଜାର ହଜାର ବର୍ଷ ତଳେ ଆମ ଓଡ଼ିଶାର ଲୋକେ ଜାଭା, ବୋର୍ଣ୍ଣିଓ ପ୍ରଭୃତି ସମୁଦ୍ର ଭିତରେ ଥିବା ଦ୍ୱୀପମାନଙ୍କରେ ବାଣିଜ୍ୟ କରୁଥିଲେ । ଜାହାଜରେ ସମୁଦ୍ର ପାର ହୋଇ ଆମ ଦେଶର ଆମଦାନୀ ଜିନିଷ ସେଠାକୁ ନେଉଥିଲେ, ସେଠାର ଆମଦାନୀ ଜିନିଷ ଆମ ଦେଶକୁ ଆଣୁଥିଲେ । ଏପରି କରିବାଦ୍ୱାରା ବହୁତ ଧନ ଦଉଲତ କମେଇ ଖୁବ୍ ଧନୀ ହେଉଥିଲେ । ଦୁଃଖ କଷ୍ଟ କାହାକୁ ବାଧୁ ନ ଥିଲା । ଆଜି କାଲି ପରି ଗରିବ ସେ ସମୟରେ ଦେଖା ନ ଥିଲେ । ଦେଶରୁ ଜିନିଷ ପତ୍ର ଲଦି ଜାହାଜ ଅନୁକୂଳ କଲାବେଳେ ଲୋକେ ତାକୁ ପୂଜା କରୁଥିଲେ । ସ୍ତ୍ରୀମାନେ ଅର୍ଘ୍ୟଥାଳୀ ଧରି ବନ୍ଦାପନା ମଧ୍ୟ କରୁଥିଲେ ।

 

ସାଧାରଣତଃ ବର୍ଷାଦିନେ ଜାହାଜ ସମୁଦ୍ରରେ ଯାଇ ପାରେ ନାହିଁ, ତେଣୁ ବର୍ଷା ଛାଡ଼ି ଗଲେ ଶରତଋତୁରେ ଜାହାଜ ଅନୁକୂଳ କରେ । ଆଜି କାଲି କାର୍ତ୍ତିକପୂର୍ଣ୍ଣମୀ ଦିନ ଆମଦେଶର ଲୋକେ କଦଳୀ ଫାଉଡ଼ା ଡଙ୍ଗାକରି ନଈ ନାଳରେ ଭସାନ୍ତି । ସ୍ତ୍ରୀ ଲୋକମାନେ ହୁଳହୁଳି ଦେଇ ବନ୍ଦାପନା କରନ୍ତି । କଥାରେ କହନ୍ତି–କର୍ପୂର ଗଲାଣି, କନା ପଡ଼ି ରହିଛି । ଠିକ୍ ସେହିପରି ଆଜି କାଲି ଆମଦେଶରୁ ଜାହାଜ ବୁଡ଼ିଲାଣି; ବେପାର ବାଣିଜ୍ୟ ସାତସପନ ହେଲାଣି, କିନ୍ତୁ ସେ କଥାଟା ଲୋକେ ମନରୁ ପାଶୋରି ନାହାନ୍ତି । ଜାହାଜ ଅଭାବରେ କଦଳୀ ଫାଉଡ଼ା ବନ୍ଦାପନା କରି ନଈ ନାଳରେ ଭସାଉଛନ୍ତି ।

 

ଖାଲି ଯେ ସମୁଦ୍ରରେ ଯାଇ ଓଡ଼ିଶାର ଲୋକେ ବାଣିଜ୍ୟ କରୁଥିଲେ, ତା’ ନୁହେଁ । ଦେଶରେ ବୁଲି ମଧ୍ୟ ବେପାର କରୁଥିଲେ । ବହୁଦୂର ପଞ୍ଜାବ, କାଶ୍ମୀର ଆଡ଼କୁ ମଧ୍ୟ ବେପାର କରିବାକୁ ଯାଉଥିଲେ ।

 

ପ୍ରାୟ ୨୨୦୦ ବର୍ଷତଳେ ଖାରବେଳ ବୋଲି ଜଣେ ରାଜା ଓଡ଼ିଶାରେ ରାଜତ୍ୱ କରୁଥିଲେ । ସେ ବଡ଼ ବୀର; ତାଙ୍କ ସମୟରେ ଲୋକେ ବାଣିଜ୍ୟ କରି ଚାରିଆଡ଼ୁ ବହୁତ ଧନ ଦଉଲତ ଦେଶକୁ ଟାଣି ଆଣୁଥିଲେ । ଖାରବେଳଙ୍କ ଭୟରେ ଅନ୍ୟ କୌଣସି ରାଜା ପଦେ ଉଁ କି ଚୁଁ ପାଟି ଫିଟାଇ ପାରୁ ନ ଥିଲେ । ଖାରବେଳ ଅନ୍ୟାନ୍ୟ ରାଜାମାନଙ୍କୁ ଜିଣି ରାଜଚକ୍ରବର୍ତ୍ତୀ ଉପାଧି ପାଇଲେ ।

 

ଥରେ ପଞ୍ଜାବର ଖଣ୍ଡେ ଛୋଟରାଜ୍ୟର ରାଜା ଓଡ଼ିଶା ବେପାରୀଙ୍କୁ ଅପମାନ ଦେଲେ, ତାଙ୍କ ଜିନିଷପତ୍ର ଛଡ଼େଇ ରଖିଲେ । ବେପାରୀମାନେ ଫେରିଆସି ସୁବଦୁଃଖ ଖାରବେଳଙ୍କୁ ଜଣେଇଲେ । ସେ ତ ଭାରି ବୀର, ଏ ଅପମାନ ସହି ସେ କ’ଣ ଥୟ ହେବା ଲୋକ ? ସାମାନ୍ୟ କେତେଜଣ ସୈନ୍ୟ ସାମନ୍ତ ଧରି ସାଙ୍ଗେ ସାଙ୍ଗେ ପଞ୍ଜାବ ଯାତ୍ରା କଲେ ।

 

ପଞ୍ଜାବର ସେ ରାଜା ବଡ଼ ବୀର, କିନ୍ତୁ ଭାରି ଅତ୍ୟାଚାରୀ । ଗୋଟିଏ ରାଜ୍ୟର ରାଜାଙ୍କୁ ମାରି ତାଙ୍କ ରାଜ୍ୟ ଦଖଲ କରିଥାଏ । ଯେଉଁ ରାଜା ମଲେ, ତାଙ୍କର ଧୂସି ବୋଲି ଗୋଟିଏ ଝିଅ ଥିଲା । ସେ ଭାରି ସୁନ୍ଦରୀ, ପ୍ରାଣ ବିକଳରେ ଗୋଟିଏ ଗାଁର ସର୍ଦ୍ଦାର ପାଖରେ ଆସି ରହିଥାଏ ।

 

ଖାରବେଳ ପଞ୍ଜାବରେ ପହଞ୍ଚିଲେ । ଥରେ ବୁଲି ଯାଉ ଯାଉ ଗୋଟେ ଜାଗାରେ ଧୂସି ବସିଥିବାର ଦେଖିଲେ । ସେଇଦିନୁ ସେ ଧୂସିଙ୍କୁ ବାହା ହେବାକୁ ଠିକ୍ କଲେ; ଧୂସି ମଧ୍ୟ ତାଙ୍କୁ ମନେ ମନେ ବରଣ କରିନେଲେ । ସେ ଜାଣନ୍ତି ଯେ, ଏ ଓଡ଼ିଶା ରାଜା ଖାରବେଳ । କିନ୍ତୁ ଏ ତାଙ୍କୁ ଜାଣନ୍ତି ନାହିଁ; ତେଣୁ ୟା’ଙ୍କ ମନରେ ବଡ଼ କଷ୍ଟ ହେଲା । କିପରି ସେ କନ୍ୟାଟିକୁ ପାଇବେ ଏହା ରାତିଦିନ ଭାବିବାକୁ ଲାଗିଲେ ।

 

ପଞ୍ଜାବ ରାଜାର ସୈନ୍ୟ ଖୁବ୍ ବେଶି, ତେଣୁ ଖାରବେଳ ସେ ଗାଁ ସର୍ଦ୍ଦାରକୁ କେତେକ ସୈନ୍ୟ ମାଗିଲେ । ସର୍ଦ୍ଦାରର ଯେତେକ ସୈନ୍ୟ ଆସିଲେ ତାଙ୍କ ସେନାପତି ହେଲେ ଧୂସି । ସେ ପିଲାମାନେ ଯୁଦ୍ଧବିଦ୍ୟା ଶିଖି ସେଥିରେ ଭାରି ଧୁରନ୍ଧର ହୋଇ ଉଠିଥିଲେ । ତାଙ୍କର ପିଲାଦିନୁ ଇଚ୍ଛା ଥାଏ ଯେ, ସେ କିପରି ଥରେ ଯୁଦ୍ଧ କରିବେ । ମନ ମାଫିକେ ସୁବିଧା ମିଳିଗଲା । ସେ ପୁରୁଷ ଦେଶରେ ସେନାପତି ହୋଇ ଖାରବେଳଙ୍କ ପଟରେ ଯୁଦ୍ଧ କଲେ ।

 

ସେନାପତିଙ୍କୁ ଦେଖିଲା ବେଳଠୁଁ ଖାରବେଳଙ୍କ ମନ ତାଙ୍କ ପ୍ରତି ଢଳି ପଡ଼ିଲା । କେଜାଣି କାହିଁକି, ସେ ତାଙ୍କୁ ଭାରି ଭଲ ପାଇଲେ । ଯୁଦ୍ଧରେ ଯେମିତି ତାଙ୍କର କିଛି ଅନିଷ୍ଟ ନ ହୁଏ ସେମିତି ଜଗି ରଖି ଚଳିଲେ । ଧୂସି ତ ୟା’ଙ୍କୁ ଚିହ୍ନନ୍ତି, ତେଣୁ ସେ ମଧ୍ୟ ସବୁବେଳେ ରାଜାଙ୍କ ପାଖେ ପାଖେ ଥାଇ ଜଗିଥାନ୍ତି ଯେ, ରାଜାଙ୍କର ଯେପରି କିଛି ଅନିଷ୍ଟ ନ ହେଉ । ଏହିପରି ଦୁହେଁ ଦୁହିଁଙ୍କୁ ବିପଦରୁ ଉଦ୍ଧାରିବେ ବୋଲି ଜଗିଲେ, ମାତ୍ର କେହି କାହାରି ମନକଥା ଜାଣି ପାରିଲେ ନାହିଁ ।

 

ଯୁଦ୍ଧରେ ଖାରବେଳ ଜୟୀ ହେଲେ; ପଞ୍ଜାବ ରାଜା ଡରି ହରି ପଳାଇ ଗଲେ ।

 

ଦୈବକ୍ରମେ ଥରେ ଗୋଟିଏ ଶର ଆସି ଖାରବେଳଙ୍କ ଦେହରେ ବାଜିଲା, ସେ ବଡ଼ ଆଘାତ ପାଇଲେ । ଧୂସି ରାତି ଦିନ ତାଙ୍କ ପାଖରେ ରହି ସେବା ଶୁଶ୍ରୂଷା କରୁଥାନ୍ତି । କ୍ରମେ ତାଙ୍କର ବଡ଼ ବିଶ୍ୱସ୍ତ ହୋଇ ପଡ଼ିଲେ ।

 

ଥରେ ଖାରବେଳ ନିଜ ମନକଥା ଖୋଲି କହିଗଲେ । ସେ ତ ଜାଣନ୍ତି ନାହିଁ ଯେ, ଏ ସେହି ଧୂସି-ସେ ଯାହାଙ୍କୁ ବାଟରେ ଦେଖିଥିଲେ । ତେଣୁ ସେ କହିଲେ, ‘‘ମୁଁ ପହିଲେ ଏଠାକୁ ଆସି ଗୋଟିଏ କନ୍ୟାକୁ ଦେଖିଥିଲି । ତାକୁ ବିଭା ହେବାକୁ ମୋର ଭାରି ଇଚ୍ଛା । କିନ୍ତୁ କ’ଣ କରିବି ? ତା’ର ଠା ଠିକଣା କିଛି ଜାଣେ ନାହିଁ କି ସେ କିଏ ଚିହ୍ନେ ନାହିଁ । ତମେ ମୋତେ ତାଙ୍କୁ ଚିହ୍ନାଇ ଦେଇ ପାରିବ ? ଧୂସି ଟିକିଏ ଗେଲ ଖେଳିବେ ଭାବି କହିଲେ, ‘‘ମୁଁ ତ ତାଙ୍କୁ ଜାଣେ ନାହିଁ ।’’ ରାଜା ବଡ଼ ଦୁଃଖିତ ହେଲେ, ମନକଥା ମନେ ରଖି ଚୁପ୍ ହେଲେ । ମାତ୍ର ଧୂସି ଆଉ ଏ କଥା ସହି ପାରିଲେ ନାହିଁ । ସେ ସେହି ମୁହୂର୍ତ୍ତରେ ନିଜର ପୋଷାକ କାଢ଼ିପକାଇଲେ । ଖାରବେଳ ତାଙ୍କୁ ଚିହ୍ନିପାରି ଆନନ୍ଦରେ କୁଣ୍ଢାଇ ପକାଇଲେ ।

 

ଯେ ଯାହାକୁ ହୃଦୟର ସହିତ ଭଲ ପାଏ, ସେ ଯେତେ ପର, ଯେତେ ଅଚିହ୍ନା ହୋଇଥାଉ ପଛକେ, କ୍ଷଣକେ ଆପଣାର ହୋଇଯିବ ।

Image

 

ବୀର ଚନ୍ଦ୍ରଗୁପ୍ତ

 

ଆଜିକାଲି ଯାହାକୁ ‘ବିହାର’ କହନ୍ତି, ଆଗେ ତାକୁ ‘ମଗଧ’ କହୁଥିଲେ । ସେଇ ମଗଧରେ ମହାପଦ୍ମନନ୍ଦ ବୋଲି ଜଣେ ରାଜା ରାଜତ୍ୱ କରୁଥିଲେ । ସେ ନନ୍ଦବଂଶର ରାଜା । ତାଙ୍କର ବହୁତ ରାଣୀ ଥିଲେ । ତଥାପି ସେ ମୁରା ନାମରେ ଗୋଟିଏ ଶୂଦ୍ର କନ୍ୟାକୁ ବିବାହ କଲେ ।

 

ମହାପଦ୍ମ ନନ୍ଦ ବଡ଼ ଦୁଷ୍ଟ ଓ ରାଗୀ । ସେ ଆଗ ପଛ କିଛି ବିଚାର ନ କରି, ଯେତେବେଳେ ଯାହା ଇଚ୍ଛା, ତା’ କରି ପକାନ୍ତି । ସେଥିପାଇଁ ସମସ୍ତେ ତାଙ୍କ ଉପରେ ଚିଡ଼ୁଥାନ୍ତି ।

 

ତାଙ୍କର ଦୁଇଟି ମନ୍ତ୍ରୀ ଥିଲେ; ଶକଟାର ଓ ରାକ୍ଷସ । ଶକଟାର ବୁଢ଼ା ହୋଇ ଯାଇଥିଲେ-। ତେଣୁ ତାଙ୍କ ପରେ ସେ ରାକ୍ଷସଙ୍କୁ ଉପଯୁକ୍ତ ମନ୍ତ୍ରୀ କରି ଯିବେ ବୋଲି, ସବୁବେଳେ ଯତ୍ନ କରୁଥିଲେ । କିନ୍ତୁ ରାକ୍ଷସ ନିତାନ୍ତ କୁଟିଳ ପ୍ରକୃତିର ଲୋକ । ସେ ଶକଟାରଙ୍କ ଉପରେ ଭାରି ହିଂସା କରି ତାଙ୍କୁ ମାରି ନିଜେ ଶୀଘ୍ର ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା କରୁଥାନ୍ତି ।

 

ରାକ୍ଷସ ଦିନେ କୌଶଳରେ ଶକଟାରଙ୍କ ନାଁ ଲେଖା ମୋହର ନେି ଆସିଲେ । ମହାପଦ୍ମ ନନ୍ଦଙ୍କ ଗୋଟିଏ ଶତ୍ରୁ ରାଜା ପାଖକୁ ଖଣ୍ଡେ ମିଛ ଜାଲ ଚିଠି ଲେଖି ସେଥିରେ ଶକଟାରଙ୍କ ନାଁ ମୋହର କରି ଦେଲେ । ସେଥିରେ ଲେଖାଥିଲା, ‘‘ତୁମେ ଶୀଘ୍ର ଆସ, ମୁଁ ସାହାଯ୍ୟ କରିବି, ମହାପଦ୍ମ ନନ୍ଦଙ୍କୁ ମାରି ତମକୁ ରାଜଗାଦି ଦେବି ।’’ ରାକ୍ଷସ ସ୍ୱଭାବର ରାକ୍ଷସ ସେ ଚିଠି ଶତ୍ରୁ ରାଜାଠାକୁ ନ ପଠାଇ ମହାପଦ୍ମ ନନ୍ଦଙ୍କ ପାଖକୁ ପଠାଇ ଦେଲେ । ଶକଟାର କିପରି ଷଡ଼ଯନ୍ତ୍ର କରୁଛନ୍ତି ଏ ବିଷୟରେ ମିଛରେ ବହୁତ କଥା ତାଙ୍କ ଆଗରେ କହିଲେ । ସେ ତ ଖୁବ୍ ରାଗୀ; ରାକ୍ଷସଙ୍କ କଥାରେ ବିଶ୍ୱାସ କରି ସାଙ୍ଗେ ସାଙ୍ଗେ ଶକଟାରଙ୍କୁ ଓ ତାଙ୍କ ପରିବାର ସମସ୍ତଙ୍କୁ ବନ୍ଦୀ କଲେ । ଶକଟାର ବୁଢ଼ା, ସେଥିରେ ପୁଣି ପିଲାପିଲି ସମସ୍ତଙ୍କୁ ନେଇ ଗୋଟିଏ ନିହାତି ଅନ୍ଧାରୁଆ ଘରେ ରାତିଦିନ ବନ୍ଦୀ ହୋଇ ରହିଲେ । ଏଥିରେ ତାଙ୍କୁ ବଡ଼ କଷ୍ଟ ହେଲା ।

 

ରାଜା ତାଙ୍କୁ କେବଳ ବନ୍ଦୀ କରି ସନ୍ତୁଷ୍ଟ ହେଲେ ନାହିଁ । ସେ ନିୟମ କଲେ ଯେ, ପ୍ରତିଦିନ ବନ୍ଦୀମାନଙ୍କୁ ସେରେ ଚାଉଳର ଭାତ ଦିଆଯିବ । ସେମାନେ ସଂଖ୍ୟାରେ ଖୁବ୍ ବେଶୀ । ସେରେ ଚାଉଳରେ ବା ବଞ୍ଚିବେ କିପରି ! ତେଣୁ ସେମାନେ ବିଚାର କଲେ, ‘‘ଏ ସେରକ ଚାଉଳ ସମସ୍ତେ ଖାଇଲେ କେହି ବଞ୍ଚିପାରିବା ନାହିଁ । ତେଣୁ ସମସ୍ତେ ଉପବାସରେ ରହି ମରିବା । ଆମ ଭିତରୁ ଯେ ରାଜବଂଶ ନିର୍ମୂଳ କରି ଏହାର ପ୍ରତିଶୋଧ ନେଇ ପାରିବ, କେବଳ ସେ ଏ ଭାତ ଖାଉ-।’’ ସମସ୍ତଙ୍କ ମତରେ ଶକଟାରହିଁ ଏ କାମର ଉପଯୁକ୍ତ ବୋଲି ଠିକ୍ ହେଲେ । ତେଣୁ ଏହା ଶକଟାର ଭାତ ଖାନ୍ତି । ଆଉ ସମସ୍ତେ ଉପାସରେ କାନ୍ଦି କାନ୍ଦି ଦିନ କଟାନ୍ତି ।

 

କ୍ରମେ କ୍ରମେ ସମସ୍ତେ ମଲେ । କେବଳ ଶକଟାର ଉପଯୁକ୍ତ ପ୍ରତିଶୋଧ ନେବାପାଇଁ ଭାତ ଖାଇ ଜୀବନ ଧରି ରହିଲେ । ଘରର ସମସ୍ତଙ୍କ ମରଣ ଛାତି ପଥର କରି ସହିଲେ । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲା, ମୁହଁ ଫୁଲିଗଲା ।

 

ଏଣେ ମହାପଦ୍ମ ନନ୍ଦ ନିଶ୍ଚିନ୍ତ । କୁଟିଳ ରାକ୍ଷସ ପ୍ରଧାନମନ୍ତ୍ରୀ ହୋଇ ରାଜକାର୍ଯ୍ୟ ବୁଝିଲେ । ଦିନେ ରାଜା ବଗିଚାରେ ବୁଲୁଥିଲେ । ଗୋଟିଏ ବରଫଳକୁ କେତୋଟି ପିମ୍ପୁଡ଼ି ଘୋଷାରି ନେଉଥିବାର ଦେଖି ସେ ହଠାତ୍ ହସି ଉଠିଲେ । ଅଳ୍ପଦୂରରେ ମୁରା ଆସୁଥିଲେ । ରାଜା ହସିବାର ଦେଖି ସେ ମଧ୍ୟ ହସି ପକେଇଲେ; ମାତ୍ର କାହିଁକି ହସିଲେ କାରଣ ଜାଣନ୍ତି ନାହିଁ । ରାଜା ମୁରା ହସିବାର ଦେଖି ଭାରି ରାଗିଗଲେ । ତାଙ୍କୁ ପାଖକୁ ଡାକି କହିଲେ, ‘‘ତମେ କାହିଁକି ହସିଲ ?’’ ମାତ୍ର ମୁରା କିଛି କହି ପାରିଲେ ନାହିଁ । ରାଜା ଆହୁରି ରାଗିଯାଇ କହିଲେ, ‘‘ତମକୁ ସପ୍ତାହେ ସମୟ ଦିଆଗଲା । ଏହି ସମୟ ଭିତରେ କାହିଁକି ହସିଲ ନ କହିଲେ, ତମ ମୁଣ୍ଡ କଟାଯିବ । ତମ ବଂଶ ମଧ୍ୟ ନିର୍ମୂଳ ହେବ ।’’ ଏ କଥାରେ ମୁରାଙ୍କ ମନରେ ବଡ଼ ଆଘାତ ଲାଗିଲା । ତାଙ୍କ ମୁଣ୍ଡ କଟାହେଲେ କିଛି କଷ୍ଟ ନ ଥିଲା । କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କର ଗୋଟିଏ ବୋଲି ପୁଅ । ନିଷ୍ଠୁର ରାଜା କବଳରୁ କିପରି ଚନ୍ଦ୍ରଗୁପ୍ତଙ୍କୁ ରଖିବେ, ଏହି ଭାବନା ସବୁବେଳେ ତାଙ୍କ ମୁଣ୍ଡରେ ଖେଳିଲା ।

 

ଦିନେ ତାଙ୍କୁ ହଠାତ୍ ବୁଦ୍ଧି ଦେଖାଗଲା । ସେ ବନ୍ଦୀଘରକୁ ଯାଇ ଶକଟାରଙ୍କୁ ନିଜ ଦୁଃଖ ହାଲ ଜଣାଇଲେ । ଶକଟାର ମୁରାଙ୍କ କଥା ଶୁଣି କହିଲେ, ‘‘ତମେ ଯାଅ, କହିବ-ବରଫଳ ତୁଳନାରେ ପିମ୍ପୁଡ଼ି ନିହାତି ଛୋଟ । କିନ୍ତୁ ସେହି ଛୋଟ ପିମ୍ପୁଡ଼ି ଦୁଇ ତିନିଟା ଏକାଠି ହୋଇ ଗୋଟାଏ ବରଫଳ ଟାଣି ନେଉଥିଲେ, ଏହି କଥା ଦେଖି ମୁଁ ହସିଲି ।’’

 

ମୁରା ଖୁସି ମନରେ ଯାଇ ଠିକ୍ ଏହି କଥା ରାଜାଙ୍କୁ କହିଲେ । ରାଜା ନିଜର ମନକଥା ବୁଝିପାରି ଭାରି ଆନନ୍ଦ । ସେ ମୁରାଙ୍କ କଥାରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଲେ । ସେ କହିଲେ, ‘‘ମୋର କିଛି ବର ଦରକାର ନାହିଁ; କେବଳ ବୃଦ୍ଧମନ୍ତ୍ରୀ ଶକଟାରଙ୍କୁ ବନ୍ଦୀରୁ ଖଲାସ କରନ୍ତୁ ।’’ ରାଜା ମୁରାଙ୍କ କଥା ଅନୁସାରେ ସେହି ଦିନ ଶକଟାରଙ୍କୁ ମୁକ୍ତ କଲେ । ଶକଟାର ନିଜ ବଂଶର ଲୋକମାନଙ୍କ ମୃତ୍ୟୁ କଷ୍ଟ ସହି କାନ୍ଦି କାନ୍ଦି ତା’ର ଉପଯୁକ୍ତ ପ୍ରତିଶୋଧ ନେବାପାଇଁ ବାହାରକୁ ଆସିଲେ । ସବୁବେଳେ ସୁଯୋଗ ଖୋଜି ବୁଲୁଥାନ୍ତି ।

 

ଆଗରୁ ଜାଣିଚ, ଚନ୍ଦ୍ରଗୁପ୍ତ ମୁରାଙ୍କର ପୁଅ । ‘ଚନ୍ଦ୍ରଗୁପ୍ତ ଗୋଟିଏ ଶୂଦ୍ରକନ୍ୟା ପୁଅ,’ ଏହି କଥା କହି ସମସ୍ତେ ପିଲାଦିନେ ତାଙ୍କୁ ହତାଦର କରୁଥିଲେ । ରାଜା ମଧ୍ୟ ପଚାରୁ ନ ଥିଲେ । ମୁରାଙ୍କୁ ଏ କଥା ବଡ଼ ବାଧୁଥାଏ, ମାତ୍ର ସେ କରିବେ କ’ଣ ? ସେ ତ କେବଳ ଜଣେ ସାମାନ୍ୟ ସ୍ତ୍ରୀ, ଏଡ଼େ ବଡ଼ ରାଜାଙ୍କ ବିରୁଦ୍ଧରେ ଉଠିବେ ବା କିପରି ? ପୁଅ ଟିକିଏ ବଡ଼ ହୋଇ ଗଲାରୁ ଦିନେ ପୁଅକୁ ସବୁ କଥା କହିଲେ । ବୀରମାନେ ଟିକିଏ ହେଲେ ଅପମାନ ସହି ପାରନ୍ତି ନାହିଁ । ଚନ୍ଦ୍ରଗୁପ୍ତ ମାଆଙ୍କର କଥା ଶୁଣି ସାଙ୍ଗେ ସାଙ୍ଗେ ରାଗିଉଠିଲେ । ଖୋଳ ଭିତରୁ ଖଣ୍ଡାକୁ ବାହାର କରି ଆଣି କହିଲେ, ‘‘ମା, ଦେଖ୍, ନନ୍ଦବଂଶ ଧ୍ୱଂସ ନ କରିବାଯାଏ, ଏ ଖଣ୍ଡା ଖୋଳରେ ପଶିବ ନାହିଁ ।’’ ବୀରମାନଙ୍କର ଏହା ଗୋଟାଏ ବଡ଼ ଶପଥ ।

 

ଚନ୍ଦ୍ରଗୁପ୍ତ ସିନା ପ୍ରତିଜ୍ଞା କଲେ, ମାତ୍ର କରିବେ କ’ଣ ? ରାଜାଙ୍କର ଅସଂଖ୍ୟ ସୈନ୍ୟ, ବହୁତ ହାତୀ, ଘୋଡ଼ା, ଅସ୍ତ୍ରଶସ୍ତ୍ର, ଏଥିରେ ସେ ନନ୍ଦବଂଶ ଧ୍ୱଂସ କରିବେ କିପରି ? ବହୁତ ଭାବି ଭାବି ସେ ମଗଧ ଛାଡ଼ି ଚାଲିଗଲେ ।

 

ସେହି ସମୟରେ ସେକନ୍ଦର ସା ଆସି ପଞ୍ଜାବରେ ଥାନ୍ତି । ସେ ଭାରି ବୀର । ଗ୍ରୀସ୍‍ରୁ ଦେଶ ଜିଣି ଜିଣି ପଞ୍ଜାବ ପର୍ଯ୍ୟନ୍ତ ଆସିଥିଲେ । ଚନ୍ଦ୍ରଗୁପ୍ତ ତାଙ୍କରି ସୈନ୍ୟମାନଙ୍କ ସାଙ୍ଗରେ ରହି ଯୁଦ୍ଧବିଦ୍ୟା ଶିଖିଲେ । ଅଳ୍ପଦିନେ ସେ ଯୁଦ୍ଧରେ ଧୂରନ୍ଧର ହୋଇଗଲେ । ଦିନେ ସେକନ୍ଦର ଜାଣି ପାରିଲେ ଯେ, ସେ ଜଣେ ଭାରତର ଲୋକ; ଲୁଚିକରି ତାଙ୍କ ସୈନ୍ୟ ସାଙ୍ଗରେ ଅଛନ୍ତି । ସେ ରାଗି ତାଙ୍କୁ ବାହାର କରିଦେଲେ । ଚନ୍ଦ୍ରଗୁପ୍ତ ପୁଣି ଫେରିଆସି ମଗଧରେ ପହଞ୍ଚିଲେ ।

Image

(ବହୁତ ଭାବି ଭାବି.................ଚାଲିଗଲେ)

 

ଦିନେ ଶକଟାର ବୁଲୁ ବୁଲୁ ଦେଖିଲେ ଯେ, ଗୋଟିଏ ବ୍ରାହ୍ମଣ ପିଲା କୁଶଗଛ ସବୁ ଉପାଡ଼ୁଛନ୍ତି । ସେ ଦେଖିବାକୁ ନିହାତି କୁତ୍ସିତ, ତ୍ରିପଣ୍ଡ କଳା, ଭାରି ହୁଣ୍ଡା ପରି ଜଣା ଯାଉଥାନ୍ତି । ଶକଟାର ତାଙ୍କୁ ଦେଖି ନାଁ ପଚାରିଲେ । ସେ କହିଲେ, ‘‘ମୋ ନାଁ ଚାଣକ୍ୟ ।’’ କୁଶଗଛ କାହିଁକି ଉପାଡ଼ୁଛନ୍ତି ବୋଲି ଶକଟାର ପଚାରିବାରୁ ସେ ଉତ୍ତର ଦେଲେ, ‘‘ଗଜା କୁଶଗଛର ଅଗ ବାଜିବାରୁ ମୋ ବାପାଙ୍କ ଗୋଡ଼ରେ ଘା’ ହେଲା, ସେ ସେଇ ଘା’ରେ ମଲେ । ତେଣୁ ପିତାଙ୍କ ଶତ୍ରୁ ମାରିବାକୁ ବୁଲି ବୁଲି ଚାରିଆଡ଼ୁ କୁଶଗଛ ଉପାଡ଼ୁଛି ।’’ ଶକଟାର ଏ କଥା ଶୁଣି ଭାରି ଖୁସି ହୋଇଗଲେ । ନନ୍ଦବଂଶ ନିର୍ମୂଳ କରିବାକୁ ଏ ଉପଯୁକ୍ତ, ଏହା ଭାବି ତାଙ୍କୁ ନିଜ ଘରକୁ ନେଇଗଲେ । ଯତ୍ନରେ ପାଳି ବହୁତ ରାଜନୀତି କଥା ଶିଖେିଇଲେ । ଅଳ୍ପଦିନ ଭିତରେ ଚାଣକ୍ୟ ଜଣେ ଧୁରନ୍ଧର ପଣ୍ଡିତ ହୋଇଉଠିଲେ ।

 

ଶକଟାର ଦେଖିଲେ ଯେ, ଚାଣକ୍ୟ ତାଙ୍କ ମନୋମତ ହୋଇଗଲେଣି । ଦିନେ ସେ ତାଙ୍କୁ ରାଜାଙ୍କ ଦରବାରକୁ ପଠାଇଦେଲେ । ରାଜାଙ୍କ ଆଦେଶ-ମତେ ଚାକର ଚାଣକ୍ୟଙ୍କ ଚୁଟି ଧରି ତାଙ୍କୁ ସଭାରୁ ବାହାର କରିଦେଲା । ଚାଣକ୍ୟ ଭାରି ଅଭିମାନୀ । ସେ ଅପମାନ ଆଦୌ ସହି ପାରନ୍ତି ନାହିଁ । ରାଜାଙ୍କ ଗାଳି ଶୁଣି, ଚାକରର ଚୁଟିଧରା ଦେଖି ସେ ସାଙ୍ଗେ ସାଙ୍ଗେ ଥରି ଉଠିଲେ-। ମୁଣ୍ଡବାଳ ଫିଟାଇ ଦେଇ ରାଗରେ ଆଖି ଲାଲ ଲାଲ କରି କହିଲେ, ‘‘ମୁଁ ଏ ନନ୍ଦବଂଶ ଧ୍ୱଂସ ନ କରିବା ଯାଏ ମୋ ମୁଣ୍ଡରେ ଗଣ୍ଡି ପକାଇବି ନାହିଁ । କିଏ ରାଜଗାଦିରେ ବସିବାକୁ ଇଚ୍ଛା କରିଛ, ଶୀଘ୍ର ମୋ ସାଙ୍ଗରେ ଆସ ।’’ ଚନ୍ଦ୍ରଗୁପ୍ତ ସେଠାରେ ଥିଲେ । ସେ ଏ କଥା ଶୁଣିବା ମାତ୍ରକେ ସେଠାରୁ ଉଠି ପଡ଼ିଲେ । ଦୁଇଜଣଯାକ ଦରବାରରୁ ତତ୍‌କ୍ଷଣାତ୍ ଚାଲିଗଲେ ।

 

Image

(ମୁଁ..............ଗଣ୍ଠି ପକାଇବି ନାହିଁ)

 

ଚାଣକ୍ୟଙ୍କୁ ବହୁତ କୌଶଳ ଜଣା । ସେ କୌଶଳରେ ବହୁତ ସୈନ୍ୟ ସାମନ୍ତ ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ କଲେ । ଚନ୍ଦ୍ରଗୁପ୍ତ ତାଙ୍କର ହେଲେ ସେନାପତି । ଭୟଙ୍କର ଯୁଦ୍ଧ ଲାଗିଲା । ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମହାପଦ୍ମ ନନ୍ଦଙ୍କୁ ବ୍ୟତିବ୍ୟସ୍ତ କରି ପକାଇଲେ । ଚାଣକ୍ୟ କିପରି ଯୁଦ୍ଧମାନଙ୍କରେ ଜୟ କରୁଥିଲେ, ସେ ବିଷୟରେ ବହୁତ ସୁନ୍ଦର ସୁନ୍ଦର କଥା ଅଛି । ଏ ଗୋଟିଏ ମଧ୍ୟ ସେହିପରି ।

 

ଥରେ ଚାଣକ୍ୟ ଠିକ୍ କରିଥିଲେ ଯେ, ତାଙ୍କ ସୈନ୍ୟମାନଙ୍କୁ ଗୋଟାଏ ପାହାଡ଼ ଉପରେ ରଖିବେ । ଏ କଥା ମହାପଦ୍ମ ନନ୍ଦ ଆଗରୁ କିପରି ଜାଣିପାରି ସେହି ପାହାଡ଼ତଳ ଗୁମ୍ଫାରେ ଓ ବଣରେ ବହୁତ ସୈନ୍ୟ ରଖାଇ ଦେଲେ । ସେ ସୈନ୍ୟମାନେ ଲୁଚିକରି ଥାନ୍ତି–ଚାଣକ୍ୟଙ୍କ ସୈନ୍ୟ ସେଠାକୁ ଗଲେ ଗୋଡ଼େଇ ମାରିବେ । ଚାଣକ୍ୟ ତାଙ୍କ ସୈନ୍ୟମାନଙ୍କୁ ଯେତେବେଳେ ପାହାଡ଼ ଉପରକୁ ନେବାକୁ ବସିଲେ, ସେତେବେଳେ ଭାବିଲେ–ମୁଁ ଯାଇଁ ଆଗେ ପାହାଡ଼ଟା ଦେଖି ଆସେଁ । ସେ ଏହା ଭାବି ପାହାଡ଼କୁ ଗଲେ । ରାଜାଙ୍କ ସୈନ୍ୟମାନେ ତାଙ୍କୁ ଦେଖି ଏପରି ଲୁଚିଗଲେ ଯେ, ସେମାନଙ୍କୁ ସେ ଦେଖି ପାରିଲେ ନାହିଁ । ଚାଣକ୍ୟ ଉପରେ ବୁଲୁ ବୁଲୁ ଗୋଟାଏ ଜାଗାରେ ଗୋଟାଏ ପିମ୍ପୁଡ଼ି ଦେଖିଲେ, ତାଙ୍କ ମନରେ ସନ୍ଦେହ ହେଲା । ସେ ପିମ୍ପୁଡ଼ି ପଛେ ପଛେ ଯାଉଁ ଯାଉଁ ଗୋଟାଏ ପିମ୍ପୁଡ଼ି ଧାର ଦେଖିଲେ । ତାଙ୍କର ସନ୍ଦେହ ଆହୁରି ବଢ଼ିଗଲା । ପୁଣି କିଛି ଦୂରରେ ଗୋଟାଏ ପିମ୍ପୁଡ଼ି ଭାତ ନେଉଥିବାର ଦେଖିଲେ । ଭାତ ଦେଖି ସେ ଠିକ୍ କଲେ ଯେ, ପାହାଡ଼ରେ ରାଜାଙ୍କ ସୈନ୍ୟ ଲୁଚିଛନ୍ତି । ସେ ତଳକୁ ଓହ୍ଲାଇ ଆସି ପାହାଡ଼ରେ ନିଆଁ ଲଗାଇ ଦେଲେ । ଯେଉଁ ଦୁଇ ଦିଗରେ ବାଟ, ସେଇ ଦୁଇ ଦିଗରେ ନିଆଁ ଆଗ ଲାଗିବାରୁ ସୈନ୍ୟମାନେ ସେଠାରୁ ପଳାଇ ପାରିଲେ ନାହିଁ । ସମସ୍ତେ ପୋଡ଼ି ହୋଇ ମଲେ ।

 

ଏହିପରି ବହୁତ କୌଶଳ କରି ଚାଣକ୍ୟ ନନ୍ଦବଂଶ ଧ୍ୱଂସ କଲେ । ଚନ୍ଦ୍ରଗୁପ୍ତ ମଧ୍ୟ ନିଜ ଖଣ୍ଡାରେ ମହାପଦ୍ମ ନନ୍ଦଙ୍କ ମୁଣ୍ଡ ହାଣି ନିଜ ପ୍ରତିଜ୍ଞା ରଖିଲେ ଓ ଖଣ୍ଡାକୁ ନିଜ ଖୋଳ ଭିତରେ ପୁରାଇଲେ । ନନ୍ଦବଂଶର ଆଉ କେହି ଗୋଟିଏ ନ ବଞ୍ଚିବାରୁ ଚନ୍ଦ୍ରଗୁପ୍ତ ହେଲେ ରାଜା । ତାଙ୍କ ବଂଶର ନାଁ ରଖିଲେ ମୌର୍ଯ୍ୟବଂଶ ।

 

ଚନ୍ଦ୍ରଗୁପ୍ତ ରାଜଗାଦିରେ ବସିଲା ମାତ୍ରକେ ସେକନ୍ଦରଙ୍କ କଥା ତାଙ୍କର ମନେ ପଡ଼ିଲା । ସେତେବେଳକୁ ସେକନ୍ଦର ମରିଥିଲେ । ତାଙ୍କ ସେନାପତି ସେଲିଉକ୍‌ସ ରାଜା ହୋଇଥିଲେ । ଚନ୍ଦ୍ରଗୁପ୍ତ ସେଲିଉକ୍‌ସଙ୍କୁ ପରାସ୍ତ କରି ତାଙ୍କ ଝିଅକୁ ବିଭା ହେଲେ । ତାଙ୍କଠାରୁ ବହୁତ ଧନ ଦ୍ରବ୍ୟ ମଧ୍ୟ ପାଇଲେ ।

 

ବୀରମାନେ ସାମାନ୍ୟ ଅପମାନରେ ସୁଦ୍ଧା ବିଚଳିତ ହୋଇ ଏହିପରି ଖଣ୍ଡପ୍ରଳୟ ଘଟାଇ ଥାନ୍ତି ।

Image

 

ଧର୍ମରାଜ ଅଶୋକ

 

ଅଶୋକ ବୀର ଚନ୍ଦ୍ରଗୁପ୍ତଙ୍କ ନାତି । ତାଙ୍କ ବାପାଙ୍କ ନାଆଁ ବିନ୍ଦୁସାର । ତାଙ୍କ ମା’ଙ୍କର ବହୁତ ଦିନଯାଏ କୌଣସି ପୁଅ ହୋଇ ନ ଥିଲେ, ତେଣୁ ମା’ ପ୍ରଥମ ପୁଅଟିର ନାଁ ଦେଲେ ଅଶୋକ-। ପିଲାଦିନେ ଅଶୋକ ବଡ଼ ଦୁଷ୍ଟ ଥିଲେ । ରାଜ୍ୟରେ ଭାରି ଅତ୍ୟାଚାର କଲେ, ବାପ ତାଙ୍କ ଉପରେ ବଡ଼ ବିରକ୍ତ ହେଲେ । ରାଜ୍ୟର ଲୋକେ ତାଙ୍କୁ ନାଁ ଦେଲେ ‘ଚଣ୍ଡାଶୋକ’ ।

 

ରାଜା ବିନ୍ଦୁସାରଙ୍କର ବହୁତ ସ୍ତ୍ରୀ ଥିଲେ । ପୁଣି ସେ କିପରି ଅଶୋକଙ୍କ ମା’ଙ୍କୁ ବିବାହ କଲେ ସେ ବିଷୟରେ ଗୋଟିଏ ଗଳ୍ପ ଅଛି । ଦିନେ ସେ ରାଜଦରବାରେ ବସିଥିବା ସମୟରେ, ଗୋଟିଏ ବ୍ରାହ୍ମଣ ତାଙ୍କ ଝିଅକୁ ଆଣି ସେଠାରେ ପହଞ୍ଚିଲେ । ରାଜସଭାରେ ସମସ୍ତଙ୍କ ଆଗରେ ମହାରାଜାଙ୍କୁ କହିଲେ, ‘‘ମହାରାଜ, ଜଣେ ପଣ୍ଡିତ କହିଛନ୍ତି, ଏ କନ୍ୟା ଗର୍ଭରୁ ଏକ ରାଜଚକ୍ରବର୍ତ୍ତୀ ଜନ୍ମ ହେବେ । ଆପଣ ଏ ଦେଶର ରାଜା, ଅତଏବ ଆପଣ ଏକ କନ୍ୟାକୁ ବିବାହ କରନ୍ତୁ ।’’ ଏ କଥାରେ ରାଜା ରାଜି ହୋଇ ସେ କନ୍ୟାକୁ ବିବାହ କଲେ ।

 

ବିନ୍ଦୁସାରଙ୍କର ଅନେକ ପୁଅ । ତାଙ୍କ ଅନ୍ତେ କିଏ ରାଜଗାଦିରେ ବସିବ, ଏହି କଥା ବିଚାରିବାପାଇଁ ଦିନେ ସେ ସମସ୍ତଙ୍କୁ ରାଜସଭାକୁ ଡକାଇଲେ । ସମସ୍ତେ ଭଲ ଜିନିଷ ଖାଇ, ଭଲ ଭଲ ଯାନବାହନରେ ଆସି ସଭାରେ ଖୁବ୍‌ ଭଲ ଭଲ ଜାଗା ବାଛି ବସିଲେ । ମାତ୍ର ଅଶୋକ ଟିକିଏ ଦହିପାଣି ପିଇ, ବାପାଙ୍କ ବୁଢ଼ା ହାତୀ ଉପରେ ବସି ଆସି ସଭାରେ ତଳେ ବସିଲେ । ମନ୍ତ୍ରୀ ସମସ୍ତଙ୍କୁ ଦେଖି କହିଲେ ‘‘ଯେ ଭଲ ଜିନିଷ ଖାଇଛି, ଭଲ ଯାନବାହନରେ ଆସିଛି ଓ ଭଲ ଆସନରେ ବସିଛି, ସେ ରାଜା ହେବ ।’’ ଏ କଥା ଶୁଣି ପ୍ରତ୍ୟେକେ ମନେ ମନେ ଭାବିଲେ ସେ ରାଜା ହେବେ ବୋଲି । ଅଶୋକ ମଧ୍ୟ ଭାବିଲେ, ‘‘ମୁଁ ରାଜା ହେବି, କାରଣ–ଦହିପାଣିଠାରୁ ଭଲ ଖାଦ୍ୟ, ହାତୀଠାରୁ ଭଲ ବାହନ ଓ ମାଟିଠାରୁ ଭଲ ଆସନ ଆଉ ନାହିଁ ।’’ ସତକୁ ସତ ସେଇ ରାଜା ହୋଇଥିଲେ ।

 

ରାଜା ହୋଇ ଅଶୋକ ବଡ଼ ଅତ୍ୟାଚାର କଲେ । ତାଙ୍କର ଅନେଶ୍ୱତ ଭାଇଙ୍କୁ ମାରି ପକାଇଲେ । କୌଣସି ସାମାନ୍ୟ ଦୋଷରୁ ବହୁତ ସ୍ତ୍ରୀଲୋକଙ୍କୁ ପୋଡ଼ି ପକାଇଲେ । ଚାରିଆଡ଼େ ଯୁଦ୍ଧ ଲଗାଇ ଦେଲେ । ଏଥିରେ ସମସ୍ତେ ତାଙ୍କ ଉପରେ ବିରକ୍ତ ହୋଇ ଉଠିଲେ ।

 

ସେ ଭାରି ବୀର । ଯାହା ସଙ୍ଗେ ଯୁଦ୍ଧ କରୁଥିଲେ, ତାକୁ ହଟାଇ ଦେଉଥିଲେ । କିଛି ଦିନ ପରେ କଳିଙ୍ଗ ରାଜାଙ୍କ ସଙ୍ଗେ ଯୁଦ୍ଧ କଲେ । କଳିଙ୍ଗ ରାଜ୍ୟ ସେତେବେଳେ କାହାକୁ କହୁଥିଲେ ଜାଣ ? ଆମରି ଏହି ଓଡ଼ିଶା ଦେଶକୁ ସେ ସମୟରେ କଳିଙ୍ଗ କୁହା ଯାଉଥିଲା । କଳିଙ୍ଗରାଜା ମଧ୍ୟ ଭାରି ବଳୁଆ । ଯୁଦ୍ଧ ବହୁତ ଦିନ ଲାଗିଲା, ଅସଂଖ୍ୟ ଲୋକ ମଲେ । ଏଇ ଯୁଦ୍ଧରେ ଲୋକଙ୍କ ବିକଳ, କାନ୍ଦକାଟ ଦେଖି ଅଶୋକଙ୍କ ମନ ତରଳି ଗଲା । ସେ ବୌଦ୍ଧଧର୍ମ ଗ୍ରହଣ କରି ଏକାବେଳକେ ଓଲଟା ହୋଇ ଗଲେ । ତାଙ୍କୁ ନାଆଁ ଦିଆହେଲା ‘ଧର୍ମାଶୋକ ।’

 

ଅଶୋକ ଏଣିକି ରାଜ୍ୟରୁ ସୈନ୍ୟମାନଙ୍କୁ ବାହାର କରିଦେଲେ । ରାଜ୍ୟରେ ଜୀବ ବଧ କରିବାକୁ ମନା କଲେ । ଲୋକମାନଙ୍କର ଜାଣିବାପାଇ ଧର୍ମ ଉପଦେଶମାନ ରାଜ୍ୟର ପାହାଡ଼ମାନଙ୍କରେ ଲେଖାଇଲେ । ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ରଖି ଦେଶରେ ବୌଦ୍ଧଧର୍ମ ଶିକ୍ଷା ଦେଲେ । ପୁଅଝିଅଙ୍କୁ ବିଦେଶକୁ ବୌଦ୍ଧଧର୍ମ ପ୍ରଚାର ପାଇଁ ପଠାଇଲେ । ପ୍ରଜାଙ୍କ ମଙ୍ଗଳପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କଲେ । ମନୁଷ୍ୟ, ପଶୁଙ୍କ ପାଇଁ ଡାକ୍ତରଖାନା, ରାସ୍ତା, ରାସ୍ତା ପାଖରେ ଗଛ, ବାଟୋଇ ରହିବାପାଇଁ ଘର, ପାଣି ପିଇବାପାଇ କୂଅ ପ୍ରଭୃତି ଦେଶଯାକ ହୋଇଗଲା । ସେ ସବୁପ୍ରକାର ଆମୋଦ ପ୍ରମୋଦ ଛାଡ଼ି ସନ୍ନ୍ୟାସୀମାନଙ୍କ ପରି ଚଳିଲେ । ଏପରି କି ବୌଦ୍ଧସନ୍ନ୍ୟାସୀମାନଙ୍କୁ ଦାନ କରି କରି ସେ ଭଣ୍ଡାର ଖାଲି କରିଦେଲେ । ପାତ୍ର ଅଭାବରୁ ତାଙ୍କୁ ଦିନେ ମାଟିପାତ୍ରରେ ଖାଇବାକୁ ଦିଆଗଲା । ସେ ନ ଖାଇ, ସେ ପାତ୍ରଟି ମଧ୍ୟ ବୌଦ୍ଧସନ୍ନ୍ୟାସୀମାନଙ୍କ ପାଖକୁ ପଠାଇ ଦେଲେ ।

Image

(ଧର୍ମ୍ମାଶୋକ)

 

ଅଶୋକ ତାଙ୍କ ପୁଅମାନଙ୍କ ଭିତରୁ କୁନାଲଙ୍କୁ ଭାରି ଭଲପାନ୍ତି । ଥରେ କୁନାଲ ବହୁତ ଦୂରରେ ଥିଲେ । ତାଙ୍କ ବିମାତା କୌଶଳ କରି ଅଶୋକଙ୍କ ମୋହର ନେଇ ଖଣ୍ଡେ କାଗଜରେ ଲେଖିଲେ, ‘‘ତୁମ୍ଭେ ଏହି ମୁହୂର୍ତ୍ତରେ କୁନାଲଙ୍କ ଆଖି ଫୁଟାଇଦିଅ ।’’ ଏହା ଲେଖି କୁନାଲଙ୍କ ପାଖଲୋକ ପାଖକୁ ପଠାଇ ଦେଲେ । ସେ ଏହା ପଢ଼ି, ଅଶୋକଙ୍କ ମୋହର ଦେଖି କାବା ହୋଇଗଲେ । ତାଙ୍କୁ ବୁଦ୍ଧି ନ ଦିଶିବାରୁ ସେ ଚିଠି ନେଇ କୁନାଲଙ୍କୁ ଦେଲେ । କୁନାଲ ପିତାଙ୍କ ମୋହର ଦେଖି କହିଲେ, ‘‘ତୁମ୍ଭେ ତୁମ୍ଭର କର୍ତ୍ତବ୍ୟ କର ।’’ ପାଖଲୋକ ବାଧ୍ୟ ହୋଇ ବହୁତ କଷ୍ଟରେ ତାଙ୍କ ଆଖି ଫୁଟାଇ ଦେଲା । କୁନାଳ ଖଣ୍ଡେ ବୀଣା ଧରି ବଜାଇ ବଜାଇ ଦେଶଯାକ ବୁଲିଲେ । ଦିନେ ଭୁଲ୍‌ କ୍ରମେ ଆସି ରାଜଦରବାରରେ ପହଞ୍ଚିଗଲେ । ରାଜା, ଅଶୋକ ନିଜର ପ୍ରିୟପୁତ୍ର କୁନାଳଙ୍କୁ ଚିହ୍ନିପାରି, ସିଂହାସନରୁ ଉଠିଆସି ତାଙ୍କୁ କୁଣ୍ଢାଇ ପକାଇଲେ । ତାଙ୍କର ଏ ଅବସ୍ଥା ଦେଖି ବଡ଼ ବ୍ୟାକୁଳ ହୋଇ ପଡ଼ିଲେ । ପରେ କୁନାଳଙ୍କ ବିମାତା ଏହା କରିଛନ୍ତି ଜାଣି, ତାଙ୍କୁ ମାରିବାକୁ ବସିଲେ । କୁନାଳ ଦୟାମୟ ବୁଦ୍ଧଦେବଙ୍କ ନାଆଁ ଉଚ୍ଚାରଣ କରିବାରୁ ଅଶୋକଙ୍କ ରାଗ ଶାନ୍ତ ହେଲା ।

Image

(ଅଶୋକ ସ୍ତମ୍ଭ)

 

ବୁଦ୍ଧଦେବଙ୍କ ପରେ ବୌଦ୍ଧଧର୍ମରେ କାଳକ୍ରମେ ବହୁତ ଦୋଷ ପଶି ଯାଇଥିଲା । ଅଶୋକ ସବୁ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ଡକାଇ ଗୋଟିଏ ବଡ଼ ସଭା କରାଇଲେ । ସେହି ସଭାରେ ବୌଦ୍ଧଧର୍ମ ସଂଶୋଧିତ ହୋଇଥିଲା ।

 

ଆଜି କାଲି ଭାରତବର୍ଷର ଅନେକ ପାହାଡ଼ରେ ଅଶୋକଙ୍କ ଉପଦେଶମାନ ଅଛି । ଅନେକ ଜାଗାରେ ସେ କରାଇଥିବା ଅଶୋକସ୍ତମ୍ଭର ଚିହ୍ନ ଅଛି । ଆମ ଓଡ଼ିଶାର ଧଉଳିଗିରିରେ ମଧ୍ୟ ଅଶୋକଙ୍କ ଉପଦେଶ ଗୁଡ଼ିକ ପାଲି ଭାଷାରେ ଲେଖା ହୋଇ ରହିଅଛି ।

 

ସେଇ ଉପଦେଶରୁ କେତୋଟି ତଳେ ଦିଆଗଲା :–

 

୧.

ବାପା, ମା’ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କ କଥା ମାନି ଚଳିବା ଓ ତାଙ୍କୁ ମାନ୍ୟ କରିବା ଉଚିତ ।

 

 

୨.

ସତ୍ୟ କହିବା ଉଚିତ ।

 

 

୩.

ଜୀବବଧ କରିବା ଉଚିତ ନୁହେ ।

 

 

୪.

ପରର ନିନ୍ଦା ବା କୌଣସି ଧର୍ମର ନିନ୍ଦା କରିବା ମହାପାପ ।

 

 

୫.

କୌଣସି ଖରାପ କାମ କରିବା ବା ଖରାପ କଥା ଚିନ୍ତା କରିବା ମଧ୍ୟ ପାପ ।

 

 

୬.

କୌଣସି ପାପକାର୍ଯ୍ୟ କରିବା ବା ପାପକଥା ଚିନ୍ତିବା ଉଚିତ ନୁହେ ।

 

 

୭.

ଚାକର ଚାକରମାନଙ୍କୁ ସ୍ନେହ କରିବା ଓ ତାଙ୍କ ପ୍ରତି ଦୟା ଦେଖାଇବା ଉଚିତ ।

Image

 

ଶ୍ରୀହର୍ଷ

 

ଶ୍ରୀହର୍ଷ ବା ହର୍ଷବର୍ଦ୍ଧନ ଆଜକୁ ୧୩୨୦ ବର୍ଷତଳେ ରାଜଗାଦିରେ ବସିଥିଲେ । ତାଙ୍କ ରାଜ୍ୟର ନାଆଁ ଥାନେଶ୍ୱର । ସେ ରାଜା ହେବା ମାତ୍ରକେ ବହୁତ ରାଜ୍ୟ ଜିଣି ନିଜ ରାଜଧାନୀକୁ ଥାନେଶ୍ୱରରୁ କାନ୍ୟକୁବ୍ଜକୁ ଉଠାଇ ନେଇଥିଲେ । ସେ ଯେପରି ବୀର, ସେହିପରି ଧାର୍ମିକ ଓ କବି ଥିଲେ । ସଂସ୍କୃତରେ ‘ରତ୍ନାବଳୀ’ ବୋଲି ଖଣ୍ଡେ କାବ୍ୟ ଲେଖିଥିଲେ । ତାଙ୍କ ରାଜସଭାର କବି ବାଣ ଅନେକ ବହି ସଂସ୍କୃତରେ ଲେଖିଯାଇ ଅଛନ୍ତି । ‘ହର୍ଷଚରିତ’ ବୋଲି ମଧ୍ୟ ରାଜାଙ୍କର ଜୀବନୀ ଖଣ୍ଡିଏ ଲେଖିଛନ୍ତି ।

 

ହର୍ଷବର୍ଦ୍ଧନ ସବୁ ଧର୍ମକୁ ଭାରି ଭଲ ପାଉଥିଲେ । ଅଶୋକଙ୍କ ପରି ସେ ବୌଦ୍ଧସଭା କରାଇଥିଲେ । ବୌଦ୍ଧଧର୍ମର ପ୍ରଚାର ଲାଗି ବହୁତ ଚେଷ୍ଟା କରିଥିଲେ । ସେ ନିଜେ ମଧ୍ୟ ବୌଦ୍ଧ ଥିଲେ । ମାତ୍ର ସବୁ ଧର୍ମ ତାଙ୍କ ଆଗରେ ସମାନ । ଆଲାହାବାଦଠାରେ ସେ ଗୋଟିଏ ଉତ୍ସବ କରାଇଥିଲେ । ସେଇ ଉତ୍ସବରେ ବୁଦ୍ଧଦେବ, ମହାଦେବ ଓ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତିମାନ ପୂଜା କରିଥିଲେ ।

 

ଶ୍ରୀହର୍ଷ ପ୍ରତି ପାଞ୍ଚବର୍ଷରେ ଥରେ ଗୋଟିଏ ଉତ୍ସବ କରାଉ ଥିଲେ । ସେ ଉତ୍ସବ ୭୫ଦିନ କାଳ ହେଉଥିଲା । ପ୍ରତ୍ୟେକ ଦିନ ରାଜା ବହୁତ ଧନରତ୍ନ ବୌଦ୍ଧସନ୍ନ୍ୟାସୀ ଓ ବ୍ରାହ୍ମଣମାନଙ୍କୁ ଦାନ ଦେଉଥିଲେ । ଶେଷଦିନ ନିଜର ଲୁଗାପଟା ସୁଦ୍ଧା ଦାନ ଦେଇ ଛିଣ୍ଡା କନା ପିନ୍ଧି ବୁଲୁଥିଲେ ।

 

ତାଙ୍କ ସମୟରେ ନାଳନ୍ଦ ବୋଲି ଗୋଟିଏ ବଡ଼ ବିଦ୍ୟାଳୟ ଥିଲା । ବହୁତ ଦୂରଦେଶରୁ ଛାତ୍ରମାନେ ଆସି ସେଠାରେ ପଢ଼ୁଥିଲେ । ଲୋକେ କହନ୍ତି, ସେଥିରେ ୧୦୦୦୦ ଛାତ୍ର ଥିଲେ । ସେଇ ସମୟରେ ଚୀନଦେଶରୁ ଜଣେ ପଣ୍ଡିତ (ଫାହିଆନ୍‌) ଆସି ନାଳନ୍ଦରେ ରହି କିଛି ସମୟ ପଢ଼ିଥିଲେ । ଆଜି କାଲି ମାଟି ଖୋଳା ହୋଇ, ସେହି ବିଦ୍ୟାଳୟ ଘରମାନଙ୍କର କାନ୍ଥ ସବୁ ବାହାରୁଛି ।

 

ହର୍ଷବର୍ଦ୍ଧନଙ୍କ ଅନ୍ୟ ନାମ ‘ଶିଳାଦିତ୍ୟ’

Image

 

ଖ୍ରାଷ୍ଟାବ୍ଦ

 

ଗୋଟାଏ ନିର୍ଦ୍ଦିଷ୍ଟ ଦିନ ଜାଣିବାପାଇଁ, ଆମ୍ଭେମାନେ ଖୋଜୁଁ, ସେଦିନ କେତେ ତାରିଖ ହୋଇଥିଲା, କେଉଁ ମାସ, କେତେ ସାଲ । ସେହିପରି ବଡ଼ ବଡ଼ ପୁରୁଣା ଘଟଣା କେଉଁ ବର୍ଷ ଘଟିଥିଲା, ତା’ ଜାଣିବା ପାଇଁ ମସିହା, ଅଙ୍କ ପ୍ରଭୃତି ଖୋଜିଥାଉଁ । ଏହି ଅଙ୍କ କିମ୍ୱା ମସିହା ନ ଥିଲେ ଆମ୍ଭେମାନେ ଗୋଟିଏ ଘଟଣା କେବେ ଘଟିଥିଲା, କିଛି ଜାଣିପାରନ୍ତେ ନାହିଁ ।

 

ଏହି ଅଙ୍କ ବହୁତ ରକମର ଅଛି । ସେମାନଙ୍କ ଭିତରେ ଆଜିକାଲି ଖ୍ରୀଷ୍ଟାବ୍ଦ ବା ମସିହା ସବୁଆଡ଼େ ଚଳୁଥିବାର ଦେଖାଯାଏ । ମୁସଲମାନମାନଙ୍କ ଭିତରେ ହିଜ୍‌ରି ବୋଲି ଗୋଟିଏ ଅଙ୍କ ଚଳେ । ହିନ୍ଦୁମାନେ ବିକ୍ରିମାବ୍ଦ, ଶକାବ୍ଦ ପ୍ରଭୃତି ସାଲ ଗଣନ୍ତି । ଆମ ଓଡ଼ିଶାରେ ପୁରୀ ମହାରାଜାଙ୍କ ନାମ ଅନୁସାରେ ମଧ୍ୟ ଗୋଟିଏ ଅଙ୍କ ଚଳେ । ଆଜିକାଲି ଶ୍ରୀରାମଚନ୍ଦ୍ର ଦେବ ପୁରୀର ରାଜା । ତେଣୁ ପାଞ୍ଜିମାନଙ୍କରେ ଦେଖିବାକୁ ମିଳେ ଯେ, ଶ୍ରୀରାମଚନ୍ଦ୍ରାବ୍ଦ ଏତେ ଅଙ୍କ ।

 

ଏ ଅଙ୍କ ସବୁ କିପରି ଚାଲିଲା ? ଯେଉଁଦିନ ଗୋଟିଏ ଗୋଟିଏ ବଡ଼ ଘଟଣା ଘଟିଥାଏ, ସାଧାରଣତଃ ସେହି ଦିନଟି ମନେ ରଖିବା ପାଇଁ ସେହିଦିନୁ ସାଲ ଠିକ୍‌ କରିଥାନ୍ତି । ଆଉ ମଧ୍ୟ କେହି କେହି ବଡ଼ ରାଜା ଗୋଟିଏ ନିର୍ଦ୍ଦିଷ୍ଟ ଦିନ ଠିକ୍‌ କରି ସାଲ ଚଳାଇଥାନ୍ତି । ବିକ୍ରମାବ୍ଦ ସେହିପରି ବିକ୍ରିମାଦିତ୍ୟଙ୍କ ଦ୍ୱାରା ଚଳିଥିଲା । ଆମ ଓଡ଼ିଶାରେ ଶ୍ରୀ ରାମଚନ୍ଦ୍ରାବ୍ଦ ଶ୍ରୀରାମଚନ୍ଦ୍ର ଦେବ ରାଜଗାଦିରେ ବସିବା ଦିନୁ ଗଣା ହେଉଛି ।

 

ମୁସଲମାନ୍‌ ଧର୍ମପ୍ରଚାରକ ମହମ୍ମଦ ମକ୍କା ନାମକ ସ୍ଥାନରେ ଜନ୍ମିଥିଲେ । ଲୋକମାନେ ତାଙ୍କ ବିରୁଦ୍ଧରେ ଉଠିବାରୁ ସେ ଦିନେ ମଦିନାକୁ ପଳାଇଲେ । ଏହି ଦିନଟି ମୁସଲ୍‌ମାନ୍‌ମାନଙ୍କର ଗୋଟିଏ ପବିତ୍ର ଦିନ । ସେହିଦିନୁ ସେମାନଙ୍କର ‘ହିଜ୍‌ରି’ ସାଲ ଗଣାଯାଏ ।

 

ଖ୍ରୀଷ୍ଟିୟାନ ଧର୍ମ ପ୍ରଚାରକ ମଧ୍ୟ ଯେଉଁଦିନ ଜନ୍ମ ହୋଇଥିଲେ, ସେହିଦିନଟି ସ୍ମରଣ ରଖିବା ପାଇଁ ଖ୍ରୀଷ୍ଟାବ୍ଦ ଚଳିଛି । ଏଇଟା ୧୯୨୯ ଖ୍ରୀଷ୍ଟାବ୍ଦ, ଅର୍ଥାତ୍‌ ଆଜକୁ ୧୯୨୯ ବର୍ଷତଳେ ଯିଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ । ଖ୍ରୀଷ୍ଟଙ୍କ ଜନ୍ମ ପୂର୍ବର ସମୟକୁ ଖ୍ରୀଷ୍ଟପୂର୍ବ ବୋଲି ଧରିବାକୁ ହୁଏ । ବୁଦ୍ଧଦେବ ଖ୍ରୀଷ୍ଟପୂର୍ବ ୫୬୭ରେ ଜନ୍ମିଥିଲେ ଅର୍ଥାତ୍‌ ଖ୍ରୀଷ୍ଟ ଜନ୍ମ ହେବାର ୫୬୭ ବର୍ଷ ପୂର୍ବରୁ ତାଙ୍କର ଜନ୍ମ ହୋଇଥିଲା ।

 

ଏହିପରି ଶହେଟା ଖ୍ରୀଷ୍ଟାବ୍ଦ ବିତିଗଲେ ଗୋଟିଏ ଶତାବ୍ଦୀ ହୁଏ । ମହାବୀର ପୃଥ୍ୱୀରାଜ ଦ୍ୱାଦଶ ଶତାବ୍ଦୀର ଲୋକ; ଏହାର ଅର୍ଥ, ପୃଥ୍ୱୀରାଜ ଦ୍ୱାଦଶ ଶତାବ୍ଦୀ ଭିତରେ ଅର୍ଥାତ୍‌ ୧୧୦୦ ଖ୍ରୀଷ୍ଟାବ୍ଦ ଠାରୁ ୧୧୯୯ ଖ୍ରୀଷ୍ଟାବ୍ଦ ଭିତରେ ଥିଲେ ।

 

ଏ ଖ୍ରୀଷ୍ଟାବ୍ଦ ବା ସାଲ ନ ଥିଲେ, ଆମ୍ଭେମାନେ କୌଣସି ଦିନ କିମ୍ୱା ବର୍ଷ ଠିକ୍‌ କରି ପାରନ୍ତେ ନାହିଁ ।

Image

 

ମହାବୀର ପୃଥ୍ୱୀରାଜ

 

ପ୍ରାୟ ଆଠଶ ବର୍ଷ ତଳେ ଅର୍ଥାତ୍‌ ଦ୍ୱାଦଶ ଶତାବ୍ଦୀ ବେଳକୁ ଭାରତବର୍ଷ ଆଉ ପୂର୍ବପରି ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ନ ଥିଲା । ସମୁଦାୟ ଆର୍ଯ୍ୟାବର୍ତ୍ତରେ ଅର୍ଥାତ୍‌ ହିମାଳୟଠାରୁ ବିନ୍ଧ୍ୟ ପର୍ଯ୍ୟନ୍ତ ସମସ୍ତ ଦେଶରେ ଜଣେ ରାଜା ଥିଲେ । ସେତେବେଳେ ରାଜପୁତ୍‌ମାନେ ଭାରି ପରାକ୍ରମ ହୋଇ ଉଠିଥିଲେ । ସେହିମାନେ ଆର୍ଯ୍ୟାବର୍ତ୍ତରେ ରାଜତ୍ୱ କରୁଥିଲେ ।

 

କେତେକ ଦିନ ପରେ ରାଜପୁତ୍‌ ବୀର ଅନଙ୍ଗପାଳ ଦିଲ୍ଲୀର ସମ୍ରାଟ ହେଲେ । ତାଙ୍କର କେବଳ ଦୁଇଟି ଝିଅ । ପୁଅ ଆଦୌଁ ନ ଥିଲେ । ଦୁଇ ଝିଅଙ୍କର ଦୁଇଟି ପୁଅ-ନାଆଁ ପୃଥ୍ୱୀରାଜ ଓ ଜୟଚନ୍ଦ୍ର । ପୃଥ୍ୱୀରାଜ ବୟସରେ ଜୟଚନ୍ଦ୍ରଙ୍କଠାରୁ ସାନ ହେଲେ କ’ଣ ହେବ; ବୁଦ୍ଧିରେ, ବଳରେ ଓ ନ୍ୟାୟପରାୟଣତାରେ ଜୟଚନ୍ଦ୍ରଙ୍କଠାରୁ ଖୁବ୍‌ ଉଚ୍ଚରେ । ପୃଥ୍ୱୀରାଜଙ୍କୁ ସମସ୍ତେ ଭାରି ଭଲ ପାନ୍ତି । ରାଜା ଅନଙ୍ଗପାଳଙ୍କ କଥା ତ କହିଲେ ନ ସରେ ।

 

ରାଜା ଅନଙ୍ଗପାଳ କ୍ରମେ ବୁଢ଼ା ହୋଇଗଲେ । ତାଙ୍କ ଅନ୍ତେ ରାଜଗାଦିରେ କିଏ ବସିବ, ଏହି କଥା ସବୁବେଳେ ଚିନ୍ତା କରୁଥାନ୍ତି । ପୃଥ୍ୱୀରାଜ ଗାଦିରେ ବସିଲେ ଖୁବ୍‌ ଭଲକରି ରାଜ୍ୟ ଚଳାଇବ’, ଏହା ଭାବି ଦିନେ ବୃଦ୍ଧ ଅନଙ୍ଗପାଳ ନିଜର ମନ୍ତ୍ରୀମାନଙ୍କୁ ଡାକି କହିଲେ, ‘‘ମୁଁ ମଲାପରେ ପୃଥ୍ୱୀରାଜକୁ ଆଣି ଦିଲ୍ଲୀଗାଦିରେ ରାଜା କରାଇବ, ଜୟଚନ୍ଦ୍ରକୁ କନୌଜ ଗାଦିରେ ବସାଇବ ।’’ ଏହା କହିବାର ଅଳ୍ପଦିନ ପରେ ବୃଦ୍ଧ ରାଜାଙ୍କର ମୃତ୍ୟୁହେଲା । ରାଜାଙ୍କ କଥା ଅନୁସାରେ ପୃଥ୍ୱୀରାଜ ଦିଲ୍ଲୀରେ ସମ୍ରାଟ ହେଲେ, ଜୟରାଜ କନୌଜର ରାଜା ହେଲେ ।

 

ଜୟଚନ୍ଦ୍ର ଭାରି ହିଂସାଳିଆ ଓ କପଟ ସ୍ୱଭାବର ଲୋକ । ପୃଥ୍ୱୀରାଜ ତାଙ୍କଠାରୁ ବୟସରେ ସାନ ହୋଇ ଦିଲ୍ଲୀ ଗାଦିରେ ବସିଲେ, ଏ କଥା ତାଙ୍କର ଆଉ ସହ୍ୟ ହେଲାନାହିଁ । ପୃଥ୍ୱୀରାଜ ତ ଭାରି ବୀର–ତାଙ୍କ ସାଙ୍ଗରେ ଯୁଦ୍ଧ କଲେ ଏ ନିଶ୍ଚୟ ହାରିଯିବେ, ତେଣୁ ଯୁଦ୍ଧ ନ’କରି ପୃଥ୍ୱୀରାଜଙ୍କୁ ହଟାଇବା ପାଇଁ ବହୁତ କୌଶଳ ପାଞ୍ଚିଲେ, ମାତ୍ର ସବୁଥିରେ ହାରିଲେ । ପୃଥ୍ୱୀରାଜଙ୍କର ତ କିଛି ଅନିଷ୍ଟ କରି ପାରିଲେ ନାହିଁ; କେବଳ ମନରାଗ ମନରେ ରଖି କୋଡ଼ି କଚାଡ଼ି ହେଉଥାନ୍ତି । ରାଗୀଲୋକ ଖୁବ୍‌ ରାଗିଥିଲା ବେଳେ ଯଦି ପାଖରେ କାହାକୁ ନ ଦେଖେ, ତେବେ ନିଜର ହାତଟାକୁ କାମୁଡ଼ି ପକାଇ ନିଜର ରାଗ ଶାନ୍ତିକରେ । ସେହିପରି ଜୟଚନ୍ଦ୍ର ନିଜ ରାଗରେ ନିଜେ ବାଡ଼େଇ ପିଟି ହୋଇ ମନର ରାଗ ମନରେ ମାରୁଥାନ୍ତି ।

 

ଜୟଚନ୍ଦ୍ରଙ୍କର ସଂଯୁକ୍ତା ବୋଲି ଗୋଟିଏ ଝିଅ ଥିଲେ । ସେ କିନ୍ତୁ ଠିକ୍‌ ବାପାଙ୍କର ଓଲଟା; ଦେଖିବାକୁ ଖୁବ୍‌ ସୁନ୍ଦରୀ, ଭାରି ବୁଦ୍ଧିମତୀ । ପୃଥ୍ୱୀରାଜଙ୍କ ବୀରତ୍ୱ ଶୁଣି ସେ ପୃଥ୍ୱୀରାଜଙ୍କ ଭାରି ଭଲପାନ୍ତି । ତାଙ୍କ ଇଚ୍ଛା ପୃଥ୍ୱୀରାଜଙ୍କୁ ବିବାହ କରିବାକୁ, କିନ୍ତୁ ବାପାଙ୍କ ଦେହରେ ଏ କଥା ଯାଏ ନାହିଁ; ସେ ସେଥିଯୋଗୁଁ ଝିଅ ଉପରେ ସବୁଦିନେ ଚିତ୍‌ଚିଉ ଫାଟୁଥାନ୍ତି ।

 

ଦିନେ ଜୟଚନ୍ଦ୍ର ଗୋଟିଏ କୌଶଳ ପାଞ୍ଚି ଠିକ୍‌ କଲେ ଯେ, ସେ ଗୋଟିଏ ରାଜସୂୟ ଯଜ୍ଞ କରିବେ । ଯେଉଁ ରାଜାମାନେ ଅନ୍ୟାନ୍ୟ ରାଜାମାନଙ୍କୁ ଯୁଦ୍ଧରେ ଜୟ କରନ୍ତି, କେବଳ ସେହିମାନେ ରାଜସୂୟ ଯଜ୍ଞ କରନ୍ତି । ପରାଧୀନ ରାଜାମାନେ ଆସି ଯଜ୍ଞରେ କିଛି ନା କିଛି କାମ କରନ୍ତି, ସେଥିରୁ ଜଣାଯାଏ ଯେ, ସେ ରାଜା ଏହାଙ୍କର ଅଧୀନତା ସ୍ୱୀକାର କଲେ ।

 

ଯେଉଁ ଦିନକୁ ଠିକ୍‌ ହୋଇଥିଲା, ସେ ଦିନ ମହାସମାରୋହରେ ଯଜ୍ଞ ଆରମ୍ଭ ହେଲା । ରାଜଧାନୀର ଚାରିଆଡ଼େ ଉତ୍ସବ ଲାଗିଗଲା । ଅସଂଖ୍ୟ ଲୋକ ଯଜ୍ଞ ଦେଖିବାକୁ ଆସି ରୁଣ୍ଡ ହେଲେ । ଜୟଚନ୍ଦ୍ରଙ୍କ ଅଧୀନ ରାଜାମାନେ ନିଜର ସୈନ୍ୟ ସାମନ୍ତ ଆଣି ଢୋଲ ଟମକ ବଜାଇ ଆସି ପହଞ୍ଚିଗଲେ । କେତେ ଦିନ ପାଇଁ ସ୍ଥାନଟା କମ୍ପି ଉଠିଲା ।

 

ସବୁ ରାଜା ଆସିଲେ–କେବଳ ଆସିଲେ ନାହିଁ, ପୃଥ୍ୱୀରାଜ । ତାଙ୍କ ପରିବାର, ସାହସୀ ଲୋକ କାହିଁକି ବା ୟାଙ୍କର କାମ କରିବାକୁ ଆସନ୍ତେ ? ତାଙ୍କୁ ନଦେଖି ଜୟଚନ୍ଦ୍ରଙ୍କର ରାଗ ଆହୁରି ବଢ଼ିଗଲା । ସେ ପୃଥ୍ୱୀରାଜଙ୍କୁ ଆଛାକରି ଅପମାନ ଦେବେ ବୋଲି, ତାଙ୍କର ଗୋଟିଏ ମୂର୍ତ୍ତି ମାଟିରେ ଗଢ଼ି ସିଂହଦୁଆରେ ପହରୀ କରି ରଖିଦେଲେ ।

 

ଯଜ୍ଞ ସଇଲା । ଯଜ୍ଞ ପରେ ରାଜକନ୍ୟା ସଂଯୁକ୍ତାଙ୍କର ସ୍ୱୟମ୍ୱର ହେବାର କଥା । ସ୍ୱୟମ୍ୱରରେ କନ୍ୟା ନିଜେ ଆସି ନିଜ ଇଚ୍ଛା ମୁତାବକ ସ୍ୱାମୀ ବାଛି ନିଏ । ସଂଯୁକ୍ତା ଗୋଟିଏ ବହୁମୂଲ୍ୟ ଫୁଲହାର ଧରି ସଭାସ୍ଥାନରେ ଆସି ପହଞ୍ଚିଲେ । ତାଙ୍କୁ ଦେଖି ସଭାରେ ଯେତେ ରାଜା ଥିଲେ, ସମସ୍ତେ ମନେ ମନେ ଭାବିଲେ ଯେ, ରାଜକନ୍ୟା ତାଙ୍କୁ ହିଁ ବରମାଲ୍ୟ ଦେବେ । ମାତ୍ର ସଂଯୁକ୍ତା କାହାକୁ ଚାହିଁଲେ ନାହିଁ । ସେ ମନେ ମନେ ପୃଥ୍ୱୀରାଜଙ୍କୁ ଖୋଜୁଥାନ୍ତି । ଏହି ସମୟରେ ସିଂହ ଦୁଆରେ ତାଙ୍କ ଆଖି ପଡ଼ିଗଲା । ସେ ପୃଥ୍ୱୀରାଜଙ୍କ ପ୍ରତିମୂର୍ତ୍ତି ଦେଖି ଯାଇ ତାହାରି ଗଳାରେ ବରଣ ମାଳା ଦେଲେ । ପୃଥ୍ୱୀରାଜ ସେଠାରେ ଲୁଚି ରହିଥିଲେ । ସଂଯୁକ୍ତା ବରଣମାଳା ଦେଲାକ୍ଷଣି ସେ ହଠାତ୍‌ ବାହାରି ପଡ଼ି ତାଙ୍କୁ ନିଜ ଘୋଡ଼ା ଉପରେ ବସାଇ ସେଠାରୁ ଚାଲିଗଲେ ।

 

Image

(ସଂଯୁକ୍ତା ବରଣମାଳା ଦେଲାକ୍ଷଣି....ସେଠାରୁ ଚାଲିଗଲେ)

 

ସଭାରେ ଯେତେ ରାଜା ବସିଥିଲେ, ସମସ୍ତେ କେତେ ଆଶା ବାନ୍ଧିଥିଲେ । ମନେ ମନେ କେତେ କଳ୍ପନା ସ୍ୱପ୍ନ ଦେଖୁଥିଲେ । ମାତ୍ର ସବୁ କୁଆଡ଼େ ଉଭେଇ ଗଲା । ସମସ୍ତେ ରାଗରେ ତମ ତମ ହୋଇ ଉଠିଲେ । ନିଜ ନିଜ ସୈନ୍ୟ ଘେନି ଯୁଦ୍ଧ କରିବାକୁ ବାହାରି ପଡ଼ିଲେ । ଜୟଦେବଙ୍କ ରାଗ ତ କହିଲେ ନ ସରେ । ସେ ରାଗରେ ଥରି ଥରି କହିଲେ, ‘‘ଯେଉଁ ବୀର ପୃଥ୍ୱୀରାଜକୁ ମାରି ସଂଯୁକ୍ତା ଉଦ୍ଧାର କରିବ, ମୁଁ ତାକୁ ହିଁ ସଂଯୁକ୍ତାକୁ ଦେବି ।’’ ଆଗରୁ ତ ରାଗ ଥିଲା, ଏଣେ ପୁଣି ସଂଯୁକ୍ତାଙ୍କୁ ପାଇବା ଆଶା–ତେଣୁ ସମସ୍ତେ ପ୍ରାଣପଣେ ଯୁଦ୍ଧ କଲେ । ଜୟଚନ୍ଦ୍ରଙ୍କ ସୈନ୍ୟ ମଧ୍ୟ ଯୋଗଦେଲେ । ମାତ୍ର ମହାବୀର ପୃଥ୍ୱୀରାଜ ସମସ୍ତଙ୍କୁ ହଟାଇ ଦେଲେ । ସମସ୍ତେ ମୁହଁ ଲାଜ ମୁହଁରେ ମାରି, ଜୟଚନ୍ଦ୍ରଙ୍କୁ ଆଉ ଦେଖା ନ କରି ନିଜ ନିଜ ରାଜ୍ୟକୁ ପଳାଇଲେ । ପୃଥ୍ୱୀରାଜ ସିଂହ ବିକ୍ରମରେ ସଂଯୁକ୍ତାଙ୍କୁ ନିଜ ଘୋଡ଼ା ଉପରେ ବସାଇ ନିଜ ରାଜଧାନୀକୁ ଚାଲିଗଲେ ।

 

ହିଂସାଳିଆ ଜୟଚନ୍ଦ୍ର ଆଉ ପୃଥ୍ୱୀରାଜଙ୍କର ଏ ବୀରତ୍ୱ ସହିପାରିଲେ ନାହିଁ । ସେ ଭାରି କପଟୀ ଏବଂ ନିର୍ବୋଧ । ତେଣୁ ନିଜ ଜୁଆଇଁ ପୃଥ୍ୱୀରାଜଙ୍କର ଅନିଷ୍ଟ କରିବାକୁ ରାତିଦିନ ଚିନ୍ତା କଲେ । ସେ ତ ଆଉ ନିଜେ ବଳରେ ପାରିଲେ ନାହିଁ, ତେଣୁ ପଠାଣ ରାଜା ମହମ୍ମଦ ଘୋରୀଙ୍କୁ ଭାରତ ବାହାରୁ ଡାକି ଆଣିଲେ । ସେ ମୂର୍ଖ ଏତକ ଭାବି ପାରିଲେ ନାହିଁ ଯେ, ଭାଇ ଭାଇରେ କଳିକରି ବାହାର ଲୋକଙ୍କୁ ତା’ ଭିତରେ ପୁରାଇଲେ ନିଜର ଅମଙ୍ଗଳ ହେବ ।

 

ମହମ୍ମଦଘୋରୀ ନିଜର ଅସଂଖ୍ୟ ସୈନ୍ୟସାମନ୍ତ ଘେନି ଆସିଲା । ଭୟଙ୍କର ଯୁଦ୍ଧ କଲା-। ହେଲେ କ’ଣ ହେବ ଆଉ ପୃଥ୍ୱୀରାଜଙ୍କୁ ପାରିଲେ ନାହିଁ; ନିଜର କାନମୁଣ୍ଡା ଆଉଁସି ଲକ୍ଷ ଲକ୍ଷ ସୈନ୍ୟ ହରାଇ ନିଜ ରାଜ୍ୟକୁ ଫେରିଗଲା ।

 

କେତେଦିନ ଚାଲିଗଲା, ପୁଣି ଜୟଚନ୍ଦ୍ର ମହମ୍ମଦଘୋରୀ ପାଖକୁ ଗଲେ । ସେତ ପୃଥ୍ୱୀରାଜଙ୍କ ବୀରତ୍ୱ ସବୁ ଜାଣି ପାରିଚି, ତେଣୁ ଆଉ ଆସିବାକୁ ମଙ୍ଗିଲା ନାହିଁ । ଜୟଚନ୍ଦ୍ର ବହୁତ ଖୁସାମତ କରି ତାକୁ ଆଣିଲେ । ପୁଣି ଯୁଦ୍ଧହେଲା । ଆଗରୁ ଏତେ ଯୁଦ୍ଧ କରି କରି ପୃଥ୍ୱୀରାଜଙ୍କ ସୈନ୍ୟ କ୍ଲାନ୍ତ ହୋଇ ପଡ଼ିଥିଲେ । ଆଉ ଏ ବିପୁଳସେନାବାହିନୀ ଆଗରେ ତିଷ୍ଠି ପାରିଲେ ନାହିଁ । ପୃଥ୍ୱୀରାଜ ଏଇ ଯୁଦ୍ଧରେ ପ୍ରାଣତ୍ୟାଗ କଲେ, ସଂଯୁକ୍ତା ନିଆଁରେ ପଶି ନିଜର ସତୀତ୍ୱ ରକ୍ଷାକଲେ । ପୃଥ୍ୱୀରାଜଙ୍କ ସୈନ୍ୟମାନେ ଅସଂଖ୍ୟ ବିପକ୍ଷ ସେନାଙ୍କୁ ହତ କରି ଗୋଟି ଗୋଟି ହୋଇ ଯୁଦ୍ଧରେ ପ୍ରାଣ ଦେଲେ ।

 

କୁଟିଳ ପ୍ରକୃତିର ଜୟଚନ୍ଦ୍ରଙ୍କୁ ଏ ମହାପାପର ପ୍ରାୟଶ୍ଚିତ୍ତ କରିବାକୁ ଆଉ ବେଶିଦିନ ଲାଗି ନଥିଲା । ପାନିପଥ ଯୁଦ୍ଧରେ ପୃଥ୍ୱୀରାଜଙ୍କୁ ଜୟକରି ମହମ୍ମଦଘୋରୀ ଜୟଚନ୍ଦ୍ରଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଗଲେ । ତାଙ୍କ ରାଜ୍ୟ ଦଖଲ କରିବାରୁ ସେ ଯାଇ ଯମୁନାରେ ବୁଡ଼ି ମଲେ । ପାପର ଉପଯୁକ୍ତ ପ୍ରାୟଶ୍ଚିତ୍ତ ହେଲା ।

 

ସେହିଦିନଠାରୁ ହିନ୍ଦୁଙ୍କର ବୀରତ୍ୱ ଭାରତବର୍ଷରୁ କ୍ରମେ କ୍ରମେ ଲୋପ ପାଇଲା । ଭାରତ ସ୍ୱାଧୀନତା ହରାଇଲା ।

Image

 

ଦୟାଳୁ ସବକ୍ତଗୀନ୍‌

 

ସବକ୍ତଗୀନ୍‌ ଖୁବ୍‌ ପୁରୁଣା କାଳର ଲୋକ । ସେ ଭାରତର ଉତ୍ତର ପଶ୍ଚିମ କୋଣରେ ଥିବା ଆଫଗାନିସ୍ଥାନର ରାଜା । ସେ ବହୁତ ଥର ଭାରତର ରାଜାଙ୍କ ସଙ୍ଗେ ଯୁଦ୍ଧ କରିଥିଲେ, ନିଜର ରାଜ୍ୟ ମଧ୍ୟ କେତେକ ବିସ୍ତାର କରିଥିଲେ । ତାଙ୍କୁ ରାଜାହେବା ବିଷୟରେ ଗୋଟିଏ ସୁନ୍ଦର ଗଳ୍ପ ଅଛି ।

 

ସବକ୍ତଗୀନ୍‌ ପିଲାଦିନେ ବଡ଼ ଗରିବ ଥିଲେ । ତାଙ୍କର ସମ୍ପତ୍ତି ଭିତରେ କେବଳ ଗୋଟିଏ ଘୋଡ଼ା । ସେ ପ୍ରତିଦିନ ସେହି ଘୋଡ଼ାରେ ଚଢ଼ି ବଣ ଜଙ୍ଗଲରେ ବୁଲି ଶିକାର କରୁଥାନ୍ତି ।

 

ଦିନେ ବଣରେ ବୁଲୁବୁଲୁ ଗୋଟିଏ ହରିଣ ଦେଖିଲେ । ହରିଣଟି ନିର୍ଭୟ ଚିତ୍ତରେ ଚରୁଥାଏ । ପାଖରେ ତା’ର ଛୋଟ ଛୁଆଟିଏ ବୁଲୁଥାଏ, ମନ ଖୁସିରେ କେତେ ଖେଳୁଥାଏ, କେତେ ଡେଉଁଥାଏ । କେତେବେଳେ ମା’ ପାଖରୁ କଳେ ଦୁଧ ଖାଇଦିଏ, କେତେବେଳେ ବା କଅଁଳିଆ ଘାସରୁ ପୁଳେ ପାଟିରେ ପୁରାଇ ଦେଉଥାଏ । ତା’ ଛିପ୍‌ଛିପିକିଆ ଦିହଟି ଭାରି ସୁନ୍ଦର ଦିଶୁଥାଏ । ସବକ୍ତଗୀନ୍‌ ତାକୁ ଦେଖି ଆଉ ଲୋଭ ସମ୍ଭାଳି ପାରିଲେ ନାହିଁ । ଘୋଡ଼ାରୁ ଓହ୍ଲାଇ ହରିଣ ଛୁଆକୁ ଧଇଲେ, ମା’କୁ ଧରି ପାରିଲେ ନାହିଁ । ସେ ପଳାଇଗଲା । ଛୁଆଟିକୁ ଆଣି ସବକ୍ତଗୀନ୍‌ ନିଜ ଘୋଡ଼ାରେ ଚଢ଼ିଲେ । ସେ ଘୋଡ଼ାରେ ଚଢ଼ିବାରୁ ହରିଣଟି ଫେରିଆସିଲା । ସବୁବେଳେ ସବକ୍ତଗୀନ୍‌ଙ୍କ ଆଡ଼କୁ ଚାହିଁ ରହିଥାଏ । ସେ ଗଲେ ତାଙ୍କ ପଛେ ପଛେ ଯାଉଥାଏ । ଏହିପରି କେତେ ବାଟ ଗଲାରୁ ସବକ୍ତଗୀନ୍‌ଙ୍କ ହୃଦୟ ଆଉ ଥୟ ହେଲା ନାହିଁ । ସେ ହରିଣଟି ଏପରି ଆକୁଳ ହୋଇ ତାଙ୍କ ସାଙ୍ଗେ ସାଙ୍ଗେ ଯାଉଥିବା ଦେଖି ସେ ଦୟାରେ ତରଳି ପଡ଼ିଲେ । ହରିଣ ଛୁଆଟିକୁ ଥିର୍‌କରି ଘୋଡ଼ାଉପରୁ ଓହ୍ଲାଇ ଦେଲେ । ଛୁଆଟି ମନ ଖୁସିରେ ମା’ ପାଖକୁ ଚାଲିଗଲା । ମା’ଟି ଆନନ୍ଦରେ ପୁଣି ସବକ୍ତଗୀନ୍‌ଙ୍କ ଆଡ଼କୁ ଥରେ ଚାହିଁ ବଣକୁ ମୁହଁକରି ଫେରିଲା । ସବକ୍ତଗୀନ୍‌ ମଧ୍ୟ ମନରେ ଭାରି ସୁଖ ଅନୁଭବ କଲେ ।

Image

(ହରିଣଛୁଆଟିକୁ............ଓହ୍ଲାଇ ଦେଲେ)

 

ସେ ଦିନ ରାତିରେ ସେ ଗୋଟିଏ ସ୍ୱପ୍ନ ଦେଖିଲେ, ଜଣେ ଫକୀର ଆସି କହୁଛନ୍ତି, ‘‘ସବକ୍ତଗୀନ୍‌, ତମେ ଭାରି ଦୟାଳୁ, ଆଜି ଯେ କାମ କରିଛ ମୁଁ ସେଥିପାଇଁ ଭାରି ଖୁସି । ତୁମ୍ଭେ ଅଳ୍ପଦିନରେ ଆଫଗାନିସ୍ଥାନର ରାଜା ହେବ । ମନେରଖ, ରାଜା ହେଲେ ପ୍ରଜାମାନଙ୍କୁ ଏହିପରି ଦୟା କରିବ ।’’

 

ଆରଦିନ ସବକ୍ତଗୀନ୍‌ ବଣରେ ବୁଲୁ ବୁଲୁ ଦଳେ ଡକାଏତଙ୍କ ଦ୍ୱାରା ବନ୍ଦୀ ହେଲେ । ଡକାଏତ ତାଙ୍କୁ ନିଜ କାମ କରିବାକୁ ବହୁତ ଶିଖାଇଲେ, ମାତ୍ର ସେ ଏପରି ହୀନ କାମ କରିବାକୁ ଜମା ମଙ୍ଗିଲେ ନାହି । ଡକାଏତମାନେ ତାଙ୍କୁ ଗୋଟିଏ ମହାଜନଙ୍କୁ ବିକି ଦେଲେ । ମହାଜନ ଆଫଗାନିସ୍ଥାନର ସୁଲତାନଙ୍କୁ ତାଙ୍କୁ ବିକିଲେ । ସେ ପ୍ରଥମେ ଗୋଟିଏ ସାମାନ୍ୟ ସୈନିକ ହୋଇ ସେଠାରେ ରହିଲେ; ପରେ ସେନାପତି ହେଲେ । ନିଜର କୃତୀତ୍ୱ ଦେଖାଇ ସୁଲତାନଙ୍କ ଝିଅକୁ ବିବାହ କଲେ, ସୁଲତାନଙ୍କ ପରେ ଆଫଗାନିସ୍ଥାନର ରାଜ ଗାଦିରେ ବସିଲେ । ତାଙ୍କ ସ୍ୱପ୍ନ ସତ ହେଲା । ଜୀବପ୍ରତି ଦୟା କଲେ ଭଗବାନ୍‌ ଖୁସି ହୁଅନ୍ତି ।

Image

 

Unknown

ମାହମୁଦ୍‌

 

ଆଜକୁ ହଜାର ବର୍ଷ ତଳର କଥା–ସେତେବେଳେ ଭାରତବର୍ଷରେ ଏତେ ଧନ ଦଉଲତ ଥିଲା ଯେ, ତା’ କଥାରେ କହି ହେବନାହିଁ, କି ଆଜି-କାଲିକାର ଲୋକେ ତା’ କଳ୍ପନା କରିପାରିବେ ନାହିଁ । ଲୋକେ ସମୁଦ୍ରରେ ଜାହାଜଦ୍ୱାରା ଦେଶରେ ଓଟଦ୍ୱାରା ବେପାର କରୁଥିଲେ । ସେହି ବେପାରରେ ଏତେ ଧନ ଭାରତକୁ ଆସିଥିଲା ।

 

ଥରେ ଦଳେ ବେପାରୀ ଓଟ ପିଠିରେ ବହୁତ ସୁନା, ରୂପା ଓ ଅନ୍ୟାନ୍ୟ ବହୁମୂଲ୍ୟ ଜିନିଷ ଲଦି ଆଫଗାନିସ୍ଥାନ ବାଟେ ବେପାର କରିବାକୁ ଯାଉଥିଲେ । ଆଫଗାନିସ୍ଥାନର ସୁଲତାନଙ୍କ ପୁଅ ମାହମୁଦ୍‌ ସେତେବେଳେ ପିଲା । ସେ ଏ ବେପାରୀଦଳଙ୍କୁ ଦେଖି, ଶହ ଶହ ଓଟରେ ସୁନା ରୂପା ଲଦା ହୋଇଥିବାର ଦେଖି ଭାରି ଆଶ୍ଚର୍ଯ୍ୟ ହୋଇଗଲେ । ବେପାରିଙ୍କଠାରୁ ଭାରତର ଧନ ଦଉଲତ କଥା ସବୁ ମନ ଦେଇ ଶୁଣିଲେ । ସେଇଦିନୁଁ ସେ ପ୍ରତିଜ୍ଞା କଲେ, ‘‘ଯଦି ମୁଁ ଭାରତକୁ ଥରେ ହେଲେ ଯାଇ ନ ପାରିବି ତେବେ ମୋର ଏ ଜୀବନ ବୃଥା ।’’

 

କେତେଦିନ ପରେ ମାହମୁଦ୍‌ ସୁଲତାନ୍‌ ହେଲେ । ପିଲାଦିନର କଥା ତାଙ୍କର ପାଶୋର ଯାଇ ନଥାଏ । ସେ କ୍ଷମତା ପାଇଲା ମାତ୍ରକେ ଭାରତ ଆକ୍ରମଣ କରିବାକୁ ବାହାରିଲେ । ସେତେବେଳେ ଭାରତର ହିନ୍ଦୁରାଜାମାନେ ଥରକୁ ଥର ଯୁଦ୍ଧ କରି ବଡ଼ ଦୁର୍ବଳ ହୋଇପଡ଼ିଥାନ୍ତି । ଏଣେ ସୈନ୍ୟ ମଧ୍ୟ ବେଶି ନଥାନ୍ତି । ତେଣୁ ମାହମୁଦ୍‌ଙ୍କୁ କେହି ବାଧା ଦେଇ ପାରିଲେ ନାହିଁ । ସେ କେତେକ ଦେଶ ଲୁଟି କରି ଦଉଲତ ନେଇ ଚାଲିଗଲେ ।

 

ମାହମୁଦ୍‌ ସତର ଥର ଭାରତ ଚଢ଼ାଉ କରିଥିଲେ । ପ୍ରତିଥର କୌଣସି ନା କୌଣସି ଦେଶ ଲୁଟିକରି ବହୁତ ସୁନା, ରୂପା, ଟଙ୍କା, ହଜାର ହଜାର, ଲୋକଙ୍କୁ ବନ୍ଦୀ କରି ସାଙ୍ଗରେ ନେଇ ଚାଲିଯାନ୍ତି । ସେତେବେଳେ ମନୁଷ୍ୟମାନେ ଗାଈ ବଳଦଙ୍କ ପରି ହାଟ ବଜାରରେ ବିକା ହେଉଥିଲେ । ମାହମୁଦ୍‌ ଭାରତର ଲୋକମାନଙ୍କୁ ତାଙ୍କ ଦେଶରେ ଭାରି ଶସ୍ତାରେ ବିକିଲେ । ଏମିତି କି ଅନେକେ କହନ୍ତି, ମଣିଷ ଗୋଟି ଦି’ ଦି’ ଟଙ୍କାରେ ବିକା ହୋଇଥିଲେ ।

 

ଥରେ ଲୋଭୀ ମାହମୁଦ୍‌ ନିଜର ଦଳବଳ ଆଣି କାଶୀରେ ପହଞ୍ଚିଲେ । ସେତେବେଳେ କାଶୀରେ ଗୋଟିଏ ଠାକୁର ମନ୍ଦିର ଥିଲା । ଭାରତର ଲୋକମାନେ ଦୁର୍ବଳ ହୋଇଥିଲେ ସୁଦ୍ଧା, ମାହମୁଦ୍‌ଙ୍କ ସାଙ୍ଗରେ ଭୟଙ୍କର ଭାବରେ ଯୁଦ୍ଧ କଲେ, ମାତ୍ର ପାରିଲେ ନାହିଁ । ମାହମୁଦ୍‌ ସମସ୍ତଙ୍କୁ ହଟାଇ ବଳାତ୍କାରରେ ମନ୍ଦିର ଭିତରେ ପଶିଲେ । ଦେଖିଲେ ଯେ, ମନ୍ଦିରଟିର ଚାରିଆଡ଼େ କେବଳ ସୁନା, ରୂପା ଓ ବହୁମୂଲ୍ୟ ପଥର ଖଞ୍ଜା ହୋଇଛି । ମନ୍ଦିରର ଚଟାଣରେ ସୁନା, ଖୁମ୍ୱରେ ସୁନା, କାନ୍ଥ ବାଡ଼ରେ ମଧ୍ୟ ସୁନା । ସିଂହାସନଟି ତ କେବଳ ସୁନାରେ ତିଆରି । ପ୍ରତିମା ବିଶୁଦ୍ଧ ସୁବର୍ଣ୍ଣ ଓ ଆଖି ଦୁଇଟି ପଦ୍ମରାଗ ମଣିଦ୍ୱାରା ନିର୍ମିତ । ଠାକୁରଙ୍କ ଦିହଯାକ ମୋତି, ମାଣିକ୍ୟ, ହୀରା ଅଳଙ୍କାରଦ୍ୱାରା ପୂର୍ଣ୍ଣ । ଲୋଭୀ ନିଷ୍ଠୁର ମାହମୁଦ୍‌ ଏହା ଦେଖିବା ମାତ୍ରକେ ତାଙ୍କ ପାଟିରୁ ଲାଳ ବୋହିଲା । ସେ ମନ୍ଦିରଟି ଭାଙ୍ଗିପକାଇ ସୁନା, ରୂପା ଓ ପ୍ରତିମାଟି ନେଇ ଚାଲିଗଲେ ।

 

ସେହିପରି ଆଉ ଥରେ ସୋମନାଥ ମନ୍ଦିର ଲୁଟି କରି ନେଇ ଯାଇଥିଲେ । ସେ ସତର ଥରଯାକ ଭାରତ ଆକ୍ରମଣ କରି ଯାହା ନେଇ ନ ଥିଲେ, ଏକା ସୋମନାଥ ମନ୍ଦିରରୁ ତାହା ନେଇ ଯାଇଥିଲେ । ସୋମନାଥ ମନ୍ଦିରର ସେବକମାନେ ବହୁତ ଯୁଦ୍ଧ କଲେ, ମାତ୍ର ପାରିଲେ ନାହିଁ । ମାହମୁଦ୍‌ ସୋମନାଥଙ୍କ ପ୍ରତିମା ଭାଙ୍ଗି ପକାଇଲେ । ସେ ଭଙ୍ଗା ପ୍ରତିମା ଓ ଅନ୍ୟାନ୍ୟ ଦ୍ରବ୍ୟସବୁ ନେଇ ଚାଲିଗଲେ ।

 

ମାହମୁଦ୍‌ ନିଜ ରାଜ୍ୟକୁ ଖୁବ୍‌ ବଢ଼ାଇଥିଲେ ସତ, ମାତ୍ର ସମସ୍ତ ଦେଶ ଉତ୍ତମ ରୂପେ ଶାସନ କରି ପାରୁ ନଥିଲେ । ଥରେ ସେ ଏହି ଦେଶଶାସନ ନିମିତ୍ତ ଗୋଟିଏ ସ୍ତ୍ରୀଲୋକ ଠାରୁ କିପରି ଶିକ୍ଷା ପାଇଥିଲେ ତାହା ତଳେ ଦିଆଗଲା ।

 

ସେତେବେଳେ ଲୋକେ ଘୋଡ଼ା ଓ ଓଟ ପିଠିରେ ଜିନିଷ ଲଦି ଦୂର ଦେଶକୁ ଯାଇ ବେପାର କରୁଥିଲେ । ଗଜନୀର ଦଳେ ଲୋକ ଥରେ ବହୁତ ଦୂରକୁ ବେପାର କରିବାକୁ ଗଲେ । ତାଙ୍କ ସାଙ୍ଗରେ ଗୋଟିଏ ଯୁବକ ଯାଇ ବେପାରରେ ବହୁତ ଲାଭ କରିଥିଲା । ତା’ର ଅନ୍ୟାନ୍ୟ ସାଙ୍ଗମାନେ ସେ ଯୁବକକୁ ମାରି ତା’ ଟଙ୍କା ଛଡ଼ାଇ ନେଲେ । ସେ କଥା ସେ ଯୁବକର ମା’ ଜାଣିପାରିଲା । ସେ ବହୁତ ବାଟ ଚାଲି ଚାଲି ମାହମୁଦ୍‌ଙ୍କ ପାଖକୁ ଆସି ନିଜର ଗୁହାରି ଜଣାଇଲା । ମାହମୁଦ୍‌ କହିଲେ, ‘‘ତମ ଘର ଏତେ ଦୂରରେ, ମୁଁ ସେ ସ୍ଥାନକୁ ଶାସନ କରିବି କିପରି ?’’ ଏହା ଶୁଣି ସେ ସ୍ତ୍ରୀ କହିଲା, ‘‘ଶାସନ ତ କରି ପାରିବ ନାହିଁ, ଏତେ ଅଧିକାର କରିବାକୁ କିଏ କହୁଥିଲା ? ଆଉ କାହାକୁ ଛାଡ଼ିଦିଅ, ସେ ସେ ରାଜ୍ୟ ଶାସନ କରିବ । ସେ ରାଜ୍ୟ ତମର; ତା’ର ହାନି ଲାଭ ପାଇଁ ତମେ ଦାୟୀ । ତମେ ଯଦି ସେ ରାଜ୍ୟ ବର୍ତ୍ତମାନ ନ ବୁଝିବ, ତେବେ ମଲେ ଭଗବାନଙ୍କ ନିକଟରେ ତମ କର୍ତ୍ତବ୍ୟତ୍ରୁଟି ଲାଗି କି କୈଫିୟତ ଦେବ ?’’

 

ବୁଢ଼ୀର ଏ କଥା ଶୁଣି ମାହମୁଦ୍‌ ବଡ଼ ଲଜ୍ଜିତ ହେଲେ । ସେହିଦିନୁଁ ଦୂର ରାଜ୍ୟକୁ ଶାସନକର୍ତ୍ତା ପଠାଇ ତାକୁ ଉତ୍ତମରୂପେ ଶାସନ କଲେ ।

 

ମାହମୁଦ୍‌ ବଡ଼ ଅତ୍ୟାଚାରୀ ଥିଲେ । ସେ ବହୁତ ଲୋକଙ୍କୁ ବିନା ଦୋଷରେ ହତ୍ୟା କରୁଥିଲେ । ମନ୍ତ୍ରୀ ତାଙ୍କୁ ସେ କାର୍ଯ୍ୟରୁ ନିବର୍ତ୍ତାଇବା ପାଇଁ ବହୁତ ଚେଷ୍ଟା କଲେ, ମାତ୍ର ପାରିଲେ ନାହିଁ । ଥରେ ଗୋଟେ କୌଶଳ ପାଞ୍ଚି ରାଜାଙ୍କୁ କହିଲେ, ‘‘ମହାରାଜ, ମୁଁ ବହୁତ ତପସ୍ୟା କରି ପଶୁ ପକ୍ଷୀଙ୍କ କଥାବାର୍ତ୍ତା ବୁଝିବାକୁ ସକ୍ଷମ ହୋଇଛି ।’’ ରାଜାଏ କଥା ସତ କି ମିଛ ପରୀକ୍ଷା କରିବାକୁ ମନସ୍ଥ କଲେ ।

 

ଦିନେ ମାହମୁଦ୍‌, ମନ୍ତ୍ରୀ ଓ ଆଉ କେତେକ ପାରିଷଦ ଘୋଡ଼ାରେ ଚଢ଼ି କୁଆଡ଼େ ଯାଉଥିଲେ । ବାଟରେ ଗୋଟେ ଗଛରେ ଦୁଇଟି ପେଚା ଏକାଠି ବସି ବୋବାଉ ଥିବାର ଦେଖି, ରାଜା ପଚାରିଲେ,‘‘ ମନ୍ତ୍ରୀ, ସେ କ’ଣ କଥାବାର୍ତ୍ତା ହେଉଛନ୍ତି ?’’ ମନ୍ତ୍ରୀ କହିଲେ,–ସେ ବଡ଼ ପେଚାର ଗୋଟିଏ ପୁଅ ଓ ସାନ ପେଚାର ଗୋଟିଏ ଝିଅ ଅଛି । ସାନ ପେଚା ତା’ ଝିଅକୁ ବଡ଼ ପେଚା ପୁଅ ସାଙ୍ଗରେ ବିବାହ ଦେବାକୁ କହିବାରୁ ବଡ଼ ପେଚା କହିଲା, ‘‘ଯଦି ତୁମ ଝିଅ ସାଙ୍ଗରେ ପଚାଶଖଣ୍ଡ ମଣିଷ ନ ଥିବା ଗାଁ ଯଉତୁକ ଦେବ, ତେବେ ମୁଁ ବିଭାଘରରେ ସମ୍ମତି ଦେବି ।’’ ଏହା ଶୁଣି ସାନ ପେଚା କହିଲା, ‘‘ହଁ, ମୁଁ ତା’ ଦେବି । ଆମ୍ଭମାନଙ୍କ ସୁଲତାନ୍‌ ମାହମୁଦ୍‌ଙ୍କ ରାଜତ୍ୱରେ ପଚାଶ ଖଣ୍ଡ କ’ଣ, ଶହ ଶହ ଗାଁ ମନୁଷ୍ୟଶୂନ୍ୟ ଓ ଘର ଶୂନ୍ୟ ହୋଇଛି । ପଚାଶଖଣ୍ଡ ଗାଁ ବା ନ ମିଳିବ କାହିଁକି-?

 

ମନ୍ତ୍ରୀଙ୍କ କଥା ଶୁଣି ସୁଲତାନ୍‌ ବଡ଼ ଲଜ୍ଜିତ ହେଲେ । ଲୋକେ କହନ୍ତି, ସେ ସେହିଦିନୁଁ ଆଉ ରାଜ୍ୟରେ ଅତ୍ୟାଚାର କଲେ ନାହିଁ । ମନ୍ତ୍ରୀଙ୍କ ଚେଷ୍ଟା ସଫଳ ହେଲା ।

Image

(ବାଟରେ ଗୋଟେ ଗଛରେ........ରାଜା ପଚାରିଲେ)

 

ମାହମୁଦ୍‌ ଥରେ ତାଙ୍କ ଦେଶର ଜଣେ କବିଙ୍କୁ କହିଲେ, ‘‘ତମେ ମୋ ନା’ରେ କବିତାଟିଏ ଲେଖ, ମୁଁ ତୁମ୍ଭଙ୍କୁ ଶହେଟା ସୁନା ମୋହର ଦେବି ।’’ କବି ଗୋଟିଏ ଖୁବ୍‌ ଭଲ କବିତା ଲେଖିଲେ । ମାହମୁଦ ତାକୁ ପଢ଼ି ଭାରି ଖୁସି ହେଲେ । ମାତ୍ର ସେ ଏତେ ଲୋଭୀ ଯେ ଶହେ ସୁନା ମୋହର ନ ଦେଇ ଶହେଟି ରୁପା ଟଙ୍କା ଦେଲେ । ଏଥିରେ କବି ବହୁତ ଦୁଃଖିତ ହେଲେ । ଆଗରେ କିଛି କହି ନ ପାରି ଟଙ୍କା ଆଣିଲେ, ମାତ୍ର ପଛରେ ତାଙ୍କୁ ବହୁତ ନିନ୍ଦା କରିଥିଲେ ।

 

ମାହମୁଦ୍‌ ଏତେ ଧନ ଲୋଭୀ ଥିଲେ ଯେ, ମରିବାକୁ ବସିଲାବେଳେ ମଧ୍ୟ ଧନର ଲୋଭ ସେ ଛାଡ଼ି ପାରି ନ ଥିଲେ । ଧନତକ ଛାଡ଼ିଯିବେ ବୋଲି ତାଙ୍କ ମନରେ ଦୁଃଖ ହେଉଥାଏ । ସେ ରୋଗ ଶେଯରେ ପଡ଼ିଥାନ୍ତି, ଉଠିବାକୁ ଶକ୍ତି ନ ଥାଏ, ଆଖିକି ଦିଶୁ ନ ଥାଏ, ତଥାପି ପୁଅକୁ କହି ସୁନା ରୁପା ଥଳି ଯାକ ପାଖକୁ ଆଣିଲେ । ସେ ଥଳିରେ ହାତ ମାରି ତାକୁ ଶେଯ ଚାରି ପାଖେ ରଖିଲେ । ସେହି ଥଳିଗୁଡ଼ିକୁ ଦେଖୁ ଦେଖୁ ତାଙ୍କର ପ୍ରାଣ ଗଲା । ହାୟରେ ଲୋଭ !!

Image

 

ନାସିରୁଦ୍ଦିନ୍‌

 

ମୁସଲମାନ୍‌ମାନେ ଭାରତବର୍ଷରେ ପ୍ରାୟ ତିନିଶ ବର୍ଷଯାଏ ରାଜତ୍ୱ କରିଥିଲେ । ସେ ଯେତେଜଣ ରାଜା ରାଜତ୍ୱ କରିଥିଲେ ସେମାନଙ୍କ ମଧ୍ୟରେ ନାସିରୁଦ୍ଦିନ୍‌ ଖୁବ୍‌ ବୁଦ୍ଧିମାନ୍‌ ଓ ଦୟାଳୁ ଲୋକ । ତାଙ୍କର ବହୁତ ଭଲ ଗୁଣ ଥିବାରୁ ଆଜି କାଲି ଲୋକେ ତାଙ୍କୁ ମନେ ପକାଉ ଅଛନ୍ତି ।

 

ନାସିରୁଦ୍ଦିନ୍‌ଙ୍କ ପୂର୍ବରୁ ତାଙ୍କର ମା’ ସୁଲତାନ ରେଜିଆ ଦିଲ୍ଲୀର ସିଂହାସନରେ ବସିଥିଲେ । ସେ ଯେତେବେଳେ ମଲେ ସେତେବେଳେ ନାସିରୁଦ୍ଦିନ୍‌ ପିଲା । ନାସିରୁଦ୍ଦିନ୍‌ଙ୍କର ଖୁଡ଼ୁତା ତାଙ୍କୁ ବନ୍ଦୀ କରି ରାଜା ହେଲେ । ନାସିରୁଦ୍ଦିନ୍‌ ସେହି ବନ୍ଦୀଘରେ ରହି ପୋଥି ଲେଖା ଶିଖୁଥିଲେ ଓ ପାର୍ଶି ଭାଷାରେ କେତେକ ପୋଥି ଲେଖିଥିଲେ ।

 

କେତେଦିନ ପରେ ସେ ଖୁଡ଼ୁତାଙ୍କର ମୃତ୍ୟୁ ହେଲା । ମନ୍ତ୍ରୀମାନେ ନାସିରୁଦ୍ଦିନ୍‌ଙ୍କୁ ବନ୍ଦୀଘରୁ ଆଣି ରାଜଗାଦିରେ ବସାଇଲେ । ନାସିରୁଦ୍ଦିନ୍‌ ରାଜା ହେଲେ ସତ, ମାତ୍ର ସେ ବନ୍ଦୀଘରେ ଯେପରି ଚଳୁଥିଲେ ସେହିପରି ଚଳିଲେ । ରାଜ୍ୟର ପଇସାରୁ ପାହୁଲାଟିଏ ସୁଦ୍ଧା ନିଜପାଇଁ ଖର୍ଚ୍ଚ କରନ୍ତି ନାହିଁ । ରାଜକାର୍ଯ୍ୟ ଶେଷ ହେଲାପରେ ସେ ବସି ପୋଥି ଲେଖୁଥିଲେ । ସେତେବେଳେ ଆଜିକାଲିକା ପରି ଛାପାଖାନା ନ ଥିଲା କି କାଗଜ ନ ଥିଲା, ତେଣୁ ଲେଖା ଲେଖି ସବୁ ତାଳପତ୍ରରେ, ଭୁର୍ଜ ପତ୍ରରେ ହେଉଥିଲା । ବହୁତ କଷ୍ଟରେ ପୋଥିସବୁ ଲେଖା ହେଉଥିବାରୁ ତା’ ଦାମ ଖୁବ୍‌ ବେଶି ହେଉଥିଲା । ନାସିରୁଦ୍ଦିନ୍‌ ପୋଥି ଲେଖି ଯାହା ରୋଜଗାର କରୁଥିଲେ ସେଥିରେ ରାଜା ରାଣୀ ନିଶ୍ଚିନ୍ତରେ ଚଳୁଥିଲେ । ବେଶି ଖର୍ଚ୍ଚ ପଡ଼ିବ ବୋଲି ଗୋଟିଏ ଚାକର କି ଦାସୀ ସୁଦ୍ଧା ରଖୁ ନ ଥିଲେ ।

 

ଆଜିକାଲି ଗୋଟେ ଛୋଟ ଜମିଦାରକୁ ଦେଖ, ତା’ ଘରେ ଚାକର, ଚାକରିଆଣୀ ପଲ ପଲ । ବାବୁଙ୍କର ଅଏସ କହିଲେ ନ ସରେ । ମାତ୍ର ନାସିରୁଦ୍ଦିନ୍‌ ଏଡ଼େ ବଡ଼ ରାଜ୍ୟର ରାଜା, ଦିଲ୍ଲୀର ସମ୍ରାଟ, ତାଙ୍କର ଗୋଟିଏ ସୁଦ୍ଧା ଚାକର ନାହିଁ । ନିଜେ ରାଜା ନିଜ କାମ ହାତରେ କରନ୍ତି । ରାଣୀ ରନ୍ଧାବଢ଼ା କରନ୍ତି । ଥରେ ରାନ୍ଧୁ ରାନ୍ଧୁ ରାଣୀଙ୍କ ହାତ ପୋଡ଼ିଗଲା । ସେ ସେହି ଦିନ ଆସି ଗୋଟିଏ ଦାସୀ ରଖିବାକୁ ସ୍ୱାମୀଙ୍କ ପାଖରେ ଅଳି କଲେ, ମାତ୍ର ସ୍ୱାମୀ ତାଙ୍କ କଥା ନ ମାନି କହିଲେ, ‘‘ଏ ଯେ ଗନ୍ତାଘର ଦେଖୁଛ, ଏ ଆମର ନୁହେଁ, ଏ ରାଜ୍ୟର ପ୍ରଜାମାନଙ୍କର । ସେଥିରୁ ପାହୁଲାଟିଏ ଗ୍ରହଣ କଲେ ଆମେ ଦୋଷୀ ହେବା । ଆମେ ଯାହା ରୋଜଗାର କରିବା ସେଇଥିରେ ଚଳିବା । ମୋ’ର ପୋଥିଲେଖାରୁ ଯାହା ଆୟ ସେଥିରେ ଗୋଟିଏ ଦାସୀ ରଖି ଚଳାଇ ହେବ ନାହିଁ-

 

ନାସିରୁଦ୍ଦିନ୍‌ ବଡ଼ ଉଦାର ହୃଦୟର ଲୋକ ଥିଲେ । ଥରେ ସେ ରାଜସଭାରେ ବସିଅଛନ୍ତି, ଏହି ସମୟରେ ଜଣେ ବିଦ୍ୱାନ୍‌ ଲୋକ ତାଙ୍କ ପାଖକୁ ଆସିଲେ । ବହୁତ କଥାବର୍ତ୍ତା ପରେ ନାସିରୁଦ୍ଦିନ୍‌ ନିଜ ହାତଲେଖା ପୋଥି ଖଣ୍ଡେ ଆଣି ତାଙ୍କୁ ଦେଖାଇଲେ । ସେ ପଣ୍ଡିତ ପୋଥିରେ ଗୋଟେ ଭୁଲ ଦେଖାଇ ଦେବାରୁ ନାସିରୁଦ୍ଦିନ୍‌ ସେ ଭୁଲକୁ ବରାବର କାଟି ନ ଦେଇ, ତା’ ପାଖରେ ଗୋଟିଏ ଚିହ୍ନ ଦେଇଦେଲେ । ଭଦ୍ରଲୋକଟି ଗଲାପରେ ସେ ଚିହ୍ନଟିକୁ ଲିଭାଇ ଦେଲେ । ତାଙ୍କ ମନ୍ତ୍ରୀ ଏହାର କାରଣ ପଚାରିବାରୁ ନାସିରୁଦ୍ଦିନ୍‌ କହିଲେ, ‘‘ଭଦ୍ରଲୋକଟି ଯାହା ଭୁଲ ବୋଲି କହିଲେ ତା’ ଭୁଲ ନୁହେ, ଠିକ୍‌ । ମୁଁ ଯଦି ସେତେବେଳେ ଠିକ୍‌ ବୋଲି କହିଥାନ୍ତି ବା ତାଙ୍କ ଆଗରେ ଚିହ୍ନ ଦେଇ ନ ଥାନ୍ତି ତେବେ ତାଙ୍କ ମନରେ ବଡ଼ କଷ୍ଟ ହୋଇଥାନ୍ତା । ତାଙ୍କ ମନରେ କଷ୍ଟ ଦେବା ମୋର ଉଚିତ ନୁହେ ।’’ ମନ୍ତ୍ରୀ ଏ କଥା ଶୁଣି ମନେ ମନେ ରାଜାଙ୍କୁ ଶତ ଧନ୍ୟବାଦ ଦେଲେ ।

 

ନାସିରୁଦ୍ଦିନ୍‌ ଭାରି ସାଧାସିଧା ଲୋକ ଥିଲେ । ରାଜ୍ୟର କି ଗରିବ, କି ଧନୀ ସମସ୍ତଙ୍କୁ ସମାନ ଭାବରେ ଦେଖୁଥିଲେ । ସେ ଗରିବମାନଙ୍କୁ କିପରି ଭଲ ପାଉଥିଲେ, ଏ ବିଷୟରେ ଗୋଟିଏ ସୁନ୍ଦର ଗଳ୍ପ ଅଛି ।

 

ନାସିରୁଦ୍ଦିନ୍‌ ନିଜର ନଅରଟିକୁ ଖୁବ୍‌ ଭଲ ଭାବରେ ତିଆରି କରିବେ ବୋଲି ଭାବିଲେ । ତାଙ୍କ ପୁରୁଣା ନଅର ପାଖରେ ଖଣ୍ଡେ ଭଙ୍ଗା କୁଡ଼ିଆ ଥାଏ । ସେଥିରେ ଗୋଟିଏ ଗରିବ ବୁଢ଼ୀ ଏକୁଟିଆ ଚଳୁଥାଏ । ଥରେ କେତେଜଣ ଭଦ୍ରଲୋକ ଆସି ନାସିରୁଦ୍ଦିନ୍‌ଙ୍କୁ କହିଲେ, ‘‘ଆପଣଙ୍କ ନଅର ପାଖରେ ଏ ଭଙ୍ଗା କୁଡ଼ିଆଟା ରହିଲେ ବଡ଼ ଅସୁନ୍ଦର ଦେଖାଯିବ । ଏଇଟାକୁ ଏ ଜାଗାରୁ ଉଠାଇ ଦିଅନ୍ତୁ । ସମ୍ରାଟ ଏ କଥା ଶୁଣି ଯାଇ ବୁଢ଼ୀକୁ କହିଲେ, ‘‘ତମେ ଏ ଘର ମତେ ବିକି ଦିଅ, ମୁଁ ତମ ପାଇ ଗୋଟିଏ ବଡ଼ କୋଠା ବନେଇ ଦେବି ।’’ ବୁଢ଼ୀ ରାଜାଙ୍କ କଥା ଶୁଣି କହିଲା, ‘‘ମୁଁ ପିଲାଦିନୁ ଯେଉଁ କୁଡ଼ିଆରେ ଚଳି ଆସିଛି, ଆଜି ସେ କୁଡ଼ିଆ ଛାଡ଼ି କୋଠାଘରକୁ କିପରି ଯିବି ? ଏହା ମୋ ଦେହିତି ହେବ ନାହିଁ ।’’ ରାଜା ବାରମ୍ୱାର ଜିଗର କରିବାରୁ ବୁଢ଼ୀ କହିଲା, ‘‘ମୁଁ ଏ କୁଡ଼ିଆରେ ଚଳି ଆନନ୍ଦର ସହିତ ତୁମ୍ଭ ରାଜତ୍ୱ ଦେଖୁଛି, ଜୀବନ ଥିବାଯାକେ ମଧ୍ୟ ଦେଖୁଥିବି, କିନ୍ତୁ ତମେ ଏଡ଼େ ବଡ଼ ବିଶାଳ ରାଜ୍ୟର ସମ୍ରାଟ ହୋଇ ମୋର ଏ ସାମାନ୍ୟ କୁଡ଼ିଆଟି ଦେଖି ପାରୁନାହଁ-?’’ ସମ୍ରାଟ ବଡ଼ ମର୍ମାହତ ହୋଇ ଫେରିଗଲେ । କୁଡ଼ିଆଟି ସେହିପରି ରହିଲା ।

 

ନାସିରୁଦ୍ଦିନ୍‌ଙ୍କ ମନମୁତାବକ ନଅର ତିଆରି ହେଲା । ବୁଢ଼ୀ ଘରୁ ପ୍ରତିଦିନ ଧୂଆଁ ଉଠି ନଅରର ଗୋଟିଏ ପାଖ କଳା ପଡ଼ିଗଲା । ଦିନେ ରାଜା ଏ ବିଷୟରେ ବୁଢ଼ୀକୁ ପଚାରିବାରୁ ସେ କହିଲା, ‘‘ମୁଁ ପ୍ରତିଦିନ ରନ୍ଧାରନ୍ଧି କରୁଛି, ତେଣୁ ଧୂଆଁ ହେଉଛି । ସମ୍ରାଟ ସାଙ୍ଗେ ସାଙ୍ଗେ ଗୋଟିଏ ଚାକର ହାତରେ ନିଜ ନଅରରୁ ଭଲ ଭଲ ଖାଇବା ଜିନିଷ ପଠେଇ ଦେଲେ । ବୁଢ଼ୀ ସେ ଜିନିଷ ନ ରଖି କହିଲା, ‘‘ମୋ ପରି କେତେ ଲୋକ କୁଆଡ଼େ ଖାଇବାକୁ ନ ପାଇ ମରୁଥିବେ, ଆଉ ମୁଁ ଏପରି ଜିନିଷ ଖାଇ ମଜା କରୁଥିବି ? ଏହା ହେବ ନାହିଁ । ଆଉ ମଧ୍ୟ ଯେଉଁ ସମ୍ରାଟଙ୍କ ଶାଗ ଭାତ ଖାଇ ମୁଁ ଏତେ ଦିନ ଶାନ୍ତିରେ କଟେଇ ଦେଲି, ଏଣିକି ସେହି ସମ୍ରାଟଙ୍କ ଠାରୁ ଏମିତି ରାଜଭୋଗ ପାଇ ମନରେ ଅଶାନ୍ତି ବଢ଼େଇବି କାହିଁକି ?’’

 

ମଲାବେଳେ ବୁଢ଼ୀ ସମ୍ରାଟଙ୍କୁ କହିଥିଲା, ‘‘ଆପଣ ମୋର ଏ କୁଡ଼ିଆ ଖଣ୍ଡି ଭାଙ୍ଗିବେ ନାହିଁ । ଏ ଖଣ୍ଡିକ ଥିଲେ, ଯେ ଆପଣଙ୍କ ନଅର ଦେଖିବାକୁ ଆସିବ, ସେ କୁଡ଼ିଆ ଖଣ୍ଡି ମଧ୍ୟ ଦେଖିବ । ଆଉ ସେଇଥିରୁ ଜାଣିପାରିବ ଯେ, ଆପଣ ଗରିବମାନଙ୍କୁ କିପରି ଭାବରେ ଦେଖୁଥିଲେ-। ଦିନେ ମୋର ଏ କୁଡ଼ିଆ ମାଟିତଳେ ମିଶିଯିବ, ଆପଣଙ୍କ ନଅର ଭାଙ୍ଗିଯିବ କିନ୍ତୁ ଏ କଥା ସବୁଦିନ ପାଇଁ ରହିଥିବ ।’’

 

ସତକୁ ସତ ନାସିରୁଦ୍ଦିନ ସେ କୁଡ଼ିଆ ଖଣ୍ଡି ନ ଭାଙ୍ଗି ସେମିତି ରଖିଥିଲେ ।

 

ଏହି ମହାତ୍ମା ୧୯ ବର୍ଷ ରାଜଗାଦିରେ ବସି ୧୨୬୫ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

Image

 

ରାଜପୁତ୍‌ ବୀର ନିର୍ଭୟଚାନ୍ଦ

 

ରାଜପୁତ୍‌ମାନଙ୍କର ବୀରତ୍ୱ ଓ ସାହସ ସବୁ ଦିନ ସମସ୍ତେ ଘୋଷି ହେଉଛନ୍ତି; ଚିରଦିନପାଇଁ ମଧ୍ୟ ଘୋଷି ହେଉଥିବେ । ସେମାନେ ସ୍ତ୍ରୀ ମର୍ଯ୍ୟାଦା ଖୁବ୍‌ ଭଲ କରି ଜାଣନ୍ତି । କୌଣସି ସାଧାରଣ ସ୍ତ୍ରୀ ଉପରେ ଯଦି କୌଣସି ଆଘାତ ଲାଗେ ତେବେ ପ୍ରତ୍ୟେକ ରାଜପୁତ୍‌ ବୀର ତା’ର ପ୍ରତିକାରପାଇଁ ଅଣ୍ଟା ଭିଡ଼ି ଠିଆ ହୁଅନ୍ତି ।

 

ନାସିରୁଦ୍ଦିନଙ୍କ ରାଜତ୍ୱ ସମୟରେ ଅର୍‌ଗଳ ନାମକ ଗୋଟିଏ ଛୋଟ ରାଜପୁତ୍‌ ରାଜ୍ୟର ରାଜା ନାସିରୁଦ୍ଦିନ୍‌ଙ୍କୁ କର ଦେଲେ ନାହିଁ । ସେ ସୈନ୍ୟସାମନ୍ତ ସଂଗ୍ରହ କରି ସ୍ୱାଧୀନ ହେବାକୁ ଚେଷ୍ଟା କଲେ । ଦିଲ୍ଲୀସମ୍ରାଟ ନାସିରୁଦ୍ଦିନ ଅଯୋଧ୍ୟାର ରାଜାଙ୍କୁ ଅର୍‌ଗଳ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଇଲେ । ଯୁଦ୍ଧରେ ଅଯୋଧ୍ୟାର ରାଜା ପରାସ୍ତ ହେଲେ । ଅର୍‌ଗଳ ରାଜାଙ୍କ ଆନନ୍ଦ କହିଲେ ନ ସରେ । ତେଣେ ଅଯୋଧ୍ୟାର ରାଜା ମନେ ମନେ ରାଗ ରଖି ଦାଉ ଶୁଝିବାକୁ ଚେଷ୍ଟା କରୁଥାନ୍ତି ।

 

ଗଙ୍ଗାନଦୀକୁ ହିନ୍ଦୁମାନେ ଭାରି ପୂଜା କରନ୍ତି । ସେଥିରେ ଗାଧୋଇଲେ ମନୁଷ୍ୟ ସବୁ ପାପରୁ ମୁକ୍ତ ହୁଏ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ । ବିଶେଷତଃ ଅମାବାସ୍ୟା ଓ ପୂର୍ଣ୍ଣମୀ ଦିନ ସ୍ନାନ କଲେ ମନୁଷ୍ୟ ପବିତ୍ର ହୋଇଯାଏ । ଅର୍‌ଗଳର ରାଣୀ ପ୍ରତି ଅମାବାସ୍ୟା ଦିନ ଗଙ୍ଗାରେ ଯାଇଁ ସ୍ନାନ କରନ୍ତି । ଏଥର କିପରି ସ୍ନାନ କରିବାକୁ ଯିବେ, ତା’ ଆଉ ଭାବି ସ୍ଥିର କରି ପାରିଲେ ନାହିଁ । ଗଙ୍ଗା ତାଙ୍କ ରାଜ୍ୟର ବାହାରେ । ଶତ୍ରୁ ରାଜ୍ୟକୁ ଗଲେ ତ ନିଶ୍ଚୟ ଅମଙ୍ଗଳ ଘଟିବ । କିଛି ସମୟ ଭାବି ପରେ ଠିକ୍‌ କଲେ ଯେ, ସେ ସ୍ୱାମୀଙ୍କୁ ନ କହି ସାଧାରଣ ସ୍ତ୍ରୀ ରୂପରେ ଦୁଇ ଚାରୋଟି ଦାସୀ ନେଇ ଗଙ୍ଗାକୁ ଯିବେ ।

 

ସନ୍ଧ୍ୟା ପରେ ରାଣୀ କାହାକୁ ନ କହି ଅଳ୍ପମାତ୍ର ଦାସୀ ସଙ୍ଗରେ ଧରି ସ୍ନାନ କରିବାକୁ ଗଲେ । ସ୍ନାନ କରି ଫେରୁ ଫେରୁ ଶତ୍ରୁପକ୍ଷର ସୈନ୍ୟମାନେ କିପରି ତାଙ୍କୁ ଚିହ୍ନି ପାରିଲେ । ସେନାପତି ଦଳବଳ ଆଣି ତାଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କଲେ । ଏହି ସମୟରେ ରାଣୀ ଉତ୍ତେଜିତ ହୋଇ କହିଲେ, ‘‘ପୃଥିବୀରୁ କ’ଣ ରାଜପୁତ ଜାତି ମୂଳପୋଛ ହୋଇ ଲୋପ ପାଇଲାଣି ? ମୁଁ ରାଜପୁତ୍‌ ରମଣୀ, ଜଗତରେ କ’ଣ କେହି ଜଣେ ରାଜପୁତ ନାହିଁ, ଯେ କି ମତେ ଏ ବିପଦରୁ ରକ୍ଷା କରିବ ? ଯଦି ନାହାନ୍ତି, ତେବେ ମୁଁ ଭୀରୁ ନୁହେଁ, ମୁଁ ଯୁଦ୍ଧ କରିବି । ରାଜପୁତ୍‌ବୀରଙ୍କ ମୁହଁରେ କାଳି ବୋଳିବି । ମୁଁ ଜୀବନରେ ଥାଉଁ ଥାଉଁ କେହି ମୋର ଦେହ ସ୍ପର୍ଶ ସୁଦ୍ଧା କରି ପାରିବ ନାହିଁ । ସାବଧାନ, ବନ୍ଦୀ କରିବା ତ ଦୂରର କଥା ।’’

 

ରାଣୀଙ୍କ ସାଙ୍ଗରେ ଦୁଇ ଜଣ ଲୋକ ଥିଲେ । ତାଙ୍କ ନାଆଁ ନିର୍ଭୟଚାନ୍ଦ ଓ ଉଭୟଚାନ୍ଦ । ସେମାନେ ରାଣୀଙ୍କ କଥାରେ ଏପରି ଉତ୍ତେଜିତ ହୋଇଗଲେ ଯେ, ସାଙ୍ଗେ ସାଙ୍ଗେ ଖଣ୍ଡା ବାହାର କରିଦେଇ ଯୁଦ୍ଧ କରିବାକୁ ଠିଆ ହୋଇଗଲେ । ଆଗରେ ପ୍ରବଳ ପରାକ୍ରାନ୍ତ ହଜାର ହଜାର ଶତ୍ରୁସୈନ୍ୟ ଏ ଦୁଇଜଣ କାହାକୁ ଖାତିର୍‌ ନ କରି ମହା ଦର୍ପରେ ଯୁଦ୍ଧରେ ଲାଗିଗଲେ । ତାଙ୍କ ବୀରତ୍ୱ ଦେଖି ଶତ୍ରୁ ପକ୍ଷ ଭାରି ଭୟ କରି ପଳାଇଗଲେ । ଏ ଦୁଇ ବୀର ରାଣୀଙ୍କୁ ନିର୍ବିଘ୍ନରେ ନେଇ ରାଜଧାନୀରେ ପହଞ୍ଚାଇ ଦେଲେ ।

 

ରାଜା ସବୁ କଥା ଶୁଣି, ଏହାଙ୍କ ବୀରତ୍ୱରେ ମୁଗ୍ଧ ହୋଇ ନିର୍ଭୟଚାନ୍ଦଙ୍କୁ ତାଙ୍କ ଝିଅଙ୍କୁ ବିବାହ ଦେଇଥିଲେ । ସେହି ଦିନୁ ତାଙ୍କୁ ‘ରାଓ’ ଉପାଧି ମଧ୍ୟ ଦେଇଥିଲେ । ଆଜି କାଲି ତାଙ୍କର ବଂଶଧରମାନେ ସେହି ରାଓ ଉପାଧିରେ ଭୂଷିତ ।

Image

 

ବୀରବାଳା ପଦ୍ମିନୀ

 

ପ୍ରାୟ ୬୦୦ ବର୍ଷ ତଳେ ଆଲ୍ଲାଉଦିନ ଦିଲ୍ଲୀର ସମ୍ରାଟ ଥିଲେ । ସେ ବଡ଼ ନିଷ୍ଠୁର ଓ ଖରାପ ପ୍ରକୃତିର ଲୋକ । ତାଙ୍କର ଖୁଡ଼ୁତା ଜେଲାଲଉଦ୍ଦିନ ଖିଲିଜି ପ୍ରାୟ ୭୦ ବର୍ଷ ବୟସରେ ରାଜଗାଦିରେ ବସିଥିଲେ । ତାଙ୍କର ପୁଅ ନ ଥିବାରୁ, ସେ ତାଙ୍କ ପୁତୁରା ଆଲ୍ଲାଉଦ୍ଦିନଙ୍କୁ ପୁଅ କରିଥିଲେ । ମାତ୍ର ଆଲ୍ଲାଉଦ୍ଦିନଙ୍କର ମନ ଏଥିରେ ଥୟ ହେଲା ନାହିଁ । ସେ କିପରି ଖୁଡ଼ୁତାଙ୍କୁ ମାରି ଚଞ୍ଚଳ ରାଜଗାଦିରେ ବସିବେ, ଏହି କଥା ସବୁବେଳେ ଚିନ୍ତାକଲେ । ଥରେ ବୃଦ୍ଧ ଜେଲାଲଉଦ୍ଦିନ ପୁତୁରାର କୂଟ କପଟ ଜାଣି ନ ପାରି ତାକୁ ଆନନ୍ଦରେ ଆଲିଙ୍ଗନ କରୁଛନ୍ତି, ଏହି ସମୟରେ ନିର୍ଦ୍ଦୟ ମୂର୍ଖ ଆଲ୍ଲାଉଦ୍ଦିନ ତାଙ୍କୁ କୌଶଳରେ ମାରି ପକାଇଲେ । ଏଥର ମନକାମନା ପୂର୍ଣ୍ଣ ହେଲା । ଆଲ୍ଲାଉଦ୍ଦିନ ରାଜଗାଦିରେ ବସିଲେ ।

 

ସେହି ସମୟରେ ମେବାରରେ ଭୀମ ସିଂହ ସ୍ୱାଧୀନ ଭାବରେ ରାଜତ୍ୱ କରୁଥିଲେ । ତାଙ୍କର ରାଜଧାନୀ ଚିତୋର ଥିଲା । ଭୀମ ସିଂହଙ୍କ ରାଣୀଙ୍କ ନାଁ ପଦ୍ମିନୀ । ସେ ବଡ଼ ରୂପବତୀ ଓ ଗୁଣବତୀ ସ୍ତ୍ରୀ । ସେ ସମୟରେ ତାଙ୍କ ପରି ସୁନ୍ଦରୀ ସ୍ତ୍ରୀ ଆଉ ଭାରତରେ ନ ଥିଲେ କହିଲେ ଚଳେ-। ଭାରତର ଚାରିଆଡ଼େ ସମସ୍ତେ ତାଙ୍କ ରୂପ ଓ ଗୁଣର ପ୍ରଶଂସା କରୁଥାନ୍ତି । ଏ ପ୍ରଶଂସା ଆଲ୍ଲାଉଦ୍ଦିନଙ୍କ କାନକୁ ଗଲା । ସେତ ବଡ଼ ଖରାପ ଲୋକ, ତେଣୁ ପଦ୍ମିନୀଙ୍କୁ ରାଣୀ କରିବାକୁ ତାଙ୍କର ଭାରି ଇଚ୍ଛା ହେଲା ।

 

ଆଲ୍ଲାଉଦ୍ଦିନ ସୈନ୍ୟ ସାମନ୍ତ ସଂଗ୍ରହ କଲେ । ଭୀମସିଂହଙ୍କର ବିରୁଦ୍ଧରେ ଯୁଦ୍ଧ ହେଲା । ଉଭୟ ତରଫ ଭାରି ବୀର । ମୁସଲମାନ ସୈନ୍ୟ ସଂଖ୍ୟାରେ ଖୁବ୍‌ ବେଶି, ତାଙ୍କର ହାତ ହତିଆର ଅସଂଖ୍ୟ । ରାଜପୁତ୍‌ମାନେ ଖୁବ୍‌ ବୀର ଓ ସାହାସୀ । ଯୁଦ୍ଧ ଭୟଙ୍କର ଭାବରେ ଲାଗିଲା । ଉଭୟଙ୍କ ପକ୍ଷରୁ ବହୁତ ସୈନ୍ୟ ମରି ଶୋଇଲେ । ହେଲେ କ’ଣ ହେବ, ଆଲ୍ଲାଉଦ୍ଦିନ ପାରିଲେ ନାହିଁ । ଯୁଗେ ଯୁଗେ ଧର୍ମର ଜୟ । ଅଧର୍ମୀ ଆଲ୍ଲାଙ୍କର ବା ଏ ଯୁଦ୍ଧରେ କିପରି ଜୟ ହୁଅନ୍ତା ? ରାଜପୁତ ସୈନ୍ୟମାନଙ୍କ ଡରରେ ଆଲ୍ଲାଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇଲେ ।

 

କେତେ ଦିନ ଚାଲିଗଲା; ଆଲ୍ଲାଉଦ୍ଦିନ ପୁଣି ସୈନ୍ୟ ସାମନ୍ତ ଯୋଗାଡ଼ କଲେ । ଏଥର ଆଗ ଥର ଅପେକ୍ଷା ଖୁବ୍‌ ବେଶି ଭାବରେ ଆୟୋଜନ ଚାଲିଲା । ରାଜପୁତମାନେ ମଧ୍ୟ ପୂର୍ବ ଅପେକ୍ଷା ସହସ୍ର ଗୁଣ ତେଜରେ ମାତି ଉଠିଲେ । ବହୁତ ଦିନ ଯାଏ ଯୁଦ୍ଧ ଚାଲିଲା । ଆଲ୍ଲାଉଦ୍ଦିନଙ୍କ ସୈନ୍ୟସବୁ ଯୁଦ୍ଧ ଭୂମିରେ ମଲେ । ସେ ବାଧ୍ୟ ହୋଇ ଭୀମ ସିଂହଙ୍କ ସାଙ୍ଗରେ ସନ୍ଧି କରି ଦିଲ୍ଲୀକୁ ଫେରି ଆସିଲେ ।

 

ଯେ ଖରାପ ଲୋକ ତା’ ମନରେ ସବୁବେଳେ ଖରାପ କଥା ଖେଳୁଥାଏ । ଆଲ୍ଲା ତ ବଳରେ ପଦ୍ମିନୀଙ୍କୁ ନେଇ ପାରିଲେ ନାହିଁ, ତେଣୁ ଗୋଟେ କୌଶଳ ମନେ ମନେ ଠିକ୍‌ କଲେ । ସେ ଭୀମସିଂହଙ୍କ ପାଖକୁ ନିଜର ଦୂତ ହାତରେ କହି ପଠାଇଲେ, ‘‘ମୁଁ କେବଳ ପଦ୍ମିନୀଙ୍କର ରୂପ ଦେଖିବାକୁ ଇଚ୍ଛା କରେଁ । ଆପଣ ମୋର ବନ୍ଧୁ, ଆଶା କରେଁ ବନ୍ଧୁତା ଖାତିରିରେ ଆପଣ ଏଥିରେ ରାଜି ହେବେ ।’’

 

ଦୂତ ମୁଖରୁ ଏ କଥା ଶୁଣି ଭୀମ ସିଂହ ରାଗରେ କମ୍ପି ଉଠିଲେ । ତାଙ୍କ ଆଖିରୁ ଦପ୍‌ ଦପ୍‌ ହୋଇ ନିଆଁ ବାହାରି ପଡ଼ିଲା ପରି ଜଣାଗଲା । ସେ ତାଙ୍କ ଖଣ୍ଡାକୁ ଦୃଢ଼ ମୁଷ୍ଠିରେ ଧରି କହିଲେ, ‘‘ବୋଧହୁଏ ତା’ର ମୁଣ୍ଡ ତାକୁ ବଡ଼ ଭାରି ବୋଧ ହେଲାଣି, ଏ ଖଣ୍ଡା ସାହାଯ୍ୟରେ ମୁଁ ଶୀଘ୍ର ସେ ଭାର କମାଇ ଦେବି ।’’

 

ଦୟାବତୀ ପଦ୍ମିନୀଙ୍କ କାନକୁ ଏ କଥା ଗଲା । ସେ ଆସି ଭୀମ ସିଂହଙ୍କୁ ଖୁବ୍‌ ବିନୟରେ କହିଲେ, ‘‘କେବଳ ମୋ ପାଇଁ ରାଜ୍ୟର ଏତେ କ୍ଷତି ହେଲାଣି । ଏତେ ରାଜପୁତ୍‌ ବୀର ପ୍ରାଣତ୍ୟାଗ କଲେଣି । ମୁଁ ଆପଣଙ୍କ ପାଦ ଧରି କହୁଛି, ମୋ ଲାଗି ନିରୀହ ସୈନ୍ୟମାନଙ୍କୁ ମରାଅ ନାହିଁ । ସେ ତ ମୋ ରୂପ ଦେଖିବ ବୋଲି କହୁଛି; ଆସୁ, ଦେଖୁ, ସେଥିରେ ବା ଆମର କ୍ଷତି କ’ଣ ? ମନାକଲେ ସେ ଦୁଷ୍ଟ ପୁଣି ଆସି ଯୁଦ୍ଧ କରିବ; ପାରିବ ତ ନାହିଁ, କେବଳ ଉଭୟପକ୍ଷରୁ ଗୁଡ଼ାଏ ଲୋକ ମରାଇବ ।’’

 

ଏ କଥାରେ ଭୀମ ସିଂହ ଟିକିଏ ଆଶ୍ୱସ୍ତ ହେଲେ । ଠିକ୍‌ ହେଲା ଯେ; ଆଲ୍ଲାଉଦ୍ଦିନ କେବଳ ଦୁଇଜଣ ପାଖ ଲୋକଙ୍କ ସାଙ୍ଗରେ ଆସି, ଗୋଟିଏ ଆରିଶିରେ ପଦ୍ମିନୀଙ୍କ ରୂପ ଦେଖି ଯିବେ । ଆଲ୍ଲାଉଦ୍ଦିନ୍‌ ଏଥିରେ ସମ୍ମତ ହେଲେ ।

 

ନିର୍ଦ୍ଦିଷ୍ଟ ଦିନ ଆଲ୍ଲା ରାଣାଙ୍କ ନଅରରେ ଆସି ପହଞ୍ଚିଲେ । ଭୀମ ସିଂହ ତାଙ୍କୁ ନେଇ ଗୋଟିଏ ବଡ଼ ଆରିଶିରେ ପରମ ରୂପବତୀ ପଦ୍ମିନୀଙ୍କ ରୂପଦେଖାଇ ଆଣିଲେ । ଆଲ୍ଲା ଫେରି ଗଲାବେଳେ ରାଣା ତାଙ୍କୁ ବାଟେଇ ଦେବାକୁ କେତେ ବାଟ ଗଲେ । ଆଗରୁ ନଗର ବାହାରେ ଆଲ୍ଲାଙ୍କ ସୈନ୍ୟ ଲୁଚିଥିଲେ । ଭୀମ ସିଂହଙ୍କୁ ଏକୁଟିଆ ଦେଖି ସେମାନେ ଆଲ୍ଲାଙ୍କ ଇସାରା ଅନୁସାରେ ଆସି ତାଙ୍କୁ ବନ୍ଦୀ କଲେ । ଆଲ୍ଲାଉଦ୍ଦିନ ଦିଲ୍ଲୀରେ ପହଞ୍ଚି କହି ପଠାଇଲେ, ‘‘ମୁଁ ପଦ୍ମିନୀଙ୍କୁ ନ ପାଇଲେ ଭୀମ ସିଂହଙ୍କୁ ଛାଡ଼ିବି ନାହିଁ ।’’

 

Image

(ଗୋଟିଏ ବଡ଼ ଆରିଶିରେ............................ଦେଖାଇ ଆଣିଲେ)

 

ଏ କଥାରେ ମେବାରର ପ୍ରତ୍ୟେକ ଲୋକ ବଡ଼ ବ୍ୟାକୁଳ ହୋଇପଡ଼ିଲେ । ମାତ୍ର ବ୍ୟାକୁଳ ହୋଇ ନ ଥିଲେ କେବଳ ପଦ୍ମିନୀ । ସେ ତ ଭାରି ସାହାସୀ, ତେଣୁ ଏ କଥାରେ ଅସ୍ଥିର ନ ହୋଇ ସ୍ୱାମୀଙ୍କୁ ବନ୍ଦୀରୁ ଖଲାସ କରିବାକୁ କୌଶଳ ପାଞ୍ଚିଲେ । ତାଙ୍କର ଦୁଇ ଜଣ ଖୁବ୍‌ ବିଶ୍ୱାସୀ ସୈନ୍ୟ ଗୋରା ଓ ବାଦଲ ତାଙ୍କ ସଙ୍ଗରେ ଯୋଗ ଦେଲେ । ବାଦଲଙ୍କୁ ସେତେବେଳେ ମୋଟେ ବାରବର୍ଷ । ଗୋରା ପଦ୍ମିନୀଙ୍କ ତରଫରୁ ଆଲ୍ଲାଙ୍କୁ କହିପଠାଇଲେ,-ପଦ୍ମିନୀ ଆଲ୍ଲାଙ୍କ ରାଣୀ ହେବାକୁ ଇଚ୍ଛା କରିଅଛନ୍ତି । ସେ ଏଠାରୁ ଗଲାବେଳେ ତାଙ୍କ ୭୦୦ ଦାସୀ ୭୦୦ ଶୁଆରିରେ ଯିବେ, ବାଟରେ ମୁସଲମାନ ସୈନ୍ୟ ଯେପରି ବାଧା ନ ଦିଅନ୍ତି ।

 

ଏ କଥାରେ ଆଲ୍ଲାଉଦ୍ଦିନଙ୍କ ଆନନ୍ଦ ଆଉ କହିଲେ ନ ସରେ । ସେ ନିଜ ସୈନ୍ୟମାନଙ୍କ ମଧ୍ୟରେ ପ୍ରଚାର କରି ଦେଲେ ଯେ, ଯେପରି କୌଣସି ସୈନ୍ୟ ସେ ଶୁଆରି ଆଡ଼କୁ ଆଖି ନ ପକାନ୍ତି । ଏଣେ ପଦ୍ମିନୀ ୭୦୦ ଶୁଆରିରେ ୭୦୦ ଦାସୀ ବଦଳରେ ୭୦୦ଟି ରାଜପୁତ ବୀରଙ୍କୁ ବସାଇଲେ । ବହୁତ ଅସ୍ତ୍ରଶସ୍ତ୍ର ସେଥିରେ ରଖାଗଲା । ଆଗ ଶୁଆରିରେ ଗୋରା, ପଛ ଶୁଆରିରେ ବାଦଲ ବସିଲେ । ପ୍ରତ୍ୟେକ ଶୁଆରି ଛଅ ଜଣ ରାଜପୁତ୍‌ ବୀର ଗଉଡ଼ ବେଶରେ କାନ୍ଧେଇଲେ । ଠିକ୍‌ ସମୟରେ ଶୁଆରି ସବୁ ଦିଲ୍ଲୀରେ ପହଞ୍ଚିଲା । ପଦ୍ମିନୀ ଶୁଆରି ଭିତରେ ରହି ଆଲ୍ଲାଙ୍କୁ କହି ପଠାଇଲେ, ‘‘ମୁଁ କିଛି ସମୟ ରାଣାଙ୍କ ସହିତ ଦେଖା କରିବାକୁ ଚାହେଁ, ମତେ ତାଙ୍କ ପାଖକୁ ଛାଡ଼ିଦେଲେ, ତାଙ୍କ ପାଖରୁ ବିଦାୟ ନେଇ ଆସିବି ।’’ ଖୁସିରେ ସମ୍ରାଟଙ୍କ ପାଦ ତ ଆଉ ତଳେ ଲାଗୁନାହିଁ । ସେ ହସି ହସି କହିଲେ, ‘‘ଯାଅ, ଯେପରି ପନ୍ଦର ମିନିଟରେ ଆସିବ ।’’

 

ପଦ୍ମିନୀ ରାଣାଙ୍କ ପାଖକୁ ଗଲେ । ତାଙ୍କୁ ଏ ସବୁ କଥା ବୁଝାଇ କହିଲେ । ପଦ୍ମିନୀଙ୍କ ବୁଦ୍ଧି ଦେଖି ଭୀମ ସିଂହ ଅବାକ୍‌ ହୋଇଗଲେ । ଦୁଇ ଜଣଯାକ ଦୁଇଟା ଶୁଆରିରେ ବସି ଚିତୋରକୁ ଚାଲିଗଲେ ।

 

ତେଣେ ଆଲ୍ଲା ତ ଆକାଶକୁସୁମ ତୋଳିବେ ବୋଲି ଚାହିଁ ରହିଛନ୍ତି । ଚାହୁଁ ଚାହୁଁ ପନ୍ଦର ମିନିଟ ଗଲା, ଅଧ ଘଣ୍ଟାଏ ଗଲା, ଘଣ୍ଟାଏ ବି ଗଲା । କେହି ଆସିଲେ ନାହିଁ । ସେ ବିରକ୍ତ ହୋଇ ଭୀମସିଂହଙ୍କ ବନ୍ଦୀଘର ଆଡ଼କୁ ଗଲେ । ଯାଇ ଦେଖନ୍ତି ତ ବନ୍ଦୀଘର ଖାଲି, ତାଙ୍କ ହାଲୁକ ଶୁଖିଗଲା ।

 

ସେ ସାଙ୍ଗେ ସାଙ୍ଗେ ସୈନ୍ୟମାନଙ୍କୁ ଚିତୋରକୁ ଧାଉଡ଼ି ଦେବାକୁ ଅନୁମତି ଦେଇଦେଲେ । ସେତେବେଳକୁ ରାଣା ଓ ପଦ୍ମିନୀ ଯାଇ ଅଧ ବାଟରେ । ଯେଉଁ ଶୁଆରି ସବୁ ସେଠାରେ ଥୁଆ ହୋଇଥିଲା ସେଥିରୁ ସୈନ୍ୟମାନେ ଫଡ଼୍‌ଫାଡ଼୍‌ ବାହାରି ପଡ଼ିଲେ । ଯେ ଗଉଡ଼ ହୋଇଥିଲେ, ସେ ନିଜର ହାତହତିଆର ଧରି ଯୁଦ୍ଧକୁ ଠିଆ ହୋଇଗଲେ । ସେଇଠି ଉଭୟଙ୍କର ଯୁଦ୍ଧ ହେଲା । ଆଲ୍ଲାଙ୍କ ସୈନ୍ୟମାନେ ଆଉ ଆଗକୁ ଆସି ପାରିଲେ ନାହିଁ । ରାଣା ନିର୍ବିଘ୍ନରେ ଆସି ରାଜଧାନୀରେ ପହଞ୍ଚିଲେ ।

 

ରାଜପୁତ୍‌ ସୈନ୍ୟ ଖୁବ୍‌ ଅଳ୍ପ । ହଜାର ହଜାର ମୁସଲମାନ ସୈନ୍ୟ ଆଗରେ ସେ କେତେବେଳେ ବା ଯୁଦ୍ଧ କରିବେ । ତଥାପି ଯୁଦ୍ଧ ଖୁବ୍‌ ଭୟଙ୍କର ହେଲା । ଏକା ବାର ବର୍ଷର ପିଲା ବାଦଲ୍‌ ଶହ ଶହ ମୁସଲମାନ ସେନାକୁ ତଳେଶୁଆଇ ଦେଇ ଗଲେ । ତାଙ୍କ ବୀରତ୍ୱ ଦେଖି ରାଜପୁତ୍‌ମାନେ ଆହୁରି ତେଜି ଉଠିଲେ । ଆଣ୍ଠୁଏ ବହଳରେ ମୁସଲମାନ ସୈନ୍ୟ ଯୁଦ୍ଧ ଭୂମିରେ ମରି ଶୋଇଲେ ।

 

ମହାଭାରତରେ ତୁମ୍ଭେମାନେ ଅଭିମନ୍ୟୁ କଥା ଶୁଣିଥିବ । ସେ ଚଉଦ ବର୍ଷର ପିଲା, ଯୁଦ୍ଧରେ କୌରବମାନଙ୍କ ସୈନ୍ୟ ଏକାବେଳକେ ପଦା ପରି ଦେଇଥିଲେ କହିଲେ ଚଳେ । ବଡ଼ ବଡ଼ ମହାବୀରମାନେ ମଧ୍ୟ ତାଙ୍କୁ ଡରି ପଳାଇ ଯାଉଥିଲେ । ବାଦଲ୍‌ ଠିକ୍‌ ସେହିପରି । ତାଙ୍କୁ ଦେଖିଲେ ମୁସଲମାନ ସେନାପତିଙ୍କର ମଧ୍ୟ ଛାତିରୁ ନିଆଁ ଖସିପଡ଼ୁଥିଲା । ମାତ୍ର ଦୁଃଖର କଥା, ସେଇ ଯୁଦ୍ଧଭୂମିରେ ଅନ୍ୟାୟ ଯୁଦ୍ଧରେ ବାଦଲ ପ୍ରାଣ ତ୍ୟାଗ କଲେ । ତଥାପି ରାଜପୁତ୍‌ମାନଙ୍କର ଜୟ ହେଲା । ଆଲ୍ଲାଉଦ୍ଦିନ କେତେ ଆଶା ବନ୍ଧିଥିଲେ, କେତେ ସୁଖସ୍ୱପ୍ନ ଦେଖୁଥିଲେ; ଫଳ ଏତିକି ହେଲା ଯେ, ସେ ସବୁ କୁଆଡ଼େ ଉଭେଇଗଲା, ନିଜର ଲକ୍ଷ ଲକ୍ଷ ସୈନ୍ୟ ମରି ଶୋଇଲେ, ଗନ୍ତାଘର ଖାଲି ହୋଇଗଲା ।

Image

 

ରାଜ୍ୟପାଇଁ ପୁତ୍ତ୍ରବଳି

 

ଚିତୋର ରାଣାଙ୍କର ବାରଟି ପୁଅ । ସମସ୍ତଙ୍କୁ ସମସ୍ତେ ଜିଣ ଧୁରନ୍ଧର ।

 

ଆଗରୁ ତ ଶୁଣିଚ ଆଲ୍ଲାଉଦ୍ଦିନ ତିନିଥର ଭୀମସିଂହଙ୍କ ସାଙ୍ଗରେ ଯୁଦ୍ଧ କଲେ, ମାତ୍ର ସବୁଥର ହଟିଲେ । ମନରୁ ପଦ୍ମିନୀଙ୍କ ଲୋଭ ଛାଡ଼ୁ ନ ଥାଏ । କେତେକ ଦିନ ପରେ ପୁଣି ଯୁଦ୍ଧ ଘୋଷଣା କଲେ । ଚାରିଆଡ଼ୁ ଲକ୍ଷ ଲକ୍ଷ ସୈନ୍ୟ ସଂଗ୍ରହ କରି ଯୁଦ୍ଧଭୂମିକୁ ପଠାଇଲେ ।

 

ରାଜପୁତ୍‌ମାନେ ଥରକୁଥର ଯୁଦ୍ଧକରି ସେତେବେଳକୁ ବଡ଼ ଦୁର୍ବଳ ହୋଇ ପଡ଼ିଥିଲେ । ବଡ଼ ବଡ଼ ବୀରମାନେ ପ୍ରାୟ ସମସ୍ତେ ମରିଯାଇଥିଲେ । ପୁଣି ଆଲ୍ଲାଙ୍କର ଯୁଦ୍ଧଘୋଷଣା ଶୁଣି ଭୀମ ସିଂହଙ୍କର ହୃଦୟ କମ୍ପିଉଠିଲା । ସେ ଭାବିଲେ, ‘‘ବୋଧହୁଏ ଈଶ୍ୱରଙ୍କ ଇଚ୍ଛା ଯେ, ଚିତୋର ରାଜ୍ୟ ଛାରଖାର ହୋଇଯାଉ ।’’ ଯୁଦ୍ଧଘୋଷଣା ଶୁଣି ଏ ଥରକ ପ୍ରତ୍ୟେକ ପ୍ରଜା ଯୁଦ୍ଧ କରିବାକୁ ବାହାରି ପଡ଼ିଲେ । ବୃଦ୍ଧ, ଯୁବକ, ବାଳକ ସମସ୍ତେ ନିଜ ନିଜର ହତିଆର ଧରି ଆସି ସେନାପତିଙ୍କ ପାଖରେ ପହଞ୍ଚିଲେ । ମା’ ହସି ହସି ପୁଅକୁ ଯୁଦ୍ଧ ବେଶରେ ସଜାଇ ପଠାଇଦେଲା । ସ୍ତ୍ରୀ ନିଜର ସ୍ୱାମୀକୁ ଆନନ୍ଦ ମନରେ ଯୁଦ୍ଧ ଭୂମିକୁ ବିଦାୟ ଦେଲା । ରାଜ୍ୟର ମଙ୍ଗଳପାଇଁ, ରାଜାଙ୍କର ଉପକାର ପାଇଁ ପ୍ରତ୍ୟେକେ ନିଜର ଶରୀରକୁ ଟିକି ଟିକି କରି ବଳି ଦେବାପାଇଁ ଆସି ଯୁଦ୍ଧ ଭୂମିରେ ପହଞ୍ଚିଗଲେ ।

 

ଭୟଙ୍କର ଯୁଦ୍ଧ ହେଲା । ଅସଂଖ୍ୟ ସୈନ୍ୟ ପ୍ରତ୍ୟହ ମରିବାକୁ ଲାଗିଲେ । ଯୁଦ୍ଧଭୂମି ମୁର୍ଦ୍ଦାରରେ ପୂର୍ଣ୍ଣ ହୋଇଗଲା, ରକ୍ତରେ ଲାଲ ପଡ଼ିଗଲା । ରାଜପୁତ୍‌ମାନେ ବେଶି ମରିବାକୁ ଲାଗିଲେ, କାରଣ ସେମାନେ ସାମାନ୍ୟ ପ୍ରଜା ମାତ୍ର; ଯୁଦ୍ଧ ବିଦ୍ୟା ଆଦୌ ଜାଣି ନ ଥିଲେ । ତେଣୁ ସୁଶିକ୍ଷିତ, ଅତ୍ୟାଚାରୀ ମୁସଲମାନ୍‌ ସୈନ୍ୟମାନଙ୍କ ଆଗରେ ଆଉ ବେଶି ସମୟ ରହିପାରୁ ନ ଥାନ୍ତି-। ଏହିପରି ଭୟଙ୍କର ଯୁଦ୍ଧ ଚାଲିଥିବା ସମୟରେ ଥରେ ରାଣା ଗୋଟିଏ ଅଦ୍‌ଭୁତ ସ୍ୱପ୍ନ ଦେଖିଲେ । ଚିତୋରର ଠାକୁରାଣୀ କାଳୀ ଆସ କହୁଛନ୍ତି, ‘‘ମତେ ବଡ଼ ଭୋକ କରୁଛି; ମୁଁ ଖାଇବି’’-। ରାଣା କହିଲେ, ‘‘ଏ ଲକ୍ଷ ଲକ୍ଷ ସୈନ୍ୟ ପ୍ରତ୍ୟହ ଖାଉଛ, ତଥାପି ମନ ଶାନ୍ତ ହୋଇନାହିଁ-?’’ କାଳୀ ଉତ୍ତର ଦେଲେ, ‘‘ନା, ମୁଁ ରାଜବଂଶର ବାର ଜଣଙ୍କର ରକ୍ତ ପାନ କରିବାକୁ ଚାହେଁ, ତା’ପରେ ମୁଁ ଏଠାରୁ ଚାଲିଯିବି ।’’

Image

(ପଦ୍ମିନୀ..........ଝାସ ଦେଲେ)

 

ଆରଦିନ ରାଣା ଏ ଅଦ୍ଭୁତ ସ୍ୱପ୍ନକଥା ମନ୍ତ୍ରୀଙ୍କୁ କହିଲେ । ପୁଅମାନେ ଏ କଥା ଶୁଣି ଆନନ୍ଦରେ ନିଜ ନିଜକୁ ବଳିଦେବାକୁ ପ୍ରସ୍ତୁତ ହେଲେ । ସେ ଦିନ ତାଙ୍କର ବଡ଼ ପୁଅ ରାଜଗାଦିରେ ବସିଲା । ତିନି ଦିନ ମାତ୍ର ରାଜା ହୋଇ ଯୁଦ୍ଧକୁ ଗଲା, ସେଇ ଯୁଦ୍ଧରେ ସେ ପ୍ରାଣତ୍ୟାଗ କଲା । ଏହିପରି ଏଗାର ପୁଅ ଯାକ ତିନି ଦିନ ଲେଖାଏଁ ରାଜା ହୋଇ ଯୁଦ୍ଧରେ ମଲେ । ଶେଷକୁ ସାନ ପୁଅ ଥିଲା । ଭାଇମାନଙ୍କ ପରି ରାଜ୍ୟ ପାଇଁ ଜୀବନ ଦେବାକୁ ତା’ର ଭାରି ଆଗ୍ରହ । ମାତ୍ର ରାଣା ତାକୁ ରାଜଗାଦିରେ ବସାଇଲେ ନାହିଁ । ସେ ବାରମ୍ୱାର କହିବାରୁ ତା’ କଥା ନ ମାନି ତାକୁ ଗୋଟିଏ ବିଶ୍ୱସ୍ତ ଚାକର ସଙ୍ଗରେ ବଣକୁ ପଠାଇ ଦେଲେ । ସେଦିନ ସେ ନିଜେ ରାଜମୁକୁଟ ପିନ୍ଧି ଯୁଦ୍ଧକୁ ଗଲେ । ତାଙ୍କର ସ୍ୱପ୍ନ ସଫଳ ହେଲା । ଯୁଦ୍ଧରେ ସେ ପ୍ରାଣତ୍ୟାଗ କଲେ । ମେବାରର ସ୍ୱାଧୀନତା ଲକ୍ଷ୍ମୀ ମୁସଲମାନ୍‌ମାନଙ୍କର ହାତକୁ ଗଲା । ମହାରାଣୀ ପଦ୍ମିନୀ ସ୍ୱାମୀଙ୍କର ପତନ ଖବର ପାଇବା ମାତ୍ରକେ ଚିତା ପ୍ରସ୍ତୁତ କରିବାପାଇଁ ଆଦେଶ ଦେଲେ । ସେହି ମୁହୂର୍ତ୍ତରେ ଚନ୍ଦନକାଠରେ ନିଆଁ ଲଗାଇ ଚିତା ପ୍ରସ୍ତୁତ କରାଗଲା । ପଦ୍ମିନୀ ନୂଆ ଅଳଙ୍କାର, ନୂଆ ଲୁଗାରେ ଭୂଷିତ ହୋଇ ସେଥିରେ ଝାସ ଦେଲେ । ନଅରର ଅନ୍ୟାନ୍ୟ ସ୍ତ୍ରୀମାନେ ମଧ୍ୟ ଟିକିଏ ସୁଦ୍ଧା କୁଣ୍ଠିତ ନ ହୋଇ ପଦ୍ମିନୀଙ୍କ ସାଙ୍ଗରେ ନିଆଁରେ ପଶିଲେ ।

 

ଯୁଦ୍ଧ ପରେ ଆଲ୍ଲାଉଦ୍ଦିନ ପଦ୍ମିନୀଙ୍କୁ ନେବେ ବୋଲି ବଡ଼ ଆଶା ବାନ୍ଧି ଚିତୋର ଭିତରେ ପଶିଲେ; ମାତ୍ର ଚିତୋର ଆଉ ପୂର୍ବର ଚିତୋର ନୁହେଁ । ସେଥିରେ ଗୋଟିଏ ସୁଦ୍ଧା ଲୋକ ଦେଖା ଗଲେ ନାହିଁ । ସମସ୍ତେ ତ ଯୁଦ୍ଧରେ ମରିଥିଲେ । ଆଉ ଯେ ସ୍ତ୍ରୀମାନେ ଥିଲେ, ସେମାନେ ଅଗ୍ନିକୁଣ୍ଡରେ ପଶି ସେତେବେଳକୁ ସ୍ୱର୍ଗକୁ ଯାଇସାରିଥିଲେ । ଆଲ୍ଲା ଆସି ଦେଖନ୍ତି ତ ଚାରିଆଡ଼ ନିର୍ଜ୍ଜନ । ଶ୍ମଶାନ ପରି ତାଙ୍କୁ ଚିତୋର ଖାଇ ଖାଇ ଗୋଡ଼ାଇଲା । ସେ ଡରି ସେଠାରୁ ପଳାଇଗଲେ-

Image

 

ଗଜପତି ପୁରୁଷୋତ୍ତମ ଦେବ

 

ପଞ୍ଚଦଶ ଶତାବ୍ଦୀ ବେଳକୁ ଭାରତର ବହୁତ ରାଜ୍ୟରେ ମୁସଲ୍‌ମାନମାନେ ରାଜା ହୋଇଥିଲେ । ମାତ୍ର ଆମ ଓଡ଼ିଶାରେ ହିନ୍ଦୁରାଜା ରାଜତ୍ୱ କରୁଥିଲେ । ସେ ସମୟର ପ୍ରସିଦ୍ଧ ଓଡ଼ିଆ ରାଜା କପିଳେନ୍ଦ୍ରଦେବ ୧୪୨୫ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ । ତାଙ୍କ ପରେ ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ ରାଜସିଂହାସନରେ ବସିଲେ ।

 

ପୁରୁଷୋତ୍ତମ କପିଳେନ୍ଦ୍ରଦେବଙ୍କ ଦାସୀ ପୁଅ । ତାଙ୍କ ନିଜ ରାଣୀଙ୍କର ଆହୁରି ଅଠର ପୁଅ ଥିଲେ, ମାତ୍ର କପିଳେନ୍ଦ୍ରଦେବ ପୁରୁଷୋତ୍ତମଙ୍କୁ ସବୁଠୁଁ ବେଶି ଭଲ ପାଉଥିଲେ । ପୁରୁଷୋତ୍ତମ ଖୁବ୍‌ ସାଧୁ ପ୍ରକୃତିର ଲୋକ, ସେ ଖୁବ୍‌ ବୀର ଓ ବିନୟୀ । ରାଜ୍ୟର ପ୍ରତ୍ୟେକ ପ୍ରଜା ତାଙ୍କୁ ଦେଖିଲେ ଭାରି ଖୁସି ହୋଇଯାନ୍ତି । ଶତ୍ରୁଟାଏ ହେଉ ନା କାହିଁକି, ତାଙ୍କୁ ଦେଖିଲେ ତାଙ୍କ ସାଙ୍ଗରେ ଘଣ୍ଟାଏ କଥାବାର୍ତ୍ତା ନ ହୋଇ ରହି ପାରୁ ନ ଥିଲା ।

 

ପୁରୁଷୋତ୍ତମ ଦେବ ପିଲା ସମୟରେ ଖୁବ୍‌ ବୀରତ୍ୱର ସହିତ ବହୁତ ବିଦ୍ରୋହ ଦମନ କରିଥିଲେ । ତାଙ୍କର ଏହିସବୁ ଅସାଧାରଣ ଗୁଣ ଦେଖି ରାଜା କପିଳେନ୍ଦ୍ର ଦେବ ତାଙ୍କୁ ରାଜଗାଦି ଦେଲେ । ତାଙ୍କର ଅନ୍ୟ ଅଠର ପୁଅ ଏଥିରେ ବିରକ୍ତ ହୋଇ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଠିଆ ହେଲେ ।

 

ପୁରୁଷୋତ୍ତମ ରାଜଗାଦିରେ ବସି ଦେଖିଲେ ଯେ, ତାଙ୍କର ଶତ୍ରୁ ଅନେକ । ତାଙ୍କର ଅଠର ଭାଇ ରାଜ୍ୟଯାକ ହୁଳସ୍ଥୁଳ ପକାଇ ଦେଇଛନ୍ତି । ଏଥିରେ ସେ ଟିକିଏ ହେଲେ ବିଚଳିତ ହେଲେ ନାହିଁ । ପ୍ରଥମେ ଭାଇଙ୍କ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କଲେ । ବହୁତ ଥର ଯୁଦ୍ଧ ଲାଗିଲା । ପ୍ରତ୍ୟେକ ଯୁଦ୍ଧରେ ଭାଇଯାକ ପରାସ୍ତ ହୁଅନ୍ତି, ସେନାପତିଙ୍କ ଦ୍ୱାରା ବନ୍ଦୀ ହୁଅନ୍ତି; ମାତ୍ର ଦୟାଳୁ ପୁରୁଷୋତ୍ତମ ସେମାନଙ୍କୁ ସାଙ୍ଗେ ସାଙ୍ଗେ ଖଲାସ କରି ଦିଅନ୍ତି । ମୁକ୍ତ ହେଲା ମାତ୍ରକେ ସେମାନେ ପୁଣି ଯାଇ ବିଦ୍ରୋହ ଆରମ୍ଭ କରନ୍ତି ।

 

ଏହିପରି ଥରକୁ ଥର ହେଲା । ରାଜ୍ୟର ବହୁତ ଟଙ୍କା ଖର୍ଚ୍ଚ ହେଲା, ବହୁତ ସୈନ୍ୟ ମଲେ । ଶେଷରେ ସେନାପତି ସମସ୍ତଙ୍କୁ ଏକାବେଳକେ ବନ୍ଦୀ କଲେ । ଏ ଥରକ ଠିକ୍‌ ହେଲା ଯେ, ଅଠର ଭାଇଯାକ ପ୍ରାଣଦଣ୍ଡ ପାଇବେ । ଆଉ ଜୀବନରେ ଥିଲେ ସିନା ଥରକୁ ଥର ବିଦ୍ରୋହୀ ହେବେ !

 

ଶୂଳିଆପଦା ଠିକ୍‌ ହେଲା । ହଜାର ହଜାର ଲୋକ ଶୂଳୀ ଦେଖିବାକୁ ଆସି ରୁଣ୍ଡ ହେଲେ-। ସମସ୍ତେ ବ୍ୟାକୁଳ ଭାବରେ ଚାହିଁଥାନ୍ତି । ମନେ ମନେ ଭାବୁଥାନ୍ତି, ‘ଏମାନେ ରାଜଗାଦିରେ ବସିଥାନ୍ତେ, ମାତ୍ର ଏପରି କର୍ମ ଯେ ଶୂଳୀଗାଦିରେ ବସିବେ ।’

 

ଠିକ୍‌ ସମୟକୁ ଗଜପତି ପୁରୁଷୋତ୍ତମ ଦେବ ଆସି ସେଠାରେ ପହଞ୍ଚିଲେ । ସେତିକିବେଳେ ଅଠର ଭାଇଯାକ ଗୋଟି ଗୋଟି ହୋଇ ଶୂଳୀ ପାଇବାର କଥା । ମାତ୍ର ଦୟାଳୁ ପୁରୁଷୋତ୍ତମ ଯାଇ ସମସ୍ତଙ୍କ ହାତ ନିଜେ ଫିଟେଇ ଦେଇ କହିଲେ, ‘‘ତୁମ୍ଭଙ୍କୁ ଶୂଳୀ ପରିବର୍ତ୍ତନରେ ଖଣ୍ଡେ ଖଣ୍ଡେ ରାଜ୍ୟ ଦିଆଗଲା । ଯାଇ ଆନନ୍ଦରେ ରାଜତ୍ୱ କର ।’’ ଏ ଘଟନା ଦେଖି ଦର୍ଶକମାନେ ଆନନ୍ଦରେ ତାଳି ଉପରେ ତାଳି ଦେଲେ । ରାଜାଙ୍କୁ ସମସ୍ତେ ଧନ୍ୟ ଧନ୍ୟ କହିବାକୁ ଲାଗିଲେ । ଅଠର ଭାଇଯାକ ନିଜ ଦୋଷ ଜାଣିପାରି ପୁରୁଷୋତ୍ତମ ଦେବଙ୍କ ଗୋଡ଼ତଳେ ପଡ଼ିଗଲେ ।

 

ରାଜ୍ୟରୁ ବିଦ୍ରୋହ କମିଗଲା । ପୁରୁଷୋତ୍ତମ ଦେବ ଶାନ୍ତିରେ ରାଜ୍ୟ ଚଳାଇଲେ । ଭାଇଯାକ ଆନନ୍ଦରେ ତାଙ୍କ ଅଧୀନରେ ରହି ଖଣ୍ଡିଏ ଖଣ୍ଡିଏ ଛୋଟ ରାଜ୍ୟ ବୁଝାସୁଝା କଲେ ।

 

ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କୁ ଭାରି ଭକ୍ତି କରୁଥିଲେ । ପ୍ରତିଦିନ ଜଗନ୍ନାଥ ଦର୍ଶନ ନ କଲେ ସେ ଅନ୍ନଜଳ ଛୁଉଁ ନ ଥିଲେ । ରାଜ୍ୟର ପ୍ରତ୍ୟେକ ହାନି ଲାଭ ସେ ଜଗନ୍ନାଥଙ୍କ ନାଁ ଧରି ବୁଝାବୁଝି କରନ୍ତି ।

 

ସେହି ସମୟରେ ଓଡ଼ିଶାର ଦକ୍ଷିଣରେ କାଞ୍ଚୀ ବୋଲି ଖଣ୍ଡିଏ ରାଜ୍ୟ ଥାଏ । ସେହି କାଞ୍ଚୀରାଜାଙ୍କର ଗୋଟିଏ ପରମାସୁନ୍ଦରୀ କନ୍ୟା ଥାନ୍ତି । ତାଙ୍କ ନାଁ ପଦ୍ମାବତୀ । ପଦ୍ମାବତୀଙ୍କ ପରି ରୂପଗୁଣରେ ସେ ସମୟରେ ଆଉ କେହି ସମକଛ ନ ଥିଲେ । କାଞ୍ଚୀରାଜା ପୁରୁଷୋତ୍ତମ ଦେବଙ୍କ ବୀରତ୍ୱ ଓ ଯଶରେ ମୁଗ୍ଧ ହୋଇ ତାଙ୍କୁ ନିଜ କନ୍ୟାଟି ବିବାହ ଦେବେ ବୋଲି ମନସ୍ଥ କରିଥିଲେ ।

 

ପ୍ରତିବର୍ଷ ରଥଯାତ୍ରା ସମୟରେ ଜଗନ୍ନାଥ ରଥକୁ ଆସିଲାବେଳେ ପୁରୁଷୋତ୍ତମ ଦେବ ତାଙ୍କ ଆଗେ ଆଗେ ବାଟ ସଫା କରି ଆସୁଥାନ୍ତି । ରଥ ଉପରେ ଜଗନ୍ନାଥ ବସିବା ଆଗରୁ ରଥ ମଧ୍ୟ ଥରେ ପହଁରି ସଫା କରି ଦିଅନ୍ତି । ଏହାକୁ ‘ଛେରାପହଁରା’ କହନ୍ତି । ପୁରୁଷୋତ୍ତମ ଦେବ ଏଡ଼େ ବଡ଼ ରାଜ୍ୟର ରାଜା ହେଲେ ସୁଦ୍ଧା ସେ ନିଜ ହାତରେ ଏ ଛେରାପହଁରା କରନ୍ତି । ଥରେ ରଥଯାତ୍ରାକୁ କାଞ୍ଚୀରାଜା ପୁରୀ ଆସିଥିଲେ । ସେ ଦେଖିଲେ ଯେ, ପୁରୁଷୋତ୍ତମ ଦେବ ନିଜେ ଛେରାପହଁରା କରୁଛନ୍ତି । ଏ କଥା ତାଙ୍କୁ ବଡ଼ ଖରାପ ଲାଗିଲା । ସେ ମନେ ମନେ ଭାବିଲେ, ‘‘ଏ ଏଡ଼େ ବଡ଼ ରାଜା; ମାତ୍ର ଏହାର ଟିକିଏ ଆତ୍ମସମ୍ମାନ ନାହିଁ ! ଏ ଗୋଟାଏ ଚଣ୍ଡାଳର କାମ କରୁଛି । ଏଟାକୁ ଝିଅ ଦେଲେ ମୋର ଚାରିଆଡ଼େ ନିନ୍ଦା ହେବ ।’’

 

ରଥଯାତ ସଇଲା । ନିର୍ଦ୍ଦିଷ୍ଟ ଦିନ ବିଭାଘର କଥା ବୁଝିବା ପାଇଁ ଓଡ଼ିଶାରୁ ଦୂତ କାଞ୍ଚି ରାଜସଭାକୁ ଗଲା । କାଞ୍ଚିରାଜା ତ ଆଗରୁ ଚିଡ଼ିଥିଲେ । ଦୂତକୁ ଦେଖିବା ମାତ୍ରକେ ରାଗରେ କମ୍ପି ଉଠିଲେ । କହିଲେ, ‘‘ତୋ’ର ପ୍ରଭୁ ରାଜା ନୁହେଁ, ସେ ଗୋଟାଏ ଚଣ୍ଡାଳ । ଚଣ୍ଡାଳର କାମ କରେ । ମୁଁ ତାକୁ ଜୁଆଇଁ କରି ପାରିବି ନାହିଁ ।’’

 

ଏ କଥାରେ ଦୂତର ମନରେ ବଡ଼ ରାଗ ହେଲା । ମାତ୍ର ସେ ତା’ ରାଗ ସମ୍ଭାଳି ଆସି ଓଡ଼ିଶା ରାଜସଭାରେ ସବୁ କଥା କହିଲା । ଏ କଥା ଶୁଣିବା ମାତ୍ରକେ, ମନ୍ତ୍ରୀ, ସେନାପତି ଓ ଅନ୍ୟାନ୍ୟ ପାଖ ଲୋକମାନେ କମ୍ପିଉଠିଲେ । ସମସ୍ତେ ଏକାବେଳକେ କହିଲେ, ‘‘କ’ଣ, ତା’ର ଏତେ ଦିମାକ ! ଆମ ରାଜାଙ୍କୁ ଚଣ୍ଡାଳ ବୋଲି କହିଲା । ଦେଖିବା ଦେଖି ଆମେ କିପରି ଚଣ୍ଡାଳ, ସେ କିପରି କ୍ଷତ୍ରିୟ !’’ ସେହି ଦିନକ ଭିତରେ ଦେଶତମାମ ପ୍ରଚାର ହୋଇଗଲା ଯେ, କାଞ୍ଚିରାଜା ବିରୁଦ୍ଧରେ ଯୁଦ୍ଧ ହେବ । ଯୁଦ୍ଧ କଥା ଶୁଣି ଯେ ଯୁଆଡ଼େ ଥିଲେ, ସମସ୍ତେ ଆସି ସେନାପତି ପାଖରେ ରୁଣ୍ଡ ହେଲେ । ବ୍ରାହ୍ମଣ ତା’ର ପୂଜା ସେବା ଛାଡ଼ି, କୃଷକ ଜମିଚାଷ ଛାଡ଼ି, ବେପାରୀ ବେପାର ଛାଡ଼ି ସମସ୍ତେ ଧାଇଁଲେ । ସମସ୍ତଙ୍କ ମୁହଁରେ ଏକ କଥା, ‘‘କ’ଣ, ଆମ ରାଜାଙ୍କୁ ଅପମାନ ଦେଲା ! ଚଣ୍ଡାଳ ବୋଲି କହିଲା !!

 

ପୁରୁଷୋତ୍ତମ ଦେବ ପ୍ରତ୍ୟେକ ଥର ଯୁଦ୍ଧକୁ ଯିବା ଆଗରୁ ଜଗନ୍ନାଥଙ୍କ ମନ୍ଦିରରେ ଅଧିଆ ପଡ଼ନ୍ତି । ଏଥର ମଧ୍ୟ ଯାଇ ଅଧିଆ ପଡ଼ିଲେ । ସକାଳୁ ବଡ଼ ସମାରୋହରେ ଯୁଦ୍ଧଯାତ୍ରା ହେଲା । ଆଗ ଶହ ଶହ ଗାଡ଼ିରେ ଖାଦ୍ୟ ଜିନିଷ ସବୁ ବୁହା ହେଲା । ପରେ ହଜାର ହଜାର ସୈନ୍ୟ ଆନନ୍ଦ ମନରେ ଚାଲିଥାନ୍ତି । କେତେ ହାତୀ, କେତେ ଘୋଡ଼ା, ତା’ର କଳନା ନ ଥାଏ । ଖରାଦିନ ସକାଳ, ଚାରିଆଡ଼େ କଅଁଳିଆ ଖରା ପଡ଼ିଛି; ହଜାର ହଜାର ଖଣ୍ଡା ସେ ଖରାରେ ଝଲସି ଉଠୁଛି । ପତାକାଗୁଡ଼ାକ ଫର ଫର ହୋଇ ଉଡ଼ି ଭାରି ସୁନ୍ଦର ଦେଖା ଯାଉଛି ।

 

ସମସ୍ତଙ୍କ ଆଗରେ ବହୁତ ଦୂରରେ ଦୁଇଜଣ ବୀର ସେନାପତି ବେଶରେ ଦୁଇଟା ଘୋଡ଼ାରେ ବସି ଚାଲିଛନ୍ତି । ଗୋଟାଏ ଘୋଡ଼ା କଳା, ଅନ୍ୟଟି ଧଳା । ଯୁଦ୍ଧ ପୋଷାକ ଦିନ୍ଧି ଦୁହେଁଯାକ ଭାରି ସୁନ୍ଦର ଦେଖା ଯାଉଛନ୍ତି । କମରରେ ଖଣ୍ଡା ଝୁଲି ପଡ଼ିଛି । ଘୋଡ଼ା କଦମ ପକାଇଲାବେଳକୁ ସେ ରଣଝଣ ହୋଇ ତଳ ଉପରେ ହେଉଛି । ଯୁବକଙ୍କର ମୁହଁରେ ବିନ୍ଦୁ ବିନ୍ଦୁ ଝାଳ ଲାଗି ଭାରି ସୁନ୍ଦର ଦେଖାଯାଉଛି । ସକାଳର କଅଁଳିଆ ଖରା ମୁହଁରେ ପଡ଼ୁଥିବାରୁ ମୁହଁ ଦୁଇଟି ଝଟକି ଉଠୁଛି । ଏ ଦୁଇଜଣ କିଏ, ଜାଣ ? ଏ ନିଜେ ଜଗନ୍ନାଥ ଓ ବଳରାମ । ଭକ୍ତ ପୁରୁଷୋତ୍ତମଙ୍କୁ ଯୁଦ୍ଧରେ ସାହାଯ୍ୟ ଦେବାକୁ ନିଜେ ଯୁଦ୍ଧକ୍ଷେତ୍ରକୁ ଚାଲିଛନ୍ତି । ତୁମ୍ଭେମାନେ ମହାଭାରତରେ ପଢ଼ିଥିବ, ନିଜେ ଶ୍ରୀକୃଷ୍ଣ ଭକ୍ତ ପାଣ୍ଡବମାନଙ୍କ ପକ୍ଷରେ ରହି ଯୁଦ୍ଧବେଳେ ତାଙ୍କ ରଥ ଚଳାଉଥିଲେ । ଭକ୍ତଙ୍କ ପ୍ରତି ଠାକୁରଙ୍କର କେଡ଼େ ଦୟା !

 

କ୍ରମେ କ୍ରମେ ଆସି ଦିନ ଦି’ ପହର ହେଲା । ଜଗନ୍ନାଥଙ୍କୁ ବଡ଼ ଶୋଷ କଲା । ସେ ଯାଉ ଯାଉ ବାଟରେ ଦେଖିଲେ ଯେ ଗୋଟିଏ ଗଉଡ଼ୁଣୀ ବସି ଦହି ବିକୁଛି । ସେ ଦୁହେଁଯାକ ସେଠାରେ ଘୋଡ଼ାରୁ ଓହ୍ଲାଇ ଗଛମୂଳେ ବସିଲେ । ଗଉଡ଼ୁଣୀ ପାଖରୁ ମନଇଚ୍ଛା ଦହି ପିଇଲେ । ଟିକିଏ ଛାଇରେ ବିଶ୍ରାମ ନେଇ ପୁଣି ଘୋଡ଼ାରେ ଚଢ଼ି ଯିବାକୁ ବାହାରିଲେ ।

 

ସେ ଗଉଡ଼ୁଣୀ ନା ମାଣିକ । ସେ ତ ଆଉ ୟା’ଙ୍କୁ ଜଗନ୍ନାଥ ବଳରାମ ବୋଲି ଜାଣେ ନାହିଁ । ଏ ଘୋଡ଼ାରେ ଚଢ଼ିବାର ଦେଖି ମାଣିକ ଦହି ମୂଲ ମାଗିଲା । ଜଗନ୍ନାଥଙ୍କ ପାଖରେ ତ ପଇସା ନ ଥିଲା । ସେ କ’ଣ କଲେ ନା, ନିଜର ରତ୍ନମୁଦିଟି ମାଣିକ ହାତକୁ ବଢ଼ାଇ ଦେଲେ । ତାକୁ କହିଲେ, ‘‘ଏ ମୁଦି ରଖ । ଆମ ପଛରେ ଜଣେ ରାଜା ଆସୁଛନ୍ତି । ତାଙ୍କୁ ଏ ମୁଦି ଦେଖାଇଲେ, ସେ ତୋ ଦହି ମୂଲ ଦେଇଦେବେ ।’’ ମାଣିକ ମୁଦିଟି ଧରି ସେଇ ଗଛମୂଳରେ ବସି ରହିଲା । ଜଗନ୍ନାଥ ବଳରାମ ଘୋଡ଼ାରେ ଚଢ଼ି କ୍ଷଣକ ମଧ୍ୟରେ କୁଆଡ଼େ ଅଦୃଶ୍ୟ ହୋଇଗଲେ ।

Image

(ନିଜର ରତ୍ନମୁକୁଟ...........ବଢ଼ାଇ ଦେଲେ)

 

କିଛି ସମୟ ଗଲା । ପୁରୁଷୋତ୍ତମ ଦେବ ଓ ତାଙ୍କ ସୈନ୍ୟ ସାମନ୍ତ ଆସି ସେଠି ପହଞ୍ଚିଲେ । ମାଣିକ ଆସି ରାଜାଙ୍କୁ ସେ ମୁଦିଟି ଦେଖେଇ ସବୁ କଥା କହିଗଲା । ରାଜା ତା’ କଥା ଶୁଣି ଆନନ୍ଦରେ ଗଡ଼ିଗଲେ । ସୈନ୍ୟମାନଙ୍କ ମଧ୍ୟରେ ଆନନ୍ଦର ଢେଉ ଖେଳିଗଲା । ‘‘ନିଜେ ଜଗନ୍ନାଥ ମହାପ୍ରଭୁ ଆମ ପଟରେ ଯୁଦ୍ଧ କରିବାକୁ ଯାଇଛନ୍ତି; ତେବେ ଆଉ ଭୟ କ’ଣ ?’’ ଏହି କଥା ସମସ୍ତଙ୍କ ମୁହଁରୁ ଶୁଣାଗଲା । ଆଗଠୁଁ ଦି’ଗୁଣ ଉତ୍ସାହରେ ବାଟ ଚାଲିବାକୁ ଲାଗିଲେ ।

 

ପୁରୁଷୋତ୍ତମ ଦେବ ମାଣିକକୁ ଦହି ମୂଲ୍ୟ ବା କ’ଣ ଦେବେ ? ସେ ସେଠାରେ ଖଣ୍ଡିଏ ଗାଁ ତା’ ନା’ରେ କରିଦେଲେ । ସେ ଗାଁ ନା ହେଲା ‘ମାଣିକ ପାଟଣା’ । ଆଜି କାଲି ମଧ୍ୟ ସେ ଗାଁକୁ ‘ମାଣିକ ପାଟଣା’ କହନ୍ତି । ସେଠି ଆଜି କାଲି ଯେଡ଼େ ସୁନ୍ଦର ଦହି ମିଳେ, ସେମିତି ଦହି ଆଉ କେଉଁଠି ମିଳେ ନାହିଁ ।

 

ସୈନ୍ୟମାନେ କାଞ୍ଚିରେ ପହଞ୍ଚିଲେ । କାଞ୍ଚିରାଜା ମଧ୍ୟ ଆଗରୁ ନିଜର ସୈନ୍ୟ ସଂଗ୍ରହ କରିଥିଲେ । ଭୟଙ୍କର ଯୁଦ୍ଧ ହେଲା । ଲକ୍ଷ ଲକ୍ଷ ଲୋକ ମରି ଶୋଇଲେ । ରକ୍ତରେ ସେ ଜାଗାଟା କାଦୁଅ ପାଲଟିଗଲା । କେତେ ଖଣ୍ଡିଆ ମୁର୍ଦ୍ଦାର ସବୁ ପଡ଼ିଲେ ତା’ କଳନା କରି ହେଲା ନାହିଁ । ଯାହା ହେଉ ସନ୍ଧ୍ୟାବେଳକୁ ଯୁଦ୍ଧ ସଇଲା । ଗଜପତି ପୁରୁଷୋତ୍ତମ ଦେବ ଜୟୀ ହେଲେ । କାଞ୍ଚିରାଜା ବନ୍ଦୀ ହୋଇ ପୁରୁଷୋତ୍ତମ ଦେବଙ୍କ ଶିବିରକୁ ଅଣାଗଲେ ।

 

ଆଗରୁ ଜାଣିଛ ତ ପୁରୁଷୋତ୍ତମ ଦେବ ବଡ଼ ଦୟାଳୁ । ସେ କାଞ୍ଚିରାଜାଙ୍କୁ ନିଜ ହାତରେ ଫିଟାଇ ଦେଲେ । ତାଙ୍କ ରାଜ୍ୟ ତାଙ୍କୁ ଦେଇ ନିଜ ରାଜଧାନୀକୁ ଫେରି ଆସିଲେ । ଆସିଲାବେଳେ ସାଙ୍ଗରେ ପଦ୍ମାବତୀଙ୍କୁ ଆଣିଲେ ।

 

ଏତେ କଥା ହେଲା, ମାତ୍ର କାଞ୍ଚିରାଜା ପୁରୁଷୋତ୍ତମ ଦେବଙ୍କୁ ଚଣ୍ଡାଳ କହିଥିଲେ, ଏ ରାଗ ତାଙ୍କର ଯାଇ ନ ଥାଏ । ସେ ପଦ୍ମାବତୀଙ୍କୁ ମନ୍ତ୍ରୀଙ୍କ ଜିମା ଦେଇ କହିଲେ, ‘‘ନିଅ ଏହାଙ୍କୁ ତମ ଘରେ ରଖ । ଗୋଟିଏ ଚଣ୍ଡାଳ ସହ ଏହାଙ୍କର ବିବାହ କରାଇବା ।’’ ଏ କଥା ଶୁଣି ପଦ୍ମବତୀଙ୍କ ମନରେ ବଡ଼ କଷ୍ଟ ହେଲା । ମାତ୍ର ତାଙ୍କର ଚାରା କ’ଣ ଅଛି ? ମନ୍ତ୍ରୀ ପଦ୍ମାବତୀଙ୍କୁ ନେଇ ନିଜ ଘରେ ଖୁବ୍‌ ଯତ୍ନରେ ରଖିଲେ ।

 

ପୁଣି ରଥଯାତ୍ରା ଦିନ ଆସିଲା । ହଜାର ହଜାର ଲୋକ ପୁରୀରେ ରଥ ଦେଖିବାକୁ ଆସି ରୁଣ୍ଡ ହେଲେ । ଜଗନ୍ନାଥଙ୍କର ପହଣ୍ଡି ହେଲାବେଳେ ପୁରୁଷୋତ୍ତମ ଦେବ ଆଗେ ଆଗେ ଛେରାପହଁରା କରି କରି ଆସୁଥାନ୍ତି । ଏତିକିବେଳେ ସୁଯୋଗ ଦେଖି ମନ୍ତ୍ରୀ ଆସି ପହଞ୍ଚିଲେ । ସାଙ୍ଗରେ ପଦ୍ମାବତୀ ଥା’ନ୍ତି । ମନ୍ତ୍ରୀ ରାଜାଙ୍କୁ କହିଲେ, ‘‘କାଞ୍ଚିରାଜା ଏ କାମକୁ ଚଣ୍ଡାଳର କାମ ବୋଲି କହିଥିଲେ । ଆପଣ ବର୍ତ୍ତମାନ ସେ କାମ କରୁଛନ୍ତି । ତେଣୁ ବର୍ତ୍ତମାନ ଆପଣ ଚଣ୍ଡାଳ । କାଞ୍ଚିର କାଞ୍ଚନଜେମା ରୂପଗୁଣସମ୍ପନ୍ନା ପଦ୍ମାବତୀଙ୍କୁ ଗୋଟିଏ ଚଣ୍ଡାଳ ହାତରେ ଦେବାକୁ ଆପଣ ମତେ କହିଥିଲେ । ମୁଁ ଆପଣଙ୍କ ହାତରେ ହିଁ ଦେଲି ।’’

 

ମନ୍ତ୍ରୀ ଏ କଥା କହିଲାବେଳେ ସେ ହଜାର ହଜାର ତୁଣ୍ଡ ନିସ୍ତବ୍ଧ ହୋଇ ଯାଇଥିଲା । ଏ କଥା ଶୁଣି ସମସ୍ତେ ଆନନ୍ଦରେ ମନ୍ତ୍ରୀଙ୍କୁ ଧନ୍ୟ ଧନ୍ୟ କହି ଉଠିଲେ । ରାଜା ମଧ୍ୟ ମନ୍ତ୍ରୀଙ୍କ ବୁଦ୍ଧି ଦେଖି ଅବାକ୍ ହୋଇଗଲେ । ପଦ୍ମାବତୀଙ୍କୁ ବିଭା ହେବାକୁ ଆନନ୍ଦ ମନରେ ରାଜିହେଲେ । ଦର୍ଶକମାନେ ହରିବୋଲ, ହୁଳହୁଳି ଧ୍ୱନିରେ ଗଗନ କମ୍ପାଇ ଦେଲେ ।

 

ପଦ୍ମାବତୀ ଓଡ଼ିଶାର ପାଟରାଣୀ ହେଲେ । ମହାବୀର ପ୍ରତାପରୁଦ୍ର ଦେବ ଏହାଙ୍କ ପୁତ୍ର-। ଗଜପତି ପୁରୁଷୋତ୍ତମ ପଦ୍ମାବତୀଙ୍କୁ ପାଇ ଆନନ୍ଦମନରେ ଶାନ୍ତିରେ ରାଜ୍ୟ ଚଳାଇଲେ ।

Image

 

ମୋଗଲରାଜ ହୁମାୟୁନ

 

ବାବର ମୁସଲମାନମାନଙ୍କୁ ପରାସ୍ତ କରି ଭାରତରେ ମୋଗଲରାଜ୍ୟ ସ୍ଥାପନ କଲେ । ତାଙ୍କ ପରେ ତାଙ୍କର ପୁଅ ହୁମାୟନ ଭାରତର ରାଜଗାଦିରେ ବସିଲେ ।

 

ହୁମାୟୁନ୍ ଯେତେବେଳେ ପିଲା, ସେତେବେଳେ ତାଙ୍କର ଦିହ ଭାରି ଖରାପ ହୋଇଥିଲା । ବହୁତ ବୈଦ୍ୟ, ଡାକ୍ତର ଲାଗିଲେ ମାତ୍ର କେହି ତାଙ୍କୁ ଭଲ କରି ପାରିଲେ ନାହିଁ । ଏହିପରି ବହୁତ ଦିନ କଟିଗଲା । ସମସ୍ତେ ହୁମାୟୁନଙ୍କ ଆଶା ଛାଡ଼ି ବସିଲେ । ବାବର ପୁଅର ଏ ଅବସ୍ଥା ଦେଖି ଆଉ ଧୈର୍ଯ୍ୟ ଧରି ରହି ପାରିଲେ ନାହିଁ । ସେ ଚାରିଆଡ଼ୁ ଓଷଦପତ୍ରରୁ ନିରାଶ ହୋଇ କେବଳ ଭଗବାନଙ୍କ ଆଶ୍ରା ଧଇଲେ । ଥରେ ବଡ଼ ବ୍ୟାକୁଳ ହୃଦୟରେ ହୁମାୟୁନଙ୍କ ଶେଯ ଚାରିଆଡ଼େ ବୁଲି ଈଶ୍ୱରଙ୍କୁ ଡାକିଲେ । ତିନିଥର ବୁଲିଆସି ଗୋଟିଏ ପାଖରେ ଆଣ୍ଠୁମାଡ଼ି ବସିଲେ । ଭଗବାନଙ୍କୁ ପ୍ରାର୍ଥନା କରି କହିଲେ, ‘‘ହେ ପତିତପାବନ, ମୋର ପ୍ରାଣର ହୁମାୟନକୁ ଭଲ କରିଦିଅ-। ତା’ର ରୋଗ ମୋତେ ଦିଅ ।’’ ସତକୁ ସତ ହୁମାୟୁନ ସେହି ଦିନୁ କ୍ରମେ କ୍ରମେ ଭଲ ହେଲେ । ସେ ଯେଉଁ ପରିମାଣରେ ଭଲ ହେଉଥାନ୍ତି ବାବର ସେହି ପରିମାଣରେ ରୋଗରେ ପଡ଼ୁଥାନ୍ତି । ହୁମାୟୁନ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭକଲାବେଳକୁ ବାବର ବିଛଣା ଧଇଲେ । ସେହି ରୋଗରେ ସେ ପ୍ରାଣତ୍ୟାଗ କଲେ ।

 

ହୁମାୟୁନ ବାବରଙ୍କ ପରେ ରାଜଗାଦିରେ ବସିଲେ ସତ, ମାତ୍ର ଶାନ୍ତିରେ ରାଜ୍ୟ ଚଳାଇ ପାରିଲେ ନାହିଁ । ଶେର୍‌ଶାହ ନାମକ ଜଣେ ଲୋକ ତାଙ୍କର ଶତ୍ରୁ ହୋଇ ଉଠିଲେ । ସେ ଥରକୁ ଥର ହୁମାୟୁନଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି, ଖଣ୍ଡିଏ ଖଣ୍ଡିଏ ରାଜ୍ୟ ଦଖଲ କରିବା ଓ ଦେଶ ଲୁଟି କରିବାରେ ଲାଗିଲେ ।

 

Image

(ତିନିଥର ବୁଲିଆସି.........ଆଣ୍ଠୁ ମାଡ଼ି ବସିଲେ)

 

ଥରେ ହୁମାୟୁନ ତାଙ୍କ ସହିତ ଯୁଦ୍ଧ କରିବାକୁ ବହୁତ ସୈନ୍ୟସାମନ୍ତ ଘେନି ଗଲେ । ପ୍ରଥମଦିନ ଗଙ୍ଗାପାରହୋଇ ଆରକୂଳରେ ତମ୍ବୁ ପକାଇଲେ । ଶେରସାହ ରାତିକାରାତି ଆସି ଏମାନଙ୍କୁ ଚଢ଼ାଉ କଲେ । ସବୁ ସୈନ୍ୟଯାକ ମଲେ । ହୁମାୟୁନ ନିଜ ଘୋଡ଼ାରେ ଚଢ଼ି ଗଙ୍ଗାକୁ ଡେଇଁ ପଡ଼ିଲେ । ଭାବିଥିଲେ ଘୋଡ଼ା ପହଁରି ଆର କୂଳରେ ତାଙ୍କୁ ପହଞ୍ଚାଇଦେବ । ମାତ୍ର ଘୋଡ଼ା ଯାଇ ପାରିଲା ନାହିଁ, ମଝିରେ ଭାସିଗଲା । ଗଙ୍ଗା ବଢ଼ିଛି, ପାଣି ଏ କୂଳୁ ସେ କୂଳ ଖାଉଛି; ସେ ସୁଅରେ କି ଘୋଡ଼ା ଥୟ ପଡ଼ନ୍ତା ? ହୁମାୟୂନ ଠିକ୍ ବୁଡ଼ିଯିବ ଉପରେ, ‘ଜୀବନର ଆଶା ଛାଡ଼ି ସାଇଲେଣି । ହଠାତ୍ ଗୋଟିଏ ଭିସ୍ତି ତାଙ୍କୁ ଦେଖିଲା । ଭିସ୍ତି ଠିକ୍ ନୋଳିଆଙ୍କ ପରି । ପାଣିରେ ପହଁରିବା ତାଙ୍କର କାମ । ସେ ଭିସ୍ତିଟି ତତ୍‌କ୍ଷଣାତ୍ ହୁମାୟୁନଙ୍କ ପାଖକୁ ଯାଇ ତାଙ୍କୁ ପାଣିରୁ ଉଦ୍ଧାର କରି ଆଣିଲା ।

 

ହୁମାୟୁନ କୂଳରେ ପହଞ୍ଚି ସେ ଭିସ୍ତିକୁ କହିଲେ, ‘‘ତୁ ଆଜି ମୋର ଜୀବନ ରଖିଛୁ । ତୁ ଯଦି ଆଗ୍ରାକୁ ଯିବୁ, ତେବେ ମୁଁ ପ୍ରତିଜ୍ଞା କରୁଅଛି ଯେ, ତୋତେ ତିନିଘଣ୍ଟା ପାଇଁ ମୋର ରାଜଗାଦି, ରାଜକ୍ଷମା ସବୁ ଛାଡ଼ିଦେବି ।’’

 

ହୁମାୟୁନ ଆଗ୍ରାରେ ପହଞ୍ଚିବାର ଅଳ୍ପଦିନ ପରେ ଭିସ୍ତି ଯାଇ ସେଠାରେ ପହଞ୍ଚିଲା । ହୁମାୟୁନ ନିଜର କଥାମତେ ତାକୁ ତିନିଘଣ୍ଟା କାଳ ରାଜା କରାଇ ଥିଲେ । ସେହି ସମୟ ଭିତରେ ଭିସ୍ତିଟି ନିଜର ବ୍ୟବହୃତ ଚମଡ଼ା ମୁଣି କାଟି ନିଜ ନାଁରେ ମୂଦ୍ରା ଚଳାଇଥିଲା ।

 

ଶେରସାହ କ୍ରମେ କ୍ରମେ ଆଗ୍ରା ପର୍ଯ୍ୟନ୍ତ ରାଜ୍ୟ ଦଖଲ କରିଥିଲେ । ହୁମାୟୁନ ପ୍ରାଣ ଭୟରେ ଆଫଗାନିସ୍ଥାନକୁ ପଳାଇଲେ । ଯାଉଁ ଯାଉଁ ବାଟରେ ଆକ୍‌ବର ଜନ୍ମଗ୍ରହଣ କରିଥିଲେ । ଆଗ୍ରାର ରାଜଗାଦିରେ ଶେରସାହ ବସିଲେ ।

 

ଶେରସାହଙ୍କ ପରେ ତାଙ୍କ ବଂଶଧରମାନେ ଦୁର୍ବଳ ହୋଇପଡ଼ିଲେ । ହୁମାୟୁନ୍ ଆଫଗାନିସ୍ଥାନରୁ ଫେରି ଆସି ଯୁଦ୍ଧ କଲେ । ଯୁଦ୍ଧରେ ଜୟୀ ହୋଇ ପୁଣି ଭାରତର ସମ୍ରାଟ ହେଲେ । ମାତ୍ର ଅଳ୍ପଦିନ ଭିତରେ ତାଙ୍କର ମୃତ୍ୟୁ ହେଲା । ଆକ୍‌ବର ରାଜଗାଦିରେ ବସିଲେ ।

Image

 

ସମ୍ରାଟ ଆକ୍‌ବର

 

ଆକବର ମହାରାଜ ହୁମାୟୂନଙ୍କ ପୁଅ । ସେ ଏଡ଼େ ବଡ଼ ଭାରତର ସମ୍ରାଟଙ୍କ ପୁଅ, ପୁଣି ଭାରତର ଭାବୀ ସମ୍ରାଟ, କିନ୍ତୁ ତାଙ୍କ ପିଲାକାଳ ବଡ଼ କଷ୍ଟରେ ଠିକ୍ ଗୋଟିଏ ଭିକାରୀ ଗରିବ ପିଲାର ଦିନ ପରି କଟିଗଲା । ଯେତେବେଳେ ହୁମାୟୁନ ଶେରସାହଙ୍କ ଡ଼ରରେ ପଳାଇଥିଲେ, ସେତିକି ବେଳେ ବାଟରେ ମରୁଭୂମିରେ ଆକ୍‌ବର ଜନ୍ମ ହୋଇଥିଲେ । ପୁଅର ଜନ୍ମରେ ହୁମାୟୁନଙ୍କର ମନ ଅତ୍ୟନ୍ତ ବ୍ୟାକୁଳ ହୋଇ ପଡ଼ିଲା । ସେ କୌଣସି ପ୍ରକାର ଆନନ୍ଦ ଉତ୍ସବ କରି ପାରିଲେ ନାହିଁ, ସେଥିପାଇଁ ତାଙ୍କ ମନରେ ବଡ଼ କଷ୍ଟ ହେଲା । ସେ ପୁଅକୁ ନିଜର ଗୋଟିଏ ଭାଇ ପାଖରେ ରଖିଦେଇ ଆଫଗାନିସ୍ଥାନକୁ ପଳାଇଲେ ।

 

ପରେ ଆଫଗାନିସ୍ଥାନରୁ ଫେରିଆସି ଶତ୍ରୁମାନଙ୍କୁ ଜୟ କରି ହୁମାୟୁନ ରାଜା ହୋଇଥିଲେ । ଅଳ୍ପଦିନ ପରେ ସେ ମରିଯିବାରୁ ଆକ୍‌ବର ସମ୍ରାଟ୍ ହେଲେ । ସେତେବେଳକୁ ତାଙ୍କୁ ମୋଟେ ୧୦ବର୍ଷ । ବୈରାମ ଖାଁ ନାମରେ ତାଙ୍କର ଜଣେ ଦାଦି ତାଙ୍କର ସେତେବେଳେ ମୁରବୀ ହେଲେ । ହିମୁ ନାମରେ ଜଣେ ହିନ୍ଦୁ ସେନାପତି ଆକ୍‌ବରଙ୍କ ବିରୁଦ୍ଧରେ ଉଠିଲେ । ଭୟଙ୍କର ଯୁଦ୍ଧ ହେଲା, ମାତ୍ର ହିମୁ ପରାସ୍ତ ହୋଇ ବନ୍ଦୀ ହେଲେ । ବୈରାମ ହିମୁଙ୍କୁ ମାରିଦେବା ପାଇଁ ଆକ୍‌ବରଙ୍କୁ ଗୋଟିଏ ଖଣ୍ଡା ଆଣି ଦେଲେ । ମାତ୍ର ଆକ୍‌ବର ବଡ଼ ଦୟାଳୁ । ହିମୁଙ୍କୁ ମାରିବାକୁ ତାଙ୍କର ହାତ ଗଲାନାହିଁ । ସେ ଥିର୍‌କରି ଖଣ୍ଡାକୁ ହିମୁଙ୍କ ଦେହରେ ଲଗାଇ ଦେଇ ତଳେ ଥୋଇଦେଲେ । ବୈରାମ ଖାଁ ହିମୁଙ୍କୁ ଟିକି ଟିକି କରି କାଟି ପକାଇଲେ ।

 

ବୈରାମ ଖାଁ ସମ୍ରାଟ୍‌ଙ୍କ ମୁରବି ହୋଇ ରାଜ୍ୟରେ ବଡ଼ ଅତ୍ୟାଚାର କଲେ । କ୍ରମେ କ୍ରମେ ଅତ୍ୟାଚାର ଅସହ୍ୟ ହେବାରୁ ଆକ୍‌ବର କୌଶଳ କରି ନିଜେ ସ୍ୱାଧୀନ ହେଲେ । ୧୮ ବର୍ଷ ବୟସ ବେଳେ ରାଜ୍ୟର ସମୁଦାୟ ଭାର ନିଜେ ବୁଝିବାକୁ ଲାଗିଲେ । ବୈରାମ ଖାଁ ତୀର୍ଥ କରିବା ପାଇଁ ମକ୍କା ଗଲେ, ମାତ୍ର ବାଟରେ ଗୋଟିଏ ଲୋକ ତାଙ୍କୁ ମାରି ପକାଇଲା ।

 

ଆକ୍‌ବର ସ୍ୱାଧୀନ ହୋଇ ସୁନ୍ଦରଭାବରେ ରାଜ୍ୟ ଚଳାଇଲେ । ସେ ପ୍ରଥମେ କୌଶଳ କରି ରାଜପୁତ୍ ବୀରମାନଙ୍କୁ ନିଜର ବନ୍ଧୁ କରିନେଲେ । ତାଙ୍କରି ସାହାଯ୍ୟରେ ସେ ଅନ୍ୟାନ୍ୟ ରାଜ୍ୟ ଦଖଲ କରି ଭାରତର ଏ ମୁଣ୍ଡୁ ସେ ମୁଣ୍ଡୁଯାଏ ନିଜ ରାଜ୍ୟ ବଢ଼ାଇଲେ । ସେ ପିଲାଦିନେ ଲେଖାପଢ଼ା ମୋଟେ ଶିଖି ନ ଥିଲେ । ରାଜଗାଦିରେ ବସି ଅଳ୍ପ ଦିନ ଭିତରେ ଗୋଟିଏ ବଡ଼ ପଣ୍ଡିତ ହୋଇଉଠିଲେ । ସେ ବଡ଼ ଦୟାଳୁ ଓ ସାଧୁ ପ୍ରକୃତିର ଲୋକ ଥିଲେ ।

 

ତାଙ୍କର ପୂର୍ବପୁରୁଷ ରାଜାମାନେ ହିନ୍ଦୁମାନଙ୍କ ଉପରେ ବଡ଼ ଅତ୍ୟାଚର କରୁଥିଲେ; ହିନ୍ଦୁଙ୍କଠାରୁ ବହୁତ କର ଆଦାୟ କରୁ ଥିଲେ । ଆକବର ରାଜା ହେବା ମାତ୍ରକେ ହିନ୍ଦୁମାନଙ୍କ ଉପରୁ ଅଧିକା କର ଉଠାଇ ଦେଲେ । ତାଙ୍କୁ ବଡ଼ ବଡ଼ ଚାକିରି ଦେଲେ । ରାଜପୁତ୍ କନ୍ୟାକୁ ନିଜେ ବିବାହ ହୋଇଥିଲେ ଓ ନିଜର ପୁଅମାନଙ୍କୁ ରାଜପୁତ୍‌ମାନଙ୍କ ଘରେ ବିବାହ ଦେଇଥିଲେ । ତାଙ୍କ ଆଗରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ ସମସ୍ତେ ସମାନ ।

 

ଆକ୍‌ବରଙ୍କ ରାଜ ସଭାରେ ନଅଜଣ ବଡ଼ ବିଦ୍ୱାନ ପଣ୍ଡିତ ଥିଲେ । ତାଙ୍କରି ସାହାଯ୍ୟରେ ଆକ୍‌ବର ଏପରିଭାବରେ ରାଜ୍ୟ ଚଳାଇଲେ ଯେ, ସମସ୍ତେ ଆକ୍‌ବରଙ୍କୁ ପୂଜା କରିବାକୁ ଲାଗିଲେ । ସେ ସମୁଦାୟ ଭାରତକୁ ସୁନ୍ଦରରୂପେ ବନ୍ଦୋବସ୍ତ କରି ଖଜଣା ଆଦାୟର ସୁବିଧା କରିଥିଲେ । ସେ ଯେପରି ବୀର, ସେହିପରି ପଣ୍ଡିତ ଓ ଦୟାଳୁ ଲୋକ ଥିଲେ । ତାନ୍‌ସାନ ନାମରେ ଜଣେ ଭାରି ସଙ୍ଗୀତଜ୍ଞ ସବୁଦିନ ତାଙ୍କ ଆଗରେ ନାନାପ୍ରକାର ବାଦ୍ୟ ବଜାଇ, ଗୀତ ବୋଲି ତାଙ୍କ ମନ ଖୁସି କରୁଥିଲେ । ଆକ୍‌ବର ସୁନ୍ଦର ସୁନ୍ଦର ଚିତ୍ର ମଧ୍ୟ ଆଙ୍କି ପାରୁଥିଲେ ।

 

ଆକ୍‌ବର ଯେତେବେଳେ ରାଜା ହେଲେ, ସେତେବେଳେ କେବଳ ଦିଲ୍ଲୀ ଓ ତା’ ପାଖର ସାମାନ୍ୟ କେତେକ ରାଜ୍ୟ ତାଙ୍କ ଦଖଲରେ ଥିଲା । ମାତ୍ର ସେ ମଲାବେଳକୁ ସମୁଦାୟ ଭାରତର ସମ୍ରାଟ ହୋଇ ପାରିଥିଲେ । ଖାଲି ଯେ ସମ୍ରାଟ ହୋଇଥିଲେ ତା’ ନୁହେଁ, ରାଜ୍ୟ ଏପରି ଭାବରେ ଶାସନ କରୁଥିଲେ ଯେ, ଲୋକେ ଆଜିକାଲି ସୁଦ୍ଧା ତାଙ୍କୁ ପୂଜା କରୁଛନ୍ତି ।

 

ଆକ୍‌ବର ୧୫୫୬ ଖ୍ରୀଷ୍ଟାବ୍ଦରେ ରାଜା ହୋଇଥିଲେ । ୪୯ ବର୍ଷ ଖୁବ୍ ଶୃଙ୍ଖଳାରେ ରାଜ୍ୟ ଶାସନ କରି ୧୬୦୫ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

Image

 

ପାନ୍ନା

 

ରାଜପୁତ୍ ରାଜ୍ୟ ମେବାର କଥା ତୁମ୍ଭେମାନେ ଆଗରୁ ଶୁଣିଛ । ଆଲ୍ଲାଉଦ୍ଦିନଙ୍କ ପରେ ସେ ପୁଣି ସ୍ୱାଧୀନ ହେଲା । ରାଜପୁତ୍ ବୀରମାନେ ତା’ର ରାଜଗାଦିକୁ ଅଳଙ୍କୃତ କଲେ । ଯେତେବେଳେ ବାବର ଭାରତକୁ ଆସିଲେ, ସେତେବେଳେ ସଂଗ୍ରାମ ସିଂହ ମେବାରର ରାଜା ଥିଲେ । ସେ ବାବରଙ୍କ ବିରୁଦ୍ଧରେ ଯୁଦ୍ଧ କରି ପ୍ରାଣତ୍ୟାଗ କଲେ । ତାଙ୍କର ପୁଅ ଉଦୟ ସିଂହ ସେତେବେଳେ ଖୁବ୍‌ ପିଲା । ବାବର ଭାରତର ସମ୍ରାଟ ହେଲେ ସତ, ମାତ୍ର ମେବାର ପୂର୍ବ ପରି ସ୍ୱାଧୀନ ରହିଲା । ଉଦୟ ସିଂହ ପିଲା ହୋଇଥିବାରୁ, ରାଜ୍ୟ ଆଉ ଜଣେ ବୀର ବୁଝିଲେ; ତାଙ୍କ ନା ବନବୀର ।

 

ବନବୀର ବଡ଼ କପଟୀ । ସେ ରାଜଗାଦିରେ ବସି ଭାବିଲେ ଯେ,–ଉଦୟ ସିଂହ ମୋର ଶତ୍ରୁ । ସେ ବଡ଼ ହେଲେ ଏ ରାଜ୍ୟ ନେବ, ସେତେବେଳେ ମୁଁ କାଙ୍ଗାଳ ହୋଇ ବୁଲିବି । ଯଦି ଏତିକି ବେଳୁ ଉଦୟ ସିଂହକୁ ମାରି ପାରିବି ତେବେ ମୁଁ ଓ ମୋର ପୁଅ, ନାତିମାନେ ଏ ରାଜଗାଦି ଭୋଗ ଦଖଲ କରିବେ ।

 

ସଂଗ୍ରାମ ସିଂହଙ୍କର ଗୋଟିଏ ବିଶ୍ୱସ୍ତ ଦାସୀ ପାନ୍ନା ଉଦୟ ସିଂହଙ୍କର ଲାଳନ ପାଳନ ଭାର ନେଇଥାନ୍ତି । ତାଙ୍କର ନିଜର ଗୋଟିଏ ପୁଅ ଥାଏ । ସେ ଶିଶୁ ଉଦୟ ସିଂହଙ୍କ ସମବୟସ୍କ । ପାନ୍ନା ପିଲା ଦୁଇଟିଙ୍କୁ ଖୁବ୍‌ ଭଲ ପାନ୍ତି ଓ ବେଶ୍ ଯତ୍ନରେ ତାଙ୍କୁ ପାଳୁଥାନ୍ତି । ବନବୀରଙ୍କ ପ୍ରତିଜ୍ଞା ଥରେ ତାଙ୍କ କାନରେ ବାଜିଲା । ତାଙ୍କ ଛାତିରୁ ନିଆଁ ଖସି ପଡ଼ିଲା । କିପରି ପ୍ରଭୁଙ୍କ ପୁଅ ଶତ୍ରୁର ହାତରୁ ରକ୍ଷା ପାଇବ, ଏହି କଥା ସେ ରାତି ଦିନ ଭାବିଲେ । ଶେଷରେ ପ୍ରତିଜ୍ଞା କଲେ, ‘‘ଦରକାର ପଡ଼ିଲେ ମୋର ଜୀବନ ଦେବି, ମୋର ପୁଅ ଚନ୍ଦନର ଜୀବନ ମଧ୍ୟ ଦେବି; ମାତ୍ର ଉଦୟ ସିଂହଙ୍କୁ ଶତ୍ରୁ ହସ୍ତରେ ଦେବି ନାହିଁ ।’’

 

ଥରେ ରାତିରେ ଉଦୟ ସିଂହ ନିଦରେ ଶୋଇଛନ୍ତି, ପାନ୍ନା ପାଖରେ ବସି ପଙ୍ଖା କରୁଛନ୍ତି, ଏହି ସମୟରେ ଗୋଟିଏ ବିଶ୍ୱାସୀ ଚାକର ଦଉଡ଼ି ଦଉଡ଼ି ତାଙ୍କ ପାଖକୁ ଆସିଲା । ପାନ୍ନା ତାକୁ ଏପରି ଆସୁଥିବାର ଦେଖି ବଡ଼ ଭୟ କଲେ । ସେ ଆସି କହିଲା ‘‘ମା, ବନବୀର ଉଦୟ ସିଂହଙ୍କୁ ମାରିବାକୁ ଆସୁଛନ୍ତି, କ’ଣ କରିବା ?’’

 

ପାନ୍ନା ବଡ଼ ବୁଦ୍ଧିମତୀ; ସେ ଏ କଥା ଶୁଣିବା ମାତ୍ରକେ ଗୋଟିଏ ଟୋକେଇ ଆଣି, ତା’ ଭିତରେ ଉଦୟ ସିଂହଙ୍କୁ ଶୁଆଇ ଦେଲେ । ଉପରେ ପତର ଘୋଡ଼ାଇଦେଇ କିଛି ଫଳ ଫୁଲ ରଖିଦେଲେ । ସେ ଚାକରଟିକୁ ସେ ଟୋକେଇ ଦେଇ ତାକୁ ଗୋଟିଏ ଗୁପ୍ତସ୍ଥାନ ବତାଇଦେଇ କହିଲେ, ‘‘ଏ ଟୋକେଇଟିକୁ ନଅରର ଆର ପାଖକୁ ନେଇ ଯା । ଗୁପ୍ତସ୍ଥାନରେ ରଖିଥିବୁ । ମୁଁ ଅଳ୍ପସମୟ ଛାଡ଼ି ଯିବି ।’’ ଚାକରଟି ଟୋକେଇ ମୁଣ୍ଡରେ ରଖି ଚାଲିଗଲା ।

 

ପାନ୍ନା ନିଜର ପୁଅ ଚନ୍ଦନକୁ ଆଣି ସେ ଶେଯରେ ଶୁଆଇ ଦେଲେ । ଉଦୟ ସିଂହଙ୍କର ଅଳଙ୍କାର ସବୁ ପିନ୍ଧାଇ ଦେଇ, ଉପରେ ଚାଦର ପକାଇ ଦେଲେ । ଏହି ସମୟରେ ବନବୀର ସେଠାରେ ପହଞ୍ଚି ଗଲେ । ଉଦୟ ସିଂହ କାହିଁ ବୋଲି ପଚାରିବାରୁ, ପାନ୍ନା ବିଛଣାରେ ନିଜର ପୁଅକୁ ଦେଖାଇ ଦେଲେ । ବନବୀର ତାକୁ ହାଣି ସେଠାରୁ ଚାଲିଗଲେ । ପୁତ୍ରର ମରଣରେ ପାନ୍ନାଙ୍କର ହୃଦୟ ଫାଟି ପଡ଼ୁଥିଲା, ମାତ୍ର ସେ ଧୈର୍ଯ୍ୟ ଧରି ଖୁମ୍ବଟା ପରି ସେଠାରେ ଠିଆ ହୋଇ ରହିଲେ । ସମସ୍ତେ ଜାଣିଲେ ଯେ ଉଦୟ ସିଂହ ମରିଛନ୍ତି । ବନବୀର ମନଆନନ୍ଦରେ ରାଜ୍ୟରେ ଉତ୍ସବ ଲଗାଇ ଦେଲେ ।

Image

(ପାନ୍ନା............ପୁଅକୁ ଦେଖାଇ ଦେଲେ)

 

ବନବୀର ସେ ଘରୁ ଗଲା ପରେ ପାନ୍ନା ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ । ଚାକର ପାଖରୁ ଟୋକେଇ ନେଇ, ସେଥିରୁ ଉଦୟ ସିଂହଙ୍କୁ ବାହାର କଲେ । ସେହି ରାତିକାରାତି ତାଙ୍କୁ ଅନ୍ୟ ଗୋଟିଏ ରାଜପୁତ୍ ରାଜା ପାଖରେ ରଖି ଚିତୋର ଆସିଲେ । ଏ କଥା କେହି ଜାଣିଲେ ନାହିଁ । ପରେ ଉଦୟ ସିଂହ ବଡ଼ ହେଲାରୁ, ପାନ୍ନା ଏ ସମସ୍ତ ବୃତ୍ତାନ୍ତ ତାଙ୍କୁ କହିଲେ । ସେ ଆସି ଯୁଦ୍ଧରେ ବନବୀରଙ୍କୁ ମାରି ନିଜର ପିତାଙ୍କ ରାଜଗାଦିରେ ବସିଲେ । ଯେତେବେଳେ ଏ କଥା ସବୁ ଜଣାଗଲା, ସେତେବେଳେ ସମସ୍ତେ ପାନ୍ନାଙ୍କୁ ଧନ୍ୟ ଧନ୍ୟ କହିଲେ । ପ୍ରଭୁଙ୍କ ପୁଅ ପାଇଁ ନିଜ ପୁଅର ପ୍ରାଣ ଦେଇଥିବାରୁ ଆଜି କାଲି ସମସ୍ତେ ପାନ୍ନାଙ୍କୁ ମନେ ପକାଉଛନ୍ତି । ତାଙ୍କ ଗୁଣ ସୁମରି ଆଖିରୁ ଲୁହ ଢାଳୁଛନ୍ତି ।

Image

 

ରାଣୀ ଦୁର୍ଗାବତୀ

 

ହୁମାୟୁନଙ୍କ ପୁଅ ଆକ୍‌ବର ଯେତେବେଳେ ରାଜା ହେଲେ, ସେତେବେଳେ ତାଙ୍କ ରାଜ୍ୟ ଖୁବ୍‌ ଛୋଟ ଥିଲା, ଏ କଥା ଆଗରୁ ଜାଣିଛ । ସବୁ ରାଜ୍ୟର ରାଜା ସ୍ୱାଧୀନ ଭାବରେ ଚଳୁଥିଲେ । ଗଡ଼ମଣ୍ଡଳ ନାମକ ଗୋଟିଏ ଛୋଟ ରାଜ୍ୟ ରାଣୀ ଦୁର୍ଗାବତୀ ଶାସନ କରୁଥିଲେ । ସ୍ତ୍ରୀ ହେଲେ କ’ଣ ହେବ, ସାହସରେ, ବୀରତ୍ୱରେ ଓ ବୁଦ୍ଧିରେ ସେ ବହୁତ ବଡ଼ ବଡ଼ ରାଜାମାନଙ୍କୁ ପରାସ୍ତ କରିଦେଇଥିଲେ । ଗଡ଼ମଣ୍ଡଳର ଆଖପାଖ ରାଜ୍ୟର ରାଜାମାନେ ତାଙ୍କୁ ଭାରି ଡରୁଥିଲେ ।

 

ଦୁର୍ଗାବତୀ ଯେପରି ସାହସୀ ଥିଲେ, ସେହିପରି ଦୟାଳୁ ମଧ୍ୟ ଥିଲେ । ପ୍ରଜାମାନେ ତାଙ୍କୁ ଠିକ୍ ଜନ୍ମକଲା ମା’ ପରି ଭକ୍ତି କରୁଥାନ୍ତି । ସେ ମଧ୍ୟ ପ୍ରଜାମାନଙ୍କୁ ପୁଅଠୁଁ ବଳି ସ୍ନେହ କରୁଥାନ୍ତି, ତାଙ୍କର ଯତ୍ନ ନେଉଥାନ୍ତି । ପ୍ରଜାମାନେ ତାଙ୍କ ଅଧୀନରେ ରହି, ଦୁଃଖ କ’ଣ, କଷ୍ଟ କ’ଣ କିଛି ଜାଣନ୍ତି ନାହିଁ ।

 

ଆକ୍‌ବର ରାଜଗାଦିରେ ବସି କଳେ ବଳେ କୌଶଳେ ନିଜ ରାଜ୍ୟ ବଢ଼ାଇବାକୁ ଲାଗିଲେ । ଆସଫ୍‌ ଖାଁ ନାମକ ତାଙ୍କର ଜଣେ ସେନାପତି ଗଡ଼ମଣ୍ଡଳ ଅଧିକାର କରିବାକୁ ଆସିଲେ । ମାତ୍ର ସେ ରାଣୀ ଦୁର୍ଗାବତୀଙ୍କର ବୀରତ୍ୱ ଦେଖି ବଡ଼ ଭୟ କଲେ । ଯୁଦ୍ଧ ଘୋଷଣା ନ କରି ଯାଇ ତାଙ୍କ ପାଖରେ ଶରଣ ପଶିଲେ । ତାଙ୍କର ମିତ୍ର ହୋଇ ରାଜସଭାରେ କିଛି ଦିନ ରହିଲେ ।

 

କପଟୀ, ଲୋଭୀ ଆସଫ ବାହାରେ ତାଙ୍କର ମିତ୍ର ହେଲେ ସତ, ମାତ୍ର ଭିତରେ ଭିତରେ ତାଙ୍କର ଅନିଷ୍ଟ କରିବାକୁ ଚିନ୍ତା କରୁଥାନ୍ତି । ଗୁପ୍ତ ଭାବରେ ଥରେ ସୈନ୍ୟମାନଙ୍କୁ ସଂଗ୍ରହ କରି ଠିକ ଭାବରେ ସଜାଇ ରଖିଲେ । ଦିନେ ହଠାତ୍ ଯୁଦ୍ଧ ଘୋଷଣା କରିବା ସାଙ୍ଗେ ସାଙ୍ଗେ ଦୁର୍ଗର ଚାରିଆଡ଼େ ସୈନ୍ୟ ଘେରାଇ ଦେଲେ ।

 

ସେତେବେଳେ ରାଣୀ ଦୁର୍ଗାବତୀ କୌଣସି ବିପଦର ଆଶଙ୍କା ସୁଦ୍ଧା କରି ନ ଥିଲେ । ତେଣୁ ସୈନ୍ୟମାନେ କିଏ କୁଆଡ଼େ ଥିଲେ, କିଛି ଠିକ୍ ନ ଥିଲା । ହଠାତ୍ ଏ ବିପଦ ଦେଖି ରାଣୀଙ୍କ ପାଟିରୁ କଥା ବାହାରିଲା ନାହିଁ । ସେନାପତି ଆସି ଆସଫ ଖାଁଙ୍କର ଶରଣ ପଶିବାକୁ କହିଲେ । ଏ କଥା ଶୁଣି ଦୁର୍ଗାବତୀ ତାଙ୍କ କାନରେ ହାତ ଦେଲେ । ଭୀରୁ ସେନାପତିଙ୍କୁ ବଡ଼ ଘୃଣାରେ ଥରେ ଚାହିଁଦେଲେ । ସେହି ଚାହାଣିରେ ସେନାପତି ଡରି ଯାଇ ତତ୍‌କ୍ଷଣାତ୍ ସୈନ୍ୟ ସଂଗ୍ରହ କରିବାରେ ଲାଗିଗଲେ । ଯେ କେତେଜଣ ସୈନ୍ୟ ଆସି ରୁଣ୍ଡ ହେଲେ ତାଙ୍କୁ ଧରି ନିଜେ ରାଣୀ ଯୁଦ୍ଧ କରିବାକୁ ବାହାରିଲେ । ବୀର ବେଶରେ, ହାତରେ ଅସ୍ତ୍ର ଶସ୍ତ୍ର ଧରି, ସାଞ୍ଜୁ ପିନ୍ଧି, ଯେତେବେଳେ ଘୋଡ଼ାରେ ଚଢ଼ି ବାହାରି ପଡ଼ିଲେ ସେତେବେଳେ ତାଙ୍କର ସେ ବେଶ ଦେଖି ପ୍ରତ୍ୟେକ ପ୍ରଜା ନିଜ ନିଜର ହାତ ହତିଆର ଧରି ବଡ଼ ଉତ୍ତେଜିତ ଭାବରେ ଯୁଦ୍ଧକୁ ଧାଇଁଲେ । ରାଣୀଙ୍କର ବୀରବେଶ ସୈନ୍ୟମାନଙ୍କର ସମାଗମ ଦେଖି ଭୀରୁ ଆସଫ ଖାଁ ଡରି ପଳାଇ ଗଲେ । ତାଙ୍କ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ । ରାଣୀ ସେମାନଙ୍କ ପଛେ ପଛେ ଗୋଡ଼ାଇ ତାଙ୍କୁ ବହୁତ ଦୂରକୁ ତଡ଼ି ନେଇଗଲେ ।

 

କ୍ରମେ ରାତି ହେଲା । ଦିନରେ ଯୁଦ୍ଧ କରି କରି ସୈନ୍ୟମାନେ ବଡ଼ କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ଦୁର୍ଗାବତୀ କହିଲେ ସୁଦ୍ଧା ରାତିରେ ଯୁଦ୍ଧ କରିବାକୁ କୌଣସି ସୈନ୍ୟ ମଙ୍ଗିଲେ ନାହିଁ । ରାଣୀ ବାଧ୍ୟ ହୋଇ ରାତିରେ ବିଶ୍ରାମ ନେଲେ । ରାତିରେ ସୁବିଧା ଓ ସମୟ ପାଇ ଆସଫ ନିଜର ସୈନ୍ୟମାନଙ୍କୁ ଗୋଟେ ପାହାଡ଼ ଉପରେ ଚଢ଼ାଇ ଦେଲେ । ସକାଳୁ ରାଣୀ ଦେଖନ୍ତି ତ ଆସଫ ପାହାଡ଼ ଉପରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ।

 

ତୁମୁଳ ଯୁଦ୍ଧ ହେଲା । ଆସଫ ପାହାଡ଼ ଉପରେ, ରାଣୀ ପାହାଡ଼ ତଳେ; ତଥାପି ରାଣୀ ହତୋତ୍ସାହ ହେଲେ ନାହିଁ । ତାଙ୍କର ଶହ ଶହ ସୈନ୍ୟ ବିନାଶ ହେଲେ । ଏକମାତ୍ର ପୁଅ ଯୁଦ୍ଧରେ ଆହତ ହେବାରୁ ତାକୁ କେତେକ ବିଶ୍ୱାସୀ ଚାକରଙ୍କ ହାତରେ ଦୁର୍ଗକୁ ପଠାଇ ଦେଲେ । ନିଜେ ସେନା ଚଳାଇ ଯୁଦ୍ଧ କଲେ ।

 

ଯୁଦ୍ଧ ବହୁତ ସମୟ ପର୍ଯ୍ୟନ୍ତ ଲାଗିଲା । ଆସଫ ଉପରେ ଥିବାରୁ ତାଙ୍କର ବେଶି କ୍ଷତି ହେଲା ନାହିଁ । ରାଣୀ ଦୁର୍ଗାବତୀଙ୍କର ଅସଂଖ୍ୟ ସୈନ୍ୟ ମଲେ । ଅବଶେଷରେ ଗୋଟାଏ ତୀର ଆସି ତାଙ୍କ ବାଁ ଆଖିରେ ଫୋଡ଼ି ହୋଇଗଲା । ସେ ଭାରି ସାହସରେ ତାକୁ ଟାଣି ବାହାର କରିଦେଲେ । ଏହି ସମୟରେ ପୁଣି ଗୋଟାଏ ତୀର ଆସି ତାଙ୍କ ଛାତିରେ ଫୁଟିଗଲା । ସେ ସେଇଟାକୁ ମଧ୍ୟ ବାହାର କରି ପକାଇଲେ । ପାଖରେ ବିଶ୍ୱାସୀ ଚାକର ଅଧର ଥିଲା । ତାକୁ ଡାକି ଦୁର୍ଗାବତୀ କହିଲେ, ‘‘ଅଧର, ମୁଁ ତତେ ଭାରି ସ୍ନେହ କରେ । ଆଶା କରେଁ ମୁଁ ଯାହା କହିବି, ତା’ ତୁ ଭାଙ୍ଗିବୁ ନାହିଁ । ମୋ’ର ଏ ଖଣ୍ଡା ନେ, ମୋ ବେକ ହାଣି ଦେ । ମୁଁ ଯୁଦ୍ଧ ଭୂମିରେ ମରିବି, ମାତ୍ର ବିଧର୍ମୀ ହାତରେ ମରିବି ନାହିଁ । ତୁ ମାରିଦେଲେ ଭଲ ହେବ ।’’ ଅଧର ରାଣୀଙ୍କର ଏ କଥା ଶୁଣି କାନ୍ଦି ପକାଇଲା । ତା’ ପାଟିରୁ କଥା ବାହାରିଲା ନାହିଁ । ସେ ତାଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା, ‘‘ଯୁଦ୍ଧ ଭୂମିରୁ ପଳାଇ ଯାଆନ୍ତୁ ।’’ ଏ କଥା ଶୁଣି ଦୁର୍ଗାବତୀ କହିଲେ, ‘‘ମୁଁ ରାଜପୁତ୍‌ ବଂଶରେ ଜନ୍ମି ଏଡ଼େ ଭୀରୁ ହେବି ? ଯୁଦ୍ଧଭୂମିରୁ ପଛଘୁଞ୍ଚା ଦେବି ? ନାଁ, ତା’ ହେବ ନାହିଁ । ତୁ ମତେ ମାରିବୁ ନାହିଁ; ନ ମାର୍ । ମୁଁ ନିଜେ ନିଜ ହାତରେ ମରିବି, ମାତ୍ର ବିଧର୍ମୀ ହାତରେ ମରିବି ନାହିଁ ।’’ ଏହା କହି ରାଣୀ ନିଜ ଖଣ୍ଡା ବେକରେ ଲଗାଇ ଦେଲେ । ସେତେବେଳକୁ ତାଙ୍କ ପକ୍ଷରୁ ଦୁଇଟି ମାତ୍ର ସୈନ୍ୟ ଜୀବନରେ ଥିଲେ । ସେ ଦୁହେଁ ରାଣୀଙ୍କର ଏ ଉତ୍ସାହବାଣୀ ଶୁଣି, ତାଙ୍କ କାର୍ଯ୍ୟ ଦେଖି ଅଗ୍ନି ପରି ମାତି ଉଠିଲେ । ମରିବା ପୂର୍ବରୁ ସେ ଆସଫଙ୍କର ଏତେ ସୈନ୍ୟ ମାରି ଦେଇଗଲେ ଯେ, ତା କଳନା କରି ହେବ ନାହିଁ । ସେ ଆସଫଙ୍କ ଯେତେ କ୍ଷତି କଲେ, ଯୁଦ୍ଧ ଆରମ୍ଭରୁ ଏ ପର୍ଯ୍ୟନ୍ତ ତାଙ୍କର ସେତେ କ୍ଷତି ହୋଇ ନଥିଲା ।

 

ଆଜି ଆସଫ ଜୀବନରେ ନାହାନ୍ତି କି ରାଣୀ ଦୁର୍ଗାବତୀ ନାହାନ୍ତି । ମାତ୍ର ଲୋକମାନେ ଆସଫଙ୍କ ନା ପଡ଼ିଲେ କାନରେ ହାତ ଦେଉଛନ୍ତି, ଘୃଣାରେ ନାକ ଟେକୁଛନ୍ତି । ରାଣୀଙ୍କ ନା ମନେ ପକାଇ କୋଟି କୋଟି ଜୁହାର କରୁଛନ୍ତି ।

Image

 

ରାଣା ପ୍ରତାପ

 

ତୁମ୍ଭେମାନେ ଜାଣିଛ ଯେ, ଉଦୟ ସିଂହ ବନବୀରଙ୍କୁ ମାରି ମେବାରର ରାଜା ହେଲେ । ଆକ୍‌ବର ଭାରତର ସମ୍ରାଟ ହୋଇ ବହୁତ ରାଜପୁତ୍ ରାଜ୍ୟ ନିଜ ଅଧୀନକୁ ଆଣିଲେ । କେତେ ରାଜପୁତ ବୀରଙ୍କୁ ନିଜ ଅଧୀନରେ ରଖି, ତାଙ୍କ ସାଙ୍ଗରେ ବନ୍ଧୁ ବାନ୍ଧବ ହୋଇ, ତାଙ୍କରି ସାହାଯ୍ୟରେ ବହୁତ ରାଜ୍ୟ ଜୟ କଲେ । ଉତ୍ତର ଭାରତରେ ଆମ ଓଡ଼ିଶା ଓ ମେବାର ଛାଡ଼ି ଆଉ ସବୁ ରାଜ୍ୟ ତାଙ୍କର ହେଲା ।

 

ବଙ୍ଗ ନବାବ ଆକ୍‌ବରଙ୍କ ବିରୁଦ୍ଧରେ ଠିଆ ହେବାରୁ ଆକ୍‌ବର ଓଡ଼ିଶାର ରାଜା ମୁକୁନ୍ଦଦେବଙ୍କ ଶରଣ ପଶିଲେ । ପରେ କଳାପାହାଡ଼ ମୁକୁନ୍ଦଦେବଙ୍କୁ ମାରି ଓଡ଼ିଶା ପରାଧୀନ କଲା । ତାଠୁଁ ଆକ୍‌ବର ଓଡ଼ିଶା ନେଇ ନିଜ ରାଜ୍ୟରେ ମିଶାଇଲେ ।

 

ଆକ୍‌ବର ଓ ତାଙ୍କର ରାଜାପୁତ୍ ବନ୍ଧୁବାନ୍ଧବମାନେ ବହୁତ ଚେଷ୍ଟା କଲେ, ମାତ୍ର ମେବାରକୁ ନେଇ ପାରିଲେ ନାହିଁ । ମେବାରର ରାଣା ଉଦୟ ସିଂହ ବଡ଼ ବୀର । ପ୍ରତିଥର ଯୁଦ୍ଧରେ ସେ ମୋଗଲ ସୈନ୍ୟମାନଙ୍କୁ ହଟାଇ ଦେଉଥିଲେ । ଏହିପରି ଯୁଦ୍ଧ ଚାଲିଥିବା ସମୟରେ ବୃଦ୍ଧ ଉଦୟ ସିଂହ ପ୍ରାଣତ୍ୟାଗ କଲେ । ତାଙ୍କର ପୁଅ ପ୍ରତାପ ସିଂହ ମେବାରର ରାଣା ହେଲେ ।

 

ରାଣା ପ୍ରତାପ ଉଦୟ ସିଂହଙ୍କର ଉପଯୁକ୍ତ ପୁତ୍ର । ସେ କହିଲେ, ‘‘ମୁଁ ଜୀବନରେ ଥାଉଁ ଥାଉଁ ଚିତୋର ମୋଗଲର ହସ୍ତଗତ ହୋଇ ପାରିବ ନାହିଁ ।’’ ଆକ୍‌ବର ପ୍ରତାପଙ୍କୁ ବହୁତ ଲୋଭ ଦେଖେଇଲେ, ନିଜ ଦରବାରରେ ସମସ୍ତଙ୍କଠୁଁ ବେଶି ସମ୍ମାନ ଦେବେ ବୋଲି କହିଲେ, ମାତ୍ର ବୀରପ୍ରତାପ ସେ ଚାରିଆଡ଼ୁ ସୈନ୍ୟ ଆଣି ପ୍ରତାପଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ।

 

ଏକ ପକ୍ଷରେ ସମଗ୍ର ଭାରତର ସମ୍ରାଟ ଆକ୍‌ବରଙ୍କ ଲକ୍ଷ ଲକ୍ଷ ସୁଶିକ୍ଷିତ ସୈନ୍ୟ, ଅନ୍ୟ ପକ୍ଷରେ ବାରମ୍ବାର ଯୁଦ୍ଧରେ କ୍ଷତି ବିକ୍ଷତ ସାମାନ୍ୟ ମାତ୍ର ରାଜପୁତ୍ ବୀର । ରାଜପୁତମାନେ ଏ ବିପୁଳ ସେନାମାନଙ୍କ ଆଗରେ କେବଳ ଅସୀମ ସାହସରେ ଜୟ ଲାଭ କରୁଥିଲେ । କ୍ରମେ ଆକ୍‌ବର ଚିତୋର ଅଧିକାର କଲେ । ପ୍ରତାପ ଚିତୋର ଛାଡ଼ି, ନିଜର ପିଲାଝିଲା ନେଇ ଯାଇ ବଣରେ ରହିଲେ; ମାତ୍ର ଆକ୍‌ବରଙ୍କର ଆଶ୍ରିତ ହେଲେ ନାହିଁ ।

 

ପ୍ରତାପଙ୍କୁ ନିଜର ଅଧୀନରେ ରଖିବାକୁ ଆକବରଙ୍କର ଯିଦ୍ ଲାଗିଥାଏ । ତେଣୁ ମଧ୍ୟ ସୈନ୍ୟ ପଠାଇ ବଣରେ ଯୁଦ୍ଧ କଲେ । ପ୍ରତାପ ଏ ବଣରୁ ସେ ବଣକୁ ହେଉଥାନ୍ତି, ମାତ୍ର ଆକବରଙ୍କ ଅଧୀନକୁ ଆସୁ ନଥାନ୍ତି । ଖିଆ ପିଆରେ ଠିକ୍‌ ନାହିଁ, ନିଦ କ’ଣ ଜାଣନ୍ତି ନାହିଁ, ଏହିପରି ବହୁତ କଷ୍ଟରେ ଚଳିବାକୁ ପଡ଼ିଲା । କେଉଁଦିନ ବଣରେ କିଛି ଫଳମୂଳ ମିଳିଲେ ତ ଖାଆନ୍ତି, ନ ହେଲେ ଉପାସ । ଗଛମୂଳେ ପଥର ଉପରେ କେତେବେଳେ କେମିତି ଟିକିଏ ଶୋଇ ପଡ଼ନ୍ତି । ସାଙ୍ଗରେ ରାଣୀ, ଏକମାତ୍ର ପୁଅ ଅମର ଆଉ ସାନ ଝିଅଟିଏ । ସେମାନେ ମଧ୍ୟ ପ୍ରତାପଙ୍କ ସାଙ୍ଗରେ ମାସକେ ପନ୍ଦରଦିନ ଉପାସ ରହି କଣ୍ଟା ବଣରେ ଏ ପାଖୁ ସେ ପାଖ ହେଉଥାନ୍ତି । ଆହା, ପ୍ରତାପଙ୍କର କି ବୀର ହୃଦୟ ! ରାଜା ଥିଲେ; ପ୍ରତ୍ୟହ ଶହ ଶହ ଚାକର ଆସି ଖଟୁଥିଲେ । ଖାଇବା, ପିଇବା, ଶୋଇବାରେ ଶହ ଶହ ଟଙ୍କା ଖର୍ଚ୍ଚ ହେଉଥିଲା । ସେ ସବୁ ଆଜି ଛାଡ଼ି ବଣରେ କାଙ୍ଗାଳଙ୍କ ପରି ବୁଲୁଛନ୍ତି । ଯଦି ନାମକୁ ମାତ୍ର କହନ୍ତେ ଯେ, ‘ମୁଁ ଆକ୍‌ବରଙ୍କ ଅଧୀନ ହେଲି’, ତାହା ହେଲେ ଆକ୍‌ବରଙ୍କର ଖୁବ୍‌ ପ୍ରିୟପାତ୍ର ହୁଅନ୍ତେ, ପୂର୍ବଠୁଁ ବେଶି ଆନନ୍ଦରେ ରହନ୍ତେ । ମାତ୍ର ନିଜର ମହତ୍ୱ. ନିଜର ପ୍ରତିଜ୍ଞା ଜଗିବାକୁ ଯାଇ ଆଜି ସେ ସବୁବେଳେ ଜଳାଞ୍ଜଳି ଦେଇଛନ୍ତି ।

 

ଥରେ ଶତ୍ରୁଙ୍କ ଡରରେ ଗୋଟିଏ ବଣରେ ଆଶ୍ରୟ ନେଲେ । ସେତେବେଳେ ତିନିଦିନ ହେଲା ଉପାସ । ଅମର କେଉଁଠୁ ଗଣ୍ଡାଏ ବାଳୁଙ୍ଗା ଧାନ ଆଣିଥିଲେ । ରାଣୀ ସେଥିରୁ ଚାଉଳ କାଢ଼ି ରୁଟି ତିଆରି କଲେ । ସମସ୍ତେ ଖାଇବାକୁ ବସିଛନ୍ତି, ଠିକ୍‌ ଏହି ସମୟରେ ଶତ୍ରୁ ସୈନ୍ୟ ଆସୁଥିବାର ଜଣାଗଲା । ବୀର ପ୍ରତାପ ସେଠାରୁ ଉଠି ତତ୍‌କ୍ଷଣାତ୍‌ ପିଲାପିଲିଙ୍କୁ ଧରି ଆଉ ଗୋଟେ ବଣକୁ ପଳାଇଲେ । ଖାଇବା ଜିନିଷ ସେଇଠି ପଡ଼ିରହିଲା ।

 

ଆଉ ଥରେ ବଣରେ ରାଣୀ ବାଳୁଙ୍ଗା ଧାନରୁ ଚାଉଳ କାଢ଼ି ପିଠା କରିଥିଲେ । ଖଣ୍ଡିଏ ଖଣ୍ଡିଏ ଏ ଭାଗ ବାଣ୍ଟି ସମସ୍ତଙ୍କୁ ଦେଲେ । ନିଜ ଖଣ୍ଡିକ ଝିଅ ଇରାକୁ ଦେଲେ । ଇରା ତ ଖୁବ୍‌ ପିଲା-। ସେ ସେଥିରୁ ଟିକିଏ ଖାଇ ଆଉ ସବୁ ହାତରେ ଧରିଥାଏ, ଟିକିଏ ଟିକିଏ ଚାଖୁଥାଏ । ଗୋଟାଏ ବଣବିରାଡ଼ି କୁଆଡ଼ୁ ଆସି ହାତରୁ ସେ ଖଣ୍ଡକ କାମୁଡ଼ି ଘେନି ପଳାଇଲା । ଇରା ଭେଁ ଭେଁ କାନ୍ଦି ଉଠିଲା ।

 

ପ୍ରତାପ ଗୋଟିଏ ଗଛମୂଳେ ବସି ଯୁଦ୍ଧ କଥା ଚିନ୍ତା କରୁଥିଲେ । ଏ କଥା ଦେଖି ତାଙ୍କର ହୃଦୟ ଆଉ ଦମ୍ଭ ଧରି ରହି ପାରିଲା ନାହିଁ । ସେ ଆକ୍‌ବରଙ୍କ ଶରଣ ପଶିବେ ବୋଲି ଠିକ୍‌ କଲେ-। ମାତ୍ର ପର ମୁହୂର୍ତ୍ତରେ ଭାବିଲେ,‘‘ନା, ମୋର ପିଲାପରି ସମସ୍ତେ ମରିବେ, ମରନ୍ତୁ । ସେଥିପ୍ରତି ଭୃକ୍ଷେପ କରିବା ମୋର ଉଚିତ ନୁହେ । ମୁଁ କେଭେଁ ହେଲେ ମୋଗଲର ଶରଣ ପଶିବି ନାହିଁ । ମୋ’ର ଜାତୀୟ ମାନ ହରାଇବି ନାହିଁ ।’’ ବାସ୍ତବିକ୍‌ ସେହି ବଣରେ କଷ୍ଟ ପାଇ ତାଙ୍କର ପ୍ରାଣର ପିତୁଳା ଶିଶୁ ଇରା ପ୍ରାଣତ୍ୟାଗ କଲା, ତଥାପି ସେ ମୋଗଲର ଶରଣାପନ୍ନ ହେଲେ ନାହିଁ । ସ୍ୱାଧୀନତା ପ୍ରତି କି ମମତା !

Image

(ସେ..............ଚାକର ପରି ରହିଥାଏ)

 

ତାଙ୍କ ଘୋଡ଼ା ନାଁ ଚୈତକ । ସେ ପ୍ରତାପଙ୍କ ସାଙ୍ଗେ ସାଙ୍ଗେ ବିଶ୍ୱାସୀ ଚାକର ପରି ରହିଥାଏ । ଥରେ ହଳଦୀଘାଟ ବୋଲି ଗୋଟେ ସ୍ଥାନରେ ଭୟଙ୍କର ଯୁଦ୍ଧ ହେଲା । ରାଜପୁତ୍‌ ସୈନ୍ୟ ପ୍ରାୟ ସମସ୍ତେ ମରିଗଲେ । ପଛକୁ କେବଳ ପ୍ରତାପ ଥାନ୍ତି । ନିଜ ଘୋଡ଼ା ଉପରେ ବସି ଯୁଦ୍ଧ କରୁଥାନ୍ତି । ତାଙ୍କର ପ୍ରାଣ ସଂକଟମୟ ଦେଖି ତାଙ୍କ ଘୋଡ଼ା ଚୈତକ ଯୁଦ୍ଧ ଛାଡ଼ି ପଳାଇଲା । ସେ ଘୋଡ଼ାକୁ ଅଟକାଇବାକୁ ବହୁତ ଚେଷ୍ଟା କଲେ ମାତ୍ର ପାରିଲେ ନାହିଁ । ଘୋଡ଼ା ଏକା ନିଶ୍ୱାସକେ ତାଙ୍କୁ ବହୁତ ବାଟକୁ ନେଇଯାଇ ପଡ଼ି ମରିଗଲା । ଘୋଡ଼ାର କି ପ୍ରଭୁଭକ୍ତି ! ପଶୁଟାଏ ହୋଇ ସୁଦ୍ଧା ନିଜର ପ୍ରାଣଦେଇ ପ୍ରଭୁର ଜୀବନ ରଖିଲା । ଘୋଡ଼ା ପଳାଇ ଯାଇ ନ ଥିଲେ ପ୍ରତାପ ସେହି ଯୁଦ୍ଧରେ ପ୍ରାଣତ୍ୟାଗ କରିଥାନ୍ତେ । ମାତ୍ର ମହାତ୍ମାମାନଙ୍କର ଜୀବନ କ’ଣ ଏହିପରି ଯାଏ ?

 

ପ୍ରତାପ ତାଙ୍କର କେତେକ ବଣୁଆ ପ୍ରଜାଙ୍କ ସାହାଯ୍ୟରେ ଯୁଦ୍ଧକଲେ । ଯୁଦ୍ଧରେ ଜୟଲାଭ କରି କ୍ରମେ କ୍ରମେ ଗୋଟିଏ ଦୁର୍ଗ ନିଜର ଅଧିକାରକୁ ଆଣିଲେ । ଆକ୍‌ବର ଆଉ ନ ପାରି ଯୁଦ୍ଧ ବନ୍ଦ କରିଦେଲେ, ମାତ୍ର ବୀର ପ୍ରତାପ ସମୁଦାୟ ମେବାର ନିଜ ଅଧୀନକୁ ଆଣିବା ପୂର୍ବରୁ ସ୍ୱର୍ଗକୁ ଚାଲିଗଲେ ।

 

ପ୍ରତାପ ବହୁତ ଦିନ ହେଲା ଗଲେଣି, ମାତ୍ର ଆଜି ଭାରତର ପ୍ରତ୍ୟେକ ଲୋକ ତାଙ୍କୁ ମନେ ପକାଉ ଅଛନ୍ତି । ମେବାରରେ ତ ଘରେ ଘରେ ଫୁଲଚନ୍ଦନ ଦେଇ ତାଙ୍କୁ ପୂଜା କରୁଚନ୍ତି । ସେ ପ୍ରତିଜ୍ଞା କରିଥିଲେ ଯେ, ମେବାର ସ୍ୱାଧୀନ ନ ହେବା ପର୍ଯ୍ୟନ୍ତ ସେ ଶେଯରେ ନ ଶୋଇ କୁଟା ଉପରେ ଶୋଇବେ, ବାସନରେ ନ ଖାଇ ପତରରେ ଖାଇବେ । ଆଜିକାଲି ମେବାରର ଲୋକମାନେ ମଧ୍ୟ ସେହିକଥା ମାନି ନିଜ ବିଛଣା ତଳେ କେରାଏ ଲେଖାଏଁ କୁଟା ପକାଇ ଦିଅନ୍ତି । ଖାଇଲାବେଳେ ବାସନ ତଳେ ଗୋଟାଏ କିଛି ପତର ରଖି ଦିଅନ୍ତି । ଆଜିକାଲି ସେମାନଙ୍କର ଏହା ଧର୍ମରେ ପରିଣତ ହୋଇ ଯାଇଛି ।

Image

 

ମହାରାଜ ମୁକୁନ୍ଦଦେବ

 

ଆକ୍‌ବର କଳ କୌଶଳ କରି, କେଉଁଠି କେଉଁଠି ବା ବଳ ପ୍ରୟୋଗ କରି ଭାରତର ପ୍ରାୟ ସମସ୍ତ ରାଜ୍ୟ ନିଜ ଅଧୀନକୁ ନେଲେ; ମାତ୍ର ଓଡ଼ିଶାକୁ କୌଣସି ପ୍ରକାରେ ନେଇ ପାରିଲେ ନାହିଁ । ସେତେବେଳେ ଓଡ଼ିଶାରେ ମୁକୁନ୍ଦଦେବ ରାଜତ୍ୱ କରୁଥାନ୍ତି । ସେ ଭାରି ବୀର, ତେଣୁ ଆକବର ତାଙ୍କ ସାଙ୍ଗରେ ଯୁଦ୍ଧ କରିବାକୁ ସାହସ କରନ୍ତି ନାହିଁ ।

 

ମୁକୁନ୍ଦଦେବ ପ୍ରଥମେ ଓଡ଼ିଶା ରାଜାଙ୍କ ପାଖରେ ଚାକିରି କରୁଥିଲେ । ଦେଶଲୋକେ ତାଙ୍କ ବୀରତ୍ୱରେ ଓ ଗୁଣରେ ଏମିତି ମୁଗ୍ଧ ହୋଇ ଯାଇଥିଲେ ଯେ, ରାଜାଙ୍କ ପରେ ତାଙ୍କୁ ହିଁ ରାଜଗାଦି ଦେଲେ । ସେ ଖୁବ୍‌ ଯତ୍ନର ସହିତ ରାଜ୍ୟ ଚଳାଇବାକୁ ଲାଗିଲେ ।

 

‘ଜଣେ ଚାକର ରାଜଗାଦିରେ ବସିଲା’ ଏହା କହି କେତେକ ସାମନ୍ତ ରାଜା ବିଦ୍ରୋହୀ ହେଲେ । ସେମାନଙ୍କର ନେତା ହେଲେ ରାମଚନ୍ଦ୍ର ଦେବ । ରାମଚନ୍ଦ୍ରଦେବ ଯୁଦ୍ଧରେ ତ ମୁକୁନ୍ଦଦେବଙ୍କୁ ପାରିବେ ନାହିଁ, ତେଣୁ ନାନାପ୍ରକାର କୌଶଳ କରିବାରେ ଲାଗିଲେ । ସେ ବଡ଼ କପଟୀ ଓ ଖରାପ ସ୍ୱଭାବର ଲୋକ । ଓଡ଼ିଶା ରାଜଗାଦିରେ ବସିବେ ବୋଲି ରାଜପୁତ୍ରମାନଙ୍କୁ ଗୋଟି ଗୋଟି କରି ସେ ଗୁପ୍ତଭାବରେ ହତ୍ୟା କରିଥିଲେ । ମାତ୍ର ରାଜା ହୋଇପାରିଲେ ନାହିଁ । ପାତ୍ର ମନ୍ତ୍ରୀ, ଦେଶ ଲୋକେ ମୁକୁନ୍ଦଦେବଙ୍କୁ ରାଜା କଲେ । ତାଙ୍କର ବର୍ତ୍ତମାନ ଜିଦ୍‌ ରହିଲା, କିପରି ମୁକୁନ୍ଦଦେବଙ୍କୁ ମାରିବେ ।

 

ଆକ୍‌ବର ବଙ୍ଗର ନବାବଙ୍କୁ ଯୁଦ୍ଧରେ ହଟାଇ ବଙ୍ଗଳାକୁ ନିଜ ରାଜ୍ୟରେ ସାମିଲ କରିଥିଲେ । କିଛିଦିନ ପରେ ବଙ୍ଗର ନବାବ ଆଉ ଆକ୍‌ବରଙ୍କ ଅଧୀନରେ ରହିଲେ ନାହିଁ କି ତାଙ୍କୁ କର ଦେଲେ ନାହିଁ । ଏଥିରେ ଆକ୍‌ବର ବଡ଼ ରାଗିଗଲେ । ସେତେବେଳେ ଅନ୍ୟାନ୍ୟ ଆଡ଼େ ଭାରି ଯୁଦ୍ଧ ଲାଗିଥାଏ । ଆକ୍‌ବରଙ୍କ ସୈନ୍ୟମାନେ ତେଣେ ଯାଇଥାନ୍ତି । ବଙ୍ଗ ନବାବଙ୍କ ବିରୁଦ୍ଧରେ କିପରି ଯୁଦ୍ଧ ଚଳାଇବାକୁ ହେବ, ଏ କଥା ଭାବି ଭାବି ସେ ବଡ଼ ଅଥୟ ହୋଇପଡ଼ିଲେ । ପରେ ତାଙ୍କୁ ଗୋଟାଏ ବୁଦ୍ଧି ଦେଖାଗଲା । ଓଡ଼ିଶା ରାଜା ମୁକୁନ୍ଦଦେବଙ୍କ ସାଙ୍ଗରେ ବନ୍ଧୁତା କରିବାକୁ ସେ ଠିକ୍‌ କରି ଓଡ଼ିଶା ରାଜସଭାକୁ ଦୂତ ପଠାଇଲେ ।

 

ଯୁଗେ ଯୁଗେ ଓଡ଼ିଆମାନେ ବଡ଼ ଧାର୍ମିକ । ଯେ ଶରଣ ପଶେ ତାକୁ ସେ ନିଜର ପ୍ରାଣ ଦେଇ ବିପଦରୁ ଉଦ୍ଧାର କରନ୍ତି । ଆକବରଙ୍କ ପରି ସମ୍ରାଟ ଯେତେବେଳେ ଆସି ସାମାନ୍ୟ ଭିକ୍ଷୁକ ପରି ଶରଣ ପଶିଲେ, ସେତେବେଳେ ବା ତାଙ୍କୁ ଶରଣ ନ ରଖିବେ କାହିଁକି ? ନିଜର ଉଦାରତା ଗୁଣରେ ମୁକୁନ୍ଦଦେବ ଆକବରଙ୍କୁ ସାହାଯ୍ୟ ଦେବାକୁ କହିଲେ ।

 

ଆକବରଙ୍କ ପ୍ରାର୍ଥନାମତେ ଓଡ଼ିଶା ରାଜା ମୁକୁନ୍ଦଦେବ ନିଜର ସୈନ୍ୟ ସାମନ୍ତ ନେଇ ବଙ୍ଗ ନବାବ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରିଲେ । ତୁମୁଳ ଯୁଦ୍ଧ ଲାଗିଲା । ଏକ ଦିଗରେ ବଙ୍ଗ ନବାବ, ଅସଂଖ୍ୟ ମୁସଲମାନବୀର ଏବଂ ଅନ୍ୟ ପକ୍ଷରେ ଓଡ଼ିଶା ରାଜା ମୁକୁନ୍ଦଦେବ ତାଙ୍କର ଅଳ୍ପ ସଂଖ୍ୟକ ସାହସୀ ଓଡ଼ିଆ ସୈନ୍ୟ । ଯାହାହେଉ ବଙ୍ଗ ନବାବ ପରାସ୍ତ ହେଲେ । ଓଡ଼ିଶା ରାଜାଙ୍କ ଚରଣ ତଳେ ତାଙ୍କ ଗର୍ବିତ ମସ୍ତକ ଅବନତ ହେଲା । ମୁକୁନ୍ଦଦେବଙ୍କ କାର୍ଯ୍ୟ ସଇଲା, ବର୍ତ୍ତମାନ ତାଙ୍କର ଓଡ଼ିଶାକୁ ଫେରି ଆସିବାର କଥା ।

 

ମୁକୁନ୍ଦଦେବ ମା’ଙ୍କୁ ଭାରି ଭକ୍ତି କରୁଥିଲେ । ସେ କେବେହେଲେ ମା’ଙ୍କ କଥା ତଳେ ପକାନ୍ତି ନାହିଁ । ନଅର ଛାଡ଼ି କୁଆଡ଼େ ଯିବାକୁ ହେଲେ ଆଗ ମା’ଙ୍କ ପାଖରୁ ଅନୁମତି ଆଣନ୍ତି । ଏ ଥରକ ମଧ୍ୟ ସବୁଥର ପରି ମା’ଙ୍କ ଅନୁମତି ଆଣିଥିଲେ । ଆସିଲାବେଳେ ମା’ଙ୍କୁ ପଚାରିଲେ, ‘‘ମା, ମୁଁ ତୋ ପାଇଁ କ’ଣ ଆଣିବି ?’’ ମା’ କହିଲେ, ‘‘ତୋ ଯୋଗୁ ମୋର ଆଉ କିଛି ଅଭାବ ନାହିଁ । କେବଳ ଏତିକି, ତୁ ଯଦି ଗଙ୍ଗାଙ୍କୁ ଆଣି ମହାନଦୀରେ ମିଶାଇ ପାରନ୍ତୁ, ତେବେ ମୁଁ ପ୍ରତିଦିନ ଗଙ୍ଗାସ୍ନାନ କରନ୍ତି ।’’ ଏ କଥା ମୁକୁନ୍ଦଦେବ ମନରେ ଥାଏ । ଯୁଦ୍ଧ ପରେ ସେ ସିଧା ସିଧା ଓଡ଼ିଶାକୁ ଫେରି ନ ଆସି ଗଙ୍ଗାକୂଳରେ ବସି ତପସ୍ୟା କଲେ । ଭଗୀରଥ ତପସ୍ୟା କରି ଗଙ୍ଗାଙ୍କୁ ସ୍ୱର୍ଗରୁ ମର୍ତ୍ତ୍ୟକୁ ଆଣିଥିଲେ । ମୁକୁନ୍ଦଦେବ ତପସ୍ୟା କଲେ ତାଙ୍କୁ ଓଡ଼ିଶାକୁ ଆଣିବାକୁ । ତପସ୍ୟାରେ ବସିବା ପୂର୍ବରୁ ସେ ପ୍ରତିଜ୍ଞା କଲେ ଯେ, ତାଙ୍କ ତପସ୍ୟା ଭାଙ୍ଗିବ ସେ ତିନିଖଣ୍ଡ ହୋଇ କଟା ହେବ-

 

ମୁକୁନ୍ଦଦେବ ଗଙ୍ଗାକୂଳରେ ଯେଉଁଠି ତପସ୍ୟା କରିଥିଲେ ତାକୁ ଆଜିକାଲି ‘ତ୍ରିବେଣୀ ଘାଟ’ କହନ୍ତି । ସେ ଘାଟ ଏବେ ଗୋଟିଏ ପବିତ୍ର ତୀର୍ଥ ହୋଇଛି । ପ୍ରତିବର୍ଷ ହଜାର ହଜାର ଲୋକ ସେ ଘାଟରେ ବୁଡ଼ ପକାଇ ମୁକୁନ୍ଦଦେବ ନାମ ମନେ ପକାଉ ଅଛନ୍ତି ।

 

କପଟୀ ରାମଚନ୍ଦ୍ରଦେବଙ୍କୁ ବର୍ତ୍ତମାନ ବଡ଼ ସୁଯୋଗ ମିଳିଗଲା । ସେ ଗୁପ୍ତଭାବରେ ବଙ୍ଗଦେଶରୁ କଳାପାହାଡ଼ଙ୍କୁ ଓଡ଼ିଶା ଦଖଲ କରିବାକୁ ଡକାଇ ପଠାଇଲେ ।

 

କଳାପାହାଡ଼ ବଙ୍ଗ ନବାବଙ୍କ ସେନାପତି । ସେ ପିଲାଦିନେ ନୈଷ୍ଠିକ ବ୍ରାହ୍ମଣ ଥିଲେ । ସେତେବେଳେ ତାଙ୍କ ନାଁ ଥିଲା କାଲାଚାନ୍ଦ । ସେ ପରେ ମୁସଲମାନ୍‌ ଧର୍ମ ଗ୍ରହଣ କରି ବଙ୍ଗନବାବଙ୍କ କନ୍ୟାକୁ ବିବାହ କଲେ । କେତେଦିନ ପରେ ପୁଣି ହିନ୍ଦୁ ହେବାକୁ ତାଙ୍କର ଭାରି ଇଚ୍ଛା ହେଲା । ମାତ୍ର ବ୍ରାହ୍ମଣ ପୁରୋହିତମାନେ ତାଙ୍କୁ ଆଉ ହିନ୍ଦୁ କଲେ ନାହିଁ; ବହୁତ ନିର୍ଯାତନା ଦେଲେ । ସେ ସେହି ରାଗରେ ପ୍ରତିଜ୍ଞା କରିଥିଲେ, ‘‘ଯେତେ ହିନ୍ଦୁ ଦେବ ଦେବୀ ମନ୍ଦିର ଅଛି, ମୁଁ ସବୁ ଭାଙ୍ଗି ନାରଖାର ଯଦି ନ କରେ ତେବେ ମୁଁ ମୋର ଏ ଜୀବନକୁ ବୃଥା ମନେ କରିବି ।’’

 

କଳାପାହାଡ଼ଙ୍କର ସେହି ରାଗ ଥାଏ । ଏଣେ ପୁଣି ଓଡ଼ିଶା ରାଜ୍ୟ ଦଖଲ କରିବାର ଲୋଭ; ଉପୁରି ଉପୁରି ନିମନ୍ତ୍ରଣ ଆସିଛି । ଏ ସୁଯୋଗ କି କଳାପାହାଡ଼ ଛାଡ଼ନ୍ତି ? ନିଜର ଅସଂଖ୍ୟ ସୈନ୍ୟ ସାମନ୍ତ ଧରି ବଣ ଜଙ୍ଗଲରେ ଗୁପ୍ତବାଟ ଦେଇ କଳାପାହାଡ଼ ଆସି ଗଲେ । ରାମଚନ୍ଦ୍ରଦେବଙ୍କ ଦୂତ ଶିଖି, ମନାଇ ତାଙ୍କୁ ବାଟ କଢ଼ାଇ ଆଣିଲେ ।

 

କଳାପାହାଡ଼ ନିଜର ସୈନ୍ୟ ଓ ରାମଚନ୍ଦ୍ର ଦେବଙ୍କର ସୈନ୍ୟ ନେଇ ଭୟଙ୍କର ଯୁଦ୍ଧ କଲେ । ଓଡ଼ିଶା ରାଜାଙ୍କର ଯେ ସାମାନ୍ୟ ସୈନ୍ୟ ଥିଲେ ସେମାନେ ଏ ପ୍ରବଳ ସେନା ବିରୁଦ୍ଧରେ ବେଶି ଦିନ ଆଉ ଯୁଦ୍ଧ କରି ପାରିଲେ ନାହିଁ । କଳାପାହାଡ଼ ସେମାନଙ୍କୁ ପରାସ୍ତ କରି ବୁଲି ବୁଲି ବହୁତ ଦେବଦେବୀ ମନ୍ଦିର ଭାଙ୍ଗି ପକାଇଲେ, ଦେବଦେବୀଙ୍କୁ ସବୁ ଖଣ୍ଡିଆ କରି ପକାଇଲେ । ସେବକ ପୁଝାରୀମାନେ ମଧ୍ୟ କେତେଦିନ ଯୁଦ୍ଧ କଲେ, ମାତ୍ର ପରାସ୍ତ ହେଲେ ।

 

କଳାପାହାଡ଼ ବାରବାଟୀ ଦଖଲ କରିବାକୁ ଗଲେ । ବାରବାଟୀଦୁର୍ଗ ଭିତରୁ ମୁକୁନ୍ଦଦେବଙ୍କ ରାଣୀ ସୈନ୍ୟ ଚଳାଇ ଯୁଦ୍ଧ କଲେ । ରାଣୀଙ୍କ ବୀରତ୍ୱ ଓ ସାହାସ ଦେଖି ସୈନ୍ୟମାନେ ଏପରି ପ୍ରବଳଭାବରେ ଯୁଦ୍ଧ କଲେ ଯେ, କଳାପାହାଡ଼ ହଟି ଚାଲିଗଲେ । ବାରବାଟୀରୁ ଗଲେ ସତ, ମାତ୍ର ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରୁ ଠାକୁର ସବୁ ଖଣ୍ଡିଆ କରିବାକୁ ଦକ୍ଷିଣଦିଗକୁ ଚାଲିଲେ ।

 

ଏହି ସମୟରେ ଦୂତ ତ୍ରିବେଣୀ ଘାଟରେ ମନ୍ତ୍ରୀଙ୍କୁ ଏ ଖବର ଦେଲା । ସେ ଏ କଥା ଶୁଣି ଅବାକ୍‌ ହୋଇଗଲେ । କ’ଣ କରିବେ କିଛି ବୁଦ୍ଧି ଦିଶିଲା ନାହିଁ । କିଛି ସମୟ ଭାବି ଚିନ୍ତି ସେ ମହାରାଜାଙ୍କ ଧ୍ୟାନ ଭାଙ୍ଗିବାପାଇଁ ଗୋଟିଏ କାହାଳିଆକୁ ଡକାଇଲେ । କାହାଳିଆ ମନ୍ତ୍ରୀଙ୍କ କଥା ଅନୁସାରେ ମକୁନ୍ଦଦେବଙ୍କ ପାଖରେ ଠିଆହୋଇ କାହାଳି ବଜାଇଲା । ସେ ଶବ୍ଦରେ ମହାରାଜାଙ୍କ ଧ୍ୟାନ ଭାଙ୍ଗିଲା । ସେତିକିବେଳେ ମନ୍ତ୍ରୀ କହି ଉଠିଲେ, ‘‘କଳାପାହାଡ଼ ଓଡ଼ିଶାରେ ବଡ଼ ଅତ୍ୟାଚାର କରୁଛି ।’’ ଓଡ଼ିଶାରେ ଅତ୍ୟାଚାର ହେଉଛି ଶୁଣି ମୁକୁନ୍ଦଦେବ ତତ୍‌କ୍ଷଣାତ୍‌ ସେଠାରୁ ଉଠି ପଡ଼ିଲେ । ସୈନ୍ୟ ସାମନ୍ତ ସଜ କରି ଓଡ଼ିଶାକୁ ଆସିବାକୁ ସାଙ୍ଗେ ସାଙ୍ଗେ ବରାଦ ଦେଲେ ।

Image

(କାହାଳିଆ..............କାହାଳି ବଜାଇଲା)

 

ମହାରାଜା ତ ପ୍ରତିଜ୍ଞା କରିଛନ୍ତି ଯେ, ସେ ତାଙ୍କ ଧ୍ୟାନ ଭାଙ୍ଗିବ, ସେ ତାକୁ ତିନିଖଣ୍ଡ କରି କାଟିଦେବେ । କାହାଳି ଶବ୍ଦରେ ତାଙ୍କ ଧ୍ୟାନ ଭାଙ୍ଗିଲା । ତେଣୁ ସେ କାହାଳିକୁ ତିନିଖଣ୍ଡ କରି କାଟିଦେଲେ । ସେହି ଦିନରେ ସେ ଗୌରବ କଥା ମନେ ରଖିବା ପାଇଁ ଆଜିକାଲି ଓଡ଼ିଶାର କାହାଳିଆମାନଙ୍କ କାହାଳି ତିନିଖଣ୍ଡ ହୋଇଥାଏ । ବଜାଇବାକୁ ଆରମ୍ଭ କଲେ କାହାଳିଆ ସେ ତିନଖଣ୍ଡ ଏକାଠି ଯୋଡ଼ିକରି ବଜାଏ ।

 

ମୁକୁନ୍ଦଦେବ ଓଡ଼ିଶାକୁ ଫେରି ଆସିଲେ, କଳାପାହାଡ଼ ସାଙ୍ଗରେ ପୁଣି ଯୁଦ୍ଧ ହେଲା । ରକ୍ତରେ ଦେଶତମାମ ଭାସିଲା, ଚାରିଆଡ଼େ ହାହାକାର ପଡ଼ିଗଲା ।

 

କଳାପାହାଡ଼ ପରାସ୍ତ ହେଲେ, ମୁକୁନ୍ଦଦେବ ବିଜୟଗୌରବରେ ମଣ୍ଡିତ ହେଲେ, ମାତ୍ର ସେ ଗୌରବ ବେଶି ଦିନ ରହିପାରିଲା ନାହିଁ । ମୂର୍ଖ, କାପୁରୁଷ, କପଟୀ ରାମଚନ୍ଦ୍ର କପଟରେ ଶିଖି ଓ ମନାଇ ଦୂତ ଦୁହିଙ୍କୁ ପଠାଇ ମୁକୁନ୍ଦଦେବଙ୍କୁ ହତ୍ୟାକଲେ,–ପଶୁର ନିର୍ଦ୍ଦୟ କାମନା ଏତେ ଦିନ ପୂର୍ଣ୍ଣ ହେଲା ।

 

ରାମଚନ୍ଦ୍ର ଓଡ଼ିଶା ରାଜସିଂହାସନ ପାଇଁ ଏ ଅମାନୁଷିକ ପାପ କଲେ । ମାତ୍ର ମୁହୂର୍ତ୍ତକ ପାଇ ସୁଦ୍ଧା ସିଂହାସନ ପାଇ ପାରିଲେ ନାହିଁ । କାପୁରୁଷ ସେହି କଳାପାହାଡ଼ ହାତରେ ନିଜ ପାପର ପ୍ରାୟଶ୍ଚିତ କଲେ । କଳାପାହାଡ଼ ତାଙ୍କ ରାଜ୍ୟ ଦଖଲ କରି ତାଙ୍କୁ ବନ୍ଦୀ କଲେ । ଅନୁତାପରେ ସଢ଼ି ସଢ଼ି ରାମଚନ୍ଦ୍ରଙ୍କର ବନ୍ଦୀଘରେ ମୃତ୍ୟୁ ହେଲା । କପଟୀ ଖଳ ପ୍ରକୃତି ଲୋକଙ୍କର କ’ଣ କେବେ ମଙ୍ଗଳ ହୁଏ ?

 

ମୁକୁନ୍ଦଦେବ ଗଲେ; ରାମଚନ୍ଦ୍ରଦେବ ମଲେ, ବର୍ତ୍ତମାନ ଓଡ଼ିଶା ତା’ର ଓଡ଼ିଆ ରାଜାଙ୍କୁ ସବୁଦିନ ପାଇଁ ହରାଇଲା । ଓଡ଼ିଶାର ସ୍ୱାଧୀନତା ମୁସଲମାନଙ୍କର ହସ୍ତଗତ ହେଲା । ପରେ ଆକ୍‌ବର ନିଜ ରାଜ୍ୟରେ ସାମିଲ କଲେ ।

Image

 

ମହାବୀର ଶିବାଜୀ

 

ଶିବାଜୀ ଭାରି ବୀର ଓ ବଡ଼ କୌଶଳୀ । ସେ ତାଙ୍କର ସମାନ୍ୟ ମାତ୍ର ବଣୁଆ ସୈନ୍ୟଙ୍କୁ ନେଇ ମୋଗଲ ସାମ୍ରାଜ୍ୟ ଛାରଖାର କରି ଦେଇଥିଲେ । ନିଜେ ମଧ୍ୟ ଗୋଟିଏ ମରହଟ୍ଟା ରାଜ୍ୟ ସ୍ଥାପନ କରି ତାକୁ ଚାରିଆଡ଼କୁ ବଢ଼ାଇଥିଲେ । ମୋଗଲ ସମ୍ରାଟ ଆଉରଙ୍ଗଜେବ ଓ ଅନ୍ୟାନ୍ୟ ରାଜାମାନେ ତାଙ୍କ ନାଁ ଶୁଣିଲେ ଭୟରେ ଥରୁଥିଲେ ।

 

ଶିବାଜୀଙ୍କ ବାପାଙ୍କ ନାଁ ସାହାଜୀ ଭୋନସ୍‌ଲା । ସେ ବିଜାପୁର ରାଜାଙ୍କ ପାଖରେ ଚାକିରି କରି ତାଙ୍କ ପାଖରୁ କିଛି ଜାଗିରି ପାଇ ଚଳୁଥିଲେ । ଶିବାଜୀ ପିଲାଦିନେ ଦାଦାଜୀ ନାମରେ ଜଣେ ବୁଢ଼ା ବ୍ରାହ୍ମଣ ପାଖରେ ପାଠ ପଢ଼ୁଥିଲେ । ବୃଦ୍ଧ ତାଙ୍କୁ ବେଶି ଲେଖାପଢ଼ା ନ ଶିଖାଇ କେବଳ ପୁରାଣମାନଙ୍କରୁ କଥା ଶୁଣାଉଥିଲେ । ମହାଭାରତର ଭୀମକଥା ଓ ରାମାୟଣର ହନୁମାନ କଥା ଶୁଣିବାକୁ ଶିବାଜୀ ବଡ଼ ଆଗ୍ରହ ଦେଖାଉଥିଲେ । ଯେତେବେଳେ ସେମାନଙ୍କ କଥା ପଡ଼େ ଶିବାଜୀ ସେତେବେଳେ ଥରି ଉଠନ୍ତି । ବାଘ ମଣିଷ ଦେଖିଲେ ଯେପରି ଫୁଲି ଉଠେ, ସେହିପରି ସେ ଫୁଲି ଉଠୁଥିଲେ, ତାଙ୍କ ରୋମ ଟାଙ୍କୁରି ଉଠୁଥିଲା ।

 

ଶିବାଜୀ ବଡ଼ ହୋଇଗଲାରୁ ଦଳେ ପାହଡ଼ିଆ ଲୋକଙ୍କୁ ଆଣି ନିଜ ଅଧୀନରେ ରଖିଥିଲେ । ତାଙ୍କୁ ଯୁଦ୍ଧବିଦ୍ୟା ଶିଖାଇ ତାଙ୍କରି ସାହାଯ୍ୟରେ ବିଜାପୁର ରାଜାଙ୍କ ରାଜ୍ୟ ଲୁଟିକଲେ-। ବିଜାପୁର ରାଜା ତାଙ୍କୁ ନ ପାରି ତାଙ୍କ ବାପାଙ୍କୁ ବନ୍ଦୀକଲେ । ଶିବାଜୀ ଦିନାକେତେ ଲୁଟ୍‌ପା ବନ୍ଦ କରିଦେଲେ । ବାପା ବନ୍ଦୀରୁ ଖଲାସ ହେଲାରୁ ପୁଣି ବିଜାପୁରରେ ଗଣ୍ଡଗୋଳ ଆରମ୍ଭ କଲେ । ଏଥର ପ୍ରକାଶ୍ୟରେ ବିଜାପୁର ରାଜାଙ୍କ ଶତ୍ରୁହୋଇ ଠିଆ ହେଲେ ।

 

ବିଜାପୁରପତି ଶିବାଜୀଙ୍କ ଅତ୍ୟଚାରରେ ବଡ଼ ବ୍ୟତିବ୍ରସ୍ତ ହୋଇ ପଡ଼ିଲେ । ସେ ନିଜର ସେନାପତି ଆଫଜଲ ଖାଁଙ୍କୁ ତାଙ୍କ ବିରୁଦ୍ଧରେ ପଠାଇଲେ । ଆଫଜଲ ଶିବାଜୀଙ୍କ କୌଶଳରୁ ବର୍ତ୍ତିପାରିବେ ନାହିଁ ଭାବି ନିଜେ ଗୋଟେ କୌଶଳ ପାଞ୍ଚିଲେ । ସେ ଶିବାଜୀଙ୍କ ବନ୍ଧୁ ବୋଲି ପ୍ରଚାର କରିଦେଲେ । ଶିବାଜୀଙ୍କ ପାଖକୁ କହି ପଠାଇଲେ, ‘‘ଆପଣ ଆସିଲେ ଉଭୟଙ୍କ ଏକତ୍ରରେ ସନ୍ଧି ସ୍ଥାପନ କରିବା’’

 

କଥାରେ କହନ୍ତି ‘ଡାଆଣୀଠୁଁ ଗୁଣିଆ ଚଢ଼ା’ । ଶିବାଜୀ ତ ଆଫଜଲ ଖାଁଙ୍କଠୁଁ ବେଶି ଚତୁର । ସେ ପ୍ରକାଶ୍ୟରେ ଖାଁଙ୍କ କଥା ମାନିଲେ । ଆଗରୁ ଯେତେବେଳେକୁ ଯିବାକୁ ଠିକ୍‌ ହୋଇଥିଲା, ସେତେବେଳେ ଗଲେ ନାହିଁ । ଅନ୍ୟ ସମୟରେ, ଥରେ ନିଜର କେତେ ଜଣ ସୈନ୍ୟଙ୍କୁ ଆଫଜଲ ଯେଉଁ ଘରେ ଥିଲେ, ସେ ଘର ପାଖରେ ଲୁଚାଇ ରଖି, ନିଜେ ଭଦ୍ର ଭାବରେ ତାଙ୍କ ପାଖକୁ ଦେଖା କରିବାକୁ ଗଲେ । ହାତରେ ତାଙ୍କର ଗୋଟେ ଗୁପ୍ତ ହତିଆର ଥାଏ । ତାକୁ ‘ବାଘନଖ’ କହନ୍ତି । ‘ବାଘନଖ’ ଖୁବ୍‌ ଛୋଟିଆଟିଏ । ତା’ ଦେହରେ ଚାରିଟା ମୂନ ବାଘ ନଖ ପରି ବାହିଥାଏ ।

 

ଆଫଜଲ ଖାଁ ଭାବିଥିଲେ ଶିବାଜୀଙ୍କୁ ଡାକି କୌଶଳରେ ବନ୍ଦୀ କରିବେ ବୋଲି । ମାତ୍ର ଶିବାଜୀ ଅବେଳାରେ ଯାଇଁ ପହଞ୍ଚିଗଲେ । ଆଫଜଲ ଲୁଗାତଳେ ଖଣ୍ଡା ରଖି ବାହାରେ ବନ୍ଧୁପଣିଆ ଦେଖେଇହୋଇ, ଯାଇ ତାଙ୍କୁ କୁଣ୍ଡାଇ ପକାଇଲେ । ଶିବାଜୀ ତାଙ୍କୁ ‘ବାଘନଖ’ ବାହାର କରି ବାଘ ପରି ତାଙ୍କ ଉପରକୁ କୁଦି ଉଠିଲେ । ସେ ଖଣ୍ଡା ବାହାର କରି ମାରିବାକୁ ବସିଲାରୁ, ଶିବାଜୀ ତାଙ୍କ ଛାତିରେ ବାଘ ନଖରେ ବଡ଼ ଜୋରରେ ଆଘାତ କଲେ । ଶିବାଜୀଙ୍କ ସୈନ୍ୟମାନେ ଯୁଦ୍ଧକୁ ହଠାତ୍‌ ବାହାରି ପଡ଼ିଲେ । ଆଫଜଲଙ୍କ ସୈନ୍ୟ ଛତ୍ରଭଙ୍ଗ ଦେଇ ପଳାଇଲେ । ଆଫଜଲ ପ୍ରାଣତ୍ୟାଗ କଲେ । ନିଜେ ଶିବାଜୀଙ୍କୁ କପଟ କରି ମାରିବାକୁ ଆସିଥିଲେ, ମାତ୍ର ଶିବାଜୀ କପଟରେ ନିଜେ ମଲେ ।

Image

 

ସେତେବେଳେ ଆଉରେଙ୍ଗଜେବ ଭାରତର ସମ୍ରାଟ । ଶିବାଜୀଙ୍କ ବୀରତ୍ୱ ଓ କୌଶଳ ଦେଖି ତାଙ୍କ ଛାତି ଥରିଲା । ସେ ଦାକ୍ଷିଣାତ୍ୟର ଶାସନକର୍ତ୍ତା ଶାୟସ୍ତଖାଁଙ୍କୁ ତାଙ୍କ ବିରୁଦ୍ଧରେ ପଠାଇଲେ । ଶାୟସ୍ଥ ଖାଁ ପୁନାରେ ଆସି ରହିଲେ ।

 

ଆଉରେଙ୍ଗଜେବ ହିନ୍ଦୁମାନଙ୍କ ଉପରେ ବଡ଼ ଅତ୍ୟାଚାର କରୁଥିଲେ । ସେ ଅତ୍ୟାଚାରରେ ପ୍ରତ୍ୟେକ ହିନ୍ଦୁ ଉତ୍ତେଜିତ ହୋଇ ଉଠିଲେ । ଶିବାଜୀ ତ ବାଟ ଚାହିଁ ବସିଥିଲେ । ତାଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିଗଲା ।

 

ଥରେ ରାତିରେ ଗେଟିଏ ବର ବିଭା ହେବାକୁ ଯାଉଥିଲା । ଭାରି ଜାକଜମକରେ ରୋଷଣୀ ଲାଗିଥାଏ, ବହୁତ ବରଯାତ୍ରୀ ଯାଉଥାନ୍ତି । ଶିବାଜୀ ନିଜ ବେଶ ବଦଳାଇ ସେହି ବରଯାତ୍ରୀଙ୍କ ସାଙ୍ଗରେ ଗଲେ । ଶାୟସ୍ଥ ଖାଁ ଯେଉଁ ଘରେ ଥିଲେ, ସେହି ଦୁଆରମୁହଁ ଦେଇ ରୋଷଣୀ ଗଲା । ହଠାତ୍‌ ଶିବାଜୀ ବରଯାତ୍ରୀ ଦଳରୁ ବାହାରି ପଡ଼ି ଶାୟସ୍ଥଖାଁଙ୍କୁ ଆକ୍ରମଣ କଲେ । ଶାୟସ୍ଥଖାଁ ପ୍ରାଣ ବିକଳରେ ଝରକା ଭିତର ଦେଇ ପଳାଇଗଲେ । ତାଙ୍କ ହାତ ଆଙ୍ଗୁଠି ସବୁ ଛିଡ଼ିଗଲା । ସେ ଶିବାଜୀଙ୍କୁ ଏତେ ଡରିଗଲେ ଯେ, ସେଇ ରାତିକା ରାତି ପୁନା ଛାଡ଼ି ପଳାଇଲେ ।

 

ଶିବାଜୀଙ୍କୁ ଏଥର ସୁବିଧା ମିଳିଲା । ସେ ଆଉରେଙ୍ଗଜେବଙ୍କ ରାଜ୍ୟ ଲୁଟି କଲେ ଓ କେତେକ ପ୍ରଦେଶର ଶାସନକର୍ତ୍ତାଙ୍କ ଠାରୁ ଚୌଥ ଦାବି କଲେ । ଆଉରେଙ୍ଗଜେବ ତାଙ୍କର ବନ୍ଧୁ ବୀର ଜୟସିଂହଙ୍କ ସହିତ ସନ୍ଧି ସ୍ଥାପନ କଲେ । ଜୟସିଂହ ତାଙ୍କ ବୀରତ୍ୱରେ ମୋହିତ ହୋଇ କହିଲେ,‘‘ମୋଗଲ ସମ୍ରାଟଙ୍କଠାରୁ ମହାରାଜାମାନେ ଯେପରି ସମ୍ମାନ ପାନ୍ତି, ତୁମ୍ଭେ ସେହିପରି ସମ୍ମାନ ପାଇବ । ଆଗ୍ରା ଗଲେ ତୁମ୍ଭର ସାମାନ୍ୟ ମାତ୍ର କ୍ଷତି କେହି କରିବେ ନାହିଁ ।’’ ହିନ୍ଦୁ ଯାହା ପ୍ରତିଜ୍ଞା କରିବ ତା’ର ପ୍ରାଣ ଯିବ ପଛକେ ସେ ତାହା ଲଘଂନ କରିବ ନାହିଁ । ଜୟସିଂହ ମଧ୍ୟ ଉଦାରହୃଦୟର ହିନ୍ଦୁ । ଶିବାଜୀ ତାଙ୍କ କଥାରେ ଅବିଶ୍ୱାସ କରି ପାରିଲେ ନାହିଁ । ଜୟସିଂହ ଶିବାଜୀଙ୍କ ସାହାଯ୍ୟରେ ବିଜାପୁର ଦଖଲ କରି ସେଠାରେ ରହିଲେ । ଆଉରଙ୍ଗଜେବଙ୍କ ଚିଠି ଅନୁସାରେ ଶିବାଜୀ ଓ ତାଙ୍କ ପୁଅ ଶମ୍ୱୁଜୀ ଆଗ୍ରା ଆସିଲେ । ଜୟସିଂହ ମଧ୍ୟ ତାଙ୍କ ପୁଅ ରାମସିଂହଙ୍କ ପାଖକୁ ଲେଖି ପଠାଇଲେ, ‘‘ମୁଁ ପ୍ରତିଜ୍ଞା କରିଛି, ଏ ବୀରଙ୍କର ଆଗ୍ରାରେ ଯେପରି କିଛି ଅସୁବିଧା ନ ହୁଏ ।’’

 

ହିନ୍ଦୁ ପ୍ରତିଜ୍ଞାର ମହତ୍ତ୍ୱ ବୁଝେ, ମାତ୍ର ନିଷ୍ଠୁର, ନୀଚ ହୃଦୟ ଆଉରଙ୍ଗଜେବ ତା’ ବୁଝିବେ କୁଆଡ଼ୁ ? ସେ ଶିବାଜୀଙ୍କୁ ସମ୍ମାନ ଦେଖାଇବା ତ ଦୂରର କଥା, ଖାତିରି ମଧ୍ୟ କଲେ ନାହିଁ । ରାଜସଭାରେ ଶିବାଜୀଙ୍କୁ ବସିବାକୁ ମଧ୍ୟ କହିଲେ ନାହିଁ । ବୀର ଶିବାଜୀଙ୍କ ପ୍ରାଣ ଏହା କି ସହେ ? ତାଙ୍କର ଆଖି ରାଗରେ ଲାଲ ପଡ଼ିଗଲା । ଦେହର ରୋମମାନ ଠିଆ ହୋଇଗଲା । ମାତ୍ର ବହୁତ କଷ୍ଟରେ ସେ ରାଗ ସମ୍ଭାଳି ନେଲେ । କ୍ଷଣକାଳ ନୀରବ ହୋଇ ଉତ୍ତେଜିତ ଭାବରେ କହିଲେ, ‘‘ମୁଁ ବଡ଼ ଠକାମିରେ ପଡ଼ିଗଲି, ଏଠାରେ ଏପରି ଭାବରେ ଠିଆହେବା ମୋର ଉଚିତ ନୁହେଁ ।’’ ଏହା କହି ସେ ବୀର ଭାବରେ ସମ୍ରାଟ ଆଗ ଦେଇ ଚାଲିଗଲେ । ଅନ୍ୟାନ୍ୟ ରାଜାମାନେ ତାଙ୍କର ଏ ସାହସ ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ ।

 

ଆଉରଙ୍ଗଜେବ ଆଗରୁ ଯେଉଁ ଘର ଠିକ୍‌ କରିଥିଲେ, ଶିବାଜୀ ଯାଇ ସେହିଘରେ ରହିଲେ । ଆରଦିନ ରାମସିଂହ ଯାଇ ତାଙ୍କୁ କହିଲେ, ‘‘ସମ୍ରାଟ ଆପଣଙ୍କୁ ଏ ଘରେ ବନ୍ଦୀ କରିଛନ୍ତି, ଆପଣ ପଳାଇଯିବାର ଉପାୟ କଲେ ମୁଁ ଆପଣଙ୍କୁ ସାହାଯ୍ୟ କରିବି । ବାପାଙ୍କ କଥା ରଖି ପାରି ନାହିଁ, ସେଥିପାଇଁ ମୁଁ ବଡ଼ ଦୁଃଖିତ ।’’

 

ଶିବାଜୀଙ୍କ ସାଙ୍ଗରେ ଶମ୍ୱୁଜୀ ଥାନ୍ତି । ସେ ବନ୍ଦୀ ହୋଇଛନ୍ତି ଜାଣି ସେଥିରୁ ଉଦ୍ଧାର ପାଇବାକୁ ଶିବାଜୀ ଉପାୟ ଚିନ୍ତା କଲେ । ସମ୍ରାଟଙ୍କ ପାଖକୁ କହି ପଠାଇଲେ ଯେ,‘‘ମୋ’ର ସୈନ୍ୟମାନଙ୍କୁ ତାଙ୍କ ଦେଶକୁ ଫେରି ଯିବାପାଇଁ ଅନୁମତି ଦିଅ । ଏ ଜଳବାୟୁ ତାଙ୍କ ଦେହରେ ଯାଉ ନାହିଁ ।’’ ଏହା ଶୁଣି ଆଉରଙ୍ଗଜେବ ଆନନ୍ଦରେ ଶିବାଜୀଙ୍କ ସୈନ୍ୟମାନଙ୍କୁ ବିଦା କରିଦେଲେ-। ସେ ଭାବିଲେ, ‘‘ଶିବାଜୀ ବଡ଼ ଓଲୁ । ତା’ର ସୈନ୍ୟ ତା’ର ପାଖରେ ଥିଲେ, ସେ ସିନା ମୋ ବିରୁଦ୍ଧରେ ଛିଡ଼ା ହୋଇଥାନ୍ତା । ସୈନ୍ୟମାନେ ତ ଗଲେ, ବାପ ପୁଅ ବର୍ତ୍ତମାନ ସମ୍ପୂର୍ଣ୍ଣରୂପେ ମୋର ଅଧୀନରେ, ମୋ ହାତରେ ବନ୍ଦୀ ।’’ ମାତ୍ର ସମ୍ରାଟ ଜାଣନ୍ତି ନାହିଁ ଯେ ,ଶିବାଜୀ କୌଶଳରେ ତାଙ୍କ ପରି ସତରଟା ସମ୍ରାଟଙ୍କୁ ହଟାଇ ଦେବେ ।

 

କେତେକ ଦିନ ପରେ ଶିବାଜୀ ସମ୍ରାଟଙ୍କୁ କହି ପଠାଇଲେ,‘‘ମୁଁ ବେମାର ଥିଲି, ବର୍ତ୍ତମାନ ଭଲ ହେଲିଣି । କେତେକ ଟୋକେଇ ମିଠେଇ ବାଣ୍ଟିବାକୁ ମାନସିକ ଅଛି । ପ୍ରତିଦିନ ଦୁଇଟୋକେଇ ମିଠେଇ ବାଣ୍ଟିବାକୁ ମୋତେ ଅନୁମତି ଦିଅନ୍ତୁ ।’’ ସମ୍ରାଟ ଏଥିରେ ରାଜି ହେଲେ । ପ୍ରତ୍ୟହ ଦୁଇ ଟୋକେଇ ମିଠେଇ ସେ ଘରୁ ବାହାରକୁ ଯାଏ । ପ୍ରଥମେ ପ୍ରଥମେ ଜଗୁଆଳମାନେ ଟୋକେଇ ମୁହଁ ଫିଟେଇ ଦେଖୁଥିଲେ । ଦୁଇ ଚାରିଦିନ ଗଲାରୁ ଆଉ ଦେଖିଲେ ନାହିଁ, ସେମିତି ଛାଡ଼ିଦେଲେ । ଦିନେ ଶମ୍ୱୁଜୀ ଓ ଶିବାଜୀ ଦୁଇଟି ଟୋକେଇରେ ବସି ଉପରେ ପତର ବାନ୍ଧିଦେଲେ-। ଲୋକ ସେ ଟୋକାଇ ମୁଣ୍ଡାଇ ଚାଲିଗଲା । ଜଗୁଆଳମାନେ ପୂର୍ବପରି ମିଠେଇ ଟୋକେଇ ଭାବି ତାକୁ ଆଉ ଦେଖିଲେ ନାହିଁ । ଖଣ୍ଡେଦୂର ଗଲାରୁ ଶିବାଜୀ ଓ ଶମ୍ୱୁଜୀ ଟୋକେଇରୁ ବାହାରି, ରାମସିଂହଙ୍କଠାରୁ ଦୁଇଟି ଘୋଡ଼ା ନେଇ ବଣେ ବଣେ ଚାଲିଲେ । ରାତିକ ଭିତରେ ବହୁତ ବାଟ ଚାଲିଗଲେ ।

 

ଆରଦିନ ସମ୍ରାଟ ବନ୍ଦୀଘର ଖାଲି ଦେଖି ଗାଲରେ ହାତ ଦେଲେ । ପ୍ରାୟ ଆଠ ନଅ ମାସ ପରେ ଶିବାଜୀ ଆସି ନିଜ ଦେଶରେ ପହଞ୍ଚିଲେ । ଏଥର ଘୋଷଣାକରି ଆଉରଙ୍ଗଜେବଙ୍କର ଶତ୍ରୁ ହେଲେ । ନିଜେ ଗୋଟିଏ ରାଜ୍ୟ ସ୍ଥାପନ କଲେ । କ୍ରମେ କ୍ରମେ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ରାଜ୍ୟରୁ ଖଣ୍ଡେ ଖଣ୍ଡେ ନେଇ ନିଜ ରାଜ୍ୟରେ ସାମିଲ କଲେ ।

 

ଶିବାଜୀ ଯେପରି ବୀର, ସେହିପରି ଦୟାଳୁ ଓ ନୀତିନିପୁଣ ଲୋକ ଥିଲେ । ସେ ଶତ୍ରୁ ନିକଟରେ ଯେପରି ନିଷ୍ଠୁର ଥିଲେ, ପ୍ରଜାଙ୍କ ନିକଟରେ ସେହିପରି ଦୟାଳୁ ଥିଲେ । ତୁମ୍ଭେମାନେ ପୁରାଣରେ ପର୍ଶୁରାମଙ୍କ କଥା ଶୁଣିଥିବ । ଶିବାଜୀ ଦ୍ୱିତୀୟ ପର୍ଶୁରାମ କହିଲେ ଚଳେ ।

 

ମହାବୀର ଶିବାଜୀ ୫୩ବର୍ଷ ବଞ୍ଚିଥିଲେ । ନିଜରାଜ୍ୟକୁ ଦୃଢ଼ କରିସାରି ୧୭୮୦ ଖ୍ରୀ: ଅ: ରେ ପ୍ରାଣତ୍ୟାଗ କଲେ । ସେ ଯିବାପୂର୍ବରୁ ମରହଟ୍ଟାମାନେ ବଡ଼ ବୀର ଜାତି ହୋଇଥିଲେ । ତେଣୁ ମୋଗଲ ସମ୍ରାଟସବୁ ମରହଟ୍ଟାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ।

Image

 

ତେଜ ବାହାଦୂର

 

ଆମଦେଶ ଭାରତବର୍ଷର ଉତ୍ତର ପଶ୍ଚିମ କୋଣରେ ପଞ୍ଜାବ ବୋଲି ଗୋଟିଏ ପ୍ରଦେଶ ଅଛି । ସେଠାକାର ଲୋକମାନେ ଶିଖ୍‌ଧର୍ମରେ ଦୀକ୍ଷିତ । ଏହିଧର୍ମ ମହାତ୍ମା ନାନକଙ୍କ ଦ୍ୱାରା ପ୍ରଚାରିତ ହୋଇଥିଲା । ତାଙ୍କ ପରେ ଜଣେ ଜଣେ ଗୁରୁ ଶିଖ୍‌ମାନଙ୍କୁ ଚଳେଇଲେ । ମହାତ୍ମା ତେଜ ବାହାଦୂର ଜଣେ ଏହିପରି ଗୁରୁ ।

 

ବାହାଦୂରଙ୍କ ସମୟରେ ଧର୍ମାନ୍ଧ ଆଉରଙ୍ଗଜେବ ଭାରତର ସମ୍ରାଟ ଥାନ୍ତି । ସେ ହିନ୍ଦୁମାନଙ୍କ ଉପରେ ଭୟଙ୍କର ଅତ୍ୟାଚାର କରି ତାଙ୍କୁ ମୁସଲମାନ କରାଉଥାନ୍ତି । ଯେ ମୁସଲମାନ ନ ହୁଏ ତାକୁ ମାରିପକାନ୍ତି । କାହାର ବା ଜିଭ କାଟି ଦିଅନ୍ତି, ଉପାସରେ ବନ୍ଦୀଘରେ ପକାଇ ରଖନ୍ତି-। ଠାକୁର ମନ୍ଦିରସବୁ ଭାଙ୍ଗିପକାଇ ସେ ଇଟା ପଥରରେ ମସ୍‌ଜିଦ୍‌ ତୋଳନ୍ତି । ଏହିପରି ସବୁ ଅତ୍ୟାଚାର ସହି ସହି ହିନ୍ଦୁମାନେ ବଡ଼ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ଘରଦ୍ୱାର ଛାଡ଼ି ଯାଇ ବଣରେ ବୁଲିଲେ, ମାତ୍ର ମୁସଲମାନ୍‌ ହେଲେ ନାହିଁ ।

 

ଶିଖ୍‌ମାନେ ବୀରଜାତି । ଅପମାନ ସହି ତୁନି ହୋଇ ପଡ଼ି ରହିବା ତାଙ୍କର ସ୍ୱଭାବ ନୁହେ । ଆଉରଙ୍ଗଜେବଙ୍କର ଏ ଅତ୍ୟାଚାରରେ ସେ ବଡ଼ ଉତ୍ତେଜିତ ହୋଇ ଉଠିଲେ । ମାତ୍ର କରିବେ ବା କ’ଣ ? ସଂଖ୍ୟାରେ ତ ସମାନେ ଅଳ୍ପ । ଏଡ଼େବଡ଼ ସମ୍ରାଟର ଲକ୍ଷ ଲକ୍ଷ ସୈନ୍ୟ ବିରୁଦ୍ଧରେ ବା ସେ ଠିଆ ହେବେ କିପରି ?

 

ଏ କଥା ଗୁରୁ ତେଜ ବାହାଦୂରଙ୍କ କାନରେ ପଡ଼ିଲା । ତାଙ୍କ ମନରେ ବଡ଼ କଷ୍ଟ ହେଲା-। ସେ ପ୍ରକୃତ କଥା ବୁଝିବାପାଇଁ କେତେକ ଦେଶ ବୁଲିଲେ । ପ୍ରତ୍ୟେକ ସ୍ଥାନରେ ଆଉରଙ୍ଗଜେବଙ୍କ ଅତ୍ୟାଚାର ଦେଖିଲେ । ହିନ୍ଦୁମାନେ ଯେ କିପରି ହା’ହା’କାର କରୁଛନ୍ତି ତା’ ପ୍ରାଣେ ପ୍ରାଣେ ଅନୁଭବ କଲେ ।

 

ନିଜସ୍ଥାନକୁ ଫେରିଆସି ତେଜ ବାହାଦୂର ଘୋଷଣା କଲେ,‘‘ଯଦି ଆଉରଙ୍ଗଜେବ ମୋତେ ମୁସଲମାନ୍‌ କରିପାରନ୍ତି, ତେବେ ମୋର ସମସ୍ତ ଶିଷ୍ୟ ସେ ଧର୍ମ ଗ୍ରହଣ କରିବେ ।’’ ଏହା ଶୁଣି ଆଉରଙ୍ଗଜେବଙ୍କ ଜିଦ୍‌ ଲାଗିଲା । ସେ ବହୁତ ସୈନ୍ୟ ପଠାଇ ତେଜ୍‌ ବାହାଦୂରଙ୍କୁ ବନ୍ଦୀ କରି ନେଇଗଲେ ।

 

ଆଉରଙ୍ଗଜେବ ବହୁତ ବୁଝେଇଲେ, ବହୁତ କୁହାବୋଲା କଲେ, ଶେଷରେ ଡର ଭୟ ମଧ୍ୟ ଦେଖେଇଲେ । ମାତ୍ର ତେଜ୍‌ ବାହାଦୂର ମୁସଲମାନ ହେଲେନାହିଁ । ତାଙ୍କୁ ବହୁତ ଦିନ ଯାଏ ଉପାସରେ ରଖାଗଲା, ତଥାପି ସେ ନିଜ ଧର୍ମକୁ ଟଳିଲେ ନାହିଁ । ନିଷ୍ଠୁର ଆଉରଙ୍ଗଜେବ୍‌ ବଡ଼ ଅତ୍ୟାଚାର କଲେ, ତାଙ୍କ ଆଗରେ ତାଙ୍କ ବଡ଼ ପୁଅର ମୁଣ୍ଡ କାଟିଦେଲେ । ମୋଗଲ ହାତରେ ବନ୍ଦୀ, ସେଥିରେ ପୁଣି ବହୁତ ଦିନ ହେଲା ଉପାସ । ପ୍ରାଣପ୍ରତିମ ପୁଅର ମୁଣ୍ଡ ଆଗରେ ହଣାଗଲା । କେତଜଣ ବା ଏ କଥାରେ ଧୈର୍ଯ୍ୟଧରି ରହିପାରନ୍ତେ ! ମାତ୍ର ମହାବୀର, ଉଦାର ହୃଦୟ ତେଜବାହାଦୂର ଏଥିରେ ଟଳିବାର ଲୋକ ନୁହନ୍ତି ।

 

ଆଉରଙ୍ଗଜେବ ଶେଷରେ କୌଣସିଥିରେ ଫଳ ନ ହେବାର ଦେଖି ତାଙ୍କୁ କହିଲେ, ‘‘ତମେ ତମ ଧର୍ମର ମାହାତ୍ମ୍ୟ କିଛି ଦେଖାଇ ପାରିବ କି ?’’ ତେଜବାହାଦୂର କହିଲେ, ‘‘ହଁ, ନିଶ୍ଚୟ ଦେଖାଇ ପାରିବି । ମୋ ମୁଣ୍ଡ କାଟିଦିଅ ତଥାପି ମୁଁ ବଞ୍ଚିଉଠି ତମ ମୋଗଲ ସାମ୍ରାଜ୍ୟ ଧ୍ୱଂସ କରିଦେବି ।’’

 

ତେଜବାହାଦୁରଙ୍କର ଏ କଥା ଚାରିଆଡ଼େ ପ୍ରଚାର ହୋଇଗଲା । ଲକ୍ଷ ଲକ୍ଷ ହିନ୍ଦୁ–ଯେ ସବୁ ବଣ ଜଙ୍ଗଲରେ ଲୁଚି ଥିଲେ, ଆସି ଏ କଥା ଦେଖିବାକୁ ରୁଣ୍ଡ ହେଲେ । ନିର୍ଦ୍ଦିଷ୍ଟ ଦିନ ଗୋଟିଏ ବଡ଼ ସଭା ହେଲା । ଆଉରଙ୍ଗଜେବ ନିଜେ ସେଠାରେ ବସିଲେ । ତେଜବାହାଦୁର ବନ୍ଦୀଘରୁ ଅଣାହେଲେ । ତାଙ୍କୁ ଦେଖି ହିନ୍ଦୁମାନେ କାନ୍ଦି ପକାଇଲେ । କେହି କେହି ମଧ୍ୟ କହିଲେ, ‘‘ଆମ୍ଭେମାନେ ସମସ୍ତେ ମୁସଲମାନ ହେଉଛୁ ପଛକେ ତାଙ୍କୁ ଛାଡ଼ିଦିଅ ।’’ ତେଜବାହାଦୁର ଏ କଥା ଶୁଣି ସେମାନଙ୍କୁ ତାଚ୍ଛଲ୍ୟରେ କହିଲେ,‘‘ଦେଖ, ହିନ୍ଦୁ ଧର୍ମର କି ମାହାତ୍ମ୍ୟ । କିଛି ନ ଦେଖି ମତେ ଖଲାସ କରିବାକୁ ଏତେ ବ୍ୟାକୁଳ କାହିଁକି ?’’

 

ଚାହୁଁ ଚାହୁଁ ନିର୍ଦ୍ଦିଷ୍ଟ ସମୟ ଆସିଗଲା । ଲକ୍ଷ ଲକ୍ଷ ହିନ୍ଦୁ, ମୁସଲମାନ ତାଙ୍କୁ ଦେଖିବାକୁ ଆସି ଜମା ହେଲେ । ସମସ୍ତେ ଆଉରଙ୍ଗଜେବଙ୍କୁ ଛି ଛା କରୁଥାନ୍ତି । ତେଜବାହଦୁର ଖଣ୍ଡେ କ’ଣ ଲେଖା ନିଜ ବେକରେ ଲଟକାଇ ଦେଲେ । ନିଷ୍ଠୁର ଆଉରଙ୍ଗଜେବଙ୍କ କଥାରେ ଗୋଟିଏ ଲୋକ ତାଙ୍କ ବେକ କାଟିଦେଲା । ସେତେବେଳେ କି ହିନ୍ଦୁ, କି ମୁସଲମାନ୍‌ ସମସ୍ତଙ୍କ ଆଖି ବୁଜି ହୋଇ ପଡ଼ିଲା । ଆଉରଙ୍ଗଜେବ ଭାବିଥିଲେ ମୁଣ୍ଡ ପୁଣି ଲାଗିଯିବ; ସେ ବଞ୍ଚି ଉଠିବେ । ମାତ୍ର ସେ ସବୁ କିଛି ହେଲା ନାହିଁ । ପାଞ୍ଚ ମିନିଟ ଗଲା, ଦଶ ମିନିଟ ଗଲା, ଶେଷକୁ ଅଧାଘଣ୍ଟାଏ ଗଲା । ମୁଣ୍ଡ ସେହିପରି ତଳେ ପଡ଼ିଥାଏ । ଅଧାଘଣ୍ଟାକ ପରେ ଆଉରଙ୍ଗଜେବ ତେଜବାହାଦୁରଙ୍କ ବେକରୁ ସେ ଲେଖା ଖଣ୍ଡିକ ଫିଟାଇ ଆଣିଲେ । ସେଥିରେ ଲେଖା ହୋଇଛି, ‘ଶିର୍‌ ଦିଆ, ଶିଷ୍‌ ନା ଦିଆ । ’ ଅର୍ଥାତ୍‌ ‘‘ଶିର ଦେଲି, ମାତ୍ର ଧର୍ମ ଦେଲି ନାହିଁ ।’’

 

ଏ କଥା ପଢ଼ି ପ୍ରତ୍ୟେକ ହିନ୍ଦୁ ମାତି ଉଠିଲେ । ବୀର ଶିଖ୍‌ଜାତିର ପ୍ରାଣ କମ୍ପି ଉଠିଲା । ସେମାନେ ବୀର ବେଶରେ ମୋଗଲ ସମ୍ରାଟ ବିରୁଦ୍ଧରେ ଅସ୍ତ୍ର ଶସ୍ତ୍ର ଧଇଲେ । ସେହି ଆଉରଙ୍ଗଜେବ ବଞ୍ଚି ଥାଉଁ ଥାଉଁ ମୋଗଲସାମ୍ରାଜ୍ୟର ପତନ ଆରମ୍ଭ ହେଲା । ତେଜବାହାଦୁରଙ୍କ କଥା ସତ ହେଲା । ତାଙ୍କର ସେହି ଶିଖ୍‌ମାନଙ୍କୁ ସାହାସ, ବୀରତ୍ୱ ଆଣି ଦେଲା; ମୋଗଲ ସାମ୍ରାଜ୍ୟ ଧ୍ୱଂସ ହେଲା ।

Image

 

ଇଂରାଜମାନଙ୍କ ଭାରତ ଅଧିକାର

 

ତୁମ୍ଭମାନଙ୍କ ମନେଥିବ, ଭାରତର ଧନ ଦେଖି ମାହମୂଦଙ୍କ ପାଟିରୁ କିପରି ଲାଳ ବୋହିଥିଲା । ଏକା ମାହମୁଦ କାହିଁକି, ପ୍ରାୟ ପ୍ରତ୍ୟେକ ବିଦେଶୀ ଭାରତରେ ଏତେ ଧନ ଅଛି ଶୁଣିଲେ, ତାକୁ ଦେଖିବା ପାଇଁ ଭାରତକୁ ଆସିବାକୁ ବଡ଼ ଅଥୟ ହେଉଥିଲେ । ଇଉରୋପରେ ଗୋଲମରିଚ ଅଳାଇଚ, ନଡ଼ିଆ, ନୀଳ,ତୁଳା ଆଦୌ ହୁଏ ନାହିଁ । ଧାନ, ଗହମ ପ୍ରଭୃତି ଫସଲ ମଧ୍ୟ ଭଲ ହୁଏ ନାହିଁ । ଆଗେ ତୁଳା ମିଳୁ ନ ଥିଲା କି ଭଲ ଲୁଗା ମିଳୁ ନ ଥିଲା । ମୁସଲମାନମାନେ ଭାରତରୁ ସେ ଜିନିଷ ସବୁ ନେଇ ଇଉରୋପରେ ବିକୁଥିଲେ । ସେମାନେ ବହୁତ ଲାଭ କରୁଥିଲେ । ଭରତରୁ ଯେଉଁ ମୂଲ୍ୟରେ ନେଉଥିଲେ, ତା’ର ଛଅଗୁଣ ଦାମରେ ସେଠି ବିକୁଥିଲେ । ତେଣୁ ମସଲା ପ୍ରଭୃତି ଜିନିଷ ଏତେ ଦୁର୍ମୂଲ୍ୟ ହୋଇଥିଲା ଯେ, ସେଠାକର ଅନେକ ବଡ଼ଲୋକ ମଧ୍ୟ ତା’ ବ୍ୟବହାର କରିପାରୁ ନ ଥିଲେ ।

 

ତେଣୁ ଇଉରୋପର ଲୋକମାନଙ୍କ ଭିତରେ ଭାରତକୁ ଆସିବାକୁ ବଡ଼ ଚହଳ ପଡ଼ିଗଲା । ପ୍ରଥମେ ପର୍ତ୍ତୁଗାଲ ଦେଶର ଲୋକମାନେ ଜାହାଜରେ ଚଢ଼ି ସମୁଦ୍ରରେ ବାଟ ଖୋଜିଲେ । ବହୁତ ଥର ଲୋକ ବାଟ ନ ପାଇ ନିରାଶ ହେଲେ । କେତେକ ବୁଲି ବୁଲି ନିଜର ପ୍ରାଣ ଦେଲେ, ତଥାପି ଭାରତକୁ ଆସିବାକୁ ବାଟ ପାଇଲେ ନାହିଁ । କଲମ୍ୱସ୍ ନାମକ ଜଣେ ଲୋକ ଭାରତ ଖୋଜି ଖୋଜି ଯାଇ ଆମେରିକାରେ ପହଞ୍ଚିଲେ ।

 

ଏହିପରି ଥରକୁ ଥର ନିରାଶ ହେଲେ ସୁଦ୍ଧା, ସେମାନଙ୍କର ଉଦ୍ୟମ ତୁଟିଲା ନାହିଁ । ଅବଶେଷରେ ଭାସ୍କୋଡ଼ିଗାମା ନାମରେ ଜଣେ ଲୋକ ଭାରତ ପାଇଲେ । ସେ ୧୪୯୮ ଖ୍ରୀ: ଅ: ରେ ଆସି ଭାରତ ଉପକୂଳରେ ପହଞ୍ଚିଲେ । ସେହି ଦିନଠୁଁ ତାଙ୍କର ବାଣିଜ୍ୟ ଚାଲିଲା । ତାଙ୍କ ଦେଖାଦେଖି ଅନ୍ୟାନ୍ୟ ଦେଶର ଲୋକମାନେ କ୍ରମେ କ୍ରମେ ବେପାର କରିବାକୁ ଭାରତକୁ ଆସିଲେ ।

 

ସୌଭାଗ୍ୟ କ୍ରମେ ଇଂରେଜମାନେ ଅନ୍ୟାନ୍ୟ ଜାତିର ଲୋକମାନଙ୍କୁ ଦମନ କରି ନିଜର ପ୍ରତିଷ୍ଠା ଭାରତରେ ସ୍ଥାପନ କଲେ । ସେମାନେ ଇଷ୍ଟଇଣ୍ଡିଆ କୋମ୍ପାନୀ ନାମରେ ଗୋଟିଏ କମ୍ପାନୀ ଗଠନ କରି ଭାରତରେ ବାଣିଜ୍ୟ କଲେ । ମୋଗଲ ସମ୍ରାଟମାନଙ୍କୁ ପଟକାପଟକି କରି ଭାରତର ବହୁତ ସ୍ଥାନରେ ନିର୍ବିଘ୍ନରେ ବାଣିଜ୍ୟ ଚଳାଇଲେ । ପ୍ରଥମେ ବୋମ୍ୱେ, ମାନ୍ଦ୍ରାଜ, କଲିକତା ନଗରମାନ ସ୍ଥାପନ କରି ସେଠାରେ ଦୁର୍ଗସବୁ ତୋଳିଲେ । ଏହି ସମୟ ଭିତରେ ତାଙ୍କୁ ବଡ଼ କଷ୍ଟ ସହିବାକୁ ପଡ଼ିଥଲା । ଦେଶୀୟ ରାଜାଙ୍କ ସହିତ, ଇଉରୋପର ଅନ୍ୟାନ୍ୟ ଜାତିମାନଙ୍କ ସହିତ ବହୁତ ଥର ଯୁଦ୍ଧ କଲେ; ବହୁତ କ୍ଷତି ସହିଲେ । ଯାହା ହେଉ ଅନ୍ୟାନ୍ୟ ଜାତିମାନେ ଏକପ୍ରକାର ନିରାଶ ହେଲେ–ମାତ୍ର ଇଂରେଜମାନଙ୍କ ପତନ ହେଲା ନାହିଁ ।

 

କ୍ରମେ କ୍ରମେ ସେମାନଙ୍କ କ୍ଷମତା ଚାରିଆଡ଼େ ବ୍ୟାପିଗଲା । ବିଶେଷତଃ ସେମାନେ ବଙ୍ଗଦେଶରେ ସର୍ବେସର୍ବା ହୋଇ ଉଠିଲେ । କ୍ଲାଇବ ନାମକ ଜଣେ ଇଂରେଜ ପଲାସୀଯୁଦ୍ଧରେ ବଙ୍ଗ ନବାବଙ୍କୁ ପରାସ୍ତ କରି ଇଂରେଜମାନଙ୍କ କ୍ଷମତା ଆହୁରି ବଢ଼ାଇ ଦେଲେ ।

 

ମୋଗଲସାମ୍ରାଜ୍ୟର ପତନ ପରେ ପରେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତର ଶାସନକର୍ତ୍ତା ହେଲେ । ଶହେ ବର୍ଷ ମଧ୍ୟରେ ଇଂରେଜ କମ୍ଫାନୀର ଶାସନ ଭାରତରେ ଦୃଢ଼ ହୋଇଗଲା । ଏହି ଶହେ ବର୍ଷ ଭିତରେ ଭାରତରେ ରେଳ ଚାଲିଲା; ଡାକଘର, ଇଂରେଜୀ ସ୍କୁଲ, ବାଳିକା ସ୍କୁଲ ପ୍ରଭୃତି ଖୋଲାଗଲା; ସତୀଦାହପ୍ରଥା ବନ୍ଦ କରି ଦିଆଗଲା ।

 

ସବୁ ସମୟରେ ସମସ୍ତେ ହଠାତ୍‌ ପୁରୁଣା ଧରଣ ଛାଡ଼ି ନୂଆ ଧରଣରେ ଚଳିବାକୁ ମଙ୍ଗନ୍ତି ନାହିଁ । ଭାରତରେ ହଠାତ୍‌ ଏପରି ପରିବର୍ତ୍ତନ ସବୁ ହେବାରୁ ଲୋକମାନେ ଟିକିଏ ଡରିଗଲେ । ସେ ଭାବିଲେ ଭାରତର ସମସ୍ତେ ଦିନେ ଖ୍ରୀଷ୍ଟିଆନ ହୋଇଯିବେ ।

 

ଯେଉଁ ଭାରତୀୟ ଲୋକମାନେ ସୈନ୍ୟ କାମ କରୁଥିଲେ, ତାଙ୍କ ଇଚ୍ଛା ବିରୁଦ୍ଧରେ ସେନାପତି ତାଙ୍କୁ ଯୁଦ୍ଧକୁ ପଠାଉଥିଲେ । ଆଉ ମଧ୍ୟ ଏକ ପ୍ରକାର ବନ୍ଧୁକ ବାହାରିଲା, ଯାହାକୁ ବି ବ୍ୟବହାର କରିବାକୁ ସୈନ୍ୟମାନେ ଘୃଣା କରୁଥିଲେ । ତାକୁ ବାଧ୍ୟ ହୋଇ ବ୍ୟବହାର କରିବାକୁ ଉପରୁ ହୁକୁମ ଆସିଲା । ଏହି ସବୁ କାରଣରୁ ସିପାହିମାନେ ଇଂରେଜମାନଙ୍କ ଉପରେ ରାଗି ଉଠିଲେ । ଯେଉଁ ଦେଶୀୟ ରାଜାଙ୍କର ପୁଅ ନ ଥିଲା, ଇଂରେଜମାନେ ତାଙ୍କ ପୋଷ୍ୟପୁତ୍ରକୁ ବାହାର କରିଦେଇ ସେ ରାଜ୍ୟ ନିଜ ଅଧୀନକୁ ଆଣୁଥିଲେ । ଏଥିରେ ଦେଶୀୟ ରାଜାମାନେ ଇଂରେଜମାନଙ୍କ ଉପରେ ରାଗିଥିଲେ । ତେଣୁ ସେମାନେ ମଧ୍ୟ ସିପାହିମାନଙ୍କୁ ସାହାଯ୍ୟ ଦେଲେ ।

 

ଏହିପରି କେତେକ ଘଟନାର ଫଳରେ ଗୋଟାଏ ବିରାଟ ବିଦ୍ରୋହ ଆରମ୍ଭ ହେଲା । ତାକୁ ‘ସିପାହି ବିଦ୍ରୋହ’ କହନ୍ତି । ଯଦି ସବୁ ସିପାହୀ ବିଦ୍ରୋହରେ ଯୋଗ ଦେଇଥାନ୍ତେ, ତେବେ ଇଂରେଜମାନେ ତାଙ୍କୁ ଦମନ କରି ପାରି ନ ଥାନ୍ତେ । ମାତ୍ର ଅଧିକାଂଶ ସିପାହୀ ଇଂରେଜମାନଙ୍କ ପକ୍ଷରେ ରହିଲେ । ତାଙ୍କରି ସାହାଯ୍ୟରେ ଅଳ୍ପଦିନ ଭିତରେ ବିଦ୍ରୋହ ଦମନ କରାଗଲା । ପ୍ରାୟ ବର୍ଷକ ଭିତରେ ପୂର୍ବପରି ସବୁ ଶାନ୍ତ ହୋଇଗଲା ।

 

ସେହି ବର୍ଷଠାରୁ ଅର୍ଥାତ୍‌ ୧୮୫୮ ଖ୍ରୀ: ଅ: ରୁ କମ୍ପାନୀ ଭାରତରୁ ବିଦାୟ ନେଲା । ଭାରତ ଇଂରେଜ ରାଜାଙ୍କଦ୍ୱାରା ଶାସିତ ହେଲା । ମହାରାଣୀ ଭିକ୍‌ଟୋରିଆ ପ୍ରଥମେ ଭାରତରେ ସାମ୍ରାଜ୍ଞୀ ହେଲେ । ଭରତବାସୀଙ୍କ ମନରେ ଶାନ୍ତି ଆଣିବାପାଇଁ କୋମ୍ପାନୀର କେତେକ ନିୟମ ସେ ବଦଳାଇ ଦେଲେ । ବହୁତ ଆଶା, ଆଶ୍ଵାସନା ମଧ୍ୟ ଦେଇଥିଲେ, ତା’ ଆଜି କାଲି ସମସ୍ତେ ମନେ ପକେଇ ତାଙ୍କୁ ଧନ୍ୟ ଧନ୍ୟ କହୁଛନ୍ତି ।

Image

(ମହାରାଣୀ ଭିକ୍ଟୋରିଆ)

 

ରାଣୀଙ୍କ ପରେ ତାଙ୍କ ପୁଅ ସପ୍ତମ ଏଡ଼୍‍ବାର୍ଡ ଆମ୍ଭମାନଙ୍କର ସମ୍ରାଟ ହେଲେ । ସେ ଭାରତକୁ ବୁଲିବାକୁ ଥରେ ଆସିଥିଲେ । ଏବେ ୧୯୧୦ ଖ୍ରୀ: ଅ:ରୁ ମହାରାଜା ପଞ୍ଚମଜର୍ଜ ସମ୍ରାଟ ହୋଇ ଅଛନ୍ତି । ସେ ଦୁଇଥର ଭାରତକୁ ବୁଲିବାକୁ ଆସିଥିଲେ । ଭାରତର ପ୍ରଜାମାନେ ତାଙ୍କୁ ଦେଖି, ତାଙ୍କଠାରୁ ଆଶ୍ୱାସନା ବାକ୍ୟ ଶୁଣି ନିଜକୁ ଧନ୍ୟ ମନେ କରିଅଛନ୍ତି ।

 

ସମ୍ରାଟମାନେ ବିଲାତରେ ଥାନ୍ତି । ତାଙ୍କର ଜଣେ ଜଣେ ପ୍ରତିନଧି ଭାରତ ଶାସନ କରିବାକୁ ଆସନ୍ତି । ତାଙ୍କୁ ଭଇସରୟ କୁହାଯାଏ । ଭାରତର କେତେକ ଲୋକ ମିଳି ଗୋଟିଏ ସଭା କରନ୍ତି । ତାକୁ ଆସେମ୍ବ୍ଲି କହନ୍ତି । ସେହି ଆସେମ୍ବ୍ଲି ସାହାଯ୍ୟରେ ଭଇସରୟ ରାଜ୍ୟ ଶାସନ କରନ୍ତି । ଶାସନ କାର୍ଯ୍ୟ ଆହୁରି ସୁବିଧା କରିବାପାଇଁ ଭାରତକୁ କେତେଗୁଡ଼ିଏ ପ୍ରଦେଶରେ ବିଭାଗ କରାଯାଇଛି । ପ୍ରତ୍ୟେକ ପ୍ରଦେଶରେ କାଉନ୍‌ସିଲ୍‌ ବୋଲି ଗୋଟିଏ ସଭା ଥାଏ । ସେହି ସଭାର ପରାମର୍ଶରେ ପ୍ରଦେଶର ଶାସନକର୍ତ୍ତା (ଗଭର୍ଣ୍ଣର) ମାନେ ନିଜ ନିଜ ପ୍ରଦେଶ ଶାସନ କରନ୍ତି ।

Image